Naveen Patanaik :ଭାଗ୍ୟର ଅନ୍ୟନାମ ନବୀନ, ଭାରତ ରାଜନୀତି ପାଇଁ ଏକ ରିସର୍ଚ୍ଚ
Advertisement
Article Detail0/zeeodisha/odisha1339164

Naveen Patanaik :ଭାଗ୍ୟର ଅନ୍ୟନାମ ନବୀନ, ଭାରତ ରାଜନୀତି ପାଇଁ ଏକ ରିସର୍ଚ୍ଚ

ସତରେ କଣ ଭାଗ୍ୟ ଅଛି ନା ଭାଗ୍ୟ ବୋଲି କିଛି ନାହିଁ। ଏମିତି କିଛି ଯୁକ୍ତି କାହିଁ କେଉଁ କାଳରୁ ଚାଲିଆସିଛି। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିଏ ଜାଣିଛି ତାଙ୍କ ରାଜନୈତିକ କ୍ୟାରିଅରକୁ ଯିଏ ପରଖିଛି, ସେ ତ ନିଶ୍ଚୟ କହିବ ଭାଗ୍ୟ ଅଛି, ଆଉ ଭାଗ୍ୟର ଅନ୍ୟନାମ ହେଉଛି ନବୀନ। ଏ କଥା ବହୁ ଭାବରେ ସେ ପ୍ରମାଣିତ କରିସାରିଛନ୍ତି। ଯାହା ଜଣେ ଅତି ନିକଟରୁ ତର୍ଜମା କଲେ ଜାଣିପାରିବ। ରାଜନୀତିରେ ରୁଚି ନ ଥିବା କିମ୍ବା ଅଭିଜ୍ଞତା ନ ଥିବା ଜଣେ ଯୁବକ ଯେ ବିଶ୍ୱ ରାଜନୀତିରେ ଏକ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ପାଲଟିଯିବ ଏ କଥା ନବୀନଙ୍କୁ ନ ଦେଖିଲେ ଜଣେ ଜାଣିପାରିବ ନାହିଁ।

Naveen Patanaik :ଭାଗ୍ୟର ଅନ୍ୟନାମ ନବୀନ, ଭାରତ ରାଜନୀତି ପାଇଁ ଏକ ରିସର୍ଚ୍ଚ

ଆମେ କହୁଛୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା। ନବୀନଙ୍କ ରାଜନୈତିକ କ୍ୟାରିଅର ର 25 ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ତାଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ସମ୍ମାନ ମିଳିଛି। ରାଜ୍ୟବାସୀ ତଥା ବିଜେଡି ଦଳ ଏହାକୁ ନେଇ ବେଶ ଉତ୍ସାହିତ ହେବ ସହିତ, ଉତ୍ସବ ମଧ୍ୟ ପାଳନ କରିଛି। ନବୀନଙ୍କୁ ଜୋରଦାର ସମ୍ବର୍ଦ୍ଧନା ଦେଇ ତୃଣମୂଳ ସ୍ତରକୁ ବଡ଼ ବାର୍ତା ମଧ୍ୟ ଦେଇଛି। କିନ୍ତୁ ନବୀନଙ୍କ ପାଇଁ କେବଳ ଏହି ପୁରସ୍କାର କିମ୍ବା ଏଭଳି ଆୟୋଜନ ଆଜି ନୂଆ ନୁହେଁ, କିମ୍ବା ଲୋକଙ୍କ ପାଖକୁ ନବୀନ ବ୍ରାଣ୍ଡର ବାର୍ତା ପହଂଚିବା ମଧ୍ୟ ନୂଆ କଥା ନୁହେଁ। ଏଠି ପ୍ରଶ୍ନ ଉଠୁଛି ନବୀନଙ୍କ ଲୋକପ୍ରିୟତା ବଢାଇବାର ଶ୍ରେୟ , ଏବେ ଦଳର ରଣନୀତିକାରଙ୍କୁ ଯିବ ନା ଖୋଦ ନବୀନଙ୍କୁ ଯିବ। ରାଜନୈତିକ କ୍ୟାରିଅର ଆରମ୍ଭରୁ ନବୀନଙ୍କ ବିଫଳତା କେବେ ଦେଖା ଯାଇନି। ଯିଏ ଯେତେବେଳେ ରଣନୀତି ପ୍ରସ୍ତୁତ କଲେ ମଧ୍ୟ ନବୀନ ସବୁବେଳେ ସଫଳ ହୋଇଛନ୍ତି। ଯେତେ ଦୁର୍ନୀତିର କଥା ଆସୁ କିମ୍ବା ତାଙ୍କ ବିରୋଧରେ ଯେତେ ଅଭିଯୋଗ କିମ୍ବା ବିରୋଧି ଏହାକୁ ନେଇ ରାଜ୍ୟବ୍ୟାପୀ ଯେତେ ବାତାବରଣ ତିଆରି କଲେ ମଧ୍ୟ ସେ ସବୁ ବିଫଳ ହୋଇଛି। ଏପରିକି ଖୋଦ ବିଜେଡିକୁ ତିଆରି କରି ନବୀନଙ୍କୁ ରାଜନୀତିକୁ ଆଣିଥିବା ବରିଷ୍ଠ ପ୍ରଭାବି ନେତାଙ୍କ ଚମକ ମଧ୍ୟ ହଜିଯାଇଛି। ଖାଲି ସେତିକି ନୁହେଁ ନବୀନ ଯାହାକୁ ଆଶୀର୍ବାଦ କରିଛନ୍ତି ସେ ମାଟିରୁ ସୁନା ପାଲଟିଛି, ଯାହା ମୁଣ୍ଡରୁ ହାତ କାଢ଼ିଛନ୍ତି ତାହାର ତଳିତଳନ୍ତ ହୋଇଯାଇଛି। ସେଭଳି କିଛି ଉଦାହରଣ ମଧ୍ୟରେ ବିଜୟ ମହାପାତ୍ର, ନଳିନୀ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖ ଅନ୍ୟତମ। ଖାଲି ସେତିକି ନୁହେଁ ପୂର୍ବରୁ ବିଜେଡିର ସବୁକିଛି କୁହାଯାଉଥିବା ଚାଣକ୍ୟ ପ୍ୟାରୀଙ୍କ ହାତ ନବୀନ ଛାଡିବା ପରେ ତାଙ୍କ ଅବସ୍ଥା କଣ ହୋଇଥିଲା ସମସ୍ତେ ଜାଣିଛନ୍ତି। ଖାଲି ସେତିକି ନୁହେଁ ସାରା ଦେଶର ବହୁ ରାଜ୍ୟରେ ନିଜର କ୍ଷମତା ବିସ୍ତାର କରିଥିବା ବିଜେପି ନିଜର ସମସ୍ତ ଉଦ୍ୟମ ଲଗେଇ ମଧ୍ୟ ନବୀନଙ୍କୁ କିଛି କ୍ଷତି ପହଞ୍ଚାଇ ପାରି ନାହାନ୍ତି। ତେଣୁ ନବୀନଙ୍କର ଏହା କିଛି ସ୍ୱତନ୍ତ୍ର କାର୍ଯ୍ୟଶୈଳୀ କୁହାଯିବ ନା ସେ ଭାଗ୍ୟବାନ ! ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। 

ହେତୁବାଦୀଙ୍କ ଭାଷାରେ ଭାଗ୍ୟ କିଛି ନ ଥିବା କୁହାଯାଇଥିବା ବେଳେ ନବୀନଙ୍କ କଥା ଆସିଲେ ଏ କଥା ବିଶ୍ୱାସ କରି ହେଉନି। ଯେମିତି ଲାଗୁଛି କେଉଁଠି ନ କେଉଁଠି ନବୀନ ଙ୍କ ଭଳି ଭାଗ୍ୟବାନ ରାଜନେତା ବିଶ୍ୱରେ ବିରଳ। କିଛି ଜାଗାରେ ତ ଏମିତି ଚର୍ଚ୍ଚା ଯେ "ଭାଗ୍ୟର ଅନ୍ୟନାମ ନବୀନ"। ଏ କଥା ଆହୁରି ଦୃଢ଼ୀଭୂତ ହେଉଛି ଯେତେବେଳେ 25 ବର୍ଷର ରାଜନୈତିକ କ୍ୟାରିଅର ଓ 22 ବର୍ଷର ମୁଖ୍ୟମନ୍ତ୍ରୀତ୍ୱ ପରେ ମଧ୍ୟ ଆଜି ବି ନବୀନ ସୁନା ଭଳି ଚକ ଚକ ଦିଶୁଛନ୍ତି। ତୃଣମୂଳ ସ୍ତରରେ ବହୁ ଦୁର୍ନୀତି ର ଅଭିଯୋଗ, ବିରୋଧୀଙ୍କ ଚିତ୍କାର, ତୃଣମୂଳ ସ୍ତରର ଦଳୀୟ ନେତାଙ୍କ ବିରୋଧରେ ପୁଳା ପୁଳା ଅଭିଯୋଗ ପରେ ମଧ୍ୟ ନବୀନଙ୍କ ଦେହରେ ଦାଗ ଟିକେ ବି ଲାଗୁନି। ଏପରିକି ଖାଲି ସେତିକି ନୁହେଁ ଲୋକପ୍ରିୟତା କମିବା ପରିବର୍ତେ  ଆହୁରି ବଢ଼ି ବଢି ଚାଲିଛି। ଯାହାକି ଆଜିର ସମ୍ବର୍ଦ୍ଧନା ପର୍ବରୁ ସ୍ପଷ୍ଟ ବାରି ହୋଇ ପଡିଛି। ଏପରିକି ଲୋକେ ନବୀନଙ୍କୁ ଭାବବିହ୍ଵଳ ହୋଇ ବାପା, ମହାପୁରୁ ସମ୍ବୋଧନ କରିବା ମଧ୍ୟ ଦେଖାଯାଉଛି। ସେପଟେ 22 ବର୍ଷର ମୁଖ୍ୟମନ୍ତ୍ରୀତ୍ୱ, କ୍ଷମତା, ଲୋକପ୍ରିୟତା ପରେ ମଧ୍ୟ ନବୀନଙ୍କ ବ୍ୟକ୍ତିତ୍ୱ, ସରଳତା, ଚାଲିଚଳଣୀ ରେ କିଛି ବି ପରିବର୍ତ୍ତନ ନାହିଁ। ତେଣୁ ନବୀନଙ୍କ ଏହା ଭାଗ୍ୟ ନା ସାଧନାର ଫଳ ତାକୁ ନେଇ ମଧ୍ୟ କିଛି ମହଲରେ ଚର୍ଚ୍ଚା। ଏପରିକି ନବୀନଙ୍କୁ ବିଶ୍ୱର ଏକ ଆଶ୍ଚର୍ଯ୍ୟ ବୋଲି ଚର୍ଚ୍ଚା ହେଲାଣି। 

ସୁତରାଂ ସେପଟେ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ପାଇ ରାଜ୍ୟକୁ ଫେରିବା ପରେ ବିଜେଡି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ନାଁ ରେ ଯେଉଁ ବିଗ ସୋ କରାଇଲା, ତାହା ଏକ ବଡ଼ ବାତାବରଣ ତିଆରି କରିବାରେ ସଫଳ ହୋଇଛି। ସାରା ରାଜ୍ୟର ବିଭିନ୍ନ ଜିଲ୍ଲାର ହଜାର ହଜାର ଲୋକଙ୍କ ଗହଣରେ ନବୀନ ବସରୁ ବାର୍ତା ଦେଲେ। ଏପରିକି ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ପ୍ରସ୍ତୁତ ହେଉଥିବା ବେଳେ, ନବୀନ ଏହାକୁ ଏହାକୁ  ଯେଉଁ ଷ୍ଟ୍ରଟେଜିରେ ଗୋଟି ଖେଳିଲେ, ଏଥିରେ ବିରୋଧୀ ଟିକେ ବ୍ୟାକ ଫୁଟ କୁ ଚାଲିଯାଇଥିବା କଥା କହିଲେ କିଛି ଭୁଲ ହେବ ନାହିଁ । ଅନ୍ୟପକ୍ଷରେ ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁ ଏମିତି ଗୋଟେ ଗୋଟେ ଆୱାର୍ଡ କିଣନ୍ତି। ଏହା ନୂଆ କଥା ନୁହେଁ ଓ ଏହାର ପ୍ରଭାବ କିଛି ପଡିବ ନାହିଁ ବୋଲି ଚିରାଚରିତ ଢଙ୍ଗରେ ବିଜେପି ଓ କଂଗ୍ରେସ କହିଛନ୍ତି। କିନ୍ତୁ ଆଗାମୀ ନିର୍ବାଚନ ପାଇଁ ବିରୋଧୀ ପାଗ ଭିଡୁଥିବା ବେଳେ ନବୀନ ଖେଳ ସାରିଦେଲେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଭାଗ୍ୟଦେବୀଙ୍କ ସୁପୁତ୍ର ନବୀନଙ୍କ ବିରୋଧରେ ଯିଏ ଯାହା କହିଲେ ବି ତାଙ୍କୁ ମାତ ଦେବା ପ୍ରାୟ ଅସମ୍ଭବ ବୋଲି ଚର୍ଚ୍ଚା ହେଉଛି। " ଭାଗ୍ୟର ଅନ୍ୟନାମ ନବୀନ " ।