ନବୀନଙ୍କୁ ପ୍ରଶଂସାରେ ପୋତି ଦେଲା ତାମିଲ ପତ୍ରିକା, କହିଲା ଓଡ଼ିଶା ରୋଲ୍ ମଡେଲ
Advertisement
Article Detail0/zeeodisha/odisha665825

ନବୀନଙ୍କୁ ପ୍ରଶଂସାରେ ପୋତି ଦେଲା ତାମିଲ ପତ୍ରିକା, କହିଲା ଓଡ଼ିଶା ରୋଲ୍ ମଡେଲ

ପାଣ୍ଡିଆନ୍ ଓ ବାଲକ୍ରିଷ୍ଣନଙ୍କୁ ନେଇ ତାମିଲ ଗର୍ବିତ ଲେଖିଲା ଜୁନିୟର ଭିକାତନ

ଫଟୋ ସୌଜନ୍ୟ: junior vikatan

ନୂଆଦିଲ୍ଲୀ: ତାମିଲ ପତ୍ରିକାରେ ନବୀନ । କୋରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଭୂମିକାକୁ ପ୍ରଶଂସା କଲା ତାମିଲ ପତ୍ରିକା ଜୁନିଅର ଭିକାତନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷ୍ଟ୍ରାଟେଜିକୁ ରୋଲ୍ ମଡ଼େଲ ଭାବେ ଅଭିହିତ କରିଛି ଏହି ପତ୍ରିକା । ପତ୍ରିକାର ପ୍ରଛଦ ପୃଷ୍ଠାରେ ନବୀନ ଶଙ୍ଖ ବଜାଉଥିବା ଏକ ଫଟୋ ମଧ୍ୟ ବାହାରିଛି । କିଲର କୋରୋନାକୁ ମାତ୍ ଦେବା ପାଇଁ ଓଡ଼ିଶା ନେଇଥିବା ପ୍ରତ୍ୟେକ ପଦକ୍ଷେପକୁ ଗୋଟି ଗୋଟି କରି ବଖାଣିଛି ଜୁନିଅର ଭିକାତନ । କେବଳ ଏତିକି ନୁହେଁ, କୋରୋନା ମୁକାବିଲା କାର୍ଯ୍ୟରେ ଦୁଇ ତାମିଲ ଅଧିକାରୀ ଭି କାର୍ତ୍ତିକେୟା ପାଣ୍ଡିଆନ୍ ଏବଂ ଆର ବାଲାକ୍ରିଷ୍ଣନ୍ ନିୟୋଜିତ ଥିବାରୁ ତାମିଲବାସୀ ଆଜି ଗର୍ବିତ ବୋଲି ଏହି ପତ୍ରିକା ଉଲ୍ଲେଖ କରିଛି । 

ତାମିଲ ପତ୍ରିକା ଓଡ଼ିଶାକୁ ରୋଲ୍ ମଡ଼େଲ ଭାବେ ଉପସ୍ଥାପନ କରିବାକୁ ଯାଇ ଯେଉଁ ଶୀର୍ଷକ ରଖିଛି, ତାର ଓଡ଼ିଆ ଏହା ଯେ 'ବିଶ୍ୱ ପାଇଁ ନବୀନ ପଥପ୍ରଦର୍ଶକ' ! ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି କୋରୋନା ମୁକାବିଲା ଦିଗରେ କାମ କରୁଛନ୍ତି, ସେ ତମାମ ବିଷୟ ଉଲ୍ଲେଖ କରିଛି ତାମିଲ ପତ୍ରିକା junior vikatan । ଯେତେବେଳେ ଅନ୍ୟ ରାଜ୍ୟଗୁଡ଼ିକ କୋରୋନାକୁ ନେଇ ଟେନସନରେ ଥିଲେ, ସେହି ସମୟରେ ବିନା ଦ୍ୱିଧାରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଏକ ରାଜ୍ୟ ଅଣ୍ଟା ଭିଡ଼ିଥିଲା । ଆଉ ଏହା ଓଡ଼ିଶା ହିଁ ଥିଲା ବୋଲି କହିଛି ତାମିଲ ପତ୍ରିକା । 

fallback

ଗୋଟିଏ ପଟେ ମାର୍ଚ୍ଚ ୧୩ରେ କୋରୋନା ବିସ୍ତାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜରୁରୀ କ୍ୟାବିନେଟ ବୈଠକ ବସିଥିଲା । ଅନ୍ୟପଟେ ସମାନ ଦିନରେ ଓଡ଼ିଶାର ବିଧାୟକମାନେ ସାଇଟାଇଜରରେ ହାତ ଧୋଇ ରାଜ୍ୟବାସୀଙ୍କ ପାଇଁ ସଚେତନତା ସୃଷ୍ଟି କରିଥିଲେ । ଆଉ ସେହି ଦିନ ହିଁ ବିପର୍ଯ୍ୟୟକୁ ନେଇ ଆଇନ ଲାଗୁ ମଧ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶା କୋରୋନା ମୁକାବିଲା ଦିଗରେ ଗୋଟିଏ ପରେ ଗୋଟିଏ ସୁନ୍ଦର ପଦକ୍ଷେପ ନେଇଥିବା କହିଛି ତାମିଲ ପତ୍ରିକା । 

ଓଡ଼ିଶାରେ କୋରୋନା ମୁକାବିଲା ପାଇଁ ପ୍ରକଳ୍ପ ଗୁଡ଼ିକୁ ସୁନ୍ଦର ଭାବେ ବଣ୍ଟନ କରାଯାଇଥିଲା । ଓଡ଼ିଶାର ଅଧିକାରୀମାନେ ସ୍ୱାଧୀନ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଯେଉଁଠି ଖବର ନଥାଏ, ସେଠି ଗୁଜବ ତିଆରି ହୁଏ । ମାତ୍ର ଓଡ଼ିଶା ଦକ୍ଷତା ବିକାଶର ମୁଖ୍ୟ ସୁବ୍ରତ ବାଗଚିଙ୍କୁ ଲୋକଙ୍କ ପାଖରେ ସଠିକ ସୂଚନା ପହଞ୍ଚାଇବାର ଦାୟିତ୍ୱ ଦିଆଯାଇଛି । ଆଉ ପ୍ରତ୍ୟେକ ଦିନ ଅପରାହ୍ନ ୪ଟା ୩୦ରେ ଶ୍ରୀଯୁକ୍ତ ବାକଚିଙ୍କ ଦ୍ୱାରା କୋରୋନା ସମ୍ପର୍କିତ ସଠିକ୍ ଖବର ଦିଆଯାଉଛି ବୋଲି ଉଲ୍ଲେଖ କରିଛି ତାମିଲ ପତ୍ରିକା ଜୁନିୟର ଭିକାତନ ।

ସେହିପରି ଯେଉଁମାନେ ବିଦେଶରୁ ଆସିଛନ୍ତି, ସେମାନଙ୍କୁ ଚିହ୍ନଟ ଦିଗରେ ମଧ୍ୟ ଓଡ଼ିଶାର ପଦକ୍ଷେପକୁ ସ୍ୱାଗତଯୋଗ୍ୟ ବୋଲି ଏହି ପତ୍ରିକା ଉଲ୍ଲେଖ କରିଛି । ଏ ଦିଗରେ ଓଡ଼ିଶା ସରକାର ଏକ୍ ଆପ୍ ଏବଂ ୱେବସାଇଟ ଲଞ୍ଚ କରିଥିଲେ । ଯେଉଁ ଆପ୍ ମାଧ୍ୟମରେ ବିଦେଶରୁ ଫେରିଥିବା ବ୍ୟକ୍ତି ବିଶେଷ ପଞ୍ଜିକରଣ କରିଛନ୍ତି । ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ରାଜ୍ୟରେ ୫ ହଜାର ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୭୦ ପ୍ରତିଶତ ୮ ଜିଲ୍ଲାର । ତେଣୁ ମାର୍ଚ୍ଚ ୨୧ରେ ଜନତା କର୍ଫ୍ୟୁ ହେବା ପୂର୍ବରୁ ଉକ୍ତ ୮ ଜିଲ୍ଲାକୁ ସର୍ଟ ଡାଉନ କରିଥିଲେ ଓଡ଼ିଶା ସରକାର । ପରବର୍ତ୍ତୀ ସମୟରେ କର୍ଫ୍ୟୁ ମଧ୍ୟ କରାଯାଇଛି । ଯାହା ତାମିଲ ପତ୍ରିକା ଉଲ୍ଲେଖ କରିଛି । 

 ଓଡ଼ିଶାରେ ୯୫ ଲକ୍ଷ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ କିଲୋ ଲେଖାଁଏ ଚାଉଳ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ୨୨ ଲକ୍ଷ ଶ୍ରମିକଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଆଗୁଆ ୪ ମାସର ଦରମା ପ୍ରଦାନ କରାଯାଇଛି । ଏପରିକି କାଉ, କୁକୁର, ଗୋରୁ ଏବଂ ମାଙ୍କଡଙ୍କ ପାଇଁ ମଧ୍ୟ ୫୫ ଲକ୍ଷ ଟଙ୍କା ଦେଇଛନ୍ତି ରାଜ୍ୟ ସରକାର । ରୋଗୀ ସଂଖ୍ୟା ବହୁତ କମ୍ ଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ କୋଭିଡ଼ ହସ୍ପିଟାଲ କରି ଚାଲିଛି ଓଡ଼ିଶା । ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲ କରିବାକୁ ପ୍ରସ୍ତୁତି ଚାଲିଛି । ଏହା ସମଗ୍ର ବିଶ୍ୱ ପାଇଁ ରୋଲ୍ ମଡ଼େଲ ବୋଲି ଅଭିହିତ କରିଛି ତାମିଲ ପତ୍ରିକା । 

ତେବେ ଶେଷରେ ଓଡ଼ିଶାର ଦୁଇ ପ୍ରଭାବଶାଳୀ ତାମିଲ ଅଧିକାରୀଙ୍କ କଥା ମଧ୍ୟ ଉଲ୍ଲେଖ କରିଛି ଜୁନିୟର ଭିକାତନ । ଏମାନେ ହେଲେ ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ । କୋରୋନା ମୁକାବିଲା କ୍ଷେତ୍ରରେ ଏ ଦୁଇ ତାମିଲ ଅଧିକାରୀ ମଧ୍ୟ ନିୟୋଜିତ ଅଛନ୍ତି । ଏଥିପାଇଁ ତାମିଲ ଗର୍ବିତ ବୋଲି ଉଲ୍ଲେଖ କରିଛି ତାମିଲ ପତ୍ରିକା ଜୁନିୟର ଭିକାତନ ।