TOP 10 NEWS TODAY; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2227863

TOP 10 NEWS TODAY; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

TOP 10 NEWS TODAY; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today

01- ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ପୀଡ଼ିତା ନାବାଳିକାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ ତେବେ ଆଜି ଉକ୍ତ ରାୟକୁ ସୁପ୍ରିମକୋର୍ଟ ଫେରାଇ ନେଇଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ସର୍ବୋଚ୍ଚ ଅଦାଲତ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ୩୦ ସପ୍ତାହର ଭୃଣକୁ ଗର୍ଭପାତ କରିବାକୁ ଅନୁମତି ପ୍ରଦାନ କରିଥିଲେ । ବର୍ତ୍ତମାନ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନଜରରେ ରଖି ସୁପ୍ରିମକୋର୍ଟ ରାୟରେ ପରିବର୍ତ୍ତନ କରିଛନ୍ତି । ନାବାଳିକାର ପିଲା ଜନ୍ମହେଲେ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ପୀଡିତାଙ୍କ ଅଭିଭାବକ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ।

02- କର୍ଣ୍ଣାଟକାର ବାଗଲକୋଟରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ବର୍ଷ ତଳେ ହୋଇଥିବା ଏୟାରଷ୍ଟ୍ରାଇକ କଥା ଉଠାଇଛନ୍ତି । ତେବେ ୨୦୨୪ ନିର୍ବାଚନ ସମୟରେ ମୋଦୀଙ୍କ ଏହି କଥାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ମୋଦି କହିଛନ୍ତି ଯେ, “ମୁଁ ଭାରତୀୟ ସେନା ବାହିନୀକୁ ଗଣମାଧ୍ୟମ ସାମ୍ନାରେ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଜଣାଇବାକୁ ପରାମର୍ଶ ଦେଇଥିଲି। କିନ୍ତୁ ଏହା ପୂର୍ବରୁ ପାକିସ୍ତାନ ସରକାରଙ୍କୁ ଟେଲିଫୋନ ମାଧ୍ୟମରେ ଏ ବିଷୟରେ ଜଣାଇବାକୁ ଚାହିଁଥିଲି। ତେବେ ୨୦୧୯ ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ଓ ପୁଲୱାମା ଆତଙ୍କବାଦୀ ହମଲା ସମ୍ପର୍କରେ କହିଥିଲେ ।

03- ବେଆଇନ୍‌ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କ ୨୪ ହଜାର ନିଯୁକ୍ତି ରଦ୍ଦ କରିବା ମାମଲାରେ ସୁପ୍ରିମକୋର୍ଟଙ୍କ  ଏକ ବଡ ରାୟ ସାମ୍ନାକୁ ଆସିଛି । ଉକ୍ତ ଘଟଣାରେ ସିବିଆଇ ତଦନ୍ତ ଉପରେ ରୋକ୍‌ ଲଗାଯାଇଛି । ନିକଟରେ ଶିକ୍ଷକ ନିଯୁକ୍ତ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ କରାଯିବା ନେଇ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମମତା ବାନାର୍ଜୀଙ୍କ ସରକାର ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ ଦାଖଲ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି କରାଯିବା ପରେ ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ଉପରେ  ରୋକ୍ ଲଗାଇଛନ୍ତି । ପରବର୍ତ୍ତି ନିର୍ଦ୍ଦେଶ କଣ ଆସିବ ତାହା ମେ' ୬ ତାରିଖରେ ଜଣାପଡିବ ।

04- ଗୃହମନ୍ତ୍ରୀ ଅମିତ ଶାହ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଥିବା ଜଣାପଡିଛି । ବିହାରର ବେଗୁସରାର ଏକ ଅସ୍ଥାୟୀ ହେଲିପ୍ୟାଡରୁ ହେଲିକପ୍ଟର ମାଧ୍ୟମରେ ଉଡାଣ ଭରିବା ସମୟରେ ହେଲିକପ୍ଟରଟି ସାମାନ୍ୟ ନିୟନ୍ତ୍ରଣ ହରାଇଥିଲା । ତେବେ ସୌଭାଗ୍ୟବଶତଃ ପାଇଲଟ ଜଣକ ହେଲିକପ୍ଟରକୁ ସଠିକ ଢଙ୍ଗରେ ଚଳାଇବାରେ ସକ୍ଷମ ହୋଇଥିଲେ ।

05- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଇ ୨ତାରିଖ ଦିନ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏପ୍ରିଲ ୩୦ ଦିନ ହିଞ୍ଜିଳି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ନବୀନ । ନାମାଙ୍କନପତ୍ର ଦାଖଲ ପରେ ନବୀନ ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି । ପୂର୍ବରୁ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ପ୍ରଚାର କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ।

06- ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ବିଭିନ୍ନ ଦଳର ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଶୋଭାଯାତ୍ରାରେ ଆସି ସେମାନେ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ନିଜର ନାମାଙ୍କନ ଓ ନଥି ପ୍ରଦାନ କରିଛନ୍ତି। ବୌଦ୍ଧ ନିର୍ବାଚନ ମଣ୍ଡଳୀ ଲାଗି ବିଜେଡି ପ୍ରାର୍ଥୀ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରଦୀପ ଅମାତ, କଣ୍ଟାମାଳ ଲାଗି ମହୀଧର ରଣା ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଉଭୟ ବିଜେଡିର ପ୍ରାର୍ଥୀ।  ପୁରୀ ସାଂସଦ ପ୍ରାର୍ଥୀ ଭାବେ ବିଜେପିର ସମ୍ବୀତ ପାତ୍ର ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଉରକେଲା ବିଧାୟକ ପ୍ରାର୍ଥୀ ଭାବେ ବିଜେପିରୁ ଦିଲ୍ଲୀପ ରାୟ, ଲୁଇସିଂହାରୁ ମୁକେଶ ମହାଲିଙ୍ଗ ଏବଂ ବୀରମହାରାଜପୁରରୁ ଶଙ୍କର ଓରାମ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି। 

07- ବାରିପଦା ସ୍ଥିତ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ଆଞ୍ଚଳିକ କାର୍ଯ୍ୟାଳୟରେ ନିଆଁ ଲାଗିଛି। ତୃତୀୟ ମହଲାରେ ଥିବବା କ୍ୟାଣ୍ଟିନ୍‍ରୁ ନିଆଁ ଆସିବା ଫଳରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ଚାରିଆଡ଼େ ଧୂଆଁମୟ ହୋଇଯାଇଥିବାରୁ କ୍ୟାଣ୍ଟିନରେ ଥିବା ୪ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁ ନିୟନ୍ତ୍ରଣ କରିଥିଲେ ।

08- ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ତୁରୁକ୍ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ନଥିବାରୁ ଜଣେ ପ୍ରସୂତି ଆମ୍ୱୁଲାନ୍ସରେ ଡାକ୍ତରଖାନା ପହଞ୍ଚି ନପାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ଆଜି ସକାଳ ସମୟରେ ତୁରୁକ ଗାଁର ସାତାମା ମାଣ୍ଡିଂଙ୍କ ପତ୍ନୀ ପାରମ ମାଣ୍ଡିଂଙ୍କର ପ୍ରସବ ଜନିତ ଯନ୍ତ୍ରଣା ହୋଇଥିଲା । ସେହି ସମୟରେ ସାତମା ମାଣ୍ଡିଂ ପତ୍ନୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ୱୁଲାନ୍ସକୁ କଲ୍ କରିଥିଲେ । ଖବର ପାଇ ଆମ୍ୱୁଲାନ୍ସ ମଧ୍ୟ ଆସିଥିଲା କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଗାଁ ଭିତରେ ପ୍ରବେଶ କରିପାରିନଥିଲା ଆମ୍ୱୁଲାନ୍ସ । ଫଳରେ ପ୍ରସବ ଯନ୍ତ୍ରଣା ଅଧିକ ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ପାରମ ମାଣ୍ଡିଂ । ଅସହ୍ୟ ଯନ୍ତ୍ରଣା କାରଣରୁ ଶିଶୁପୁତ୍ର ଜନ୍ମ କରିବା ପରେ ମୃତ୍ୟୁବରଣ କରିଥିଲେ ପ୍ରସୂତି ।

09- ଆଜି ମଧ୍ୟ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଛି । ୪ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ କିମ୍ୱା ତାଠାରୁ ଅଧିକ ରେକର୍ଡ ହୋଇଛି । ୩୨ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁଯାୟୀ, ଆଜି ଅନୁଗୁଳରେ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି । ବୋଦ୍ଧରେ ୪୪.୧, ତାଳଚେରରେ ୪୪, ଟିଟଲାଗଡରେ ୪୩.୫, ଢେଙ୍କାନାଳରେ ୪୩.୨, ଭବାନୀପାଟଣା, ନୟାଗଡ, ମାଲକାନଗିରି, ବଲାଙ୍ଗିର, କେନ୍ଦୁଝର ଏବଂ ନୂଆପଡାରେ ତାପମାତ୍ରା ୪୩ ଡିଗ୍ରୀ ରହିଥିଲା ।

10- ସନ୍ଧ୍ୟା ସମୟରେ ବିଭିନ୍ନ ଅଞ୍ଚଳରେ କାଳବୈଶାଖି ବର୍ଷା ସହ ବଜ୍ରପାତ ହୋଇଛି । ଗଞ୍ଜାମ ପାତ୍ରପୁର ବ୍ଲକ ଅଞ୍ଚଳରେ ବଜ୍ରପାତ କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ୨ ଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ, ଗାଁ ନିକଟସ୍ଥ ବିଲକୁ ରାଶି ଅମଳ କରିବାକୁ ଯାଇଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ ସୀମା ସାହୁ, ଶଙ୍କର ସାହୁ ଏବଂ ପଦ୍ମା ସାହୁ । ବଜ୍ରପାତରେ ୫୫ ବର୍ଷୀୟା ସୀମା ସାହୁଙ୍କର ମୃତ୍ୟୁ ହୋଇଥିବାବେଳେ ଶଙ୍କର ଏବଂ ପଦ୍ମା ଗୁରୁତର ହୋଇ ପାତ୍ରପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସମସ୍ତେ ବିଲରେ କାମ କରୁଥିବା ସମୟରେ କାଳବୈଶାଖି ଆସିଥିଲା ବର୍ଷା ଆରମ୍ଭ ହେବା କ୍ଷଣେ ସମସ୍ତେ ବ୍ୟସ୍ତ ହୋଇ ବିଲରୁ ଘରକୁ ଫେରୁଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ବଜ୍ରପାତର ଶିକାର ହୋଇଥିଲେ ।

Also Read- Guru Gochar 2024: ମଇ ୧ରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରେ ପଡିବ ପ୍ରଭାବ

Also Read- Lord hanuman: ଜୟ ବଜରଙ୍ଗବାଲୀ, ମାତ୍ର ୭୨ ଘଣ୍ଟାରେ ୪ ହଜାର ବର୍ଗଫୁଟର ଚିତ୍ର ଆଙ୍କିଲେ ଛାତ୍ର