Trending Photos
Odisha News: କଟକ: ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଭାରତୀୟ ଅଧ୍ୟୟନ ବିଭାଗ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସହଯୋଗରେ ବିଶ୍ୱବିଦ୍ୟାଳୟ ପରିସରରେ ମଙ୍ଗଳବାର ବିଶ୍ୱବିଦ୍ୟାଳୟସ୍ତରୀୟ ସର୍ବ ଭାରତୀୟ ଆନିମେସନ୍ ପ୍ରତିଯୋଗିତା “ୱେଭ୍ସ ଆନିମେ ଆଣ୍ଡ ମଙ୍ଗା (ଓ୍ଵାମ୍ !) ପ୍ରତିଯୋଗିତା-୨୦୨୪” କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି । ଓଡ଼ିଶାରେ ସ୍ୱତନ୍ତ୍ର ଭାବରେ ଆୟୋଜନ କରାଯାଇଥିବା ତଥା କେନ୍ଦ୍ର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ସହଯୋଗୀ ଦାୟିତ୍ୱ ପ୍ରଦାନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ୯୫ ଜଣ ଆନିମେସନ୍ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଳା, ଯୋଗାଯୋଗ ଓ ଭାରତୀୟ ଅଧ୍ୟୟନ ବିଭାଗର ସ୍ନାତକ ଛାତ୍ର ଶିରିଶ ଶୁଭାଙ୍ଗ ଏହି ପ୍ରତିଯୋଗିତାର ରାଜ୍ୟ ବିଜେତା ହୋଇଥିବା ବେଳେ ତାଙ୍କୁ ନଗଦ ୫ ହଜାର ଟଙ୍କା ଅର୍ଥରାଶି ସହ ଏକ ଲ୍ୟାପଟପ୍ ଓ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ମିଳିଛି । କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ୯୫ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ଏନକୋର୍ ଫିଲ୍ମସର ସିଇଓ ଅଙ୍କୁର ଭାସିନ ଏବଂ ମାଷ୍ଟର ଆନିମେସନ ଟ୍ରେନର ଗୁରଲିନ ସିଂଙ୍କ ସମେତ ପ୍ରସିଦ୍ଧ ଶିଳ୍ପ ବିଶେଷଜ୍ଞମାନେ ଜୁରି ଦାୟିତ୍ୱ ତୁଲାଇଥିଲେ । ଏଥିରେ ଏକ ଆନିମେସନ୍ କର୍ମଶାଳା ଏବଂ ବୈଭବୀ ଷ୍ଟୁଡିଓ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଆନିମେ-ଟ୍ରିଓର ଏକ ଝଲକ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପ୍ରବନ୍ଧକ ଡ. ଅନୀଲ କୁମାର ଶର୍ମା, କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟ ଚୈତନ୍ୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।
ଏହି ଆନିମେସନ୍ ପ୍ରତିଯୋଗିତାଟି ସର୍ବଭାରତୀୟ ସ୍ତରରେ ଆୟୋଜିତ ହେଉଥିବା ବେଳେ ଏହାର ଜାତୀୟ ବିଜେତା ଅନ୍ତର୍ଜାତୀୟ ପ୍ରତିଯୋଗିତାର ଫାଇନାଲରେ ଭାଗ ନେବାପାଇଁ ଜାପାନ ଗସ୍ତ କରିବେ । ସେଠାରେ ବିଜୟୀ ହେଲେ ତାଙ୍କୁ ପୁରସ୍କୃତ କରାଯିବ । ତେବେ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଭାରତୀୟ ଅଧ୍ୟୟନ ବିଭାଗ ପକ୍ଷରୁ ସହକାରୀ ପ୍ରାଧ୍ୟାପକ ଅମିତ ଖଟୁଆଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇ ସଫଳ ହୋଇଥିବା ଉଦ୍ୟୋକ୍ତାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।