Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ିନିଅନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

01- ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ଯାଇଛି ଦଳ ଡିଆଁ କାର୍ଯ୍ୟକ୍ରମ । ବିଜେଡିକୁ ବାଏ ବାଏ କହିଲେ ଦଳର ବରିଷ୍ଠ ନେତା ତଥା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ। ପୂର୍ଣ୍ଣଚନ୍ଦ୍ର ସେଠୀ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣ ଦେଖା କରାଯିବାରୁ ସେ ବିଜେଡି ଛାଡ଼ିଥିବା କହିଛନ୍ତି। ସେ ଆହୁରି କହିଛନ୍ତି, ୨୦୦୯ ଓ ୨୦୧୪ରେ ମୁଁ ଭଲ ଭୋଟରେ ଜିତି ଥିଲି। କିଛି କାରଣ ବଶଃତ ମୋତେ ୨୦୧୯ରେ ବିଜେଡି ପକ୍ଷରୁ ଟିକେଟ ମିଳିନଥିଲା। ହେଲେ ଦଳ ଟିକେଟ ଦେଇଥିବା ପ୍ରାର୍ଥୀପାଇଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ମୁଁ ପ୍ରଚାର ମଧ୍ୟ କରିଥିଲି। ତା’ପରେ ବି ମୋତେ ଦଳ ଭିତରେ ଅଣଦେଖା କରାଗଲା। ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଦେଲି।

02- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍‌ ଚୋରି ହୋଇଯାଇଛି। ଏନେଇ ଦିଲ୍ଲୀର ଏକ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣାକୁ ୬ ଦିନ ବିତିବାକୁ ବସିଥିବା ବେଳେ ପୁଲିସ୍‌ କାର୍‌ ଚୋରଙ୍କ ସନ୍ଧାନ ପାଇ ପାରିନି। ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଫର୍ଚ୍ୟୁନର କାର୍‌ ଗତ ୧୯ ତାରିଖରେ ସର୍ଭିସିଂ ପାଇ ଯାଇଥିବା ବେଳେ ଚୋରି ହୋଇ ଯାଇଛି। ମଲ୍ଲିକାଙ୍କ କାର୍‌ ଡ୍ରାଇଭର ଯୋଗିନ୍ଧର ସିଂ ଏନେଇ ଗତ ୧୯ ତାରିଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

03- ନନ୍ଦନକାନନକୁ ଆସିଛନ୍ତି  ତିନି ନୂଆ ଅତିଥି । ରବିବାର ଦିନ ପୁଣି ଥରେ ମାଆ ହୋଇଛି ଏସୀୟ ସିଂହୀ ରେବା। ରେବା ରବିବାର ଦିନ ତିନୋଟି ଶାବକକୁ ଜନ୍ମ ଦେଇଛି।  ଯାହାକୁ ନେଇ ନନ୍ଦନକାନନ ପରିସରରେ ଖୁସିର ଲହରୀ ଖେଳି ଯାଇଛି। କାହିଁକିନା ଦ୍ବିତୀୟ ଥର ମାଆ ହୋଇଛି ରେବା।  ସିଂହୀ ରେବା ଓ ସିଂହ ଜିତ୍ ଙ୍କ ମିଳନରୁ ଏହି ତିନି ଶାବକ ଜନ୍ମ ହୋଇଛନ୍ତି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

04- ଓଡ଼ିଶା ପାଇଁ ବିଜେପିର ସାଂସଦ ପ୍ରାର୍ଥୀ ଘୋଷଣା ହେଉ ହେଉ ଦଳରେ ଆରମ୍ଭ ହେଲା ବିଦ୍ରୋହ। ବିଦ୍ରୋହର ଶଙ୍ଖ ଫୁଙ୍କିଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ। ବାଲେଶ୍ବରରେ ଆଜି ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ଖାରବେଳ ବିଦ୍ରୋହ ଘୋଷଣା କରିଛନ୍ତି। ଏହି ବିଦ୍ରୋହ ବାଲେଶ୍ବରରେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି। ଘଟଣା ହେଲା, ବାଲେଶ୍ବରରୁ ସାଂସଦ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇଥିଲେ। ପୂର୍ବରୁ ସେ ବାଲେଶ୍ବରରୁ ଦୁଇଥର ବିଜେପି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ। ତେଣୁ ବାଲେଶ୍ବର ଆସନରୁ ପ୍ରାର୍ଥୀ ହେବା ପାଇଁ ଖାରବେଳ ମନ ବଳାଇବା ସ୍ବାଭାବିକ କଥା।

05-  ଲୋକସଭା ଟିକେଟ ନ ମିଳିବାରୁ ଜଣେ ସାଂସଦ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଲିକାରେ ନାଁ ନଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏପରି କାଣ୍ଡ ଭିଆଇଥିବା କୁହାଯାଉଛି। ଏପରି ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁରେ। କୀଟନାଶକ ପିଇ ୭୬ ବର୍ଷୀୟ ଏ. ଗଣେଶମୂର୍ତ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। ସେ MDMK ଦଳରୁ ଗତଥର ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ।

06- ଭସ୍ମ ଆଳତୀ ବେଳେ ମହାକାଳ ମନ୍ଦିରରେ ଲାଗିଲା ନିଆଁ । ଏହି ଅଗ୍ନିକାଣ୍ତରେ ୧୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।  ବର୍ତ୍ତମାନ ଚିକିତ୍ସା ଅବସ୍ଥାରେ ରହିଛନ୍ତି ଅଗ୍ନିକାଣ୍ଡର ଗୁରୁତର। ସେପଟେ ସମୟ ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଛି । ଏହି ଘଟଣାକୁ ନେଇ ମନ୍ଦିର ପରିସରରେ ଥିବା ସମସ୍ତ ଭକ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସେପଟେ, ଉଜୈନ୍ ଜିଲ୍ଲାପାଳ ନୀରଜ କୁମାର ସିଂହ କହିଛନ୍ତି ଯେ ,ନିଆଁକୁ ଆୟତ୍ତ କରାଯାଇଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଛି।

07- ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି। କଙ୍ଗନାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରତିକ୍ରିୟା ପ୍ରକାଶ ପାଇଛି। ହିମାଚଳ ପ୍ରଦେଶର ବିରୋଧୀ ଦଳର ନେତା ଜୟରାମ ଠାକୁର କହିଛନ୍ତି ଯେ ରାଜନୀତି କ୍ଷେତ୍ର ତାଙ୍କ ପାଇଁ ନୂଆ ହୋଇପାରେ କିନ୍ତୁ ମୁଁ ଦେଖିଛି ଯେ ସେ କେଉଁ କ୍ଷେତ୍ରରେ କାମ କରିଛନ୍ତି ସେ ହିମାଚଳଙ୍କ ନାମ ବଢାଇଛନ୍ତି। ମୁଁ ନିଶ୍ଚିତ ଯେ ସେ ରାଜନୀତିରେ ମଧ୍ୟ ଚମତ୍କାର କାର୍ଯ୍ୟ କରିବେ ଏବଂ ଏକ ବଡ଼ ବିଜୟ ହାସଲ କରିବେ।

08- ସୋମବାର ସକାଳେ ରାଜଧାନୀ ଦିଲ୍ଲୀର ଅଲିପୁର ଅଞ୍ଚଳରେ ଅବସ୍ଥିତ ଏକ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ୩୦ରୁ ଅଧିକ ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କୌଣସି ଆହତଙ୍କ ସମ୍ପର୍କରେ କୌଣସି ସୂଚନା ଗ୍ରହଣ କରାଯାଇ ନାହିଁ।

09- ଆଜି ପବିତ୍ର ଦୋଳ ପୂର୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପବିତ୍ର ଦୋଳ ଉତ୍ସବ ପାଳିତ ହେଉଛି । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ,ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ବିଜେ କରିବା ସହ ଭକ୍ତ ଓ ସେବାୟତ ମାନଙ୍କ ସହ ମିଶି ଫଗୁ  ଓ ଅବିରରେ ହୋଲି  ଖେଳିବେ । ପରମ୍ପରା ଅନୁସାରେ ଆଜି ଦୋଳବେଦୀରେ ମହାପ୍ରଭୁ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଅନ୍ୟପଟେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହେଇଛି  । ରତ୍ନ ସିଂହାସନ ଉପରେ ସକାଳୁ ମହାପ୍ରଭୁ ସୁନାବେଶରେ ସଜିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗତକାଲି ରାତିରେ ଦୋଳବେଦୀରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଶେଷ ହୋଇଛି । 

10- ରାଜ୍ୟରେ ବଦଳିଛି ପାଣିପାଗ।  କିଛି ଦିନର ଅନ୍ତରାଳରେ ରାଜ୍ୟକୁ ଫେରିଛି ତାତି। ରାଜ୍ୟରେ ଗତ କିଛି ଦିନ ହେବ ତାତି ବୃଦ୍ଧି ପାଇବାରେ ଲାଗିଛି। ରବିବାର ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲ୍‌‌ସିୟସ ରେକର୍ଡ ହୋଇଛି। ଏହାସହ ୫ଟି ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାତି ତାପମାତ୍ରା ମଧ୍ୟ ୨ ରୁ ୩ ଡିଗ୍ରୀ ସେଲସିୟସ ବଢିପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି( ମଙ୍ଗଳବାର) ରାଜ୍ୟର ୪-୫ଟି ଜିଲ୍ଳାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Also Read- Crime News: ବଲାଙ୍ଗୀର ତୁରେକେଲାରେ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ

Also Read- Sahara India Refund List: ମିଳିବ ସାହାରା ଟଙ୍କା, ଫେରସ୍ତ ନେଇ ଆସିଲା ନୂଆ ତାଲିକା