Naba Das: ମୃତ୍ୟୁ ପୂର୍ବରୁ ଏହା ଥିଲା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଶେଷ ଟ୍ୱିଟ୍
Advertisement

Naba Das: ମୃତ୍ୟୁ ପୂର୍ବରୁ ଏହା ଥିଲା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଶେଷ ଟ୍ୱିଟ୍

Naba Das:  ପୋଲିସ ASI ଗୋପାଳ ଦାସଙ୍କ ଗୁଳିମାଡ଼ରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ନବ ଦାସଙ୍କ ନିଧନ ପୁରା ରାଜ୍ୟକୁ ଦୋହଲାଇ ଦେଇଛି । ପୋଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟ ନେଇ ଉଠୁଛି ପଡ଼ୁଛି ପୂରା ଓଡ଼ିଶା । ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଏକ କଳାଦିନ ଭାବେ ଲିପିବଦ୍ଧ ହୋଇରହିଯିବ। କିନ୍ତୁ ଆପଣ ଜାଣନ୍ତି କି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କିଛି ଏଭଳି ଟ୍ୱିଟ୍ କରିଥିଲେ ମନ୍ତ୍ରୀ । ଆସନ୍ତୁ ଜାଣିବା କ’ଣ ଥିଲା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଶେଷ ଟ୍ୱିଟ୍ ।

ସୌ(ସୋସିଆଲ ମିଡିଆ)

Naba Das:  ଚିର ନିଦ୍ରାରେ ଶୋଇଗଲେ ଓଡି଼ଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ନିଜ ନିର୍ବାଚନୀ ମଣ୍ତଳିରେ ଗୁଳି ମାଡ଼ରେ ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଜାନୁୟାରୀ ୨୯ ତାରିଖ ଝାରସୁଗୁଡାର ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଜଣେ ପୋଲିସ ଏଏସଆଇ ତାଙ୍କୁ ଗୁଳି ମାଡ଼ କରିଥିଲେ। କଡା଼ ସୁରକ୍ଷା ଭିତରେ ନିଜର ଏସ୍‌କର୍ଟ ଗାଡିରୁ ଓହ୍ଲାଇବା ସମୟରେ ଫୁଲତୋଡା ଦେଇ ଦଳୀୟ କର୍ମୀ ମାନେ ତାଙ୍କୁ ସ୍ୱାଗତ କରୁଥିଲେ। ଆଉ ଠିକ୍ ସେହି ସମୟରେ ତାଙ୍କ ଉପରକୁ ହୋଇଥିଲା ଗୁଳି ମାଡ଼ । ସଙ୍ଗେ ସଙ୍ଗେ ସେଠାରୁ ଏୟାର ଆମ୍ବୁଲାନ୍ସ ଯୋଗେ ନବ ଦାସଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଠାରେ ହିଁ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।

ନବ କିଶୋର ଦାସଙ୍କ ଦେହାନ୍ତ ଖବର ସାରା ରାଜ୍ୟକୁ ଶୋକାକୂଳ କରିଛି। ସୋସିଆଲ ମିଡି଼ଆ ଦ୍ୱାରା ତାଙ୍କର ମୃତ୍ୟୁ ଖବର ସାରା ବିଶ୍ୱରେ ନିଆଁ ପରି ବ୍ୟାପୁଥିବା ବେଳେ ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ତେବେ ସେ କରିଥିବା ଶେଷ ଟ୍ୱିଟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗତ ଜାନୁୟାରୀ ୨୮ ତାରିଖ ରାତି ୧୦.୩୯ ମିନିଟ୍ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ନିଜର ଟ୍ୱିଟର ଆକାଉଣ୍ଟରୁ ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରି ଏକ ଟ୍ୱିଟ କରିଥିଲେ । ଆଉ ଏହା ହିଁ ଥିଲା ତାଙ୍କର ଶେଷ ଟ୍ୱିଟ୍।

ଜାନୁୟାରୀ ୨୮ ତାରିଖରେ କଟକ ଏସସିବି ମେଡି଼କାଲରେ ବିଶିଷ୍ଟ ସାହିତ୍ୟିକ ଓ ରାଜନେତା ହୁସେନ ରବି ଗାନ୍ଧୀଙ୍କର ପରଲୋକ ଘଟିଥିଲା। ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସେହି ଦିନ ରାତିରେ ଟ୍ୱିଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ମନ୍ତ୍ରୀ ଦାସ ଲେଖିଥିଲେ, “ ବିଶିଷ୍ଟ ସାହିତ୍ୟିକ, ଲେଖକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କ ପରଲୋକ ଖବର ଶୁଣି ମୁଁ ଦୁଃଖିତ। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣାଉଛି। “ ଏହା ହିଁ ଥିଲା ସ୍ୱର୍ଗତ ନବ ଦାସଙ୍କର ଶେଷ ଟ୍ୱିଟ୍। କିଏ ଜାଣିଥିଲା ଯେ ହୁସେନ ରବି ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ୨୪ ଘଣ୍ଟା ନ ପୁରୁଣୁ ତାଙ୍କୁ ହିଁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ।

ମନ୍ତ୍ରୀ ଶ୍ରୀ ଦାସଙ୍କର ଦେହାନ୍ତ ପରେ ଏହି ଟ୍ୱିଟ ସମସ୍ତଙ୍କୁ ମର୍ମାହତ କରିଛି। ସାରା ରାଜ୍ୟ ଦୁଃଖରେ ଭାଙ୍ଗି ପଡି଼ଛି ବୋଲି ନବ ଦାସଙ୍କର ଏହି ଶେଷ ଟ୍ୱିଟ୍ ତଳେ ଥିବା କମେଣ୍ଟରୁ ସ୍ପଷ୍ଟ ଜଣା ପଡୁଛି। ଜଣେ ସଚେତନ ନାଗରିକ ଲେଖିଛନ୍ତି ଯେ ଓଡି଼ଶାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏହିପରି ମଝି ରାସ୍ତାରେ ଗୁଳି କରି କିଛି ଠିକ୍ କରିନି ପୋଲିସ। ଏହା ଓଡି଼ଶାର ଇତିହାସରେ ଏକ ବଡ କଳଙ୍କ। ପ୍ରଭୁ ଜଗନ୍ନାଥ ତାଙ୍କର ଅମର ଆତ୍ମାର ସଦଗତି କରନ୍ତୁ। ଏହା ସହ ଅନ୍ୟ ଜଣେ ଲେଖିଛନ୍ତି, କିଏ ଜାଣିଥିଲା ଅନ୍ୟର ଅମର ଆତ୍ମାର ସଦଗତି କାମନା କରିବାର କେଇ ଘଣ୍ଟା ମଧ୍ୟରେ ସେ ନିଜେ ଆରପାରିକୁ ଚାଲିଯିବେ !!? ଓଡି଼ଶା ଏକ ମହାନ ରାଜନେତାଙ୍କୁ ହରାଇଲା। ତାଙ୍କର ଆତ୍ମାର ସଦଗତି ହେଉ। ସେହିପରି ଅନ୍ୟ ଜଣେ କମେଣ୍ଟ କରିଛନ୍ତି "ଏହା ଅତି ଦୁଃଖଦ ପୂର୍ଣ୍ଣ ଅଟେ ଯେ ଏହି ଶ୍ରଦ୍ଧାଞ୍ଜଳି ଟ୍ୱିଟ ଲେଖିବା ସମୟରେ ସେ ନିଜେ ମଧ୍ଯ ଜାଣି ନଥିଲେ କି ଆଉ କିଛି ସମୟ ପରେ ଲୋକମାନେ ତାଙ୍କରି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ" ।

ଓଡି଼ଶାର ଇତିହାସ ପୃଷ୍ଠାରେ ସ୍ୱର୍ଗତ ଦାସଙ୍କର ମୃତ୍ୟୁ ଚିର ଦିନ ପାଇଁ ଲିପିବଦ୍ଧ ହେଇଗଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତା ତାଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଶ୍ରୀ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।