ଫଳ ତୋଳୁଛି କିଏ, ଖାଉଛି କିଏ ?
Advertisement
Article Detail0/zeeodisha/odisha712993

ଫଳ ତୋଳୁଛି କିଏ, ଖାଉଛି କିଏ ?

ବେଳ ଥାଉ ଏବେ କଂଗ୍ରେସକୁ ବନ୍ଧ ବାନ୍ଧିବାକୁ ହେବ । ନହେଲେ କଂଗ୍ରେସରେ କେବଳ ରାହୁଲ ହିଁ ଏକମାତ୍ର ଯୁବନେତା ହେବାର ରେକର୍ଡ ଅର୍ଜନ କରିବେ । ଦଳରେ ଯୁବନେତା ଭାବେ ଜଣେ ହିଁ ଚିହ୍ନାମୁହଁ ଦେଖିବାକୁ ମିଳିବ !

ଫାଇଲ ଫଟୋ

ନୂଆଦିଲ୍ଲୀ: ଯୁବପିଢ଼ିଙ୍କ ପାଇଁ କଂଗ୍ରେସରେ ସୁଯୋଗ କେତେ ? ପ୍ରଥମେ ସିନ୍ଧିଆ ଓ ଏବେ ସଚିନ ବିଦ୍ରୋହୀ ସାଜିବା ପରେ ଏ ଚର୍ଚ୍ଚା ପୁଣିଥରେ ଜୋର ଧରିଛି । ବରିଷ୍ଠତାକୁ ଅଗ୍ରାଧିକାର ଦେବା କଂଗ୍ରେସର ଚିରାଚରିତ ଅଭ୍ୟାସ । କିନ୍ତୁ ଯେତେବେଳେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଦଳର ମଙ୍ଗ ଧରିଥିଲେ, ଯୁବପିଢ଼ିଙ୍କ ପାଇଁ 'ହାତ' ଯେ ଏକ ସୁସ୍ଥ ବିକଳ୍ପ ହେବ ବୋଲି ଆଶା କରାଯାଉଥିଲା । କାହିଁକିନା ଦଳର ମଙ୍ଗ ଧରିବା ପୂର୍ବରୁ ୨୦୧୪ ସାଧାରଣ ନିର୍ବାଚନରେ ବହୁ ଯୁବନେତାଙ୍କୁ ଟିକେଟ ଦେବା ରାହୁଲଙ୍କ ନିଷ୍ପତ୍ତି ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ରାହୁଲ ମଙ୍ଗ ଧରିବା ପରେ ମଧ୍ୟ କଂଗ୍ରେସରେ କୋଣଠେସା ହୋଇଗଲେ ଯୁବବର୍ଗ ! ଉଭୟ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଗତ ବିଧାନସଭା ନିର୍ବାଚନକୁ ଏହାର ଉଦାହରଣ ଭାବେ ନିଆଯାଇପାରେ । ମୁଖ୍ୟମନ୍ତ୍ରୀ ପାଇଁ ବେଶ ଦାବିଦାର ଥିବା ଦୁଇ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟଙ୍କୁ ଦଳ ଶାନ୍ତ୍ୱନାମୂଳକ ପଦବିରେ ରଖିଥିଲା । ଯାହାର ପରିଣାମ ଦିନେ ଉଗ୍ରରୂପ ଧାରଣ କରିଛି । 

ପରିଶ୍ରମ କରିବେ କନିଷ୍ଠ, ଫଳ ଖାଇବେ ବରିଷ୍ଠ । ବର୍ଷ ବର୍ଷ ଧରି ଯିଏ କଂଗ୍ରେସ ପାଇଁ କାମ କରିଛି, ତାକୁ ହିଁ ଅଗ୍ରାଧିକାର ! ହେଲେ ବର୍ତ୍ତମାନ ଯେଉଁ ଯୁବନେତା ଦିନ ରାତି ଏକ କରି ଦଳ ପାଇଁ କାମ କରୁଛନ୍ତି, ତାଙ୍କୁ କେବଳ ଉନ୍ନତ ଭବିଷ୍ୟତର ନଲିପପ୍ । ସେମାନେ ବି ଦିନେ ବରିଷ୍ଠ ହେବେ, ଦଳ ତାଙ୍କ ପରିଶ୍ରମକୁ ବୁଝିବ । ହେଲେ ନିଜର ଦକ୍ଷତା ଓ ପ୍ରତିଭାରେ ବିଶ୍ୱାସ ରଖୁଥିବା ଯୁବନେତାଙ୍କ ପାଇଁ ଦଳର ଏହି ବିଚାର ହଜମ ହେଉନଥିବା ଚର୍ଚ୍ଚା ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଯୁବନେତାମାନେ ଦଳର ବରିଷ୍ଠ ହେବା ପୂର୍ବରୁ ବିଦ୍ରୋହ ଆରମ୍ଭ କରିଦେଉଛନ୍ତି । ଠିକ୍ ଯେମିତି ସିନ୍ଧିଆ ଓ ସଚିନ । ଆଉ କଂଗ୍ରେସକୁ ଏହାର ପରିଣାମ ମଧ୍ୟ ଭୋଗିବାକୁ ପଡ଼ୁଛି, ମଧ୍ୟପ୍ରଦେଶ ପରି । 

୨୦୧୪ରେ ବୟସ୍କ ସାଂସଦଙ୍କୁ ମନ୍ତ୍ରୀ ପଦ ନଦେଇ ବିଜେପି ସରକାର ଦେଶର ଯୁବପିଢ଼ିଙ୍କୁ ଏକ ସୁଯୋଗର ବାର୍ତ୍ତା ଦେଇଥିଲେ । ସେହିପରି ୨୦୧୯ରେ ଦଳର ବହୁ ବରିଷ୍ଠ ନେତାଙ୍କୁ ବୟସ ଦୃଷ୍ଟିରୁ ଟିକେଟ ମିଳି ନ ଥିଲା । ଏମାନଙ୍କ ମଧ୍ୟରେ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ । ବିଜେପି ଯେ ଦେଶର ଯୁବବର୍ଗଙ୍କ ପାଇଁ ଏକ ସୁସ୍ଥ ବିକଳ୍ପ, ଏଭଳି ଏକ ବାର୍ତ୍ତା ଯାଇଥିଲା । ହେଲେ ଭାରତୀୟ ଜାତୀୟ କଂଗ୍ରେସ ଏପର୍ଯ୍ୟନ୍ତ ଏଭଳି ଏକ ବାର୍ତ୍ତା ଦେବାରେ ଫେଲ ହୋଇଛି କୁହାଯାଇପାରେ । ରାହୁଲ ଗାନ୍ଧୀଙ୍କ ଭଳି ଯୁବନେତା ଦଳର ମଙ୍ଗ ଧରି ଛାଡ଼ି ସାଲିଲେଣି, ହେଲେ ଯୁବବର୍ଗଙ୍କ ପାଇଁ କଂଗ୍ରେସ ଏକ ସୁସ୍ଥ ବିକଳ୍ପ ଭାବେ ଲୋକାଦୃତ ହୋଇପାରିଲାନାହିଁ । ଆଉ ଆଜି ଯେତେବେଳେ ଦଳର ଅନ୍ୟ ଜଣେ ଲୋକପ୍ରିୟ ଯୁବନେତା ବିଦ୍ରୋହ କରି କଂଗ୍ରେସକୁ ବାଏ ବାଏ କରିବାକୁ ବାହାରିଛନ୍ତି, ପୁଣିଥରେ ଏ ଚର୍ଚ୍ଚା ଜୋର ଧରିବା ସ୍ୱାଭାବିକ କଥା । କାହିଁକିନା ନିକଟ ଅତୀତରେ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ଦଳ ପାଇଁ ଯେ ମହଙ୍ଗା ସାବ୍ୟସ୍ତ ହୋଇଛି, ଏକଥା ବରିଷ୍ଠ ନେତାଏ ବୁଝିଗଲେଣି ।  

ବହୁ ଯୁବନେତାଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛି ବିଜେପି । ସ୍ମୃତି ଇରାନୀ, ଧର୍ମେନ୍ଦ୍ର ପ୍ରଧାନ, ବାବୁଲ ସୁପ୍ରିୟୋ, ମନସୁଖ ଏଲ. ମଣ୍ଡବିଆ(Mansukh L. Mandaviya), କିରନ ରିଜୁ(Kiren Rijiju), ହର୍ସିମରତ କୌର ବାଦଲ(Harsimrat Kaur Badal), ଅର୍ଜୁନ ମୁଣ୍ଡା, ପୀୟୂଷ ଗୋଏଲ, ଅନୁରାଗ ଠାକୁର ଇତ୍ୟାଦି ମନ୍ତ୍ରିମଣ୍ଡଳରେ କେବଳ ସ୍ଥାନ ପାଇନାହାଁନ୍ତି, ନିଜ ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ସୁଯୋଗଟିଏ ମଧ୍ୟ ପାଇପାରିଛନ୍ତି । ଅନ୍ୟପଟେ ବର୍ତ୍ତମାନ କଂଗ୍ରେସର ବହୁ ଯୁବନେତା ବରିଷ୍ଠଙ୍କ ସହ ଟଣା ଓଟରାରେ ଡୁବି ରହିଛନ୍ତି । ଯୁବ ନେତାଏ ଆଗକୁ ବଢ଼ିବାକୁ ଚାହୁଁଥିବା ବେଳେ ବରିଷ୍ଠ ନେତାଏ ସିଂହାସନ ଜଗି ବସିଥିବା ଦେଖିବାକୁ ମିଳୁଛି । ଆଉ ବେଳେ ବେଳେ ଅସନ୍ତୋଷର ବହ୍ନିରେ ଗୋଟିଏ ଗୋଟିଏ ସରକାରର ବି ପତନ ଘଟୁଛି । ଆଗକୁ ରାଜସ୍ଥାନ ମଧ୍ୟ ଏହାର ଉଦାହରଣ ହୋଇପାରେ । ତେଣୁ ବେଳ ଥାଉ ଏବେ କଂଗ୍ରେସକୁ ବନ୍ଧ ବାନ୍ଧିବାକୁ ହେବ । ନହେଲେ କଂଗ୍ରେସରେ କେବଳ ରାହୁଲ ହିଁ ଏକମାତ୍ର ଯୁବନେତା ହେବାର ରେକର୍ଡ ଅର୍ଜନ କରିବେ । ଦଳରେ ଯୁବନେତା ଭାବେ ଜଣେ ହିଁ ଚିହ୍ନାମୁହଁ ଦେଖିବାକୁ ମିଳିବ !