odia movie : ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’
Advertisement

odia movie : ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ଜଗତର ବାଦ୍‌ଶାହା ଅକ୍ଷୟ ମହାନ୍ତିଙ୍କ ତିରୋଧାନ ଦିବସ ଅବସରରେ ହେଉ କିମ୍ବା ସଂଯୋଗବଶତଃ ସାରାରାଜ୍ୟରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’ । ମହିଳା ଉଦ୍ୟମିତା, ପର୍ଯ୍ୟଟନ, ଆଦିବାସୀ ସଂସ୍କୃତି ଓ ଗ୍ରାମ୍ୟ ପରମ୍ପରାକୁ ନେଇ ଗତିଶୀଳ ହୋଇଛି ଏଇ ନିଆରା ଚଳଚ୍ଚିତ୍ରର କାହାଣୀ । ଯାହା ସିନେପ

odia movie : ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’

odia movie : ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ଜଗତର ବାଦ୍‌ଶାହା ଅକ୍ଷୟ ମହାନ୍ତିଙ୍କ ତିରୋଧାନ ଦିବସ ଅବସରରେ ହେଉ କିମ୍ବା ସଂଯୋଗବଶତଃ ସାରାରାଜ୍ୟରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ଆକାଶ ତଳେ’ । ମହିଳା ଉଦ୍ୟମିତା, ପର୍ଯ୍ୟଟନ, ଆଦିବାସୀ ସଂସ୍କୃତି ଓ ଗ୍ରାମ୍ୟ ପରମ୍ପରାକୁ ନେଇ ଗତିଶୀଳ ହୋଇଛି ଏଇ ନିଆରା ଚଳଚ୍ଚିତ୍ରର କାହାଣୀ । ଯାହା ସିନେପ୍ରେମୀଙ୍କୁ ସିନେ ମନସ୍କ କରିବା ସହ ଉଚ୍ଚଶିକ୍ଷିତାଙ୍କୁ କର୍ମ ପ୍ରବଣତାର ମାର୍ଗ ଦେଖାଇବ ବୋଲି ଆଶା ରଖେ ।

ଷ୍ଟୋରୀ ଲ୍ୟାବ ପ୍ରଯୋଜିତ ଓ ଯୁବ ନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଏଇ ଆକାଶ ତଳେ’ ଚଳଚ୍ଚିତ୍ରଟି ବହୁ ପରିଚିତ ତାରକାଙ୍କୁ ନେଇ ନିର୍ମିତ ହୋଇନାହିଁ ବରଂ ନବାଗତ-ନବାଗତାଙ୍କୁ ନେଇ ତିଆରି ହୋଇଛି । ସବୁଠୁଁ ବଡ଼କଥା ହେଉଛି ଚିତ୍ରରେ ନାୟକ ଅପେକ୍ଷା ନାୟିକାଙ୍କ ଯାଦୁ ଦେଖିବାକୁ ମିଳିଛି। କାହାଣୀକୁ ଗତିଶୀଳ କରିବା ଓ ଦର୍ଶକୀୟ ଉତ୍କଣ୍ଠାକୁ ବଢ଼ାଇବା ସକାଶେ କେବଳ ନାୟକଙ୍କୁ ଚିତ୍ରରେ ଯୋଡ଼ା ଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ।

ଓଡ଼ିଆ ଚଳଚ୍ଚିତ୍ର ମୁଖ୍ୟତଃ ପ୍ରେମ-ପ୍ରତାରଣା, ଯୌତୁକ ନିର୍ଯାତନା, ଖଳନାୟକଙ୍କ ଦୈରାତ୍ମ୍ୟକୁ ଆଧାର କରି ଏହାର କାହାଣୀ ପର୍ଯ୍ୟବେଶିତ ହୋଇଥାଏ । ମାତ୍ର ଏଇ ଚିତ୍ରରେ ସେମିତି କିଛି ନିର୍ଦ୍ଦିଷ୍ଟ କାହାଣୀ ନାହିଁ କହିଲେ ଚଳେ । ଏଥିରେ ରହିଛି ଗୋଟିଏ ଝିଅର ସଂଘର୍ଷପୂର୍ଣ୍ଣ ଜୀବନ ଓ ଉଦ୍ୟମିତ ସଫଳତାର କାହାଣୀ । ଏକ ସମ୍ଭ୍ରାନ୍ତ ଘରେ ଜନ୍ମ ହୋଇଛି ନାୟିକାଙ୍କର । ଅତି ଅୟଶରେ ବଢ଼ିଛନ୍ତି ନାୟିକା ଓ ତାଙ୍କ ସାନ ଭଉଣୀ । ନାୟିକା ଉଚ୍ଚଶିକ୍ଷିତ ହେବାପରେ ବାପା ଚାହିଁଛନ୍ତି ସେ ଆଇଏଏସ୍ ହୁଅନ୍ତୁ । ମାତ୍ର ସେ ବିଦେଶ ଯାଇ ଫଟୋ ଜର୍ଣ୍ଣାଲିଜିମ୍ କରି ନୂଆ କିଛି କରିବାର ସ୍ୱପ୍ନ ଦେଖିଛନ୍ତି । ଅନ୍ୟପକ୍ଷରେ ନାୟିକାଙ୍କ ବାପା ପରମ୍ପରାର ଗଣ୍ଡି ଭିତରେ ରହି ସେ ଭାବିଛନ୍ତି ମୋ ଝିଅ ପୁଅଟିଏ ହୋଇଥିଲେ ଆଇଏଏସ ହୋଇଥାନ୍ତା, ମୋତେ ସବୁ କାର୍ଯ୍ୟରେ ସାହାଯ୍ୟ କରିଥାନ୍ତା । ବାପାଙ୍କ ଏ ପ୍ରକାର ଚିନ୍ତାଧାରାକୁ ନେଇ ନାୟିକା ଚିନ୍ତାରେ ପଡ଼ିବାସହ ବିକଳ୍ପ ରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି । ସେ ବାହାରିଛନ୍ତି ଓଡ଼ିଶା ଭ୍ରମଣରେ।

ଏକୁଟିଆ ସେ ଗୋଟିଏ କାର୍‌ରେ ବୁଲିଛନ୍ତି ସାରା ଓଡ଼ିଶା । ବୈଦ୍ଧ, ଫୁଲବାଣୀ, କଳାହାଣ୍ଡି, କୋରାପୁଟଠାରୁ ଆରମ୍ଭ କରି ସାରା ରାଜ୍ୟର ସବୁ ଉପାନ୍ତ ଅଞ୍ଚଳକୁ ବୁଲିଛନ୍ତି । ଏହାରି ମଧ୍ୟରେ ଦେଖିଛନ୍ତି ପ୍ରାକୃତିକ ଦୃଶ୍ୟରାଜି, ଜଙ୍ଗଲର ସବୁଜିମା, ଝରଣାର କୁଳୁକୁଳୁ ନାଦ ଆଉ ସେଠାକାର ନିଷ୍ପାପ ଆଦିମ ଅଧିବାସୀଙ୍କୁ । ସେମାନଙ୍କୁ ନିକଟରୁ ଦେଖିଛନ୍ତି ଏବଂ ସେମାନଙ୍କ ସହ ରହି ସେମାନଙ୍କ ସାମାଜିକ, ସାସ୍କୃତିକ, ଆର୍ଥିକ ଜୀବନ ଉପରେ ଅଲଖ୍ୟରେ ଅନୁଧ୍ୟାନ କରିଛନ୍ତି । ଏହାରି ଭିତରେ ସେ ଦେଖିଛନ୍ତି ଅଜସ୍ର ସ୍ୱପ୍ନ ଓ ସମ୍ଭାବନାର ସମ୍ଭାର । ଆଦିବାସୀମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଣ୍ଟା କରିବା ସହ ସେଠାରେ କିପରି ପର୍ଯ୍ୟଟନର ବିକାଶ ହୋଇପାରିବ, ତାହାକୁ ନେଇ ସେ ଆରମ୍ଭ କରିଛନ୍ତି  ପ୍ରୟାସ । ଏହି କାର୍ଯ୍ୟରେ ନାୟିକାଙ୍କୁ ସାହାଯ୍ୟ କରିଛନ୍ତି ଭ୍ରମଣକୁ ଭଲ ପାଉଥିବା ଭିନ୍ନ ଜଣେ ଯୁବକ । ଉଭୟଙ୍କ ମଧ୍ୟରେ ଭଲ ପାଇବା ବଢ଼ିଛି । ହେଲେ ତାହା ପ୍ରେମର ରୂପ ନେଇନାହିଁ । କାରଣ ନାୟିକା ଆଉ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି, ଯାହାକୁ ନିର୍ଦ୍ଦେଶକ ପରଦାରେ ବିଶେଷ ଦେଖାଇନାହାଁନ୍ତି ।

ଅନ୍ୟପକ୍ଷରେ ନାୟିକା ଆଦିବାସୀ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ସହ ସେମାନଙ୍କୁ କର୍ମ ସଂସ୍ଥାନ ଯୋଗାଇ ସ୍ୱାବଲମ୍ବି କରାଇଛନ୍ତି । ସେମାନଙ୍କ ମୁହଁରେ ହସ ଓ ଧୁମ୍‌ସା ବାଜାର ତାଳେ ତାଳେ ନାଚ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ମୋଟାମୋଟି ଭାବେ କହିବାକୁଗଲେ ଚିତ୍ରଟି ସାମାଜିକ ସଚେତନତାଧର୍ମୀ ହେବାସହ ପର୍ଯ୍ୟଟନର ବିକାଶ ଓ ଏହାକୁ ନେଇ ଜୀବିକା ନିର୍ବାହର ମାର୍ଗ ଏବଂ ଗୋଟିଏ ଝିଅ ପକ୍ଷରେ ଯେ ସବୁକିଛି ସମ୍ଭବ, ତାହା ଦେଖାଯାଇଛି । କାଁ ଭାଁ ତୃଟି ବିଚ୍ୟୁତିକୁ ବାଦ୍‌ଦେଲେ ଚିତ୍ରଟି ଭଲ ହୋଇଛି ଓ ମନୋରଂଜନଧର୍ମୀ ହୋଇଛି । ସେମିତିରେ ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ ଜଣେ ନବାଗତା ନାୟିକା ସମର୍ପିତା ଦାଶଙ୍କ କାନ୍ଧରେ ଚିତ୍ରଟିକୁ ବୋହି ନେବାର ସାହସ କରିବା କିଛି କମ୍ କଥାନୁହଁ । ସମର୍ପିତା ବି ନିଜର ଶ୍ରେୟ ଏଥିରେ ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ଅଭିନେତା ଅଶୋକ ଦାସ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ଅଭିଷେକ ଗିରି ପ୍ରମୁଖ ଅଭିନୟ କରିଛନ୍ତି । ସମସ୍ତଙ୍କ ଅଭିନୟ ଜୀବନ୍ତ ଥିଲା । ଗୌରବ ଆନନ୍ଦ, ପ୍ରୀତ ପ୍ରିୟୋ ଓ ଆଶିଷ ପ୍ରଧାନଙ୍କ ସଂଗୀତ ସଂଯୋଜନା ଚିତ୍ରଟିକୁ ଦର୍ଶକୀୟ ଆଦୃତି ଆଣିଦେବ ବୋଲି ଆଶା କରାଯାଏ ।

ଅପରପକ୍ଷରେ ମହିଳା କୈନ୍ଦ୍ରିକ ଉକ୍ତ ଚିତ୍ରଟି ପର୍ଯ୍ୟଟନ ଶିଳ୍ପର ବିକାଶକୁ ନେଇ ଯେହେତୁ ଚିତ୍ରିତ ହୋଇଛି ଏବଂ ଜଣେ ଝିଅର ସଂଘର୍ଷମୟ କଥା ଓ ଗାଥାକୁ ବହନ କରିଛି, ତେଣୁ ଏହା ସବୁ ବର୍ଗର ଦର୍ଶକଙ୍କୁ ଆକର୍ଷିତ କରିବ । ଏହାକୁ ସମସ୍ତେ ଦେଖିବାସହ ରାଜ୍ୟ ସରକାର ଚିତ୍ରଟିକୁ କରମୁକ୍ତ କଲେ ସମସ୍ତେ ଦେଖିବାର ସୁଯୋଗ ପାଇପାରନ୍ତେ ବୋଲି ସିନେପ୍ରେମୀଙ୍କ ମଧ୍ୟରେ ହେଉଥିବା ଆଲୋଚନାରୁ ଜଣାଯାଏ।