ସମୟ କହିବ, କେଉଁ ପାଣି କୁଆଡ଼େ ଯାଉଛି ?

କମଲନାଥ ମଧ୍ୟ ମଧ୍ୟପ୍ରଦେଶରେ ପରିବା ବିକ୍ରି କରୁ ନ ଥିଲେ ! କିନ୍ତୁ ତାଙ୍କ ଭଳି ପଖୋଦ ରାଜନେତା ମଧ୍ୟ ସିନ୍ଧିଆଙ୍କୁ ଅଣଦେଖା କରି ସରକାରରେ ରହିପାରିନଥିବା ନିକଟ ଅତିତରେ ଦେଖିବାକୁ ମିଳିଛି, ଏହା ମଧ୍ୟ ଅଭିଜ୍ଞ ଗେହଲଟଙ୍କୁ ବୁଝିବାକୁ ହେବ ।

Written by - Sheshadev Mahapatra | Edited by - Zee Odisha Desk | Last Updated : Jul 20, 2020, 07:47 PM IST
ସମୟ କହିବ, କେଉଁ ପାଣି କୁଆଡ଼େ ଯାଉଛି ?

ଜୟପୁର: ଜଣେ ରାଜନୀତିଜ୍ଞ କହିଥିଲେ, ରାଜନୀତିରେ କେବେ ଶତ୍ରୁ ନ ଥା'ନ୍ତି କି ମିତ୍ର । କାଲି ଯିଏ ପର ଥିଲା, ଆବଶ୍ୟକ ସ୍ଥଳେ ସିଏ ନିଜର ହୋଇଯାଏ । ଠିକ ଯେମିତି ମଧ୍ୟପ୍ରଦେଶ ବିଜେପିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଆଉ କାଲି ଯିଏ ଅତି ଆପଣାର ଥିଲା, ଆଜି ସିଏ ସାତ ପର ହୋଇପାରେ । ଆମେ ରାଜସ୍ଥାନ କଂଗ୍ରେସରେ ପାଇଲଟଙ୍କ କଥା କହୁଛୁ । ରାଜସ୍ଥାନରେ ଦଳକୁ ମଜଭୁତ କରିବାରେ ସଚିନଙ୍କ ଅବଦାନଙ୍କୁ ଦିନେ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଭୂୟସୀ ପ୍ରଶଂସା କରୁଥିଲେ । ହେଲେ ଆଜି ତାଙ୍କ ନାଁ ପଛରେ ସେହି ଦଳର ମୁଖ୍ୟମନ୍ତ୍ରୀ 'ନିକମ୍ମା' ବିଶେଷଣଟିଏ ମଧ୍ୟ ଯୋଡ଼ିବାକୁ ପଛାଉନାହାଁନ୍ତି । ସତରେ ରାଜସ୍ଥାନ ରାଜନୀତି ଆଜି ଅନେକ କଥା କହୁଛି । ପାଇଲଟ କଂଗ୍ରେସକୁ ସାତ ପର କରିବାକୁ ଚାହୁଁଛନ୍ତି ନା ଗେହଲଟ ଗୋଷ୍ଠୀ ତାଙ୍କୁ ଜାଣିଜାଣି ତଡ଼ି ଦେଉଛନ୍ତି, ଏ ରାଜନୈତିକ ପାଠର ହିସାବ କିତାବ କରିବା ବଡ଼ ମୁସକିଲ ମନେହେଉଛି । 

ଦଳର ଅନ୍ତଃକନ୍ଦଳ ମଧ୍ୟରେ ସଚିନ ପାଇଲଟଙ୍କୁ ନେଇ କୌଣସି ପ୍ରକାର ଖରାପ ବୟାନବାଜି ନ କରିବାକୁ ଦଳର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ କୁଆଡ଼େ ତାଗିଦ୍ କରିଥିଲେ । ହେଲେ ପ୍ରଥମ କିଛି ଦିନ ନରମ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ମନଇଚ୍ଛା ସଚିନଙ୍କୁ ନେଇ ବୟାନ ଦେଲେଣି । ଯେଉଁ ଯୁବନେତା ଦଳ ପାଇଁ ଦିନ ରାତି ଏକ କରି କାମ କରୁଥିଲେ, ଆଜି ତାଙ୍କୁ ଅପାରଗ ଶବ୍ଦ ମଧ୍ୟ ଶୁଣିବାକୁ ପଡ଼ୁଛି । 

6

କେବଳ ଏତିକି ନୁହେଁ, ପାଇଲଟ ଦଳରେ ଗୋଷ୍ଠୀ ବିବାଦକୁ ଉସୁକାଉଥିବା କହିଛନ୍ତି ଗେହଲଟ । ତାଙ୍କ କହିବା କଥା,ପାଇଲଟଙ୍କୁ ପିସିସି ସଭାପତି ପଦରୁ ହଟାଇବାର କାରଣ କେହି ପଢ଼ିନାହାନ୍ତି । ଅବଶ୍ୟ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ନା ପରେ ପାଇଲଟଙ୍କୁ କାଢ଼ିବାର ଥିଲା, ତାହା ଗେହଲଟ କହିନାହାନ୍ତି । ଯାହାକୁ ମଧ୍ୟ ସଚିନଙ୍କ ଅନେକ ସମର୍ଥକ ଶୁଣିବାକୁ ଚାହୁଁଥିଲେ । କାହିଁକିନା, ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ସଚିନ ପାଇଲଟ ପିସିସି ସଭାପତି ଥିଲେ । ମାତ୍ର, ରାଜସ୍ଥାନରେ ଦଳକୁ କ୍ଷମତାକୁ ଆଣିବାରେ କାହାର ଅବଦାନ ଅଧିକ ଥିଲା, ସେକଥା କାହାକୁ ଅଛପା ନୁହେଁ । 

ମଧ୍ୟପ୍ରଦେଶରେ ସରକାର ଭାଙ୍ଗିବା ବେଳେ ଏତେ ନାଟକ ଦେଖିବାକୁ ମିଳି ନ ଥିଲା, ଏବେ ଯେତିକି ରାଜସ୍ଥାନରେ ଦେଖିବାକୁ ମିଳୁଛି । ରାଜସ୍ଥାନ ସରକାର ସଙ୍କଟରେ ଅଛି ନା ନାହିଁ, ସେଇଟା ଗେହଲଟ ଓ ପାଇଲଟ ଭଲ ଭାବେ ବୁଝିଥିବେ, ହେଲେ ନାଟକ କିନ୍ତୁ ଦମଦାର ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପାଇଲଟ ବିଦ୍ରୋହ କଲେ ନା ତାଙ୍କୁ ବିଦ୍ରୋହୀ ହେବାକୁ ବାଧ୍ୟ କରିଥିଲେ ଗେହଲଟ ? କାହିଁକିନା ଦଳରେ ଗେହଲଟଙ୍କ ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିଲେ ପାଇଲଟ । ସେହିପରି ଭାଇରାଲ ଅଡିଓ କ୍ଲିପ୍ ଏବଂ କଲ ରେକର୍ଡିଂ ଘଟଣା ମଧ୍ୟ ଭିନ୍ନ ଦିଗକୁ ଇସାରା କରୁଛି । ଆଉ ହଠାତ ଗେହଲଟ କ୍ୟାମ୍ପର ଜଣେ ବିଧାୟକ ପାଇଲଟଙ୍କ ନାଁରେ ୩୫ କୋଟି ଟଙ୍କାର ଅଫର ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିବାକୁ କେହି କେହି ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । କାହିଁକିନା, ଉକ୍ତ ବିଧାୟକ ମହାଶୟଙ୍କ କହିବା କଥା, ପାଇଲଟ ଏବେ ନୁହେଁ, ପୂର୍ବରୁ କୁଆଡ଼େ ତାଙ୍କୁ ପଦ୍ମ ଧରିଲେ ୩୫ କୋଟି ମିଳିବ ବୋଲି କହିଥିଲେ ପୂର୍ବତନ ପିସିସି ସଭାପତି । ଏକଥାରେ କେତେ ଧାନରେ କେତେ ପୋଲ ଥିବ, ସମୀକ୍ଷକ ହିସାବ କରୁଛନ୍ତି । 

ଟିକିଏ ଆଗକୁ ବଢ଼ିବା । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଦଳକୁ ବିଜୟୀ କରିବାରେ ସିନ୍ଧିଆଙ୍କ ଭୂମିକା ଯେତିକି ଥିଲା, ରାଜସ୍ଥାନରେ ତାଠୁ ପାଇଲଟଙ୍କ ଭୂମିକା ଢେର ଅଧିକ ରହିଥିଲା । ସେଇଥିପାଇଁ ତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବାକୁ ସେ ପ୍ରମୁଖ ଦାବିଦାର ଥିଲେ । ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିଥିଲେ, ଦାବିଦାର ରହିବା ସ୍ୱାଭାବିକ କଥା । କିନ୍ତୁ ଦଳର ନିଷ୍ପତ୍ତିକୁ ସମ୍ମାନ ଦେଇ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ରହିଥିଲେ ପାଇଲଟ । ସଚିନଙ୍କ ଏପରି ଉଚ୍ଚ ମନାସିକତାକୁ ଦିନେ ପ୍ରଶଂସା କରୁଥିଲେ କଂଗ୍ରେସ ନେତାଏ । ହୋଇପାରେ, ସେ ବର୍ତ୍ତମାନ ବିଦ୍ରୋହୀ । କିନ୍ତୁ ପିସିସି ସଭାପତି ଭାବରେ ଶେଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳକୁ ନିକମ୍ମା ଓ ଅପାରଗ କହିବା କେବଳ ଯେ ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ଏଭଳି କିଛି ବୁଝାପଡୁଛି । ଆଉ ବର୍ତ୍ତମାନ ସମୟରେ ସବୁଠୁ ବଡ଼ ପ୍ରଶ୍ନ ଏହା ଯେ, ସଚିନ 'ହାତ' ଛାଡ଼ିବାକୁ ଚାହୁଁଥିଲେ ନା ପାଇଲଟଙ୍କୁ କୋ-ପାଇଲଟ ପଦରେ ରଖି ମଧ୍ୟ ନିଜକୁ ସୁରକ୍ଷିତ ମଣୁନଥିଲେ ଗେହଲଟ ? କିନ୍ତୁ ଗୋଟିଏ ସତ ଏହା ଯେ, କମଲନାଥ ମଧ୍ୟ ମଧ୍ୟପ୍ରଦେଶରେ ପରିବା ବିକ୍ରି କରୁ ନ ଥିଲେ ! କିନ୍ତୁ ତାଙ୍କ ଭଳି ପଖୋଦ ରାଜନେତା ମଧ୍ୟ ସିନ୍ଧିଆଙ୍କୁ ଅଣଦେଖା କରି ସରକାରରେ ରହିପାରିନଥିବା ନିକଟ ଅତିତରେ ଦେଖିବାକୁ ମିଳିଛି, ଏହା ମଧ୍ୟ ଅଭିଜ୍ଞ ଗେହଲଟଙ୍କୁ ବୁଝିବାକୁ ହେବ । ନହେଲେ ଏବେ ରାଜସ୍ଥାନ ସରକାର ବିପଦରେ ନଥିବା ଦାବି କରୁଥିବା ଗେହଲଟ ଆଗକୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରନ୍ତି ।

ट्रेंडिंग न्यूज़