Ollywood News: ରଙ୍ଗଶୁର: ପ୍ରକୃତି ଓ ପରମ୍ପରାର ସ୍ୱର
Advertisement
Article Detail0/zeeodisha/odisha2609899

Ollywood News: ରଙ୍ଗଶୁର: ପ୍ରକୃତି ଓ ପରମ୍ପରାର ସ୍ୱର

ଓଡ଼ିଶାର ଗଞ୍ଜାମର ଦିଗପହଣ୍ଡି ଓ ସୋନପୁରର ବିନିକା ଅଞ୍ଚଳରେ ଦେଖା ଯାଉଠିଥିବା ଚିତିରା ବାଘନାଚକୁ ବଞ୍ଚାଇ ରଖିବାନେଇ ଫିଲ୍ମରେ ପ୍ରୟାସ ହୋଇଛି ।

Ollywood News: ରଙ୍ଗଶୁର: ପ୍ରକୃତି ଓ ପରମ୍ପରାର ସ୍ୱର

Ollywood News: ସମୟର ସ୍ରୋତରେ ଉଜୁଡି ଯାଉଥିବା ଆମ ସଂସ୍କୃତି, ପ୍ରକୃତି, ପରମ୍ପରା ଓ ବଣ-ପାହାଡକୁ ସାଇତି ରଖିବା ସକାଶେ ସରକାରୀ ସ୍ତରରେ କାହିଁଯେ କେତେ ପଦକ୍ଷେପ ନିଆଯାଉଛି । ହେଲେ ଏଥିରୁ କେତେ ସୁଫଳ ମିଳୁଛି... ତାହାର ମୂଲ୍ୟାଙ୍କନ କରିବା ପରକଥା ମାତ୍ର ଏଭଳି ଏକ ଆହ୍ୱାନ ଓ ଅଭିଳାଷକୁ ସାକାର ରୂପ ଦେବାର ଦୃଢ଼ ସଂକଳ୍ପ ନେଇ ପରଦାକୁ ଆସିଛି ଚଳଚ୍ଚିତ୍ର 'ରଙ୍ଗଶୁର' ।

ସଚ୍ଚିକାନ୍ତ ଜେନା ଓ ପ୍ରଶାନ୍ତ ବେହେରା ପ୍ରଯୋଜିତ ତଥା ପ୍ରତାପ ରାଉତଙ୍କ ନିର୍ଦ୍ଧେଶିତ ରଙ୍ଗଶୁର' ଫିଲ୍ମ ଲୁପ୍ତପ୍ରାୟ ଲୋକନୃତ୍ୟ ବାଘ ନୃତ୍ୟକୁ ନେଇ ଗତିଶୀଳ ହୋଇଛି । ଓଡ଼ିଶାର ଗଞ୍ଜାମର ଦିଗପହଣ୍ଡି ଓ ସୋନପୁରର ବିନିକା ଅଞ୍ଚଳରେ ଦେଖା ଯାଉଠିଥିବା ଚିତିରା ବାଘନାଚକୁ ବଞ୍ଚାଇ ରଖିବାନେଇ ଫିଲ୍ମରେ ପ୍ରୟାସ ହୋଇଛି । ହେଲେ..... ଏଥିରେ ସମାଜ ସଂସ୍କାର ପାଇଁ ଭରପୁର ବାର୍ତ୍ତା ରହିଛି । ଯେମିତି ଜଙ୍ଗଲ ସୁରକ୍ଷା, ପୁଅଝିଅର ତାରତମ୍ୟକୁ ଦୂର କରିବା, ମାସିକ ଧର୍ମବେଳେ ମହିଳାଙ୍କୁ ପୂଜାପାର୍ବଣରୁ ଦୁରେଇ ରଖିବା ଆଦି ଅନେକ ସଂସ୍କାରଧର୍ମୀ ବାର୍ତ୍ତା ରହିଛି । ଯାହାକୁ ଶାସ୍ତ୍ରାନୁମୋଦିତ ଭାବରେ ଫିଲ୍ମର ଚରିତ୍ର ମାଧ୍ୟମରେ ବୁଝାଇ ଦିଆଯାଇଛି । ବାଘ ବଞ୍ଚିଲେ ଜଙ୍ଗଲ ବଞ୍ଚିବ... ଜଙ୍ଗଲ ବଞ୍ଚିଲେ... ଆମେ ବଞ୍ଚିବା ପାଇଁ ସ୍ଲୋଗାନ ଦିଆଯାଇଛି ।

ଘଞ୍ଚ ଜଙ୍ଗଲରେ ରହୁଥିବା ଏକ ପରିବାର ବାଘ ନୃତ୍ୟକୁ କୌଳିକ ବୃତ୍ତି ଭାବରେ ଧରିନେଇ ଗୁଜୁରାଣ ମେଣ୍ଟାଣ୍ଟି । ଫିଲ୍ମର ନାୟିକା ଚିତ୍ରା (ସୂର୍ଯ୍ୟମୟୀ) ଜନ୍ମରୁ ମା' କୁ ହରାଇଛି । ମା' ମରିଯିବାପରେ ବାପକୁ ମା-ବାପା ଭାବରେ ଧରି ବଢ଼ିବାରେ ଲାଗିଛି । ବିଶ୍ୱାସ ଅନୁସାରେ ପୁଅମାନେ ବାଘ ନାଚ କରନ୍ତି । ଜଙ୍ଗଲ ଓ ପାହାଡ଼ ଫାଙ୍କରେ ଅଙ୍କାବଙ୍କା ହୋଇ ଗଡି ଆସୁଥିବା ଝରଣାର ନାଦରେ ବଢ଼ି ଚାଲିଥିବା ଚିତ୍ରା ବାପ ପାଖରୁ ବାଘ ନାଚ ଶିଖି କୌଳିକ ବୃତିକୁ ବଞ୍ଚାଇ ରଖିବା ପାଇଁ ସଂକଳ୍ପ ନେଇଛି । ଗାଁ ଲୋକଙ୍କ ବିରୋଧସତ୍ୱେ ସେ ନାଚିଛି ଆଉ ପ୍ରଶଂସା ବି ସାଉଁଟିଛି । ନିଜର ଆଦର୍ଶଗତ ଜୀବନ ଓ ନିଶାବେପାରୀଙ୍କୁ ବିରୋଧ ଯୋଗୁଁ ସେମାନଙ୍କ କୋପ ଦୃଷ୍ଟିରେ ପଡିଛି ଚିତ୍ରା, ପାଇଛି ନିର୍ଯାତନା.... ଜୀବନରୁ ମାରି ଦେବାକୁ ହୋଇଛି ଏକାଧିକଥର ଆକ୍ରମଣ । ଏମିତି ଅନେକ ଘଟଣା ଘଟିଛି ଫିଲ୍ମରେ... ।

ଫିଲ୍ମରେ ରହିଛି ରହସ୍ୟ, ରୋମାଞ୍ଚ, ରୋମାନ୍ସ ଓ ସଂଗୀତର ପ୍ରାବଲ୍ୟ । ଓଡ଼ିଶାର ମାଟି, ପାଣି, ପବନର ବାସ୍ନା ରହିଛି ରଙ୍ଗଶୁର'ରେ । ତେବେ ରାଜନୀରଞ୍ଜନଙ୍କ ପାଟ୍ରୋପଯୋଗୀ ସଂଳାପ ଚରିତ୍ର ଗୁଡିକୁ କରିଛି ଜୀବନ୍ତ କରିଛି । ଏହାର ବିଭିନ୍ନ ଭୂମିକାରେ ସୂର୍ଯ୍ୟମୟୀ, ସମରେଶ, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ, ଦୀପାନ୍ୱିତଙ୍କ ଅଭିନୟ ଚିତ୍ରକୁ କରିଛି ପ୍ରାଣବନ୍ତ । ତେବେ ନିର୍ଦେଶକଙ୍କ ନିର୍ଦେଶନା ଓ ସୂର୍ଯ୍ୟମୟୀ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହେବ ।

ଫିଲ୍ମରେ କୁସଂସ୍କାରକୁ ସମାଜରୁ ଦୂର କରିବା ଏବଂ ବାଘନାଚ ଓ ଜଙ୍ଗଲ ସୁରକ୍ଷା ଭଳି ଭାବେ ମୂଲ୍ୟବାନ ବାର୍ତ୍ତା ରହିଥିବାରୁ ରାଜ୍ୟ ସରକାର ଏହାକୁ ଟିକସ ମୁକ୍ତ କଲେ ରାଜ୍ୟବାସୀ ଫିଲ୍ମଟିକୁ ଦେଖିବାର ସୁଯୋଗ ପାଇପାରନ୍ତେ । ତେଣୁ ସରକାର ଏହା ଉପରେ ବିଚାର କରିବା ଉଚିତ ବୋଲି କହିଛନ୍ତି ମାଧବାନନ୍ଦ ବେଉରା ।