ତାଏକୋଣ୍ଡୋ ଏରିନାର ସମ୍ରାଟ୍ ରୁଦ୍ର ନାରାୟଣ
Advertisement

ତାଏକୋଣ୍ଡୋ ଏରିନାର ସମ୍ରାଟ୍ ରୁଦ୍ର ନାରାୟଣ

୨୦୧୩ ମସିହାରେ ତାଙ୍କୁ ତତ୍କାଳୀନ କୋଚ୍ କହିଥିଲେ, ଏହି ପିଲାଟି ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରରେ ଅଞ୍ଚଳର ନାଁ ରଖିବ । ଦୀର୍ଘଦିନ ପରେ ତାଙ୍କର ସେହି ଭବିଷ୍ୟବାଣୀ ସତ ହୋଇଛି । ତାଏକୋଣ୍ଡୋରେ ପଦକର ସମ୍ରାଟ୍ ପାଲଟି ଯାଇଛନ୍ତି ରୁଦ୍ର । ଏରିନାରେ ପ୍ରତିପକ୍ଷଙ୍କୁ ମାତ୍ ଦେଇ ଜିତି ଚାଲିଛନ୍ତି ପଦକ ପରେ ପଦକ ।

ତାଏକୋଣ୍ଡୋ ଏରିନାର ସମ୍ରାଟ୍ ରୁଦ୍ର ନାରାୟଣ

ଭୁବନେଶ୍ୱର: ୨୦୧୩ ମସିହାରେ ତାଙ୍କୁ ତତ୍କାଳୀନ କୋଚ୍ କହିଥିଲେ, ଏହି ପିଲାଟି ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରରେ ଅଞ୍ଚଳର ନାଁ ରଖିବ । ଦୀର୍ଘଦିନ ପରେ ତାଙ୍କର ସେହି ଭବିଷ୍ୟବାଣୀ ସତ ହୋଇଛି । ତାଏକୋଣ୍ଡୋରେ ପଦକର ସମ୍ରାଟ୍ ପାଲଟି ଯାଇଛନ୍ତି ରୁଦ୍ର । ଏରିନାରେ ପ୍ରତିପକ୍ଷଙ୍କୁ ମାତ୍ ଦେଇ ଜିତି ଚାଲିଛନ୍ତି ପଦକ ପରେ ପଦକ ।

ପୂରା ନାଁ ତାଙ୍କର ରୁଦ୍ର ନାରାୟଣ ବେହେରା, ଘର ଗଞ୍ଜାମ ଜିଲ୍ଲା ଛତ୍ରପୁର । ବର୍ତ୍ତମାନ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଡାଟା ସାଇନ୍ସ ବିଷୟରେ ବିଟେକ୍ ପଢୁଥିବା ରୁଦ୍ର ନାରାୟଣଙ୍କର ଆଉ ଏକ ପରିଚୟ ହେଉଛି ସେ ତାଏକୋଣ୍ଡୋ କ୍ରୀଡ଼ାରେ ଜଣେ ଜାତୀୟ ସ୍ତରର ଖେଳାଳି । ଆଜିକୁ ପ୍ରାୟ ୧୩ ବର୍ଷ ତଳେ ୨୦୧୧ ମସିହାରେ ତାଏକୋଣ୍ଡୋ ପ୍ରତି ଆକୃଷ୍ଟ ହୋଇଥିବା ରୁଦ୍ର ଇତିମଧ୍ୟରେ ନିଜ କ୍ୟାରିଅରରେ ଯୋଡ଼ି ସାରିଲେଣି ସଫଳତାର ଅନେକ ପାହାଚ । ପିଲାଟି ଦିନରୁ ମାର୍ଶାଲ୍ ଆର୍ଟ୍ସ ପ୍ରତି ଆଗ୍ରହ ଥିବା ରୁଦ୍ରଙ୍କ ପାଇଁ ତାଙ୍କ ପିତା ରାଜେନ୍ଦ୍ର କୁମାର ବେହେରା ଓ ମାତା ମମତା ବେହେରା ହେଉଛନ୍ତି ପ୍ରେରଣାର ଉତ୍ସ । ପିତା ରାଜେନ୍ଦ୍ର ବେହେରା ନିଜ ଯୁବାବସ୍ଥାରେ ଜଣେ କ୍ରୀଡ଼ାବିତ୍ ଥିବାବେଳେ ପୁଅ ରୁଦ୍ରଙ୍କୁ ମଧ୍ୟ ଜଣେ ସଫଳ କ୍ରୀଡ଼ାବିତ୍ ଭାବରେ ଦେଖିବାକୁ ଚାହୁଁଥିଲେ । ରୁଦ୍ର ଜାତୀୟ ସ୍ତରରେ ପଦକ ଜିତି ପିତାଙ୍କ ସ୍ୱପ୍ନକୁ ସଫଳ କରି ପାରିଛନ୍ତି । ବର୍ତ୍ତମାନ ରୁଦ୍ର ‘ଓଡ଼ିଶା ତାଏକୋଣ୍ଡୋ ଆସୋସିଏସନ’ର ସାଧାରଣ ସମ୍ପାଦକ ତଥା ‘ତାଏକୋଣ୍ଡୋ ଫେଡେରେସନ ଅଫ୍ ଇଣ୍ଡିଆ’ର ସଦସ୍ୟ ଥିବା କେ. ମନମୋହନ ଭଞ୍ଜଙ୍କଠାରୁ ତାଏକୋଣ୍ଡୋ କୋଚିଂ ନେଉଛନ୍ତି । ଦକ୍ଷିଣ କୋରିଆର ତାଏକୋଣ୍ଡୋ ଖେଳାଳି ‘ଡେ-ହୋନ୍-ଲି’ଙ୍କୁ ନିଜ ଆଦର୍ଶ ମାନୁଥିବା ରୁଦ୍ର ୨୦୧୫ ପର୍ଯ୍ୟନ୍ତ କେବଳ ‘କିରୋଗୀ’ରେ ଭାଗ ନେଉଥିବା ବେଳେ ୨୦୧୬ ମସିହାରୁ ‘ପୁମ୍ସି’ ଖେଳିବା ଆରମ୍ଭ କଲେ । ୨୦୧୭ରେ ପୁମ୍ସିର ତିନିଟି ବର୍ଗ (ଟିମ୍, ପେୟାର ଓ ସିଙ୍ଗଲ୍ସ) ଓ କିରୋଗୀରେ ମଧ୍ୟ ସବୁଯାକ ସ୍ୱର୍ଣ୍ଣ ପଦକ ପୋଛି ନେଇଥିଲେ ରୁଦ୍ର । ତାଙ୍କର ଏହି ବିରଳ ସଫଳତା 2023 ପର୍ଯ୍ୟନ୍ତ ଲଗାତାର ଜାରି ରହିଛି । 2024ର ପ୍ରତିଯୋଗିତା ଆରମ୍ଭ ହୋଇ ନ ଥିବା ବେଳେ ଏଥର ମଧ୍ୟ ଏହି ସଫଳତା ଦୋହରାଇବାକୁ ରୁଦ୍ର ଲକ୍ଷ୍ୟ ରଖିଛନ୍ତି ।

ପ୍ରଥମ କୋଚ୍ କେ. ମନୋଜ ପ୍ରଧାନଙ୍କ ତତ୍ତ୍ୱାବଧାନରେ ମାତ୍ର ୮ ବର୍ଷ ବୟସରେ ପ୍ରଥମ ଉଦ୍ୟମରେ ହିଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ରୁଦ୍ର । ଏହାପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କଲେ । ୨୦୧୩ ମସିହାରେ ତାଏକୋଣ୍ଡୋରେ ତାଙ୍କର ପ୍ରଫେସନାଲ କ୍ୟାରିଅର ଆରମ୍ଭ ହେବାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ସେହି ବର୍ଷ ଜିଲ୍ଲାସ୍ତରୀୟ ସବ୍ ଜୁନିଅର ଖେଳି ସ୍ୱର୍ଣ୍ଣପଦକ ହାସଲ କଲେ । ଏହାପରେ ରାଜ୍ୟସ୍ତରୀୟ ସବ୍ ଜୁନିଅରରେ ମଧ୍ୟ ନିଜ ଦବଦବା କାଏମ ରଖି ହାସଲ କରିଥିଲେ ସ୍ୱର୍ଣ୍ଣପଦକ । ସେଇଠୁ ନିଜ ଜିଲ୍ଲାର ପ୍ରଥମ ତାଏକୋଣ୍ଡୋ ଖେଳାଳି ଭାବରେ ମହାରାଷ୍ଟ୍ରର ପୁଣେରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାର ସବ୍ ଜୁନିଅର ବିଭାଗରେ ଭାଗ ନେବାକୁ ଯାଇଥିଲେ । ମାତ୍ର ପ୍ରଥମ ରାଉଣ୍ଡ ଜିତିବା ପରେ ହାରିଯାଇ ପ୍ରତିଯୋଗିତାରୁ ବିଦାୟ ନେଇଥିଲେ । ଏହା ପରବର୍ଷ ୨୦୧୪ରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତିବା ସତ୍ତ୍ୱେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ । ୨୦୧୫ ମସିହାରେ ହରିଆଣାର କୁରୁକ୍ଷେତ୍ରଠାରେ ଜାତୀୟ ସ୍ତରରେ ପ୍ରତିଯୋଗିତାରେ ଭାଗ ନେଇଥିଲେ ମଧ୍ୟ ସଫଳତା ପାଇ ପାରି ନ ଥିଲେ ।
ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ୨୦୨୨ ଶେଷବେଳକୁ ସେ ନାମ ଲେଖାଇଥିଲେ । ତେବେ ତା ପୂର୍ବରୁ ସେ କଲେଜରେ ପଢୁଥିବା ବେଳେ ୨୦୧୮ ମସିହା ଥିଲା ତାଙ୍କ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ । ସବ୍ ଜୁନିଅରରୁ ସେ କ୍ୟାଡେଟ୍ (୧୨ରୁ ୧୪ ବର୍ଷ) ବର୍ଗକୁ ଆସିଲେ । ଏହାପରେ ଜୁନିଅର (୧୫ରୁ ୧୭ ବର୍ଷ) ବର୍ଗରେ ସେ ଜାତୀୟ ସ୍ତରରେ କର୍ଣ୍ଣାଟକର ଶିବମୋଗାରେ ହୋଇଥିବା ପ୍ରତିଯୋଗିତାର ପ୍ରଥମ ଫାଇଟ୍ ଜିତିବା ପରେ ଦ୍ୱିତୀୟ ଫାଇଟ୍ ଜଣେ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କ ସହ ହୋଇଥିଲା । ୨୦୧୭ର କ୍ୟାଡେଟ୍ ବର୍ଗରେ ଉକ୍ତ ପ୍ରତିଯୋଗୀ ରୁଦ୍ରଙ୍କୁ ହରାଇ ଚାମ୍ପିଅନ ହୋଇଥିଲେ । ସେହି ପରାଜୟ ରୁଦ୍ର ଭୁଲି ନ ଥିଲେ । ପରିଣାମ ସ୍ୱରୁପ ସେ ଶିବମୋଗା ଫାଇଟରେ ତାଙ୍କୁ ହରାଇ ପ୍ରତିଶୋଧ ନେଇଥିଲେ । ଏହାପରେ ଜାତୀୟ ସ୍ତରରେ ରୁଦ୍ରଙ୍କ ନାଁ ଚର୍ଚ୍ଚା ହୋଇଥିଲା ଯେ ଓଡ଼ିଶାରେ ମଧ୍ୟ ଅନ୍ତର୍ଜାତୀୟ ସ୍ତରର ତାଏକୋଣ୍ଡୋ ପ୍ରତିଯୋଗୀ ବାହାରି ପାରିଛନ୍ତି । ଏହାପରେ ଅନେକ ଘରୋଇ ଟିମ୍ ମଧ୍ୟ ରୁଦ୍ରଙ୍କୁ ନେବାକୁ ଆଗ୍ରହୀ ହୋଇଥିଲେ । ସେତେବେଳେ ତାଙ୍କର ଦଶମ ବୋର୍ଡ ପରୀକ୍ଷା ଥିବାରୁ ସେ ପ୍ରତିଯୋଗିତାଗୁଡ଼ିକରେ ଭାଗ ନେଇପାରି ନ ଥିଲେ । ପରୀକ୍ଷା ସରିବା ପରେ ହାଇଦ୍ରାବାଦରେ ୨୦୧୯ରେ ଦ୍ୱିତୀୟ ବିଶ୍ୱ ତାଏକୋଣ୍ଡୋ ଚାମ୍ପିଅନଶିପ୍ (ରାଙ୍କିଂ ଇଭେଣ୍ଟ)ର ଜୁନିଅର ବର୍ଗ (55 କେଜିରୁ କମ୍)ରେ ଭାଗ ନେଇ ସେ 200 ଜଣଙ୍କ ମଧ୍ୟରୁ ଶ୍ରେଷ୍ଠ 5 ଜଣଙ୍କ ମଧ୍ୟରେ ସ୍ଥାନ ପାଇ ପାରିଥିଲେ । ତେବେ ତାହା ପଦକରେ ପରିଣତ ହୋଇପାରି ନ ଥିଲା ।
କୋରୋନା ସମୟରେ ରୁଦ୍ର ପାଠପଢ଼ାରେ ଧ୍ୟାନ କେନ୍ଦ୍ରୀତ ନ କରି ତାଏକୋଣ୍ଡୋ ‘ଇଣ୍ଡିଆ ଟ୍ରାଏଲ’କୁ ଅଧିକ ଗୁରୁତ୍ୱ ଦେଇଥିଲେ। ଭାରତୀୟ ଟିମରେ ସେତେବେଳେ ମାତ୍ର ପାଞ୍ଚ ଛଅଟି ସ୍ଥାନ ଖାଲି ଥିଲା । ବେଙ୍ଗାଲୁରୁରେ ହୋଇଥିବା ଏହି ଟ୍ରାଏଲରେ ପ୍ରାୟ ୩ ଶହ ପ୍ରତିଯୋଗୀ ଭାଗ ନେଇଥିଲେ । ଖୁସିର କଥା ସେଥିରେ ରୁଦ୍ର ମନୋନୀତ ହୋଇଥିଲେ । ୨୦୨୨ରେ ‘ଭାରତୀୟ କ୍ରୀଡ଼ା ପ୍ରାଧିକରଣ’ (ସାଇ) ପକ୍ଷରୁ ତାଙ୍କ ପାଖକୁ ଏ ସମ୍ପର୍କୀତ ଚିଠିଟିଏ ଆସିବା ପରେ ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ । ସେ କଲେଜ ପାଠ୍ୟକ୍ରମକୁ ଡିଷ୍ଟାନ୍ସରେ ପଢ଼ିବାକୁ ସ୍ୱୀକୃତି ପାଇ ତାଏକୋଣ୍ଡୋରେ ତାଲିମ ନେବାକୁ ବେଙ୍ଗାଳୁରୁ ଚାଲି ଯାଇଥିଲେ । ସେହି ସମୟରେ ଜୋନାଲ୍ ସ୍ତରରେ ଉତ୍ତୀର୍ଣ୍ଣ ହୋଇ ନାସିକଠାରେ ହୋଇଥିବା ଜାତୀୟ ଚାମ୍ପିୟନଶିପରେ ଭାଗନେବାକୁ ମନୋନୀତ ହୋଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଠାରେ ସେ ବହୁ ରାଙ୍କିଂପ୍ରାପ୍ତ ଖେଳାଳିଙ୍କୁ ଏକତରଫା ଭାବରେ ହରାଇଥିଲେ । ତେବେ ସେଠାରେ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ଯାଇ ପାରିଥିଲେ । ସେହିବର୍ଷ ନେପାଳଠାରେ ହୋଇଥିବା ଅନ୍ୟ ଏକ ପ୍ରତିଯୋଗିତାରେ ଭାଗ ନେଇଥିଲେ ମଧ୍ୟ ସେ ବିଜୟୀ ହୋଇପାରିନ ଥିଲେ । କ୍ୱାର୍ଟରରେ ଦକ୍ଷିଣ କୋରିଆ ପ୍ରତିଯୋଗୀଙ୍କଠାରୁ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା ।

ଏହାପରେ ସେ ପଢୁଥିବା ଖଲ୍ଲିକୋଟ କଲେଜକୁ ମଧ୍ୟ ରୁଦ୍ର ପରିତ୍ୟାଗ କରିଥିଲେ । ରସାୟନ ବିଜ୍ଞାନ ସମ୍ମାନ ନେଇ ପଢୁଥିବା ବେଳେ ଶେଷ ବର୍ଷରେ ତାଙ୍କୁ କଲେଜ ଛାଡ଼ିବାକୁ ପଡ଼ିଥିଲା । ବେଙ୍ଗାଳୁରୁରେ ଥିବା ସମୟରେ ଗୁରୁଦେବ ପଣ୍ଡିତ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ନାମରେ ଥିବା ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସୂଚନା ପାଇଥିଲେ । ଏହାପରେ କଟକକୁ ଆସି ବିଶ୍ୱବିଦ୍ୟାଳୟକୁ ଦେଖିବା ପରେ ଏଠାରେ ବି-ଟେକରେ ନାମ ଲେଖାଇଥିଲେ । ଭବିଷ୍ୟତରେ କ୍ରୀଡ଼ାକୁ ବୃତ୍ତି ଭାବରେ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଥିବାରୁ ଡାଟା ସାଇନ୍ସ ବିଷୟକୁ ବାଛିଥିଲେ ରୁଦ୍ର । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ରୁଦ୍ର ପୁନର୍ବାର ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚାମ୍ପିୟନ ହୋଇ ସ୍ୱର୍ଣ୍ଣ ପଦକ ଜିତିବା ସହ ଜୁନ୍-୨୦୨୩ରେ ଉତ୍ତରାଖଣ୍ଡରେ ଅନୁଷ୍ଠିତ ଜାତୀୟ ଚାମ୍ପିୟନଶିପରେ ମଧ୍ୟ ଭାଗ ନେଇଥିଲେ । ଆଉ ସେଠାରେ ସେ ପୁମ୍ସି ସିଙ୍ଗଲ୍ସ ବର୍ଗରେ ଚାମ୍ପିୟନ ହୋଇ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହାପରେ ତାଏକୋଣ୍ଡୋରେ ଉନ୍ନତ ପ୍ରଦର୍ଶନ ଦେବାକୁ ତାଙ୍କୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ସହଯୋଗ ମିଳିଛି । ଦକ୍ଷିଣ କୋରିଆରୁ ଅଗଷ୍ଟ ୨୦୨୩ରେ ତାଙ୍କୁ ୧୫ ଦିନିଆ ଏକ ଆନ୍ତର୍ଜାତିକ ଟ୍ରେନିଂ କ୍ୟାମ୍ପରେ ଯୋଗଦେବାକୁ ଏକ ଅଫର ଲେଟର୍ ମଧ୍ୟ ମିଳିଥିଲା । ତେବେ ରୁଦ୍ର ସେହି ସମୟରେ କାମଳ ରୋଗରେ ଆକ୍ରାନ୍ତ ହେବାରୁ ନିଜେ ନ ଯାଇ ଅନ୍ୟଜଣକ ନାମ ସୁପାରିଶ କରିଥିଲେ । ସମ୍ପୂର୍ଣ୍ଣ ଆରୋଗ୍ୟ ହେବାପରେ ରାଜ୍ୟ ତାଏକୋଣ୍ଡୋ ଆସୋସିଏସନ ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା । ଦୁଇଜଣ ସ୍ୱତନ୍ତ୍ର କୋଚ୍ ରୁଦ୍ରଙ୍କୁ ତାଲିମ ଦେବାକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଆସିଥିଲେ । ଏହାପରେ ଜାନୁଆରୀ ୨୦୨୪ରେ ଜାତୀୟ ପ୍ରତିଯୋଗିତାର ‘କିରୋଗୀ’ ଓ ‘ପୁମ୍ସି’ ବିଭାଗରେ ପାଞ୍ଚଟି ବର୍ଗରେ ସେ ଅଂଶଗ୍ରହଣ କରିଥିଲେ । ଖୁସିର କଥା, ରାଜସ୍ଥାନର ସୱାଇ ମାଧୋପୁରରେ ଅନୁଷ୍ଠିତ ସେହି ପ୍ରତିଯୋଗିତାରେ ରୁଦ୍ର ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ପ୍ରାପ୍ତ ହୋଇଥିଲେ । ଏଥିସହ ରୁଦ୍ର ବନିଯାଇଥିଲେ ଏକ ସିଙ୍ଗଲ୍ ଇଭେଣ୍ଟରେ ଓଡ଼ିଶାର ସର୍ବାଧିକ ପଦକ ବିଜେତା । ବର୍ତ୍ତମାନ ରୁଦ୍ରଙ୍କ କୋଚ୍ ଥିବା ମନମୋହନ ଭଞ୍ଜ ୨୦୦୯ରେ ଶେଷଥର ପାଇଁ ଗୋଆ ନ୍ୟାସନାଲର ସିନିୟର କିରୋଗୀରେ ଏହି ପଦକ ଜିତିଥିଲେ । ଆଗକୁ ରୁଦ୍ର ଦକ୍ଷିଣ କୋରିଆରେ ସ୍ୱତନ୍ତ୍ର ତାଲିମ ନେବାକୁ ଥିବାବେଳେ ଅଲିମ୍ପିକ୍ସ କ୍ରୀଡ଼ାର ପୋଡିୟମରେ ଭାରତର ତ୍ରିରଙ୍ଗା ଉଡ଼ାଇବା ହେଉଛି ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ।

Also Read- BJDରେ ମିଶିଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ଏବଂ ପୁଅ ନମନ ଗଙ୍ଗଦେବ