Puri Congress Protest: ପୁଣି ପୁରୀ ଘେରିବ କଂଗ୍ରେସ; ଡିସେମ୍ବର ୧ ତାରିଖରେ ତୁଳସୀ ଯାତ୍ରା
Advertisement
Article Detail0/zeeodisha/odisha1957312

Puri Congress Protest: ପୁଣି ପୁରୀ ଘେରିବ କଂଗ୍ରେସ; ଡିସେମ୍ବର ୧ ତାରିଖରେ ତୁଳସୀ ଯାତ୍ରା

Odisha Pradesh Congress Committee: ଆସନ୍ତା ଡିସେମ୍ବର ୧ ତାରିଖରେ ‘ତୁଳସୀ ଯାତ୍ରା’ କରିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି।

Puri Congress Protest: ପୁଣି ପୁରୀ ଘେରିବ କଂଗ୍ରେସ; ଡିସେମ୍ବର ୧ ତାରିଖରେ ତୁଳସୀ ଯାତ୍ରା

Congress Protest Puri 1 December 2023: ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମଣତି ତଥା ମରାମତି ଏବଂ ବେଦାନ୍ତ ଅଧିକୃତ ଜଗନ୍ନାଥଙ୍କ ଜମି ଫେରସ୍ତ ପ୍ରଭୃତି ଦାବିକୁ ନେଇ ଅଟଳ ରହିଛି କଂଗ୍ରେସ। ହେଲେ  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁ ନେଇ ସରକାର ଯେଉଁ ପ୍ରକାରେ ଭକ୍ତଙ୍କ ଲାଗି ବେଖାତିର ହୋଇଛନ୍ତି ତାହାର ପ୍ରତିବାଦରେ ପୁଣି କଂଗ୍ରେସ ପୁରୀ ଠାରେ ବିଶାଳ ସମାବେଶ ଆୟୋଜନ କରିବାକୁ ଯାଉଛି। ଏଥର ପ୍ରତି ଗାଁ, ପଞ୍ଚାୟତରୁ ଲୋକଙ୍କ ଠାରୁ ତୁଳସୀ ସଂଗ୍ରହ କରି ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିବା ଲାଗି କଂଗ୍ରେସ ଡାକରା ଦେଇଛି। ଏନେଇ ଡିସେମ୍ବର ୧ ତାରିଖକୁ ‘ତୁଳସୀ ଯାତ୍ରା’ ଭାବେ ଅଭିହିତ କରାଯାଇଛି।  

ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ ଯେ ରାଜ୍ୟରେ କ୍ଷମତାସୀନ ନବୀନ ସରକାର ଭକ୍ତ ତଥା ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହେଉଛନ୍ତି। ଗତ ଅକ୍ଟୋବର ୧୬ ତାରିଖରେ ପୁରୀ ଠାରେ ବିଶାଳ ସମାବେଶ ସହ ବିକ୍ଷୋଭ ଶୋଭାଯାତ୍ର କରାଯାଇ ମାନନୀୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଯେହେତୁ ସରକାର ଏ ସମ୍ପର୍କରେ ପଦକ୍ଷେପ ନେଲେ ନାହିଁ ତେଣୁ ସେହି ୬ ଗୋଟି ଦାବିର ସମାଧାନ ନିମନ୍ତେ ସାରା ରାଜ୍ୟରେ ପ୍ରଭୁ ଜଗନ୍ନାଥଙ୍କ ସାମ୍ନାରେ ଗତ ନଭେମ୍ବର ୯ ତାରିଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଥିଲା। ହେଲେ ତଥାପି ସରକାରଙ୍କ ନିଦ ଭାଙ୍ଗିଲା ନାହିଁ। ଏଣୁ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ତୁଳସୀ ଯାତ୍ରା କରାଯିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି। 

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ସମସ୍ତ ବ୍ଲକ ତଥା ନଗରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଯୁବକ ଯୁବତୀ, ଛାତ୍ର ଛାତ୍ରୀ, ହବିଷ୍ୟାଳି, ଭକ୍ତ, ମଉସା ମାଉସୀ, ଭାଇ ଭଉଣୀଙ୍କ ଠାରୁ ତୁଳସୀ ସଂଗ୍ରହ କରାଯିବ। ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ୱାବଧାନରେ ନଗର ସଭାପତି ବୁଥ, ୱାର୍ଡ, ପଞ୍ଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ। ପ୍ରତି ବ୍ଲକ ତଥା ନଗର କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ଲେଖାଏଁ ଗାଡ଼ିରେ ସଂଗୃହୀତ ତୁଳସୀକୁ ଡିସେମ୍ବର ୧ ତାରିଖ ସୁଦ୍ଧା ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଆଣିବେ। ଡିସେମ୍ବର ୧ ତାରିଖ ଦିନ ସାରା ରାଜ୍ୟରୁ ସଂଗୃହିତ ତୁଳସୀ ଏବଂ ସଜ ତୁଳସୀ ଧରି ଶ୍ରୀକ୍ଷେତ୍ର ଅଭିମୁଖେ ତୁଳସୀ ଯାତ୍ରା କରାଯିବ। ଡିସେମ୍ବର ୧ ତାରିଖ ଦିନ ଶ୍ରୀକ୍ଷେତ୍ରର ଶରଧାବାଲି ଠାରେ ଜଗନ୍ନାଥ ପ୍ରେମୀ ଭକ୍ତ, କଂଗ୍ରେସ କର୍ମୀ, ନେତୃବୃନ୍ଦ ଏକତ୍ରିତ ହେବେ ଏବଂ ଶୋଭାଯାତ୍ରାରେ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରିବେ। ଯଦି ଏହି ଆନ୍ଦୋଳନ ପରେ ସରକାର ଏହି ୬ ଗୋଟି ଦାବିର ସମାଧାନ ପଦକ୍ଷେପ ଗ୍ରହଣ ନକରିବେ ତେବେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟକ୍ରମ ଘୋଷଣା କରାଯିବ।

ଓଡ଼ିଶା, ଭାରତ ଏବଂ ବିଶ୍ୱର ଜନତା ଜଗନ୍ନାଥଙ୍କ ପାଖକୁ ନିଜର ଗୁହାରୀ ଶୁଣାଇବାକୁ ଆସୁଛନ୍ତି। ମାତ୍ର ନବୀନ ସରକାର ଏଥିରେ ପ୍ରତିବନ୍ଧକ ସାଜୁଛନ୍ତି। ନିକଟରେ ଦର୍ଶନ ପାଇଁ ଆସି ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହୋଇ ରହିଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଦଳାଚକଟାରେ ଆଘାତ ହୋଇଛନ୍ତି। ଭକ୍ତଙ୍କ ଗୋଡ଼ ଭାଙ୍ଗିଯାଇଛି। ଅନେକ ଭକ୍ତ ମୂର୍ଚ୍ଛା ହୋଇପଡୁଛନ୍ତି। ଯାହାର ପ୍ରଭାବ ନବୀନ ସରକାରଙ୍କ ଉପରେ ପଡୁନାହି। ୪ ଧାମରୁ ଜଗନ୍ନାଥ ମନ୍ଦିର ଏକ ଧାମ। ଜଗନ୍ନାଥଙ୍କ ଭକ୍ତ ଜଗନ୍ନାଥଙ୍କୁ ନିଜର ଦୁଃଖ ଜଣାଇଥାନ୍ତି। ମାତ୍ର ସ୍ୱେଚ୍ଛାଚାରୀ ନବୀନ ସରକାର ନିଜ ଅହଂକାରରେ ଅଟଳ ଅଛନ୍ତି। କଂଗ୍ରେସ ଦଳ ଏହାକୁ ବରଦାସ୍ତ କରିବ ନାହିଁ ଆନ୍ଦୋଳନ ଜାରି ରହିବ।