Dola Purnima 2024: ଦୋଳ ପୂର୍ଣ୍ଣିମାରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଲେ ଚତୁଃର୍ଦ୍ଧାମୂର୍ତ୍ତୀ
Advertisement
Article Detail0/zeeodisha/odisha2174074

Dola Purnima 2024: ଦୋଳ ପୂର୍ଣ୍ଣିମାରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଲେ ଚତୁଃର୍ଦ୍ଧାମୂର୍ତ୍ତୀ

Dola Purnima in Odisha: ଦୋଳ ପୂର୍ଣ୍ଣିମା ଅବସରରେ  ରତ୍ନ ସିଂହାସନରେ ଚତୁଃର୍ଦ୍ଧାମୂର୍ତ୍ତୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ଦୋଳବେଦୀରେ ଭୂଦେବୀ, ଶ୍ରୀଦେବୀଙ୍କ ସହ ରଙ୍ଗ ଖେଳିଛନ୍ତି ଦୋଳଗୋବିନ୍ଦ।

 Dola Purnima 2024: ଦୋଳ ପୂର୍ଣ୍ଣିମାରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଲେ ଚତୁଃର୍ଦ୍ଧାମୂର୍ତ୍ତୀ

Dola Purnima Celebrated in Srimandir: ମାର୍ଚ୍ଚ ୨୫ ତାରିଖ ସୋମବାର ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା। ଗାଁ ଠାରୁ ସହର ସବୁଆଡ଼େ ଉତ୍ସବ ମୁଖର ହୋଇପଡି ଥିବା ବେଳେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ରତ୍ନ ସିଂହାସନରେ ଚତୁଃର୍ଦ୍ଧାମୂର୍ତ୍ତୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ଦୋଳବେଦୀରେ ଭୂଦେବୀ, ଶ୍ରୀଦେବୀଙ୍କ ସହ ରଙ୍ଗ ଖେଳିଛନ୍ତି ଦୋଳଗୋବିନ୍ଦ। ମହାପ୍ରଭୁଙ୍କ ଏହି ଅନନ୍ୟ ଯାତ୍ରାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଥିଲା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ। ଗାଁ ଠାରୁ ସହର ସବୁଠାରେ ଫଗୁଣର ଫଗୁର ରଙ୍ଗ। ପୁରପଲ୍ଲୀରେ ଦୋଳ ମେଲଣ ଅନୁଷ୍ଠିତ ହେଉଛି। ଦୋଳପୂର୍ଣ୍ଣମୀ ଅବସରେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଦୋଳବେଦୀରେ ଅନୁଷ୍ଠିତ ହୋଇଛି ଦୋଳଗୋବିନ୍ଦଙ୍କ  ସହ ଭୁଦେବୀ ଏବଂ ଶ୍ରୀଦେବୀଙ୍କ ଫଗୁ ଖେଳ।

ଋତୁରାଜ ବସନ୍ତର ଆଗମନରେ ଧରାପୃଷ୍ଠ ଏବେ ଉତ୍ସବମୁଖର ଗାଁ ଠାରୁ ସହର ସବୁଆଡେ ଦେଖିବାକୁ ମିଳିଥିଲା ଦୋଳଉତ୍ସବର ପଟୁଆର। ପିଲା ଠାରୁ ବୁଢା ସମସ୍ତଙ୍କ ମନରେ ବସନ୍ତର ରଙ୍ଗୀନ ଛିଟା। ଆନନ୍ଦ ଉଲ୍ଲାସର ଏହି  ରଙ୍ଗ ଖେଳରେ କେବଳ ଭକ୍ତ ନୁହଁନ୍ତି ବରଂ ସ୍ୱୟଂ ଭଗବାନ ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି। ଆଉ ଦୋଳବେଦୀରେ ଅବିର ଖେଳରେ ମାତିଛନ୍ତି ଦୋଳଗୋବିନ୍ଦ। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରେ ଦୋଳ ଉତ୍ସବ ଏକ ପ୍ରମୁଖ ଯାତ୍ରା। 

ଏନେଇ ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ସ୍ୱତନ୍ତ୍ର ନୀତି। ସୋମବାର ସକାଳ ଧୂପ ଶେଷ ହେବାପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଏବଂ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ବିଜେ କରିଥିଲେ। ସେଠାରେ ପରମ୍ପରା ଅନୁଯାୟୀ ବନ୍ଦାପନା ପରେ ଅବିର ଖେଳ ଅନୁଷ୍ଠିତ ହୋଇଥିଲା। ଶତାଧିକ ଭକ୍ତ ଏହି ପଟୁଆରରେ ଯାଇ ଫଗୁ ଖେଳରେ ସାମିଲ ହୋଇଥିଲେ।

ସେପଟେ ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜିଉଙ୍କ ସୁନାବେଶ। ସକାଳ ଧୂପ ସମୟରେ ମହାପ୍ରଭୁଙ୍କ ସୁନାବେଶ ହୋଇଥିବା ବେଳେ ଶ୍ରୀଜିଉଙ୍କୁ ପାଟବସ୍ତ୍ର ସହ ୩୨ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର ଲାଗି ହୋଇଥିଲେ। ସକାଳ ପର ଠାରୁ ୧୧ ଘଣ୍ଟା ୧୦ ମିନିଟ ସମୟରେ ସୁନାବେଶ ଶେଷ ହେବା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ରାତ୍ର ୧୦:୦୦ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ସେପଟେ ଦୋଳବେଦୀରେ ଠାକୁରଙ୍କ ସକାଳ ଧୂପ ଠାରୁ ଆରମ୍ଭ କରି ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ ନୀତି ହେବାର କାର୍ଯ୍ୟକ୍ରମ ରହିଛି। ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ସୁନାବେଶରେ ଦର୍ଶନ କରିବା ସହ ଦୋଳବେଦୀରେ ଭକ୍ତି, ପ୍ରେମ ଏବଂ ରଙ୍ଗରେ ଏକ ଏକାକାର ହୋଇଯାଇ ଥିଲେ ଭକ୍ତ ଆଉ ଭଗବାନ। ଆଉ ଏହି ଅପୂର୍ଵ ମିଳନର ସାକ୍ଷୀ ହୋଇ ରହିଥିଲା ଶ୍ରୀମନ୍ଦିର।