ଦୁଇ ଗୁଣାରୁ ଅଧିକ ବଢ଼ିବ ବିଧାୟକଙ୍କ ଦରମା! ଜାଣନ୍ତୁ, କେଉଁ ରାଜ୍ୟରେ ମିଳୁଛି କେତେ ଟଙ୍କା?
Advertisement

ଦୁଇ ଗୁଣାରୁ ଅଧିକ ବଢ଼ିବ ବିଧାୟକଙ୍କ ଦରମା! ଜାଣନ୍ତୁ, କେଉଁ ରାଜ୍ୟରେ ମିଳୁଛି କେତେ ଟଙ୍କା?

ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ଅଧିବେଶନରେ ଦିଲ୍ଲୀ ସରକାର ବିଧାୟକଙ୍କ ଦରମା ଏବଂ ଭତ୍ତାକୁ ଦ୍ୱିଗୁଣିତ କରିବାକୁ ଯାଉଛନ୍ତି। ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଦରମା ବୃଦ୍ଧି ପାଇଁ ବିଲ୍ ପାରିତ ହୋଇଛି। ଏହି ବିଲରେ ଦିଲ୍ଲୀର ବିଧାୟକଙ୍କ ଦରମା ୬୬.୬୭% ବୃଦ୍ଧି ପ୍ରସ୍ତାବ ଦିଆଯାଇଛି।

ଦିଲ୍ଲୀ ବିଧାନସଭା (ଫାଇଲ ଫଟୋ)

ନୂଆଦିଲ୍ଲୀ: ଦୀର୍ଘ ଏଗାର ବର୍ଷ ପରେ ବିଧାୟକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଖୁବଶୀଘ୍ର ଜାତୀୟ ରାଜଧାନୀର ବିଧାୟକଙ୍କ ଦରମା ବୃଦ୍ଧି ପାଇବାକୁ ଯାଉଛି। ଏନେଇ ଦିଲ୍ଲୀ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। କେବଳ ରାଷ୍ଟ୍ରପତିଙ୍କ ମୋହରକୁ ଅରବିନ୍ଦ କେଜ୍ରିୱାଲ ସରକାର ଅପେକ୍ଷା କରିଛନ୍ତି। ନୂଆ ଦରମା ବର୍ତ୍ତମାନ ଠାରୁ ଦୁଇ ଗୁଣାରୁ ଅଧିକ ହେବ ବୋଲି ମିଡିଆ ରିପୋର୍ଟରେ କୁହାଯାଉଛି।

ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ଅଧିବେଶନରେ ଦିଲ୍ଲୀ ସରକାର ବିଧାୟକଙ୍କ ଦରମା ଏବଂ ଭତ୍ତାକୁ ଦ୍ୱିଗୁଣିତ କରିବାକୁ ଯାଉଛନ୍ତି। ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଦରମା ବୃଦ୍ଧି ପାଇଁ ବିଲ୍ ପାରିତ ହୋଇଛି। ଏହି ବିଲରେ ଦିଲ୍ଲୀର ବିଧାୟକଙ୍କ ଦରମା ୬୬.୬୭% ବୃଦ୍ଧି ପ୍ରସ୍ତାବ ଦିଆଯାଇଛି। ଯଦି ଏହି ବିଲ୍ ପାରିତ ହୁଏ, ତେବେ ଦିଲ୍ଲୀର ବିଧାୟକଙ୍କୁ ମାସକୁ ୫୪ ହଜାର ପରିବର୍ତ୍ତେ ୯୦ ହଜାର ଟଙ୍କା ମିଳିବ। ସେହିପରି ବିଧାୟକ, ମୁଖ୍ୟ ସଚେତକ, ବାଚସ୍ପତି, ଉପବାଚସ୍ପତି ଓ ବିରୋଧି ଦଳ ନେତାଙ୍କ ଦରମା ୭୦୦୦୦ରୁ ୧,୭୦୦୦୦ ଟଙ୍କା ହେବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ମେ ମାସର ପ୍ରଥମ ସପ୍ତାହରେ ଏହି ବୃଦ୍ଧି ଉପରେ ଦସ୍ତଖତ କରି ସଂଶୋଧନ ପାଇଁ ରାସ୍ତା ପ୍ରସ୍ତୁତ କରିଥିଲା।

ଆମ ଆଦମୀ ପାର୍ଟିର ମୂଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି ଯେ, ଦିଲ୍ଲୀର ବିଧାୟକମାନେ ମାସିକ ୫୪୦୦୦ ଟଙ୍କାପାଉଛନ୍ତି। ବେତନ ହିସାବରେ, ୧୨ ହଜାର ଟଙ୍କା ଏବଂ ଅବଶିଷ୍ଟ ବିଭିନ୍ନ ଭତ୍ତା ଭାବରେ ମିଳୁଛି। ସଂଶୋଧନ ପରେ ମାସିକ ଦରମା ୩୦୦୦୦ ଟଙ୍କା ହେବ। ଭତ୍ତା ସହିତ ଏହା ମାସକୁ ୯୦୦୦୦ ଟଙ୍କା ହେବ। ଦିଲ୍ଲୀ ବିଧାୟକଙ୍କ ଦରମା ଏବଂ ଭତ୍ତା ଶେଷ ଥର ପାଇଁ ୨୦୧୧ ମସିହାରେ ସଂଶୋଧିତ ହୋଇଥିଲା। ଡିସେମ୍ବର ୨୦୧୫ରେ ଦିଲ୍ଲୀ ସରକାର ବିଧାୟକଙ୍କ ଦରମା ଏବଂ ଭତ୍ତା ଭାବରେ ମାସକୁ ୨.୧୦ ଲକ୍ଷ ଟଙ୍କାର ପ୍ରସ୍ତାବ ଦେଇଥିଲେ, କିନ୍ତୁ MHA ଏହି ପ୍ରସ୍ତାବକୁ ଖରଜ କରିଥିଲା।

Also Read: ମୋଦି ସରକାରଙ୍କୁ ପୁଣି ଟାର୍ଗେଟ କଲେ ମେଘାଳୟ ରାଜ୍ୟପାଳ, କହିଲେ-ଚାଷୀଙ୍କୁ ବର୍ବାଦ ପରେ ଯବାନ...

ଏହାପୂର୍ବରୁ ମେ ମାସରେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ, ଗୃହ ମନ୍ତ୍ରଣାଳୟକୁ ଅନ୍ୟ ରାଜ୍ୟ ବିଧାୟକଙ୍କ ଦରମା ସହ ଦିଲ୍ଲୀ ବିଧାୟକଙ୍କ ଦରମାର ତୁଳନା କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ମଧ୍ୟ ପ୍ରଦେଶ, ୟୁପି ଭଳି ଅନେକ ରାଜ୍ୟରେ ବିଧାୟକମାନେ ପାଖାପାଖି ୨ ଲକ୍ଷ ପାଉଛନ୍ତି। ସେମାନଙ୍କ ତୁଳନାରେ ଦିଲ୍ଲୀର ବିଧାୟକମାନେ ଦେଶର ସବୁଠାରୁ କମ ଦରମା ପାଉଛନ୍ତି। ସୋମବାର ବିଧାୟକ, ମୁଖ୍ୟ ସଚେତକ, ବାଚସ୍ପତି, ଉପବାଚସ୍ପତି ଓ ବିରୋଧି ଦଳ ନେତାଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦିଲ୍ଲୀ ବିଧାନ ସଭାବେ ପାଞ୍ଚଟି ବିଲ୍ ପାରିତ ହୋଇଛି।  

କେଉଁ ବାବଦକୁ କେତେ ଟଙ୍କା ମିଳିବ?

  • ମୂଳ ଦରମା- ୧୨୦୦୦ରୁ ୩୦୦୦୦ ଟଙ୍କା ହେବ।
  • ନିର୍ବାଚନ ମଣ୍ଡଳୀ ଭତ୍ତା- ୧୮୦୦୦ରୁ ୨୫୦୦୦ ଟଙ୍କା ହେବ।
  • ଯାନବାହନ ଭତ୍ତା- ୬୦୦୦ରୁ ୧୦୦୦୦ ଟଙ୍କା ହେବ।
  • ଟେଲିଫୋନ ଭତ୍ତା- ୮୦୦୦ରୁ ୧୦୦୦୦ ଟଙ୍କା ହେବ।
  • ସଚିବାଳୟ ଭତ୍ତା- ୧୦୦୦୦ରୁ ୧୫୦୦୦ ଟଙ୍କା ହେବ।

କେଉଁ ରାଜ୍ୟର ବିଧାୟକଙ୍କୁ କେତେ ଟଙ୍କା ଭତ୍ତା (ବିଭିନ୍ନ ମିଡିଆ ରିପୋର୍ଟ ଆଧାରରେ) ମିଳୁଛି?

  • ଆନ୍ଧ୍ରପ୍ରଦେଶ - ୧,୨୫,୦୦୦ ଟଙ୍କା 
  • ଅରୁଣାଚଳ ପ୍ରଦେଶ - ୧,୨୦,୦୦୦ ଟଙ୍କା 
  • ଆସାମ - ୬୦,୦୦୦ ଟଙ୍କା 
  • ବିହାର - ୧,୬୫,୦୦୦ ଟଙ୍କା 
  • ଛତିଶଗଡ - ୧,୩୫,୦୦୦ ଟଙ୍କା 
  • ଦିଲ୍ଲୀ ବିଧାୟକ - ୯୦,୦୦୦ ଟଙ୍କା (ବୃଦ୍ଧି ପରେ)
  • ଗୋଆ - ୧,୦୦,୦୦୦ ଟଙ୍କା 
  • ଗୁଜୁରାଟ - ୧,୨୭,୦୦୦ ଟଙ୍କା 
  • ହରିୟାଣା - ୧,୧୫,୦୦୦ ଟଙ୍କା 
  • ହିମାଚଳ ପ୍ରଦେଶ - ୧,୨୫,୦୦୦ ଟଙ୍କା 
  • ଜାମ୍ମୁ କାଶ୍ମୀର - ୧,୬୦,୦୦୦ ଟଙ୍କା 
  • ଝାଡଖଣ୍ଡ - ୧,୫୧,୦୦୦ ଟଙ୍କା 
  • କର୍ଣ୍ଣାଟକ - ୨,୦୫,୦୦୦ ଟଙ୍କା 
  • କେରଳ - ୪୩,୭୫୦ ଟଙ୍କା 
  • ମଧ୍ୟପ୍ରଦେଶ - ୨,୧୦,୦୦୦ ଟଙ୍କା 
  • ମହାରାଷ୍ଟ୍ର - ୧,୬୦,୦୦୦ ଟଙ୍କା 
  • ମଣିପୁର - ୧,୧୨,୫୦୦ ଟଙ୍କା 
  • ମେଘାଳୟ - ୬୦,୦୦୦ ଟଙ୍କା 
  • ମିଜୋରାମ - ୬୫,୦୦୦ ଟଙ୍କା 
  • ନାଗାଲାଣ୍ଡ - ୧,୦୦,୦୦୦ ଟଙ୍କା 
  • ଓଡ଼ିଶା - ୧,୦୦,୦୦୦ ଟଙ୍କା 
  • ପଞ୍ଜାବ - ୧,୧୦,୦୦୦ ଟଙ୍କା 
  • ରାଜସ୍ଥାନ - ୫୫,୦୦୦ ଟଙ୍କା 
  • ସିକ୍କିମ୍ - ୫୨,୦୦୦ ଟଙ୍କା 
  • ତାମିଲନାଡୁ - ୧,୧୩,୦୦୦ ଟଙ୍କା 
  • ତେଲେଙ୍ଗାନା - ୨,୩୦,୦୦୦ ଟଙ୍କା 
  • ତ୍ରିପୁରା - ୪୮,୪୨୦ ଟଙ୍କା 
  • ଉତ୍ତର ପ୍ରଦେଶ - ୧,୮୭,୦୦୦ ଟଙ୍କା 
  • ଉତ୍ତରାଖଣ୍ଡ - ୧,୬୦,୦୦୦ ଟଙ୍କା 
  • ପଶ୍ଚିମବଙ୍ଗ - ୮୧,୮୭୦ ଟଙ୍କା 
  • ପୁଡୁଚେରୀ - ୧,୦୫,୦୦୦ ଟଙ୍କା 

ଉପରୋକ୍ତ ତଥ୍ୟାନୁସାରେ ତେଲେଙ୍ଗାନାର ବିଧାୟକମାନେ ସବୁଠାରୁ ଅଧିକ ଦରମା ପାଉଛନ୍ତି। ଏହି ସମୟରେ କେରଳର ବିଧାୟକଙ୍କୁ ସବୁଠାରୁ କମ ଦରମା ଦିଆଯାଉଛି।

Also Read: ସିନ୍ଦେ ସରକାର ଭାଙ୍ଗିବାକୁ ନେଇ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ

ସଂସଦ ଅଧିନିୟମ ୧୯୫୪ ଅନୁସାରେ ସାଂସଦଙ୍କ ଦରମା, ଭତ୍ତା ଏବଂ ପେନସନ୍ ନିର୍ଦ୍ଧାରିତ ହୋଇଥାଏ। ସମୟ ସମୟରେ ଏହାକୁ ସଂଶୋଧନ କରାଯାଏ। ସାଂସଦଙ୍କ ଦରମା ଏବଂ ଭତ୍ତା ହ୍ରାସ ହୁଏ କିମ୍ବା ବୃଦ୍ଧି କରାଯାଇପାରେ। ବର୍ତ୍ତମାନ ଜଣେ ସାଂସଦ ମାସିକ ଏକ ଲକ୍ଷ ଟଙ୍କା ବେସିକ ସାଲାରି ପାଉଛନ୍ତି। ଏହା ବ୍ୟତୀତ ସେମାନଙ୍କୁ ମାସିକ ନିର୍ବାଚନମଣ୍ଡଳୀ ଭତ୍ତା ୭୦୦୦୦ ଟଙ୍କା ଏବଂ ଅଫିସ୍ ଖର୍ଚ୍ଚ ପାଇଁ ୬୦୦୦୦ ଟଙ୍କା ମିଳୁଛି। ୨୦୨୦ରେ କୋରୋନା ମହାମାରୀ ପରେ ସାଂସଦମାନଙ୍କ ଦରମା ଏବଂ ଭତ୍ତା ହ୍ରାସ କରିବାକୁ ଏକ ବିଲ୍ ପାରିତ ହୋଇଥିଲା। ଫଳରେ ୩୦% କଟ୍ ପରେ ବେସିକ ସାଲାରି ୭୦୦୦୦ ଟଙ୍କାକୁ ଖସି ଆସିଛି। ଭତ୍ତା ମଧ୍ୟ ୩୦% ହ୍ରାସ ପାଇଛି।