Bengaluru Cafe Blast: ରାମେଶ୍ୱରମ୍ କ୍ୟାଫେ ବିସ୍ଫୋରଣର ତଦନ୍ତ କରିବ ଏନଆଇଏ; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha2141180

Bengaluru Cafe Blast: ରାମେଶ୍ୱରମ୍ କ୍ୟାଫେ ବିସ୍ଫୋରଣର ତଦନ୍ତ କରିବ ଏନଆଇଏ; ଜାଣନ୍ତୁ କାରଣ

Bengaluru Blast Case: ରାମେଶ୍ୱରମ୍ କ୍ୟାଫେ ବିସ୍ଫୋରଣ ଘଟଣାର ତଦନ୍ତ ଜାତୀୟ ଅନୁସନ୍ଧାନ ଏଜେନ୍ସି ଦ୍ୱାରା କରାଯିବ।

Bengaluru Cafe Blast: ରାମେଶ୍ୱରମ୍ କ୍ୟାଫେ ବିସ୍ଫୋରଣର ତଦନ୍ତ କରିବ ଏନଆଇଏ; ଜାଣନ୍ତୁ କାରଣ

Bengaluru Rameshwaram Cafe Blast Case: ବେଙ୍ଗାଲୁରୁ ସ୍ଥିତ ରାମେଶ୍ୱରମ୍ କ୍ୟାଫେ ଠାରେ ହୋଇଥିବା ବିସ୍ଫୋରଣର ତଦନ୍ତ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କରିବ। ରାମେଶ୍ୱରମ୍ କ୍ୟାଫେ ବିସ୍ଫୋରଣର ତଦନ୍ତ ଏନଆଇଏ କରିବ ବୋଲି ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଯିଏ ଏହି ମାମଲାରେ ଦୋଷୀ ତାଙ୍କୁ ଧରି ଅଦାଲତରେ ହାଜର କରାଯିବ। ଆପଣଙ୍କୁ କହିରଖୁଛୁ ଯେ ବେଙ୍ଗାଲୁରୁ ବିସ୍ଫୋରଣର ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା। ତାଙ୍କ ହାତରେ ଏକ ବ୍ୟାଗ ଥିଲା। ଏନଆଇଏ ଅନୁସନ୍ଧାନରେ ସେହି ବ୍ୟକ୍ତିଙ୍କୁ ଗିରଫ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ରାମେଶ୍ୱରମ୍ କ୍ୟାଫେ ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ପୋଲିସ, ସିଆଇଡ଼ି, ସିବିଆଇ କରିପାରବ ନା ନାହିଁ। ଏହି ବିସ୍ଫୋରଣ ଘଟଣାର ତଦନ୍ତ କାହିଁକି ଏନଆଇଏ କରିବ? ଅନ୍ୟ ଯାଞ୍ଚ ଏଜେନ୍ସି ଅପେକ୍ଷା ଏନଆଇଏ ଅଧିକ ଶକ୍ତିଶାଳୀ କି? 

ବେଙ୍ଗାଲୁରୁ ବିସ୍ଫୋରଣ ଘଟଣାର ତଦନ୍ତ କରିବ ଏନଆଇଏ
ବେଙ୍ଗାଲୁରୁ ସ୍ଥିତ ରାମେଶ୍ୱରମ୍ କ୍ୟାଫେ ଠାରେ ହୋଇଥିବା ବିସ୍ଫୋରଣ ଘଟଣାରେ ତଦନ୍ତ ଏନଆଇଏ କରିବ। ଗତ ୧ ତାରିଖ ଶୁକ୍ରବାର ଅପରାହ୍ନରେ ବେଙ୍ଗାଲୁରୁ ସ୍ଥିତ ରମେଶ୍ୱରମ କ୍ୟାଫେ ଠାରେ ଏକ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ଏହା ପରେ ପୋଲିସ ଏବଂ FSL ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲେ। ଅନୁସନ୍ଧାନ ବେଳେ ସିସିଟିଭି ଫୁଟେଜ ସ୍କାନ କରାଯାଇଥିଲା। ଜଣେ ଅଭିଯୁକ୍ତ ସମ୍ପର୍କରେ ସିସିଟିଭି ଫୁଟେଜ ମାଧ୍ୟମରେ ଜଣାପଡ଼ିଥିଲା। ତାଙ୍କ କାନ୍ଧରେ ବିସ୍ଫୋରକ ଭର୍ତ୍ତି ଏକ ବ୍ୟାଗ ରହିଥିବାର ଦେଖିବାକୁ ମିଳିଥିଲା। ସେ କ୍ୟାଫେ ଆଡକୁ ଯାଉଥିବାର ନଜର ଆସିଥିଲେ। ସେ ଏକ ବ୍ୟାଗ ଧରି ରମେଶ୍ୱରମ୍ କ୍ୟାଫେ ଠାରେ ପ୍ରବେଶ କରିଥିଲେ। ସନ୍ଦିଗ୍ଧ ବ୍ୟକ୍ତି ମଧ୍ୟ କିଛି ଅର୍ଡର ଦେଇଥିଲେ।  ଏହା ପରେ ସେ ମଧ୍ୟ ହାତରେ ଏକ ଥାଳି ଧରିଥିବାର ନଜର ଆସିଥିଲେ। ଏହା ପରେ ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ଆଣିଥିବା କଳା ବ୍ୟାଗ୍ କ୍ୟାଫେ ଠାରେ ଛାଡି ଦେଇଥିଲେ। ପରେ ବିସ୍ଫୋରଣ ହୋଇଥିଲା।

କେଉଁ ମାମଲାରେ ତଦନ୍ତ କରିଥାଏ ଏନଆଇଏ?
ଏବେ ବୁଝନ୍ତୁ ଯେ କେଉଁ ମାମଲାରେ ତଦନ୍ତ ଏନଏଆଇ କରିଥାଏ। ଆପଣଙ୍କୁ କହିରଖୁଛୁ ଯେ ଏନଆଇଏ ହେଉଛି କେନ୍ଦ୍ରୀୟ ଏକ ଏଜେନ୍ସି। ଯାହା ଦେଶର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ଅପରାଧର ଅନୁସନ୍ଧାନ କରିଥାଏ। ଯଦି କୌଣସି ଅପରାଧ ହୋଇଛି ଯାହା ଦେଶର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥାଏ, ତାହେଲେ ଏଭଳି ମାମଲାର ତଦନ୍ତ ଏନଆଇଏ କରିଥାଏ। ଏନଆଇଏ ହେଉଛି କେନ୍ଦ୍ରୀୟ ଆତଙ୍କବାଦ ବିରୋଧି ଆଇନ ପ୍ରଣୟନକାରୀ ସଂସ୍ଥା। ଯଦି କୌଣସି ମାମଲା ବିସ୍ଫୋରଣ, ଅସ୍ତ୍ରଶସ୍ତ୍ର, ନକଲି ମୁଦ୍ରା ଏବଂ ଡ୍ରଗ୍ସ ଚୋରା କାରବାର ସହିତ ଜଡିତ, ତାହେଲେ ଗୃହ ମନ୍ତ୍ରଣାଳୟ ଏହାର ତଦନ୍ତ ଦାୟିତ୍ୱ ରାଜ୍ୟ ସରକାରଙ୍କ ସୁପାରିଶ କ୍ରମେ ଏନଆଇଏ ହାତକୁ ହସ୍ତାନ୍ତର କରିଥାଏ।

କାହିଁକି ଗଠିତ ହୋଇଥିଲା ଏନଆଇଏ?
ଆପଣଙ୍କୁ କହିରଖୁଛୁ ଯେ ଗତ ୨୦୦୮ ନଭେମ୍ବର ୨୬ ତାରିଖରେ ମାୟାନଗରୀ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଦେଶ ନୁହେଁ ସମଗ୍ର ବିଶ୍ୱକୁ ଚକିତ କରି ଦେଇଥିଲା। କାରଣ ଏହି ଆତଙ୍କବାଦୀ ଆକ୍ରମଣରେ କେବଳ ଭାରତ ନୁହେଁ ବରଂ ଇସ୍ରାଏଲ, ଆମେରିକା, ବ୍ରିଟେନ ପ୍ରଭୃତି ଅନେକ ଦେଶର ନାଗରିକ ମଧ୍ୟ ନିହତ ହୋଇଥିଲେ। ମୁମ୍ବାଇ ଆକ୍ରମଣରେ ୧୬୬ ଜଣ ପ୍ରାଣ ହରାଇଥିଲେ। ସେହିପରି ୬ ଶହରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ କେନ୍ଦ୍ରରେ କ୍ଷମତାସୀନ କଂଗ୍ରେସ ନେତୃତ୍ୱାଧିନ ସରକାରଙ୍କୁ ସଚେତନ କରିଥିଲା। ଏଭଳି ଅପରାଧର ତଦନ୍ତ ପାଇଁ ଏକ ନୂତନ ଏଜେନ୍ସି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗତ ୨୦୦୮ ଡିସେମ୍ବର ମାସରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ପି.ଚିଦାମ୍ବରମ୍ ସଂସଦରେ ଏନଆଇଏ ସହ ଜଡିତ ଏକ ବିଲ୍ ଆଗତ କରିଥିଲେ। ଡିସେମ୍ବର ୩୧ ତାରିଖରେ ଏଆଇଏ ଗଠନ କରାଯାଇଥିଲା। ପରେ ଏନଆଇଏ ୨୦୦୯ ଜାନୁଆରୀ ମାସରୁ ଏହାର କାର୍ଯ୍ୟ ଆରମ୍ଭ କରିଥିଲା।

କ୍ୟାଫେ ବିସ୍ଫୋରଣରେ ରହିଛି ମାଙ୍ଗାଲୁରୁ ସମ୍ପୃକ୍ତି
ବେଙ୍ଗାଲୁରୁ ବିସ୍ଫୋରଣ ମାମଲାର ତଦନ୍ତ ଏନଆଇଏ କରିବା ପଛରେ ରହିଥିବା କାରଣ ଜଣାପଡିଛି। ତାହା ହେଉଛି ମାଙ୍ଗାଲୁରୁ ବିସ୍ଫୋରଣ ସହିତ ଏହାର ସମ୍ପର୍କ। ଉଭୟ ବେଙ୍ଗାଲୁରୁ-ମାଙ୍ଗାଲୁରୁ ବିସ୍ଫୋରଣ ସମାନ ଭଳି ପ୍ରତୀୟମାନ ହେଉଛି। ଉଭୟ ସ୍ଥାନରେ ବିସ୍ଫୋରଣ ପାଇଁ ସମାନ ବିସ୍ଫୋରକ ସାମଗ୍ରୀ ବ୍ୟବହୃତ ହୋଇଥିଲା। ଉଭୟ ସ୍ଥାନରେ ବ୍ୟାଟେରୀ, ଡିଟୋନେଟର, ନଟ୍ ବୋଲ୍ଟ ବ୍ୟବହାର ହୋଇଥିଲା। ଉଭୟ ସ୍ଥାନରେ ଧୂଆଁ ବିସ୍ଫୋରଣ ପରେ ସମାନ ଢାଞ୍ଚାରେ ବାହାରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମାଙ୍ଗାଲୁରୁ ବିସ୍ଫୋରଣ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ମଧ୍ୟ ଜେରା କରାଯିବ। ବେଙ୍ଗାଲୁରୁ ଜେଲ ଠାରେ ଶରିକ୍ ଏବଂ ଏହାର ଗ୍ୟାଙ୍ଗ ବନ୍ଦ ରହିଛି। ଦୁଇ ବିସ୍ଫୋରଣ ମଧ୍ୟରେ ସମାନତା ଅନୁସନ୍ଧାନ କରିବାର ମଧ୍ୟ ଆଲୋଚନା ହେଉଛି।