ବିଦ୍ରୋହ ପଛର ଅସଲ କାହାଣୀ...
Advertisement
Article Detail0/zeeodisha/odisha652288

ବିଦ୍ରୋହ ପଛର ଅସଲ କାହାଣୀ...

କାହିଁକି ୧୮ ବର୍ଷର ସମ୍ପର୍କ ତୁଟାଇଲେ ସିନ୍ଧିଆ ? 

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ପଦ୍ମ ମୁହାଁ ସିନ୍ଧିଆ ହେବା ପରେ ଜନତାଙ୍କ ଭିତରେ ଅନେକ ଚର୍ଚ୍ଚା । ସିନ୍ଧିଆ ପରିବାରର ଡିଏନଏରେ ଯେ ବିଜେପି ଅଛି, ତାହା ଏବେ ପୁଣିଥରେ ପ୍ରମାଣିତ ହେବାକୁ ଯାଉଛି । ଏହାର କାରଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜେଜେମା ବିଜୟା ରାଜେ ଯଦିଓ କଂଗ୍ରେସରୁ  ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ, ତେବେ ୧୯୬୭ ମସିହାରେ ସେ କଂଗ୍ରେସ ଛାଡ଼ି ଜନସଙ୍ଘରେ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କ ପୁଅ ମାଧବ ରାଓ ସିନ୍ଧିଆ ମଧ୍ୟ ଜନସଙ୍ଘରେ ସାମିଲ ହୋଇଥିଲେ । ୧୯୭୧ ମସିହାରେ ଉଭୟ ମାତା ଓ ପୁତ୍ର ଇନ୍ଦିରା ହାୱାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ତେବେ ଜରୁରୀକାଳୀନ ପରିସ୍ଥିତି ପରେ ମାଧବ ରାଓ ସିନ୍ଧିଆ ଜନସଙ୍ଘ ଛାଡ଼ି ପୁଣି ଥରେ ହାତ ଧରିଥିଲେ । କିନ୍ତୁ ବିଜୟା ରାଜେଙ୍କ ଦୁଇ ଝିଅ ବସୁନ୍ଧରା ରାଜେ(ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ) ଏବଂ ଯଶୋଧରା ରାଜେ(ବର୍ତ୍ତମାନ ମଧ୍ୟପ୍ରଦେଶରେ ବିଧାୟକ ଅଛନ୍ତି) ବିଜେପିରୁ ହିଁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନେ ଆଜି ମଧ୍ୟ ବିଜେପିରେ ଅଛନ୍ତି । 

୨୦୧୮ରେ ଯେତେବେଳେ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ପାଇଁ ବେଶ୍ ଦାବିଦାର ଥିଲେ ଜ୍ୟୋତିରାଦିତ୍ୟ । କୁହାଯାଏ, ପୂର୍ବରୁ କୁଆଡ଼େ ରାହୁଲ ଗାନ୍ଧୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସିନ୍ଧିଆଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଅଫର କରାଗଲା, ଯାହାକୁ ସିନ୍ଧିଆ ଗ୍ରହଣ କରି ନ ଥିଲେ । ତେବେ ଏପରି  ଷଡ଼ଯନ୍ତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ନୂଆ ନଥିଲା । ପୂର୍ବରୁ ତାଙ୍କ ପିତା ମାଧବ ରାଓ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବାରୁ ରୋକିଥିଲା କଂଗ୍ରେସ । 

ଏ ଘଟଣା ୧୯୯୩ ମସିହାର । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିଥିଲା କଂଗ୍ରେସ । ମୁଖ୍ୟମନ୍ତ୍ରୀ ରେସରେ ମାଧବ ରାଓ ସିନ୍ଧିଆ ଆଗରେ ରହିଥିଲେ । ହେଲେ ଅର୍ଜୁନ ସିଂହ ଏବଂ ଦିଗବିଜୟ ସିଂହ ଏକଜୁଟ ହୋଇ ମାଧବ ରାଓଙ୍କ ବାଟ ଉଗାଳିଥିଲେ । ସେ ସମୟରେ ଦିଗବିଜୟ ସିଂହ କଂଗ୍ରେସର ସଭାପତି ଥିବା ବେଳେ ଅର୍ଜୁନ ସିଂହ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଥିଲେ । ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିଲା । ଦିଗବିଜୟ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅର୍ଜୁନ ସିଂହ ଦିଲ୍ଲୀରେ ଲବି କରିଥିଲେ । କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଦିଗବିଜୟ ସିଂହଙ୍କ ଉପରେ ମୋହର ମାରିଥିଲେ ।  ସେହିଦିନଠୁ ମାଧବ ରାଓ ସିନ୍ଧିଆ ଅସନ୍ତୁଷ୍ଟ ଥିଲେ ଏବଂ ପରେ ୧୯୯୬ ମସିହାରେ ଦଳ ଛାଡ଼ିଥିଲେ । 

ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବା ପରେ ସିନ୍ଧିଆ ଅନ୍ୟକିଛି ଚାହୁଁଥିଲେ । ନିଜେ ଉପମୁଖ୍ୟମନ୍ତ୍ରୀ ନହୋଇ ନିଜର ଜଣେ ସମର୍ଥକଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ କୁଆଡ଼େ ଇଚ୍ଛାପ୍ରକାଶ କରିଥିଲେ ଜ୍ୟୋତିରାଦିତ୍ୟ । ହେଲେ ସେତେବେଳେ ରାହୁଲ ଗାନ୍ଧୀ ଏକ ସର୍ତ୍ତ ରଖିଥିଲେ । ରାହୁଲଙ୍କ ସର୍ତ୍ତ ଥିଲା, କମଲନାଥଙ୍କ ପକ୍ଷରୁ ମଧ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ ରହିବେ । ଯାହାକୁ ସିନ୍ଧିଆ ଗ୍ରହଣ କରିନଥିଲେ । 

fallback

ସିନ୍ଧିଆଙ୍କୁ ଅଣଦେଖା କରିବା ପ୍ରକ୍ରିୟା ସେତିକିରେ ସରି ନ ଥିଲା ।  ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ପଶ୍ଚିମ ୟୁପିରେ ନିର୍ବାଚନ ଦାୟିତ୍ୱ ଦିଆଯାଇଥିଲା । କାହିଁକିନା, କଂଗ୍ରେସ ଭଲ ଭାବେ ଜାଣିଥିଲେ, ସେଠି ଦଳର ଜିତିବାର ସମ୍ଭାବନା ବି ନାହିଁ । ତେଣୁ  ପରାଜୟ ହେଲେ ସିନ୍ଧିଆ ହିଁ ଦାୟୀ ରହିବେ । ଫଳରେ ସିନ୍ଧିଆଙ୍କ ରାଜନୈତିକ ପତିଆରା ହ୍ରାସ ପାଇବ ! ଆଉ ସେମିତି ହିଁ ହେଲା । 

ଜ୍ୟୋତିରାଦିତ୍ୟଙ୍କୁ ଦଳ କିପରି ଅଣଦେଖା କରୁଥିଲା, ନିକଟ ଅତୀତର କିଛି ଘଟଣା ଦେଖିଲେ ଏହା ଆହୁରି ସ୍ପଷ୍ଟ ହେବ । ସିନ୍ଧିଆ ଚାହୁଁଥିଲେ, ମଧ୍ୟପ୍ରଦେଶ କଂଗ୍ରେସର ଦାୟିତ୍ୱ ତାଙ୍କୁ ଦିଆଯାଉ । ରାଜ୍ୟସଭା ପାଇଁ ଟିକେଟ ମଧ୍ୟ ମିଳୁ । ତେବେ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କରିବା ପାଇଁ କଂଗ୍ରେସ ରାଜି ଥିଲା, ହେଲେ ରାଜ୍ୟସଭା ପଠାଇବା ପାଇଁ ଚାହୁଁନଥିଲେ କମଲନାଥ । କାହିଁକିନା ଚଳିତ ଥର ମଧ୍ୟପ୍ରଦେଶର ୩ ରାଜ୍ୟସଭା ଆସନରେ ନିର୍ବାଚନ ହେବ । ଉଭୟ କଂଗ୍ରେସ ଓ ବିଜେପିର ଗୋଟିଏ ଗୋଟିଏ ଆସନ ସୁରକ୍ଷିତ ଥିବା ବେଳେ ତୃତୀୟ ଆସନରେ କଡ଼ାକଡ଼ି ଟକ୍କର ହେବାର ଅଛି । ତେବେ ସୁରକ୍ଷିତ ଆସନରୁ ପୁଣିଥରେ ଦିଗବିଜୟ ସିଂହଙ୍କୁ ରାଜ୍ୟସଭା ପଠାଇ ତାଙ୍କୁ  ଖୁସ କରିବାକୁ ଚାହୁଁଥିଲେ କମଲନାଥ । ଅନ୍ୟପଟେ ଅବୁଝା ସିନ୍ଧିଆଙ୍କୁ ବୁଝାଇବା ପାଇଁ ଛତିଶଗଡ଼ରୁ ରାଜ୍ୟସଭାକୁ ପଠାଇବାକୁ କଂଗ୍ରେସ ଚାହୁଁଥିଲା ! ଯାହା ସିନ୍ଧିଆ ଗ୍ରହଣ କରିନଥିଲେ । 

ଏଠାରେ ଅନ୍ୟ ଏକ କଥା ମଧ୍ୟ ଚର୍ଚ୍ଚା ହୁଏ । ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ନକରିବା ହେଉ କିମ୍ବା ତାଙ୍କ ରାଜନୈତିକ ପତିଆରା ବିସ୍ତାରକୁ ରୋକିବା ହେଉ, ଏକ୍ଷେତ୍ରରେ କଂଗ୍ରେସର ଏକ ସ୍ୱତନ୍ତ୍ର ରଣନୀତି ରହିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୁଆଡ଼େ ଚାହୁଁ ନ ଥିଲେ, ଦଳରେ କୌଣସି  ଯୁବନେତାଙ୍କ ପତିଆରା ବଢ଼ୁ । କାହିଁକିନା ଏପରି ହେଲେ, ପରବର୍ତ୍ତୀ ସମୟରେ ପୁଅ ରାହୁଲ ଗାନ୍ଧୀଙ୍କ ପାଇଁ ଏହା କଣ୍ଟା ସଦୃଶ୍ୟ ହେବ । ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦଳକୁ କ୍ଷମତାକୁ ଆଣିବାରେ ବଳିଷ୍ଠ ଭୂମିକା ଲିଭାଇଥିବା ସଚିନ ପାଇଲଟଙ୍କୁ ଅଣଦେଖା କରିବା ମଧ୍ୟ କଂଗ୍ରେସର ସମାନ ରଣନୀତି ବୋଲି ଚର୍ଚ୍ଚା ହୁଏ । ତେଣୁ ଜ୍ୟୋତିରାଦିତ୍ୟ ନିଜରହ ରାଜନୈତିକ କ୍ୟାରିଅରକୁ ଆଗକୁ ନେବା ପାଇଁ ହାତ ଛାଡ଼ିବାକୁ ଉଚିତ ମନେକରିଥାଇପାରନ୍ତି । 

ଆହୁରି ପଢ଼ନ୍ତୁ; ଜ୍ୟୋତିରାଦିତ୍ୟଙ୍କ ଘର ବାହୁଡ଼ା: ଯଶୋଧାରା ସିନ୍ଧିଆ