ଝାଡ଼ଖଣ୍ଡର ରୋଚକ କାହାଣୀ: ଯିଏ ମୁଖ୍ୟମନ୍ତ୍ରୀ ହୁଏ, ସେ ଦିନେ ନିଜ ଆସନରୁ ହିଁ ହାରେ...
Advertisement
Article Detail0/zeeodisha/odisha614670

ଝାଡ଼ଖଣ୍ଡର ରୋଚକ କାହାଣୀ: ଯିଏ ମୁଖ୍ୟମନ୍ତ୍ରୀ ହୁଏ, ସେ ଦିନେ ନିଜ ଆସନରୁ ହିଁ ହାରେ...


ଦିନେ ବିଧାୟକ ହୋଇ ନ ପାରି ଗାଦି ହରାଇଥିଲେ 'ଗୁରୁଜୀ'

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭାକୁ ୨୦ ବର୍ଷ ପୁରିନି । ହେଲେ ୧୦ଥର ବଦଳିଛି ସରକାର । ୬ ମୁଖ୍ୟମନ୍ତ୍ରୀ ଦେଖି ସାରିଲାଣି ଏହି ଆଦିବାସୀ ବହୁଳ ରାଜ୍ୟ । ଏଠି କ୍ଷମତା କେତେବେଳେ କାହା ପାଖକୁ ଯାଏ, କିଛି ଠିକ୍ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟର ତତକାଳୀନ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଦିନେ ନିଜ ନିର୍ବାଚନ ମଣ୍ଡଳୀରୁ ହାରିବାକୁ ପଡିଥାଏ । ଆଉ ଏବେ ରଘୁବରଙ୍କୁ ବି ଭୋଗିବାକୁ ପଡିଛି ସମାନ ଦଶା । ରାଜ୍ୟରେ ବିଜେପିକୁ ତ ଜନାଦେଶ ମିଳିଲାନି, ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଚିତପଟାଙ୍ଗ ମାରିଲେ ରଘୁବର । ଏହା କିଛି ନୂଆ ନଥିଲା, କେବଳ ଇତିହାସର ପୁନରାବୃତ୍ତି ହିଁ ହେଲା । 

ଶିବୁ, ମଧୁ, କୋଡା, ସମସ୍ତଙ୍କୁ ହରାଇବାକୁ ପଡିଥିଲା ନିଜ ନିର୍ବାଚନ ମଣ୍ଡଳୀ

୨୦୦୦ ମସିହାରେ ବାଜପେୟୀ ସରକାରଙ୍କ କାର୍ଯ୍ୟକାଳ ସମୟରେ ବିହାରରୁ ଝାଡ଼ଖଣ୍ଡ ଅଲଗା ହୋଇ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ଏହି ସମୟରେ ରାଜ୍ୟରେ ବିଜେପି ସରକାର ଗଢିଥିଲା । ମୁଖ୍ୟମନ୍ତ୍ରୀ ହୋଇଥିଲେ ବାବୁଲାଲ୍ ମାରାଣ୍ଡି । ପାଖାପାଖି ଅଢେଇ ବର୍ଷ କ୍ଷମତାରେ ରହିଥିଲେ ବାବୁଲାଲ । ପରେ ବିଜେପିର ହିଁ ଅର୍ଜୁନ ମୁଣ୍ଡା ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ପରବର୍ତ୍ତୀ ନିର୍ବାଚନରେ ନିଜ ଆସନରୁ ହିଁ ହାରିଥିଲେ ବାବୁଲାଲ  । 

ସେହିପରି ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ହୋଇଥିବା ଅର୍ଜୁନ ମୁଣ୍ଡା, ଶିବୁ ସୋରେନ, ମଧୁ କୋଡ଼ା ଏବଂ ହେମନ୍ତ ସୋରେନ ମଧ୍ୟ ଦିନେ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ହାରିଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଥିବା ହେମନ୍ତକୁ ଡୁମକା ଆସନରୁ ପରାଜିତ ହେବାକୁ ପଡିଥିଲା । ଅବଶ୍ୟ ୨ଟି ଆସନରୁ ନିର୍ବାଚନ ଲଢିଥିବା ହେମନ୍ତ ଅନ୍ୟ ଆସନ ବରାହଟରେ ବିଜୟୀ ହୋଇଥିଲେ । 

ଦିନେ ବିଧାୟକ ହୋଇ ନ ପାରିବାରୁ 'ଗୁରୁଜୀ'ଙ୍କୁ ଛାଡିବାକୁ ପଡିଥିଲା ମୁଖ୍ୟମନ୍ତ୍ରୀ ପଦ

ଝାଡ଼ଖଣ୍ଡରେ ଗୁରୁଜୀ ଭାବରେ ବେଶ ଜଣାଶୁଣା ଶିବୁ ସୋରେନ । ୨୮ ଅଗଷ୍ଟ ୨୦୦୮ରେ ମୁଖ୍ୟମନ୍ତ୍ରୀ ପଦରୁ ମଧୁ କୋଡା ଇସ୍ତଫା ଦେଇଥିଲେ । ପରେ ଜେଏମଏମ ସୁପ୍ରିମୋ ଶିବୁ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ସେହି ସମୟରେ ବିଧାୟକ ନଥିଲେ ଶିବୁ ସୋରେନ । ସାମ୍ବିଧାନିକ ନିୟମ ଅନୁସାରେ ତାଙ୍କୁ ୬ ମାସ ମଧ୍ୟରେ ବିଧାୟକ ଭାବରେ ନିର୍ବାଚିତ ହେବାର ଥିଲା । ମାତ୍ର ତମାଡ୍ ଆସନରେ ହୋଇଥିବା ଉପନିର୍ବାଚନରେ ପରାଜୟର ସାମ୍ନା କରିଥିଲେ ଗୁରୁଜୀ । ଶେଷରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲେ । 

୨୦୧୪ରେ ମରାଣ୍ଡି, ମଧୁ କୋଡା ଏବଂ ଅର୍ଜୁନ ମୁଣ୍ଡା ହାରିଥିଲେ

୨୦୧୪ ବିଧାନସଭା ନିର୍ବାଚନରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡିଙ୍କୁ ମଧ୍ୟ ହାରିବାକୁ ପଡିଥିଲା । ୨ ଆସନରୁ ପ୍ରାର୍ଥୀ ହୋଇଥିବା ବାବୁଲାଲ, ଗୋଟିଏ ଆସନରୁ ମଧ୍ୟ ଜିତି ପାରିନଥିଲେ । ପୂର୍ବଚନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ମଧ୍ୟ ଚାଇବାସା ଆସନରୁ ପରାଜିତ ହୋଇଥିଲେ । ପୂର୍ବରୁ ୩ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଥିବା ଅର୍ଜୁନ ମୁଣ୍ଡା ମଧ୍ୟ ୨୦୧୪ ବିଧାନସଭା ଆସନରେ ବିଧାୟକ ହୋଇପାରିନଥିଲେ । 

ଇତିହାସର ପୁନରାବୃତ୍ତି କଲେ ରଘୁବର

ଚଳିତ ବିଧାନସଭା ନିର୍ବାଚନରେ ପୂର୍ବ ଜାମସେଦପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ରଘୁବର । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ରଘୁବର ରାଜ୍ୟର ଏକମାତ୍ର ମୁଖ୍ୟମନ୍ତ୍ରୀ, ଯିଏ ପୁରା ଟର୍ମ ପଦରେ ରହିଥିଲେ । ମାତ୍ର ଏହି ନିର୍ବାଚନରେ ନିଜ ଆସନରେ ମଧ୍ୟ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ଯଦିଓ ବିଜେପିକୁ ଏଥର ୨୫ ଆସନ ମିଳିଛି, ତେବେ ରଘୁବର ଦାସ ବିଜୟୀ ହୋଇନାହାଁନ୍ତି । ତାଙ୍କ ପୂର୍ବ ସହଯୋଗୀ ସରୟୁ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବରେ ଏହି ଆସନରୁ ଛିଡା ହୋଇ ରଘୁବରଙ୍କୁ ପରାଜୟର ଦ୍ୱାର ଦେଖାଇ ଦେଇଛନ୍ତି । ୧୫ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି ରଘୁବର । ପୁନରାବୃତ୍ତି ହୋଇଛି ଝାଡ଼ଖଣ୍ଡ ରାଜନୈତିକ ଇତିହାସ । 

ଆହୁରି ପଢନ୍ତୁ; କଂଗ୍ରେସ ମୁକ୍ତ ଭାରତ; ଆକାଶ କଇଁଆ ଚିଲିକା ମାଛ !