Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନ ୧୦ ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

H1. ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର
ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ତାଙ୍କର ବ୍ରେନ ଡେଡ୍ ହୋଇଯାଇଥିବା ନେଇ ତାଙ୍କ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ଡାକ୍ତର ରାଉତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଅନୁଯାୟୀ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ଦାମ ରାଉତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମେଡିକାଲ ନେବା ବାଟରେ ତାଙ୍କର ହୃଦଘାତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଦାମ ରାଉତଙ୍କୁ  CPR ଦିଆଯାଇ ନଥିବା ସମ୍ବିତ ରାଉତରାୟ ଅଭିଯୋଗ କରିଛନ୍ତି। ସିପିଆର ନ ଦେବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରାଉତଙ୍କର ଚିକିତ୍ସା ଚାଲିଛି।

H2. ନବୀନ ନିବାସରେ ନେତାଙ୍କ ଭିଡ
ଆଜି ବ୍ରହ୍ମପୁର, କନ୍ଧମାଳ ଓ ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ଚୟନକୁ ନେଇ ନବୀନ ନିବାସରେ ବୈଠକ ଚାଲିଛି। ଏହି ସଂସଦୀୟ କ୍ଷେତ୍ର ଅଧିନସ୍ଥ ସମସ୍ତ ବିଧାନସଭା କ୍ଷେତ୍ରର ନେତାମାନଙ୍କୁ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ପାଇଁ ବିଜେଡିରେ ଅନେକ ଅଶାୟୀ ଅଛନ୍ତି। ଏହି ସଂସଦୀୟ କ୍ଷେତ୍ରରେ ଅଧିକ ଗୋଷ୍ଠୀ କନ୍ଦଳ ମଧ୍ୟ ରହିଛି। କିପରି ଦଳ ତାକୁ ଚେକ୍ ଦେବ ସେନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ଅଲୋଚାନା କରିବେ। ସେହିପରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ବିଜେପି ହାତରେ ରହିଛି। ଚଳିତ ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ର କିପରି ବିଜେଡି ଖାତାକୁ ଯିବ ସେନେଇ ମଧ୍ୟ ଆଜିର ବୈଠକରେ ଅଙ୍କକଷା  ଯିବ ବୋଲି ସୂଚନା ରହିଛି।

H3. ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ୫ ସଦସ୍ୟ
ଭୟଙ୍କର ଅଗ୍ନିକାଣ୍ଡ ଘଟି ଜଳିଗଲେ ଗୋଟିଏ ପରିବାରର ୫ ଜଣ। ରାଜସ୍ଥାନର ଜୟପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଜୟପୁରର ବିଶ୍ୱକର୍ମାର ଜୈସଲ୍ୟ ଗାଁରେ ଏକ ଘରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୩ ପିଲାଙ୍କ ସମେତ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କେଉଁ କାରଣରୁ ଘରେ ନିଆଁ ଲାଗିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ସମସ୍ତ ମୃତକ ବିହାରର ବୋଲି କୁହାଯାଉଛି।

H4. 'ବିକଶିତ ଭାରତ' ମେସେଜ୍ ପଠାଇବା ବନ୍ଦ କର
ନିର୍ବଚନ ଆଦର୍ଶ ଆଚରଣ ବିଧି ବା କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହୋଇ ସାରିଥିବାରୁ ରାଜନୈତିକ ଦଳ ଉପରେ କଡା ନଜର ରଖିଛନ୍ତି ଇଲେକ୍ସନ କମିଶନ। ଏହିପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଏତ ନୋଟିସ୍ ଏକ ପଠାଇଛନ୍ତି। ହ୍ୱାଟ୍ସଆପରେ 'ବିକଶିତ ଭାରତ' ମେସେଜକୁ ତୁରନ୍ତ ବନ୍ଦ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମଧ୍ୟ କାହିଁକି ହ୍ୱାଟ୍ସଆପରେ ଏହି ମେସେଜ୍ ପଠାଯାଉଛି, ତୁରନ୍ତ ଉତ୍ତର ରଖିବାକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲ୍ ପ୍ୟାନେଲ।

H5. ରାଜମହଲରେ ଅଟୋକୁ ପିଟିଲା ମୋ ବସ
ଆଜି ସକାଳୁ ରାଜଧାନୀରେ ପୁଣି ଥରେ ଆଉ ଏକ 'ମୋ ବସ୍' ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି କ୍ଷତିଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ ଅଟୋଟି ଦୁର୍ଘଟଣାର ସମ୍ମୁକୀନ ହେବା ପୂର୍ବରୁ ଯାତ୍ରୀମାନେ ଅଟୋରୁ ଓହ୍ଲାଇ ପଡିଥିଲେ ବୋଲି ଜଣାପଡିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବର୍ତ୍ତମାନ କ୍ୟାପିଟାଲ ଥାନା ପୋଲିସ ଘଟଣା ସମ୍ପର୍କରେ 'ମୋ ବସ୍' ଡ୍ରାଇଭରଙ୍କୁ ପଚରା ଉଚରା କରୁଥିବା ଜଣାପଡିଛି ।

H6. ପରିଧାନ ଉପରେ ଭିସୁଟର କଟକଣା
ଆପତ୍ତିଜନକ ପୋଷାକ ପରିଧାନ କରି ବୁର୍ଲା ଭିସୁଟରେ ପ୍ରବେଶ ଉପରେ ଲାଗିଲା କଟକଣା। ଛାତ୍ରଛାତ୍ରୀମାନେ ଆଗାମୀ ଟେକ୍ନୋ- କଲଚରାଲ ଫେଷ୍ଟିଭାଲ ୨୦୨୪ରେ ପାରମ୍ପରିକ ପୋଷାକ ପରିଧାନ କରି ସାମିଲ ହେବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ। ଛାତ୍ରଛାତ୍ରୀମାନେ କୌଣସି ପ୍ରକାରର ଆପତ୍ତିଜନକ ପୋଷାକ, ପାଶ୍ଚାତ୍ୟ ପୋଷାକ କିମ୍ବା ସର୍ଟ ଡ୍ରେସ୍ ପିନ୍ଧିପାରିବେ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଛି । ନିୟମ ଅନୁପାଳନ ନ କଲେ ପ୍ରବେଶ ଅନୁମତି ମିଳିବନି ବୋଲି କଡ଼ା ନିର୍ଦ୍ଦେଶ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

H7. ବଦାୟୁଁ ହତ୍ୟାକାଣ୍ଡ: ଆଉ ଜଣେ ଅଭିଯୁକ୍ତ ଗିରଫ
ବଦାୟୁଁ ହତ୍ୟାକାଣ୍ଡ ମାମଲାରେ ଦୁଇ ଦିନ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଜାଭେଦକୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ବଦାୟୁଁରେ ଦୁଇ ନାବାଳକଙ୍କୁ ଗଳାକାଟି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ସାଜିଦର ଭାଇ ଜାଭେଦଙ୍କୁ ବିଳମ୍ବିତ ରାତିରେ ବରେଲିରୁ ଗିରଫ କରାଯାଇଛି । ଘଟଣା ଘଟାଇବା ପରେ ଜାଭେଦ ନିଜ ମୋବାଇଲକୁ ସ୍ଵିଚ୍ ଅଫ୍ କରି ଦିଲ୍ଲୀ ଚାଲି ଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକମାନେ ତାଙ୍କୁ ସାଟେଲାଇଟ୍ ବସ୍ ଷ୍ଟାଣ୍ଡରେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

H8. ରାଜ୍ୟରେ ବଦଳୁଛି ପାଣିପାଗ
ମାର୍ଚ୍ଚ ମାସରେ ଯେଉଁ ଭୁବନେଶ୍ୱର ଡହ ଡହ ତାତି ଅନୁଭବ କରେ ଏବେ ଗଲା ତିନିଦିନ ହେଲା ବର୍ଷା ଓ ଶୀତ ଅନୁଭବ କରୁଛି। କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ଆକାଶ ମେଘାଚ୍ଛନ୍ନ ରହିବାରୁ ତାପମାତ୍ରା ୧୭ ତଳକୁ ଖସିଛି। ଗତ ୭୧ ବର୍ଷ ଭିତରେ ମାର୍ଚ୍ଚ ମାସର ତାପମାତ୍ରାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଆଜିଠାରୁ ପରିସ୍ଥିତିରେ ପରିବର୍ତ୍ତନ ଆସି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

H9. ବୃଦ୍ଧି ପାଇବ ଶ୍ରମିକଙ୍କ ମଜୁରୀ
ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ( ଏନ୍‍ଆରଇଜିଏସ୍‍) ଅନୁସାରେ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇବ। ଏହା ଏପ୍ରିଲ ୧ ତାରିଖରୁ ଲାଗୁ ହେବ। ଖୁବ୍‍ ଶୀଘ ଏ ବାବଦରେ ଗ୍ରାମୀଣ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିବ। ଏ ନେଇ ନିର୍ବାଚନ ଆୟୁକ୍ତ ସବୁଜ ସଙ୍କେତ ଦେଇଛନ୍ତି। ଯେହେତୁ ନିର୍ବାଚନ ଆଚରଣ ବିଧି ଗଲା ୧୬ ତାରିଖରୁ ଲାଗୁ ହୋଇଛି, ତାହାକୁ ଦୃଷ୍ଟିରେ ରଖି ସରକାର ଏ ବାବଦରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। 

H10. ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ
IPL 2024 ର ଅପେକ୍ଷା ବର୍ତ୍ତମାନ ଶେଷ ହେବାକୁ ଯାଉଛି। କିଛି ଘଣ୍ଟା ପରେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ବର୍ତ୍ତମାନର ସିଜନ୍ CSK ଓ RCB ମଧ୍ୟରେ ମ୍ୟାଚ୍ ସହିତ ଆରମ୍ଭ ହେବ। CSK ଯଥା ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଏମଏସ ଧୋନିଙ୍କ ଦ୍ୱାରା ପରିଚାଳିତ ଓ ଆଇପିଏଲ ୨୦୨୩ ର ଚାମ୍ପିୟନ ଏବଂ ଏହାର ଲକ୍ଷ୍ୟ ହେଉଛି ଟାଇଟଲ ବଞ୍ଚାଇବା। RCB ଯଥା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୬ ବର୍ଷରେ ଥରେ ମଧ୍ୟ ଟାଇଟଲ ଜିତିବାରେ ସକ୍ଷମ ହୋଇ ନାହିଁ।