ଅଭ୍ୟାସ ମ୍ୟାଚରେ ଫେଲ୍, ଆଗକୁ ରହିଛି ସୁପର ସିରିଜ
Advertisement
Article Detail0/zeeodisha/odisha627362

ଅଭ୍ୟାସ ମ୍ୟାଚରେ ଫେଲ୍, ଆଗକୁ ରହିଛି ସୁପର ସିରିଜ

ପରାଜିତ ନେତୃତ୍ୱ ଆଗରେ ଦମଦାର ମ୍ୟାଚ !

ଫାଇଲ ଫଟୋ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ରାଜନୈତିକ ଦଳକୁ ମିଳିଲା ନୂଆ ଅଧ୍ୟକ୍ଷ । ଗେରୁଆ ଦଳର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ହେଲେ ଜଗତ ପ୍ରକାଶ ନଡ୍ଡା ! ଦଳର କାର୍ଯ୍ୟକାରୀ ସଭାପତି ଥିବା ବେଳେ ଯଦିଓ ଜେପି ଭଲ ପ୍ରଦର୍ଶନ କରିପାରିନଥିଲେ, ତଥାପି ମଧ୍ୟ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ବିଶ୍ୱାସ ଜିତିପାରିଛନ୍ତି । ଯେଉଁଥି ପାଇଁ ତାଙ୍କ ଉପରେ ଆସ୍ଥାପ୍ରକଟ କରିଛି ଗେରୁଆ ଦଳ । ହେଲେ ଜେପି ଦଳର ମଙ୍ଗ ଧରୁଧରୁ ସାମ୍ନା କରିବେ ବଡ଼ବଡ଼ ଚ୍ୟାଲେଞ୍ଜ । 

କାର୍ଯ୍ୟକାରୀ ସଭାପତି ଥିଲେ, ଏବେ ଗେରୁଆ ଦଳର ମଙ୍ଗ ଧରିଲେ । ବିଜେପିର ୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ଜେପି ନଡ୍ଡା । ପରମ୍ପରା ଅନୁଯାୟୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇଥିଲେ । ମୋଦି ୧.୦ ସରକାରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରହିଥିଲେ । ଏବେ ବଡ଼ ରାଜନୈତିକ ଦଳକୁ ଚଳାଇବେ । ଦଳର ସ୍ୱାସ୍ଥ୍ୟକୁ ସୁନ୍ଦର କରିବେ । ବିହାର ପାଣି ପବନରେ ବଢ଼ିଥିବା ଜେପି ଏବେ ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦ ଅଛନ୍ତି । ଯାହାଙ୍କ ପାଖରୁ ଅନେକ ଆଶା ଓ ଭରଷା ରଖିଛି ଭାରତୀୟ ଜନତା ପାର୍ଟି । 

୧୯ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ଅଧ୍ୟକ୍ଷ ପଦକୁ ନେଇ କେଉଁଠି ନା କେଉଁଠି ଅଦୃଶ୍ୟ ଚାପରେ ଥିଲା । ଯେଉଁଥିପାଇଁ ଦଳ ନୂଆ କ୍ୟାପଟେନ ଘୋଷଣା କରିବା ପରିବର୍ତ୍ତେ ଭାବି କ୍ୟାପଟେନ ପାଇଁ ଏକ ଭରଷାଯୋଗ୍ୟ ଖେଳାଳିଙ୍କୁ ମଇଦାନକୁ ଓହ୍ଲାଇଥିଲା । 
ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ୱ ଦିଆଗଲା । କାହିଁକିନା ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ଜେପିଙ୍କ ପ୍ରଦର୍ଶନ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଧ୍ୟାନ ଆକର୍ଷଣ କରିଥିଲା । 

ଜେପିଙ୍କୁ ଭାବି-ଅଧ୍ୟକ୍ଷ ଭାବେ ଟ୍ରେଣ୍ଡ କରିବାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଶାହ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଏତେ ବଡ଼ ଦାୟିତ୍ୱକୁ ଚାପ ମୁକ୍ତ ହୋଇ ନଡ୍ଡା ଯେପରି ନିର୍ବାହ କରିପାରିବେ, ସେନେଇ ଶାହ ପୂର୍ଣ୍ଣ ସହଯୋଗ କରିଥିଲେ । ହେଲେ ଗେରୁଆ ଦଳର ଭରଷାଯୋଗ୍ୟ ଖେଳାଳି ଅଭ୍ୟାସ ମ୍ୟାଚରେ ଫେଲ ମାରିଛନ୍ତି । ସାଧାରଣ ନିର୍ବାଚନ ପରେ ହୋଇଥିବା ୩ ରାଜ୍ୟର ବିଧାନସଭା ନିର୍ବାଚନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଅବଶ୍ୟ ପରାଜୟ ପରେ ରାଜ୍ୟ ନେତୃତ୍ୱ ଉପରେ ଦୋଷ ଦେଇ ଖସି ଯିବାରେ ବିଜେପି ମାହିର !

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ କ୍ଷମତାରେ ଥିବା ୩ ରାଜ୍ୟରୁ ୨ରାଜ୍ୟକୁ ହରାଇଛି ବିଜେପି । ହରିୟାଣାରେ ସରକାର ଗଢ଼ିଛି ସତ, ହେଲେ ଜେଜେପି ସହ ମେଣ୍ଟ କରିବାକୁ ପଡ଼ିଛି । 'ମହା' ନାଟକରେ ଦଳ ଚକମା ଖାଇଯାଇଛି । ଆଉ ଝାଡ଼ଖଣ୍ଡରେ ଦଳକୁ ଲାଗିଛି 'ମହା' ଝଟକା । ମୋଦି, ଶାହ ଏବଂ ନଡ୍ଡାଙ୍କ ଘନଘନ ପ୍ରଚାର ଫେଲ ମାରିଛି । କାର୍ଯ୍ୟକାରୀ ସଭାପତି ଭାବରେ ଦଳକୁ ଲଗାତାର ୨ ପରାଜୟ ଦେଲେଣି ଜେପି । ଉଭୟ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ କ୍ଷମତା ଦଖଲ କରିବା ସହଜ ଥିଲା । ମାତ୍ର ସହଜିଆ ଗଣିତକୁ କାର୍ଯ୍ୟକାରୀ ସଭାପତି କଷିପାରି ନଥିଲେ । 

ଆହୁରି ପଢ଼ନ୍ତୁ; ମାଗଣା ସ୍କିମ୍ ବନାମ ଆତ୍ମସମ୍ମାନ କାର୍ଡ

ହେଲେ ଏବେ ଆଉ ଅଭ୍ୟାସ ମ୍ୟାଚ ନାହିଁ କି ଦୁର୍ବଳ ଦଳ ବି ନାହିଁ ।  ସାମ୍ନାରେ ସୁପର ସିରିଜ । ଆଉ ଏହି ସୁପର ସିରିଜରେ କେବଳ ମଝଭୁତ ଦଳ ହିଁ ରହିଛନ୍ତି । ଯେପରି ଦିଲ୍ଲୀରେ ଆପ୍, ପଶ୍ଚିମବଙ୍ଗରେ ଟିଏମସି, ବିହାରରେ ଆରଜେଡ଼ି ପ୍ରମୁଖ । ଆସାମ ଓ କେରଳ ମ୍ୟାଚ ମଧ୍ୟ ରହିଛି । ସିଏଏ ଓ ଏନଆରସି ମୁଦ୍ଦା ଏଠି ଆଞ୍ଚଳିକ ଦଳଗୁଡ଼ିକୁ ବଳ ଯୋଗାଇଛି । ବିହାରରେ ଜେଡ଼ିୟୁ ବିଜେପି ବିରୋଧରେ ମଧ୍ୟ ଖେଳିପାରେ । ୨୦୨୦ ଓ ୨୦୨୧ରେ ଜେପିଙ୍କୁ ଏହିସବୁ ମ୍ୟାଚ ଖେଳିବାକୁ ପଡ଼ିବ । ସେହିପରି ଦକ୍ଷିଣ ଦଖଲ ପାଇଁ ଅଭ୍ୟାସ ମଧ୍ୟ ଜରୁରୀ ହୋଇପଡ଼ିଛି। 

ତେବେ ଏଠାରେ ପ୍ରଶ୍ନ, ଅଭ୍ୟାସ ମ୍ୟାଚରେ ଚକମା ଖାଇଥିବା ବେଳେ ଜେପି ସୁପର ସିରିଜରେ କବଜା କରିପାରିବେ ତ ? ନା ଝାଡ଼ଖଣ୍ଡରେ 'ମହା' ଝଟକା ପରି ଦଳକୁ ଭସେଇ ଦେବେ ! ଆଉ ଦିନ କେଇଟା ଭିତରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଦଳକୁ ହ୍ୟାଟ୍ରିକ ପରାଜୟରୁ ରକ୍ଷା କରିବା ପାଇଁ ଅଗ୍ନି ପରୀକ୍ଷା । ଶାହଙ୍କ ସ୍ଥାନ ନେବାକୁ ହେଲେ ଜେପିଙ୍କୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ । ସଙ୍ଘ ପରିବାର ସହ ଉତ୍ତମ ସମ୍ପର୍କ ରକ୍ଷା କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ । ନହେଲେ ସୁପର ସିରିଜରେ ଯେ ଜେପି ସୁପର ଫ୍ଲପ ହେବେ, ସେଥିରେ ସନ୍ଦେହ ନାହିଁ । ଅବଶ୍ୟ ଦିଲ୍ଲୀ ଦେଖାଇ ଦେଇପାରେ ଜେପି ଜଲୱା । 

ଆହୁରି ପଢ଼ନ୍ତୁ; ଝାଡ଼ଖଣ୍ଡର 'ମହା' ଝଟକାକୁ 'ବାଲିସେକ' ଦେବ ଦିଲ୍ଲୀ !