Top 10 News Headlines: ଅସରାଏ ବର୍ଷାରେ ବେହାଲ୍‌ ରାଜଧାନୀ ଓ ଦିନ ତମାମର ଅନ୍ୟାନ୍ୟ ମୁଖ୍ୟ ଖବର
Advertisement
Article Detail0/zeeodisha/odisha2309668

Top 10 News Headlines: ଅସରାଏ ବର୍ଷାରେ ବେହାଲ୍‌ ରାଜଧାନୀ ଓ ଦିନ ତମାମର ଅନ୍ୟାନ୍ୟ ମୁଖ୍ୟ ଖବର

ଚୁଟକୀରେ ପଢି ନିଅନ୍ତୁ ଦିନ ତମାମର ୧୦ ବଡ଼ ଖବର

Top 10 News Headlines: ଅସରାଏ ବର୍ଷାରେ ବେହାଲ୍‌ ରାଜଧାନୀ ଓ ଦିନ ତମାମର ଅନ୍ୟାନ୍ୟ ମୁଖ୍ୟ ଖବର

H1. ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ
ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓ ଆଜି ରାତିରେ ଦିଲ୍ଲୀ ଯିବେ। ଚର୍ଚ୍ଚା ହେଉଛି ବିକଶିତ ଓଡ଼ିଶା ପାଇଁ ମୋଦୀ ଯେଉଁ ରୋଡ୍ ମ୍ୟାପ ପ୍ରସ୍ତୁତ କରିଛନ୍ତି। ସେଥିପାଇଁ ମନ୍ତ୍ର ନେଇ ଫେରିବେ ନୂଆ ସରକାରର ଶୀର୍ଷ ନେତୃତ୍ୱ। ମୋଦୀ ଗ୍ୟାରେଣ୍ଟିକୁ କିଭଳି ରାଜ୍ୟରେ ଉପଯୋଗ କରାଯାଇ ପାରିବ ଏବଂ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ ସେନେଇ ପ୍ରସ୍ତୁତି କରିବ ରାଜ୍ୟ ୟୁନିଟ।

H2. ଅସରାଏ ବର୍ଷାରେ ବେହାଲ୍‌ ରାଜଧାନୀ
ଅସରାଏ ବର୍ଷାରେ ବେହାଲ୍‌ ହୋଇଛି ରାଜଧାନୀ ଭୁବନେଶ୍ୱର। ବର୍ଷା ପାଣି ଡ୍ରେନ୍‌ରେ ପାସ୍‌ କରିନପାରିବାରୁ ରାସ୍ତାରେ ଲହଡି ମାରୁଛି। ସେପଟେ ୧୬ ନମ୍ୱର ଜାତୀୟ ରାଜପଥର ଇସ୍କନ୍‌ ସମ୍ମୁଖର ଅବସ୍ଥା କଥା ନକହିବା ଭଲ। ଏଠି ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଯେଉଁଥିପାଇଁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି।

H3. ରାଜ୍ୟରେ ପ୍ରବଳ ବର୍ଷିବ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।  ଫଳରେ ଏବେ ବର୍ଷା ରାଜ୍ୟରେ ଲାଗି ରହିଛି। ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ  ଓ୍ବାର୍ଣ୍ଣିଂ ଜାରି ହୋଇଛି।  ମଙ୍ଗଳବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ରେକର୍ଡ଼ ହୋଇଛି।  ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ୪୯.୨ ମିମି, ରେକର୍ଡ଼ ହୋଇଥିବା ବେଳେ ନୟାଗଡରେ ୨୪, ଚାନ୍ଦବାଲିରେ ୨୨.୮ ଓ ଦାରିଙ୍ଗିବାଡିରେ ୨୨ ମିମି ବର୍ଷା ରେକର୍ଡ ହୋଇଛି। 

H4. ରଥଯାତ୍ରା ଦେଖିବେ ରାଷ୍ଟ୍ରପତି
ଏଥର ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଯୋଗଦେବେ ବୋଲି ସୂଚନା ମିଳିଛି।  ରାଷ୍ଟ୍ରପତିଙ୍କ ବ୍ୟତିତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ, ଅନ୍ୟକେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ ବ୍ୟକ୍ତି ବିଶେଷ ସାମିଲ୍ ହେବେ। ଏନେଇ ଜିଲ୍ଲାପ୍ରଶାସନ ଓ ପୋଲିସ୍ ନିକଟରେ ଖବର ପହଞ୍ଚିଛି। ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ବିଭିନ୍ନ ଦ୍ରୌପଦୀ ମୁର୍ମୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ।

H5. ବାଚସ୍ପତି ନିର୍ବାଚନ: ବାଜି ମାରିଲେ ଓମ୍‌ ବିର୍ଲା
ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା। ୧୮ଦଶ ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଲେ ଓମ୍‌ ବିର୍ଲା। ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଧ୍ୱନୀ ମତରେ ଏହି ନିଷ୍ପତ୍ତି ନିଆଯାଇଛି। ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ସେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ପଦ ସମ୍ଭାଳିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓମ୍‌ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ୱ ଗ୍ରହଣ କରାଇଛନ୍ତି।

H6. ବଜ୍ରପାତରେ ଟଳି ପଡ଼ିଲେ ୩ ଯୁବକ
ବର୍ଷା ହେବାରୁ ବର ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍‌ ବଜ୍ରପାତ ହେବାରୁ ଗଛ ମୂଳରେ ଟଳି ପଡ଼ିଲେ ୩ ଯୁବକ। ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି। ଆଜି ଅପରାହ୍ନରେ ଏପରି ଦୁଃଖଦ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି। ସେପଟେ ୩ ଜଣ ବ୍ୟକ୍ତିଙ୍କ ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

H7. ମହାନଦୀ ଜଳ ବିବାଦ
ଖୁବ୍‌ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପୂର୍ବ ସରକାର ଟ୍ରିବ୍ୟୁନାଲକୁ ସାହାଯ୍ୟ କରୁନଥିଲେ ଏବଂ ବିବାଦର ସମାଧାନ ପାଇଁ ବିଶେଷ ଉଦ୍ୟମ କରି ନାହାନ୍ତି । ଏହି ବିବାଦକୁ ରାଜ୍ୟ ରାଜ୍ୟ ମଧ୍ୟରେ ଆଲୋଚନାରେ ସମାଧାନ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି, ଖୁବଶୀଘ୍ର ସବୁ ତଥ୍ୟ ଦାଖଲ କରିବୁ ବୋଲି କହିଥିଲେ ।

H8. କର୍ମରେ ନଜର ଆସିବେ ଅନୁଭବ ମହାନ୍ତି
ଅମୀୟ ପଟ୍ଟନାୟକ ପ୍ରଡ଼କସନ୍ସ ବ୍ୟାନର ତଥା ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର "କର୍ମ" ର ଶୁଭ ମହୁରତ ସହିତ ସ୍କ୍ରିପ୍ଟ ପୂଜା କାର୍ଯ୍ୟକ୍ରମ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନେଇ ଏକ ବିଗ ବଜେଟର ସିନେମା ଆସନ୍ତା ଦୁର୍ଗା ପୂଜାରେ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେବା ପାଇଁ ଅନୁପମ ପଟ୍ଟନାୟକ ପ୍ରୟାସ କରିଛନ୍ତି । ପୂର୍ବରୁ ଅନୁପମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ଜାତୀୟ ପୁରସ୍କାର ଲାଭ କରି ଓଡ଼ିଆ ସିନେ ଜଗତ ପାଇଁ ଖୁସି ଆଣିଦେଇଥିଲା, ତାପରେ ତିନି ଜଣ ନାରୀଙ୍କ ସଂଘର୍ଷର କାହାଣୀକୁ ନେଇ ନିର୍ଦ୍ଦେଶନା ଦେଇଥିବା ଚଳଚ୍ଚିତ୍ର ତ୍ରିକନ୍ୟାର ବିରାଟ ସଫଳତା, ଆଗକୁ ଚଳଚ୍ଚିତ୍ର "କର୍ମ" ଇତିହାସ ସୃଷ୍ଟି କରିବା ନେଇ ଚର୍ଚ୍ଚା ହେଉଛି ।

H9. ଏମପିଲାଡସ କାର୍ଯ୍ୟକ୍ରମ ଲାଗି ସମ୍ବଲପୁରକୁ ନୋଡାଲ ଜିଲ୍ଲା ଚୟନ
ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବରେ ଚୟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏ ନେଇ ଭାରତ ସରକାରଙ୍କ ଷ୍ଟାଟିଷ୍ଟିକ୍ସ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ୱୟନ ମନ୍ତ୍ରଣାଳୟ ଅନ୍ତର୍ଗତ ଏମପିଲାଡ୍ ଡିଭିଜନ ପକ୍ଷରୁ ଏକ ପତ୍ର ଜରିଆରେ ଅବଗତ କରାଯାଇଛି ।ଏଥିସହ ଅନୁଗୋଳ ଏବଂ ଦେବଗଡ଼ରେ ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହେବା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

H10. ଭାରତୀୟ ହକି ଦଳରେ ଅମିତ ରୋହିଦାସ
ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ । ଅଲିମ୍ପିକ ପାଇଁ ଭାରତୀୟ ହକି ଟିମ୍‌ରେ ସ୍ଥାନ ପାଇଲେ ଅମିତ ରୋହିଦାସ । ହରମନପ୍ରୀତ ସିଂଙ୍କ ନେତୃତ୍ବରେ ୧୯ ଜଣିଆ ହକି ଦଳ ଘୋଷିତ ହୋଇଛି । ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ରୋହିଦାସଙ୍କୁ ସୁଯୋଗ ମିଳିଛି । ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ ହେବ ।