Kanker Encounter Update: ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା; କାର୍ଯ୍ୟାନୁଷ୍ଠାନରେ ଟଳିପଡ଼ିଲେ ୨୯ ନକ୍ସଲ
Advertisement

Kanker Encounter Update: ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା; କାର୍ଯ୍ୟାନୁଷ୍ଠାନରେ ଟଳିପଡ଼ିଲେ ୨୯ ନକ୍ସଲ

Chhattisgarh Anti Naxal Operation: ଏହି ଏନକାଉଣ୍ଟର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ସବୁଠାରୁ ବଡ ଏନକାଉଣ୍ଟର ବୋଲି କୁହାଯାଉଛି।

Kanker Encounter Update: ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା; କାର୍ଯ୍ୟାନୁଷ୍ଠାନରେ ଟଳିପଡ଼ିଲେ ୨୯ ନକ୍ସଲ

Security Force Naxalite Clash in Chhattisgarh: ମଙ୍ଗଳବାର (ଅପ୍ରେଲ ୧୬) ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକ ବଡ଼ ନକ୍ସଲ ବିରୋଧି ଅଭିଯାନ କାର୍ଯ୍ୟକାରୀ କରିଛି ସୁରକ୍ଷା ବଳ। ଏନେଇ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୨୯ ନକ୍ସଲ ଟଳି ପଡ଼ିଛନ୍ତି। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆଜି କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅଧିନସ୍ଥ ଜଙ୍ଗଲ ଅଞ୍ଚଳରେ ମୁହାମୁହଁ ହୋଇଥିଲେ ପୋଲିସ-ନକ୍ସଲ। 

ଏନେଇ ପ୍ରତିକ୍ରିୟା ରଖି ଛତିଶଗଡ ପୋଲିସ ବସ୍ତର ରେଞ୍ଜ ଆଇଜି ପି.ସୁନ୍ଦରରାଜ କହିଛନ୍ତି ଯେ ମଙ୍ଗଳବାର ସିପିଆଇ ମାଓବାଦୀ ବରିଷ୍ଠ କ୍ୟାଡର୍ ଉପସ୍ଥିତ ବାବଦରେ ଖବର ପାଇବା ପରେ  କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅଧିନସ୍ଥ ଜଙ୍ଗଲକୁ ଏକ ଟିମ୍ ପଠାଯାଇଥିଲା। ସେଠାରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀ-ନକ୍ସଲ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୯ ସିପିଆଇ ମାଓବାଦୀ କ୍ୟାଡର ଙ୍କ ୨୯ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ସମସ୍ତ ଆହତ ସୁରକ୍ଷାକର୍ମୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାଜଧାନୀ ରାୟପୁର ସ୍ଥିତ ଡାକ୍ତରଖାନାକୁ ଅଣାଯାଇଥିଲା।

ଏହି ଏନକାଉଣ୍ଟର ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ସବୁଠାରୁ ବଡ ଏନକାଉଣ୍ଟର ବୋଲି କୁହାଯାଉଛି। ଘଟଣାସ୍ଥଳରୁ ୭ ଏକେ ସିରିଜ ରାଇଫଲ, ୩ ଲାଇଟ ମେସିନ ଗନ୍ ଜବତ କରାଯାଇଛି। ଗୁଳିବିନିମୟ ପରେ ଅଧିକ ସଂଖ୍ୟାରେ ସୁରକ୍ଷା ବାହିନୀ ପଠାଯାଇ ସେଠାରେ ସର୍ଚ୍ଚ ଅପରେସନ କରାଯାଇଥିଲା।  

ଛତିଶଗଡ ଠାରେ ହୋଇଥିବା ନକ୍ସଲ ଅପରେସନ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ଟ୍ୱିଟ୍ କରି ସେ କହିଛନ୍ତି ଯେ ମୁଁ ସମସ୍ତ ସୁରକ୍ଷା କର୍ମୀଙ୍କୁ ଅଭିନନ୍ଦନ ଜଣାଉଛି। ଯେଉଁମାନେ ଏହି କାର୍ଯ୍ୟକୁ ସେମାନଙ୍କର ବୀରତ୍ୱ ସହିତ ସଫଳ କରିଛନ୍ତି।

ଅନ୍ୟପଟେ ଛତିଶଗଡ ବିଧାନସଭା ବାଚସ୍ପତି ଡକ୍ଟର ରମଣ ସିଂହ କହିଛନ୍ତି ଯେ ଛତିଶଗଡ ତଥା ଦେଶ ଇତିହାସରେ ଏହା ସବୁଠାରୁ ବଡ ଘଟଣା। ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କର ନିର୍ଣ୍ଣାୟକ ନୀତି ସୁରକ୍ଷା ବାହିନୀର ମନୋବଳକୁ ଉଚ୍ଚରେ ରଖିଛି। ମୁଁ ରାଜ୍ୟର ଗୃହମନ୍ତ୍ରୀ ବିଜୟ ଶର୍ମା ଏବଂ ତାଙ୍କ ଦଳ, ପୋଲିସ୍ କର୍ମଚାରୀ, ଏବଂ ଡିଆରଜି ଯବାନଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଅଭିଯାନରେ ଜଡିତ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବା ପାଇଁ ମୁଁ ଏସପି ଙ୍କ ସହ କଥା ହୋଇଥିଲି। ରାଜ୍ୟରେ ନକ୍ସଲବାଦ ପ୍ରଭାବ ହ୍ରାସ କରିବା ଦିଗରେ ଆମେ ଗତି କରିଛୁ।

ସେହିପରି ଛତିଶଗଡ ଗୃହମନ୍ତ୍ରୀ ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ଯେ ସୁରକ୍ଷା ବଳ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ବହୁ ସଂଖ୍ୟକ ନକ୍ସଲ ନିପାତ ହୋଇଛନ୍ତି। ମୁଁ ସୁରକ୍ଷା ବାହିନୀର ଯବାନଙ୍କୁ ଅଭିନନ୍ଦନ ଜଣାଉଛି। ଆମେ ସମସ୍ତେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛୁ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆମର ମାର୍ଗଦର୍ଶନ କରୁଛନ୍ତି। ଯାହା ଆବଶ୍ୟକ ତାହା କରାଯିବ। ଆଲୋଚନା ମାଧ୍ୟମରେ କୌଣସି ସମସ୍ୟାର ସମାଧାନ କରାଯିବା ଆବଶ୍ୟକ। ଯାହା ଦ୍ୱାରା ବସ୍ତର ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।