Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ଶୁକ୍ରବାର ଏକ ବଡ ଧରଣର ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀ ମାନେ ଉକ୍ତ ଅଞ୍ଚଳରୁ ଖସି ପଳାଉଥିବା ବେଳେ ଡିଆରଜି ଯବାନ ଏନକାଉନଣ୍ଟର କରିଥିବା ଜଣାପଡିଛି। ଘଟଣାସ୍ଥଳରୁ ଇନସାସ୍, ଏକେ-୪୭, SLR, ୩ଟି ବନ୍ଧୁକ ଓ ମ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି। DRG ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି. ସୁନ୍ଦରରାଜ।
Headlines 02- ଶ୍ରୀମନ୍ଦିରରେ ପଢ଼ୁଆଁ ହେବେ ଶ୍ରୀଜିଉ । ସେଥିପାଇଁ ମାମୁ ଘରୁ ଶ୍ରୀମନ୍ଦିରକୁ ଗଲା ପଢ଼ୁଆଁ ଭାର। ମାଧବାନନ୍ଦଜିଉଙ୍କ ପୀଠରୁ ପଢ଼ୁଆଁ ଭାରରେ ପାଟବସ୍ତ୍ର ଓ ବିଭିନ୍ନ ଫଳମୂଳ ସହ ଏକଲକ୍ଷ ପୀଠା ଶ୍ରୀମନ୍ଦିର ଯାଇଛି ।
Headlines 03- ଭୁବନେଶ୍ବରରୁ ୫ ନୂଆ ସହରକୁ ମିଳିବ ବିମାନ ସେବା। ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନକୁ ବିମାନ ଚଳାଚଳ କରିବ। ଜାନୁଆରୀରେ ଏହାର ଶୁଭାରମ୍ଭ ହେବ ବୋଲି ବିଜୁପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନୂଆ ରୁଟ୍ ରେ ବିମାନ ଚଳାଚଳ ପାଇଁ ରାଜ୍ୟ ପରିବହନ ବିଭାଗରୁ ବିଭିନ୍ନ ଦିଗକୁ ନେଇ ସର୍ବେକ୍ଷଣ କରାଯାଇଥିଲା। ଏଥିରେ ୮ଟି ଘରୋଇ ରୁଟ୍ ଓ ୪ଟି ଅନ୍ତର୍ଜାତିକ ଗନ୍ତବ୍ୟ ସ୍ଥଳ ଚିହ୍ନଟ ହୋଇଛି। ଡୋମେଣ୍ଟିକ୍ ରୁଟ୍ ରେ ଡେରାଡୁନ୍, ଗୋଆ, ଜମ୍ମୁ, ଜୟପୁର, ସୁରତ, କୋଚି, ଶିରିଡି, ଅହମ୍ମଦାବାଦ୍ ସହର ରହିଛି। ଆନ୍ତର୍ଜାତିକ ରୁଟ୍ ରେ ଆବୁଧାବି, ଓମାନ୍,ବାହାରେନ୍, କୁଏତ ବିମାନ ସେବା ଯୋଡିବାକୁ ରାଜ୍ୟ ସରକାର ଲକ୍ଷ ରଖିଛନ୍ତି।
Headlines 04- ଭୁବନେଶ୍ବର ମେଟ୍ରୋ ଟେଣ୍ଡରକୁ ବାତିଲ କରାଯାଉ ବୋଲି କଂଗ୍ରେସ କହିଛି । ଭୁବନେଶ୍ବର ମେଟ୍ରୋ ନିର୍ମାଣ କରୁଥିବା ରଞ୍ଜିତ ବିଲ୍ଡକନ୍ ଏକ କଳାତାଲିକାଭୁକ୍ତ କମ୍ପାନି। ମେଟ୍ରୋ ନିର୍ମାଣ ପାଇଁ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରିବାକୁ ଯାଉଛନ୍ତି। ହେଲେ ମେଟ୍ରୋର ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍ଡକନ୍ର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ରହିଆସିଛି। ଏହି କମ୍ପାନି ଯେଉଁ ରାଜ୍ୟରେ ବ୍ରିଜ୍, ରେଳପଥ ଆଦି ନିର୍ମାଣ କରିଛି ସେସବୁ ସୁଦୃଢ଼ କିମ୍ବା ଦୀର୍ଘସ୍ଥାୟୀ ନୁହେଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
Headlines 05- ରାଜ୍ୟରେ ଚୋରାମଦ କାରବାରରେ ଲାଗିବ ସମ୍ପୂର୍ଣ୍ଣ ରୋକ୍ । ଏଥିପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣାଉଛନ୍ତି ରାଜ୍ୟ ସରକାର । ଏନେଇ ସୂତନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
Headlines 06- ଡିସିପି ଅଫିସ ସାମ୍ନାରେ ପୋଲିସ ଉପସ୍ଥିତିରେ ହାତାହାତି ହୋଇଛନ୍ତି ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ। ଆଉ ଏହି କଳିରେ ସାମିଲ ହୋଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଅନ୍ୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ । ସୂଚନାଯୋଗ୍ୟ, କିଛି ଦିନ ତଳେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସଲାମ୍ଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ମିଳିଥିଲା। ବିବାଦୀୟ ଅଭିନେତା ମନୋଜ ମିଶ୍ରଙ୍କ ସହଯୋଗୀ ତାଙ୍କୁ ଏଭଳି ହତ୍ୟା ଧମକ ଦେଇଥିବା ଅଭିଯୋଗ କରି ଦରଘାବଜାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
Headlines 07- ବଦଳିଛି ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା। ଏହାସହ ମାର୍କିଂ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ହୋଇଛି। ନୂଆ ଢାଞ୍ଚାରେ ଚଳିତ ଥର ଦିଆଯିବ ମାର୍କ। ପ୍ରାକ୍ଟିକାଲ ନଥିବା ବିଷୟର ହେବ ୮୦ ମାର୍କର ପରୀକ୍ଷା। ୮୦ ମାର୍କରୁ ୨୪ ମାର୍କ ରଖିଲେ ପାସ୍ ହେବେ ପରୀକ୍ଷାର୍ଥୀ। ଚଳିତବର୍ଷ ଏଭଳି ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଚଳିତ ବର୍ଷ ପାସ୍ ହାର ବୃଦ୍ଧି କରିବାକୁ CBSE ଢାଞ୍ଚାରେ ପରୀକ୍ଷା କରାଯାଉଛି। ୮୦ ମାର୍କରୁ ୨୦ ମାର୍କର ମଲ୍ଟିପଲ ଚଏଚ୍ ପ୍ରଶ୍ନ ରହିବ।
Headlines 08- ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଗତକାଲି ସନ୍ଧ୍ୟାରେ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଯାଜପୁର ସଦର ଥାନା ପୁଲିସ ୧୦ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ସଦର ଥାନା କେସ୍ ନମ୍ବର ୩୩୦/୨୪ରେ ଅଭିଯୁକ୍ତମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମାନେ ବିଧାୟକଙ୍କୁ ଆକ୍ରମଣ ଓ ପରେ ଏହାକୁ ନେଇ ହୋଇଥିବା ଗଣ୍ଡଗୋଳରେ ସମ୍ପୃକ୍ତ ଥିଲେ। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
Headlines 09- ବବି ଦାସଙ୍କ ଭାଇ ଭବ ପ୍ରକାଶ ଦାସଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଜଣେ ବ୍ୟବସାୟୀ । ତାଙ୍କୁ ଧମକ ଦେବା ଅଭିଯୋଗରେ ସେ ଏତଲା ଦେଇଛନ୍ତି । ଭବଙ୍କ ସହଯୋଗୀ ଧମକ ଦେବା ସହ ବ୍ୟବସାୟୀଙ୍କୁ ମାଡ଼ ମାରିବା ଅଭିଯୋଗ । କେବଳ ସେତିକି ନୁହେଁ, ବ୍ୟବସାୟୀଙ୍କ ପରିବା ନଷ୍ଟ କରିବା ସହ ପାଖରେ ଥିବା ନଗଦ ଟଙ୍କା ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି ।
Headlines 10- ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ୨୪ ତାରିଖରେ ଏହା ଅବପାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଯଦି ଏହା ବାତ୍ୟାର ରୂପ ନେବ, ତେବେ ୨୯ ତାରିଖ ବେଳକୁ ତାମିଲନାଡୁ ଉପକୂଳ ଆଡକୁ ମୁହାଁଇବ। ଏହାର ପ୍ରଭାବ ଓଡି଼ଶା ଉପରେ ରହିବ ନାହିଁ। ସେପଟେ, ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗରେ କୌଣସି ପ୍ରକାର ପରିବର୍ତ୍ତନ ସୃଷ୍ଟି ହେବ ନାହିଁ।