ସ୍ୱାମୀ ପଛେ ମରୁ...
Advertisement
Article Detail0/zeeodisha/odisha637898

ସ୍ୱାମୀ ପଛେ ମରୁ...

ଏକଜିଟ ପୋଲ୍ ଫଳ ଦେଖି କଂଗ୍ରେସର ଖୁସି କହିଲେ ନସରେ...!

ଡିଜାଇନ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିବା ପରେ ଆସିଛି ଏକଜିଟ ପୋଲ୍ ଫଳ । ଆଉ ଏହି ଫଳ ଦେଖି କିଏ ଖୁସ୍ ହେଉ କି ନ ହେଉ, କଂଗ୍ରେସ ପୁରା ଖୁସ୍ ହୋଇଯାଇଛି । କାଳେ ଏକଜିଟ ପୋଲ ଆକଜେକ୍ଟ ହୋଇଯିବନି ତ, ଏଭଳି କିଛି ଟେନସନରେ ରହିଛି ବିଜେପି । ଏକଜିଟ ଯେ ଆକଜେକ୍ଟ ନୁହେଁ, ଏକଥା ଭଲ ଭାବରେ ଜାଣିଛି ଆପ୍ । ତେଣୁ ଉଭୟ ବିଜେପି ଓ ଆପ୍ ମାପିଚୁପି ବୟାନ ଦେଉଛନ୍ତି । ହେଲେ କଂଗ୍ରେସର ଖୁସି କହିଲେ ନସରେ । 

ସତରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ କେତେ କ'ଣ ନକରିଛି । ନିକଟ ଅତୀତରେ କିଛି ଘଟଣା ଦେଖିଲେ ଆପଣ ସ୍ପଷ୍ଟ ଭାବେ ବୁଝିପାରିବେ । ଆରମ୍ଭ କରିବା କର୍ଣ୍ଣାଟକରୁ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ୨୦୧୮ ନିର୍ବାଚନରେ ୮୦ ସିଟ ପାଇଥିଲା କଂଗ୍ରେସ । ହେଲେ ୧୦୪ ଆସନ ପାଇଥିବା ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ମାତ୍ର ୩୭ ଆସନ ପାଇଥିବା ଜେଡିଏସ ନେତୃତ୍ୱକୁ ସ୍ୱୀକାର କରିନେଇଥିଲା କଂଗ୍ରେସ । ଜେଡିଏସ ହାତରେ ମୁଖ୍ୟମନ୍ତ୍ରୀ ପଦ ଟେକିଦେଇଥିଲା । ଗୋଟିଏ ଜାତୀୟ ଦଳର ଏପ୍ରକାର ସ୍ଥିତିକୁ ସେ ସମୟରେ କେହି କେହି ହଜମ କରିପାରିନଥିଲେ । 

ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ମହାମେଳି କରିବାକୁ କଂଗ୍ରେସ କେତେ ଯେ ଉଦ୍ୟମ କରିଥିଲା, ତାହା କାହାକୁ ଅଛପା ନୁହେଁ । ଛୋଟ ବଡ଼ ସବୁ ଆଞ୍ଚଳିକ ଦଳକୁ ଏକାଠି କରିବାକୁ ଚେଷ୍ଠା କରିଥିଲା କଂଗ୍ରେସ । ଏପରିକି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କିଛି ଆଞ୍ଚଳିକ ଦଳ ଗ୍ରହଣ କରୁନଥିବାରୁ ସେଥିରୁ ମଧ୍ୟ ଦଳ ନିବୃତ୍ତ ରହିଥିଲା । ଦରକାର ପଡ଼ିଥିଲେ, ପ୍ରଧାନମନ୍ତ୍ରୀ ପଦ ମଧ୍ୟ ଅନ୍ୟ କାହା ହାତରେ ଟେକି ଦେଇଥାନ୍ତା କଂଗ୍ରେସ । ହେଲେ ସବୁ ଫସର ଫାଟିଥିଲା । 

ସେହିପରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଯଦିଓ ବିଜେପି ଓ ଶିବସେନା ମେଣ୍ଟକୁ ବହୁମତ ମିଳିଥିଲା, ତେବେ ମେଣ୍ଟ ଭାଙ୍ଗିଯିବାରୁ କଂଗ୍ରେସ ଖୁସ୍ ହୋଇଯାଇଥିଲା । ହିନ୍ଦୁତ୍ୱ ବିଚାରାଧାରାକୁ ବଦଳାଇବାକୁ ପ୍ରସ୍ତୁତ ନଥିବା ଶିବସେନା ସହ ମେଣ୍ଟ କରିଥିଲା । ଶିବସେନା, ଏନସିପି ଓ କଂଗ୍ରେସ ମିଶି ମହା ବିକାଶ ଅଘାଡ଼ି ମେଣ୍ଟ ଗଠନ କରି ସରକାର କରିଛନ୍ତି । ଶିବସେନା ହାତରେ ମୁଖ୍ୟମନ୍ତ୍ରୀ ପଦ, ଏନସିପି ହାତରେ ଉପମୁଖ୍ୟମନ୍ତ୍ରୀ ପଦ ରହିଛି । ହେଲେ ବାଚସ୍ପତି ପଦରେ ମଧ୍ୟ ସନ୍ତୁଷ୍ଟ ହୋଇଛି କଂଗ୍ରେସ । ସେହିପରି ନିକଟରେ ସରିଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟ ଜେଏମଏମ-କଂଗ୍ରେସ-ଆରଜେଡି ସରକାର ଗଠନ କରିଛନ୍ତି । ଏଥିରେ ମଧ୍ୟ କଂଗ୍ରେସର କିଛି ଟେମ୍ପର ନାହିଁ । ବିଜେପିକୁ କ୍ଷମତାରୁ ଦୂରେଇବାକୁ ଯାଇ କେତେ କ'ଣ ତ୍ୟାଗ ନକରିଛି କଂଗ୍ରେସ । 

fallback

ଏବେ ଆସିବା ଦିଲ୍ଲୀ ବିଧାନସଭା ନିର୍ବାଚନକୁ । ଏ ନିର୍ବାଚନରେ କଂଗ୍ରେସ ଆପଣେଇଥିଲା ଭିନ୍ନ ଏକ ରଣନୀତି । ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏଠି ତ୍ୟାଗ ନୁହେଁ, ଥିଲା ନୀରବ ରଣନୀତି । ଅର୍ଥାତ, ନିର୍ବାଚନରେ ଆରମ୍ଭରୁ ହାତ ଟେକିଦେଇଥିଲା 'ହାତ' । କଂଗ୍ରେସର ପ୍ରଚାରରୁ ଏକଥା ସ୍ପଷ୍ଟ ବୁଝାପଡ଼ୁଥିଲା । କାହିଁକିନା କଂଗ୍ରେସ ଭଲ ଭାବେ ଜାଣିଥିଲା, ସେ ଚୁପ୍ ରହିଲେ ଆପକୁ ହିଁ ଫାଇଦା ଯାଉଛି । ଆଉ କଂଗ୍ରେସ ମଇଦାନକୁ ଫୁଲ ଦମରେ ଓହ୍ଲାଇଲେ, ବିଜେପି ବାଜି ମାରିବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ନିଜେ ବାଜିରୁ ଓହରି ଯାଇଥିଲା । ନାମକୁ ମାତ୍ର ଲଢ଼ିଥିଲା ଦିଲ୍ଲୀ ନିର୍ବାଚନ । 

ଆଉ ଏବେ ଯେତେବେଳେ ଏକଜିଟ ପୋଲ ଫଳ ଆସିଛି, କଂଗ୍ରେସ ନେତାଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ଦଳର ରଣନୀତି ସଫଳ ହୋଇଛି । ଏ କ୍ଷେତ୍ରରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ପ୍ରତିକ୍ରିୟାକୁ ବିଚାରକୁ ନିଆଯାଉ । ଏକଜିଟ ପୋଲ ଫଳ ଦେଖି ଆଜି ସେ ଆପକୁ ପ୍ରଶଂସାରେ ପୋତି ପକାଇଛନ୍ତି । ଦିଲ୍ଲୀରେ ଆପ୍ ବିକାଶ କରିଛି । ଯଦି ଆପ୍ ପୁଣିଥରେ ଆସୁଛି, ତେବେ ବିକାଶର ବିଜୟ ହୋଇଛି ବୋଲି ଧରାଯିବ ବୋଲି ମଧ୍ୟ କହିବାକୁ ପଛାଇନାହାଁନ୍ତି ଅଧୀର । ଆଉ ବର୍ତ୍ତମାନ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା ଦେଖିଲେ ମନେପଡ଼ୁଛି ଓଡ଼ିଆର ସେହି ଲୋକକଥା...ସ୍ୱାମୀ ପଛେ ମରୁ, ସୁଉତୁଣୀ ବିଧବା ହେଉ !

ଆହୁରି ପଢ଼ନ୍ତୁ; ବିକାଶ ଆଗରେ 'ଜାତିବାଦ' ରାଜନୀତି ଫେଲ୍ !