Odisha train tragedy: ବାହାନଗା ରେଳ ଦୁର୍ଘଟଣା ଘଟଣା, ପ୍ରମାଣ ନଷ୍ଟ ହୋଇଥିବା ନେଇ ଚାର୍ଜସିଟ୍ ଦାଖଲ
Advertisement
Article Detail0/zeeodisha/odisha1853350

Odisha train tragedy: ବାହାନଗା ରେଳ ଦୁର୍ଘଟଣା ଘଟଣା, ପ୍ରମାଣ ନଷ୍ଟ ହୋଇଥିବା ନେଇ ଚାର୍ଜସିଟ୍ ଦାଖଲ

Odisha train tragedy: ରେଳ ମନ୍ତ୍ରଣାଳୟ ସୁପାରିସ ଆଧାରରେ ଜୁନ୍ ୬ ତାରିଖରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ବାଲେଶ୍ବର ଜିଆରପିଠାରୁ ମାମଲାକୁ ନେଇଥିଲା ସିବିଆଇ ଦିଲ୍ଲୀ ମୁଖ୍ୟ ଶାଖା। ରେଳ ସୁରକ୍ଷା କମିଶନର ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ରିପୋର୍ଟରୁ ଦୋଷ ତ୍ରୁଟି ଜଣାପଡ଼ିବା ପରେ ଜୁଲାଇ ୭ ତାରିଖରେ ସିବିଆଇ ୩ ଜଣଙ୍କୁ ଗିରଫ କରି ରିମାଣ୍ତରେ ନେଇଥିଲା ।

ସୌ(ସୋସିଆଲ ମିଡିଆ)

Odisha train tragedy: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣା (Odisha train tragedy) ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ (CBI) । ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଶନିବାର ଦିନ ତଦନ୍ତକାରୀ ଅଧିକାରୀ ଏହି ଚାର୍ଜସିଟ୍ ଦାଖଲ କରିଛନ୍ତି । ଏଥିରେ ୩ ଜଣ ଅଭିଯୁକ୍ତ ଯଥା, ବାଲେଶ୍ବର ସିନିଅର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତି, ସୋରୋ ସିନିୟର ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାରଙ୍କ ନାଁ ରହିଛି । ଏହି ୩ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା- ୩୦୪ (୨), ୨୦୧ ଓ ୩୪ ଓ ରେଳ ଆଇନ ୧୯୮୯ର ଦଫା ୧୫୩ ଲଗାଯାଇଛି। ତେବେ ଏନେଇ ତଦନ୍ତ ଜାରି ରହିଥିବା ଦର୍ଶାଯାଇଛି ।

ସୂଚନାଯୋଗ୍ୟ, ରେଳ ଦୁର୍ଘଟଣା ପରେ ଏହି ୩ ଜଣ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିଥିବା ଏହି ଚାର୍ଜସିଟରେ ଉଲ୍ଲେଖ ରହିଛି । ତେବେ ତଦନ୍ତ ସମୟରେ ସିବିଆଇ ଏନେଇ ସୁରାଗ ପାଇଥିଲା । ଗିରଫ ପରେ ଅଭିଯୁକ୍ତମାନଙ୍କୁ ରିମାଣ୍ତରେ ଆଣି ସତ ଉଗାଳିଥିଲା ସିବିଆଇ । ଅନ୍ୟପଟେ ଘଟଣାସ୍ଥଳରୁ ମଧ୍ଯ ଫରେନସିକ୍ ଓ ରେଳ ବିଶେଷଜ୍ଞ ଟିମ୍ ଜରିଆରେ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା ତଦନ୍ତକାରୀ ଟିମ୍ । ଯାହାକୁ କୋର୍ଟ ଦାଖଲ କରାଯାଇଥିବା ଜଣାପଡ଼ିଛି । ବାଲେଶ୍ବର ଷ୍ଟେସନରେ ଲାଗିଥିବା ପୁରୁଣା ଇଲେକ୍ଟ୍ରିକ୍ ଲିଫ୍ଟିଂ ବ୍ୟାରିଅରକୁ ଖୋଲାଯାଇ ବାହାନଗା ଷ୍ଟେସନରେ ଲଗାଯାଇଥିଲା। ଟେକ୍ନିସିଆନ୍ ପପୁ କୁମାର, ସିନିଅର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ଓ ମହମ୍ମଦ ଅମିର ଏହାକୁ ଯାଞ୍ଚ କରିଥିଲେ। କିନ୍ତୁ ଏତେ ସବୁ ପରେ ବି ଦୁର୍ଘଟଣା ଘଟିଥିଲା। ସେମାନଙ୍କ ଅବହେଳା ଯୋଗୁଁ ଏତେ ବଡ଼ ଭୟଙ୍କର ଦୁର୍ଘଟଣା ଘଟିଥିବା ସିବିଆଇ ତଦନ୍ତରୁ ଜଣାପଡ଼ଛି । ଦୁର୍ଘଟଣା ପରେ ଏହି ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ ନେଇ ଉଦ୍ୟମ କରିଥିଲେ । ତେବେ ଏହାକୁ ଯାଞ୍ଚ କରିବାକୁ ଥିବା ଅନ୍ୟ ବରିଷ୍ଠ ଅଧିକାରୀମାନେ ଏନେଇ ଦାୟୀ କି ନୁହେଁ, ସେ ନେଇ ତଦନ୍ତ ଜାରି ରହିଛି।

ପ୍ରକାଶ ଥାଉ, ଗତ ଜୁନ୍ ମାସ ୨ ତାରିଖ ସନ୍ଧ୍ୟା ସମୟରେ କରମଣ୍ଡଳ ଏକ୍ସପ୍ରେସ (coromandel express) ବାହାନଗାଠାରେ ଏକ ମାଲ ଗାଡିକୁ ଧକ୍କା ଦେଇଥିଲା । ଫଳରେ ଟ୍ରେନର ବଗି ୨ ପାର୍ଶ୍ୱକୁ ଓଲଟି ପଡି଼ଥିଲା । ପରେ ସେହି ରୁଟ ଦେଇ ଯାଉଥିବା ହାୱଡା ୟସବନ୍ତପୁର ଏକ୍ସପ୍ରେସ୍ କରମଣ୍ଡଳ ସହ ଧକ୍କା ହୋଇଥିଲା । ଲଗାତାର ୩ଟି ଟ୍ରେନ୍ ଦୁର୍ଘଟଣା ଫଳରେ ଭୟଙ୍କର ସ୍ଥିତି ଉପୁଜିଥିଲା । କେହି କିଛି ବୁଝିବା ପୂର୍ବରୁ ଘଟିଯାଇଥିଲା ଏକ ଛାତିଥରା ଦୁର୍ଘଟଣା । ରେଳରାସ୍ତା ଓ ଆଖପାଖ ସ୍ଥାନକୁ ଛିଟିକି ପଡିଥିଲା ରେଳଯାତ୍ରୀଙ୍କ ଶରୀର । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଥିଲେ।

ତେବେ ରେଳ ମନ୍ତ୍ରଣାଳୟ ସୁପାରିସ ଆଧାରରେ ଜୁନ୍ ୬ ତାରିଖରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ବାଲେଶ୍ବର ଜିଆରପିଠାରୁ ମାମଲାକୁ ନେଇଥିଲା ସିବିଆଇ ଦିଲ୍ଲୀ ମୁଖ୍ୟ ଶାଖା। ରେଳ ସୁରକ୍ଷା କମିଶନର ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ରିପୋର୍ଟରୁ ଦୋଷ ତ୍ରୁଟି ଜଣାପଡ଼ିବା ପରେ ଜୁଲାଇ ୭ ତାରିଖରେ ସିବିଆଇ ୩ ଜଣଙ୍କୁ ଗିରଫ କରି ରିମାଣ୍ତରେ ନେଇଥିଲା ।

Also Read-Surjya Narayan Patro: ମୃତ୍ୟୁ ପରେ ବି ଅମର ରହିଲେ ସୂର୍ଯ୍ୟ ନାରାୟଣ!