ରାଜ୍ୟ ରାଜନୀତିରୁ ବୈଜୟନ୍ତ ଆଉଟ୍‍ !
Advertisement

ରାଜ୍ୟ ରାଜନୀତିରୁ ବୈଜୟନ୍ତ ଆଉଟ୍‍ !

Odisha Politics: ଆଜି ବିଜେପିର ଶୀର୍ଷ ନେତୃତ୍ୱ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ  ପ୍ରଦେଶ ନିର୍ବାଚନ ପ୍ରଭାରୀ ବା ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି। ସେମାନେ ଲୋକସଭା ନିର୍ବାଚନ ମଣ୍ଡଳୀରେ ନେତା ଓ ଶୀର୍ଷ ନେତା ତଥା ରଣନୀତିକାରଙ୍କ ଭିତରେ ସମନ୍ୱୟ ସୃଷ୍ଟିକରିବେ। ସେମାନଙ୍କୁ ଆବଶ୍ୟକ ରାଜନୀତିକ ପରାମର୍ଶ ଦେବେ।  ଏହିକ୍ରମରେ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଏକୁଟିଆ ଉତ୍ତରପ୍ରଦେଶ ଦାୟିତ୍ୱ ଦିଆଯାଇଛି। 

Odisha Politics

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଦିନେ ଚଳ ଚଞ୍ଚଳ ଥିବା ବୈଜୟନ୍ତ ପଣ୍ଡା ୨୦୧୮ ଜାନୁୟାରୀ ଶେଷଠୁ ଆଉ ଦେଖିବାକୁ ମିଳୁ ନାହାନ୍ତି। ଯଦିଓ ୨୦୧୯ ମାର୍ଚ୍ଚ ମାସରୁ ଏହି ୬୨ ବର୍ଷୀୟ ରାଜନେତା ଭାରତୀୟ ଜନତା ପାର୍ଟି ସହ ସାମିଲ୍‍ ହୋଇ ଅନେକ ସାଂଗଠନିକ ଦାୟିତ୍ୱ ଗ୍ରହଣ କରିଛନ୍ତି କିନ୍ତୁ ରାଜ୍ୟ ରାଜନୀତିକ ଦୃଶ୍ୟପଟ୍ଟରେ ତାଙ୍କ ସ୍ବର ଶବ୍ଦ ଶୁଣିବାକୁ ମିଳୁନାହିଁ। ଦୁଇଥର ଲୋକସଭା ଓ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଏହି ବ୍ୟବସାୟୀ-ରାଜନେତାଙ୍କୁ ୨୦୨୪ ରାଜନୀତିକ ମୈଦାନରେ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା। ହେଲେ ଆଜି ବିଜେପି ଉଚ୍ଚ ନେତୃବୃନ୍ଦଙ୍କ ଫଇସଲା ଏହି ସ୍ୱପ୍ନକୁ ଚୂରମାର କରିଛି। ଖାଲି ସେତିକି ନୁହେଁ ଓଡ଼ିଶା ରାଜନୀତିରେ ଆଗକୁ ଏକ ନୂଆ ସମୀକରଣ ସୃଷ୍ଟି କରିଛି ତାହା ହେଲା, ‘ଧର୍ମେନ୍ଦ୍ର ବନାମ ବୈଜୟନ୍ତ’।

ଆଜି ବିଜେପିର ଶୀର୍ଷ ନେତୃତ୍ୱ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ  ପ୍ରଦେଶ ନିର୍ବାଚନ ପ୍ରଭାରୀ ବା ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି। ସେମାନେ ଲୋକସଭା ନିର୍ବାଚନ ମଣ୍ଡଳୀରେ ନେତା ଓ ଶୀର୍ଷ ନେତା ତଥା ରଣନୀତିକାରଙ୍କ ଭିତରେ ସମନ୍ୱୟ ସୃଷ୍ଟିକରିବେ। ସେମାନଙ୍କୁ ଆବଶ୍ୟକ ରାଜନୀତିକ ପରାମର୍ଶ ଦେବେ।  ଏହିକ୍ରମରେ ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଏକୁଟିଆ ଉତ୍ତରପ୍ରଦେଶ ଦାୟିତ୍ୱ ଦିଆଯାଇଛି। 

ଭାରତୀୟ ରାଜନୀତିରେ ଉତ୍ତର ପ୍ରଦେଶ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ଏପରିକି ଏହି ରାଜ୍ୟ ପ୍ରଧାନମନ୍ତ୍ରୀ କିଏ ହେବ ତାହା ସ୍ଥିର କରିଥାଏ ବୋଲି ରାଜନୀତିକ ବିଶେଷଜ୍ଞମାନେ କହନ୍ତି। ଏଣୁ ୨୦୧୪ ନିର୍ବାଚନରେ ଯେତେବେଳେ ବିଜେପିର ନିର୍ବାଚନ ‘ମୁହଁ’ ହୋଇ ନରେନ୍ଦ୍ର ମୋଦୀ ପ୍ରଥମେ ଲୋକସଭା ପାଇଁ ଲଢ଼ିଥିଲେ, ସେତେବେଳେ ଉତ୍ତର ପ୍ରଦେଶର ବାରଣାସୀ ଆସନକୁ ନିଜର ବୋଲି ରଖିଥିଲେ। ତାହା ୨୦୧୯ ମସିହାରେ ମଧ୍ୟ ବଳବତ୍ତର ରହିଛି, ଆଗକୁ ବି ତାହା ହୋଇପାରେ। ଖାଲି ସେତିକି ନୁହେଁ, ଗତ ନିର୍ବାଚନ ସମୟରେ ଏହି ରାଜ୍ୟରେ ଖୋଦ୍‍ ଅମିତ ଶାହ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ଅପରପକ୍ଷେ ଏ ରାଜ୍ୟରେ ବିଜେପି ସରକାରରେ ସବୁଠାରୁ ଟାଣୁଆ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଛନ୍ତି, ଯାହାଙ୍କୁ କହିକେହି ବିଜେପିର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବି କହୁଛନ୍ତି। ପୁଣି ଏ ରାଜ୍ୟରେ ଲୋକଙ୍କ ଭାବଧାରାକୁ ବଜାୟ ରଖିବା ଲାଗି ବିଜେପି ଅଯୋଧ୍ୟାରେ ଶ୍ରୀ ରାମମନ୍ଦିର ନିର୍ମାଣକୁ ସଫଳ କରିଛି। ଏଭଳି କ୍ଷେତ୍ରରେ ଏଥର ବିଜେପି ଏଲ ରାଜ୍ୟରେ ଅହେତୁକ ସଫଳତା ହାସଲ କରିବ ବୋଲି ଆଶା କରିଛି। 

ଏହି ମୁହୂର୍ତ୍ତରେ ବୈଜୟନ୍ତଙ୍କ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ତାଙ୍କୁ କେନ୍ଦ୍ରୀୟ ନେତାଙ୍କ ଧ୍ୟାନରେ ରହିଥିବା କର୍ମୀଙ୍କ ପରିଚୟ ଦେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ପୂର୍ବରୁ ମଧ୍ୟ ବୈଜୟନ୍ତ ଆସାମରେ ନିର୍ବାଚନ ପ୍ରଭାରୀ ଭାବେ କାର୍ଯ୍ୟ କରି ଦଳ ପାଇଁ ସଫଳତା ଅର୍ଜନ କରାଇଥିଲେ। ଏହି ଉଦାହରଣ ଓ କେନ୍ଦ୍ରୀୟ ନେତାଙ୍କ ବିଶ୍ୱାସ ଅତୀତରେ ଯଦି  କୌଣସି ଓଡ଼ିଆ ନେତା ହାସଲ କରିଛନ୍ତି ବୋଲି ଚର୍ଚ୍ଚା ହୁଏ ତେବେ ସେ ହେଉଛନ୍ତି ବର୍ତ୍ତମାନ କେନ୍ଦ୍ରରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଆସେ। ଅର୍ଥାତ୍‍ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନଙ୍କ  ସ୍ଥାନ ବୈଜୟନ୍ତ ନେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। 

ଧର୍ମେନ୍ଦ୍ର ଏହିପରି ଦାୟିତ୍ୱରେ ରହି ଦଳ ପାଇଁ କି ଫଳ ଆଣିଲେ ତାହା ଦୂରର କଥା କିନ୍ତୁ ସେହି ସୁଯୋଗରେ କେନ୍ଦ୍ରରେ ଅହେତୁକ କ୍ଷମତା ଉପଭୋଗ କରିବାରେ ସମର୍ଥ ହୋଇଛନ୍ତି। ଯେଉଁମାନେ ରାଜ୍ୟରୁ ସଂଘର୍ଷ କରି ଲୋକସଭାକୁ ନିକଟ ଅତୀତରେ ନିର୍ବାଚିତ ହୋଇଛନ୍ତି ସେମାନଙ୍କୁ ବି ସେ ସୁଯୋଗ ମିଳିପାରି ନାହିଁ। ଜୁଏଲ୍‍ ଓରାମ ଏବଂ ଦପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନାଁ ଏଠାରେ ନିଆଯାଇପାରେ। ଯଦିଓ ଏମାନେ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି କିନ୍ତୁ ନିଜ ପଦବୀ ଓ ‘ଦବଦବା’କୁ କେନ୍ଦ୍ରୀୟ ନେତାଙ୍କ ଗହଣରେ  ରଖି ନପାରିବାରୁ ତାଙ୍କୁ ଘର ରାସ୍ତା ଦେଖିବାକୁ ପଡ଼ିଛି। 

ହେଲେ ‘ଲିଟେନ୍‍ର ସ୍ୱାଧୀନ ମଣିଷ’  ଭାବେ ବୈଜୟନ୍ତଙ୍କ ଫର୍ମୁଲା କିନ୍ତୁ ଅଲଗା ରହିଛି।  ବିଜେଡି ସାଂସଦ ବେଳେ ଜାତୀୟ ଗଣମାଧ୍ୟମରେ ସ୍ତମ୍ଭକାରର  ପରିଚୟ ହାସଲ କରି ପରେ ବହି ପ୍ରକାଶ କରିଥିବା ବୈଜୟନ୍ତ ଓରଫ ଜୟ ପଣ୍ଡାଙ୍କ ପ୍ରତିଟି ରାଜନୀତିକ ଗୋଟିଚାଳନା ଏହାକୁ ସ୍ପଷ୍ଟ କରିଛି। ବିଜେଡି ଶିବିରରେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନ୍‍ଙ୍କ ବିଷୋଦଗାର କରି ଦଳରୁ ବାହାରିଥିବା ଜୟ ପ୍ରଥମେ ନିର୍ବାଚିତ ନେତା ଅପେକ୍ଷା ବିଜେପିର କର୍ମୀ ଭାବେ ଦଳୀୟ ସଂଗଠନକୁ ଧରିବାରେ ସଫଳ ହୋଇଛନ୍ତି। ଆଗକୁ ଏହା ଏହି କ୍ୟାଡର ଭିତ୍ତିକ ଦଳକୁ ବିଶେଷ ସହାୟକ ହେବ ବୋଲି କୁହାଯାଇପାରେ। କିନ୍ତୁ ନିର୍ବାଚନ ଲଢ଼ିବା ଏବଂ ଓଡ଼ିଆ ଲୋକଙ୍କ ଗହଣାରେ ରହିବା ତାଙ୍କ ପକ୍ଷେ ଆଉ ସମ୍ଭବ ହୋଇ ନପାରେ। ଅର୍ଥାତ୍‍ ଏବେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଯେପରି ଭାବେ ଲୋକଙ୍କ ଗହଣକୁ ଯାଇ  ଭୋଟ ମାଗିବା ବେଳକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଆଗକୁ ବୈଜୟନ୍ତଙ୍କୁ ଭୋଗିବାକୁ ପଡ଼ିପାରେ। କିନ୍ତୁ ଯେଉଁଭଳି ଭାବେ ବୈଜୟନ୍ତ କେନ୍ଦ୍ରୀୟ ନେତାଙ୍କ ନିକଟବର୍ତ୍ତୀ ହୋଇଚାଲିଛନ୍ତି ଆଗକୁ ଓଡ଼ିଶା ରାଜନୀତି ଯେ ଧର୍ମେନ୍ଦ୍ର ବନାମ ବୈଜୟନ୍ତ ନହେବ ତାହା କିଏ କହିବ?