Padmapur Bypoll: ରହିଲାନି ଚାଷୀଙ୍କ ମାନ, ମାଣବସା ଗୁରୁବାରରେ ଚାରି ପ୍ରାର୍ଥୀ କଲେ ନାମାଙ୍କନ
Advertisement

Padmapur Bypoll: ରହିଲାନି ଚାଷୀଙ୍କ ମାନ, ମାଣବସା ଗୁରୁବାରରେ ଚାରି ପ୍ରାର୍ଥୀ କଲେ ନାମାଙ୍କନ

Padmapur Bypoll:  ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ନାମାଙ୍କନ ଭରିଥିଲେ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ୧୩ଟି ପ୍ରାର୍ଥୀ ପତ୍ର କିଣାଯାଇଥିଲା । କିନ୍ତୁ ତଥ୍ୟ ଅନୁଯାୟୀ, ଶେଷ ଦିନରେ ୪ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । 

 Padmapur Bypoll: ରହିଲାନି ଚାଷୀଙ୍କ ମାନ, ମାଣବସା ଗୁରୁବାରରେ ଚାରି ପ୍ରାର୍ଥୀ କଲେ ନାମାଙ୍କନ

Padmapur Bypoll, ବରଗଡ: ଆଜି ପବିତ୍ର ମାର୍ଗଶୀର ମାସର ଦ୍ୱିତୀୟ ଗୁରୁବାର। ପଦ୍ମପୁରରେ ନିର୍ବାଚନ ଯୁଦ୍ଧ ପାଇଁ ସବୁ ଦଳର ପ୍ରସ୍ତୁତି ଜାରି ରହିଥିବାବେଳେ ଆଜି ନାମାଙ୍କନ ସରିଛି । ତିନି ପ୍ରମୁଖ ଦଳ ଯଥା ବିଜେପି, ବିଜେଡି, କଂଗ୍ରେସ ସମେତ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ମାଣବସା ଗୁରୁବାରରେ ନାମାଙ୍କନ ଦାଖଲ କରିଛନ୍ତି । ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲର ଶେଷଦିନ ହୋଇଥିବାବେଳେ ଶୁକ୍ରବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ନଭେମ୍ୱର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଥିବାବେଳେ ଆସନ୍ତା ଡିସେମ୍ୱର ୫ ତାରିଖରେ ନିର୍ବାଚନ ଏବଂ ୮ ତାରିଖରେ ଭୋଟ ଗଣତି ହେବ । 

ଶେଷ ଦିନକୁ ସମସ୍ତେ ଅପେକ୍ଷା କରି ଗୁରୁବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।  ଗୁରୁବାର ସକାଳେ ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଜୟନ୍ତ ଥାପା ନାମାଙ୍କନ ଦାଖଲ କରିଥିଲେ । ଏହା ପରେ ପରେ ଏକ ବିଶାଳ ରାଲିରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ବରିହା ପହଞ୍ଚିଥିଲେ । ନାମାଙ୍କନବେଳେ ବିଜେଡିର ବରିଷ୍ଠ ନେତାମାନେ ସେଠାରେ ଉପସ୍ଥିତ ଥିଲେ । ବିଜେଡି ନେତ୍ରୀ ସ୍ନେହାଙ୍ଗୀନ ଛୁରିଆ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ରିତା ସାହୁଙ୍କ ସହିତ ଅନେକ ସମର୍ଥକଙ୍କ ଗହଣରେ ବର୍ଷା ପ୍ରାର୍ଥୀପତ୍ର ଭରିଥିଲେ । ତେବେ ନାମାଙ୍କନ ପୂର୍ବରୁ ବିଜେଡି ପ୍ରାର୍ଥୀ ବର୍ଷା, ବୁଢ଼ାରାଜାଙ୍କ ଆର୍ଶୀବାଦ ନେଇଛନ୍ତି । 

Also Read: ନାମାଙ୍କନ ଦାଖଲ ପୂର୍ବରୁ ରୋଚକପୂର୍ଣ୍ଣ ସ୍ଥିତିରେ ପହଞ୍ଚିଲା ପଦମପୁର ଉପନିର୍ବାଚନ

ଅନ୍ୟପଟେ ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ନାମାଙ୍କନ ଭରିଥିଲେ । ତାଙ୍କ ସାଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଉତ୍ସାହର ସହ ସମସ୍ତଙ୍କ ଉପସ୍ଥିତିରେ ସେ ନାମାଙ୍କନ ଭରିଥିଲେ । ଶେଷରେ ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ବିଶାଳ ଶୋଭାଯାତ୍ରାରେ ଆସି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଓ ଗୋଲକ ମହାପାତ୍ରଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ପୂର୍ବରୁ ପ୍ରଦୀପ ପୁରୋହିତ ଗୁରୁଜନମାନଙ୍କ ଆଶୀର୍ବାଦ ନେଇଥିଲେ । 

 

 ନାମାଙ୍କନକୁ ନେଇ ଛକାପଞ୍ଝା ସ୍ଥିତି ଦେଖିବାକୁ ମିଳିଥିଲା ଯାହାକି ପଦ୍ମପୁର ରାଜନୀତିକୁ ଦୋହରା ଉଷ୍ଣ କରି ଦେଇଥିଲା । ପଦ୍ମପୁର ଉପନିର୍ବାଚନ ପାଇଁ ୧୩ଟି ପ୍ରାର୍ଥୀ ପତ୍ର କିଣାଯାଇଥିବାବେଳେ ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିନ୍ତୁ ତଥ୍ୟ ଅନୁଯାୟୀ, ଶେଷ ୪ ଜଣ ପ୍ରାର୍ଥୀ ନାମାଙ୍କନ କରିଛନ୍ତି । ଦୀର୍ଘ ୧୫ ଦିନ ହେଲା ଉପଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବୀମା ଏବଂ ଇନ୍‌ପୁଟ୍‌ ସବ୍‌ସିଡି ଦାବିନେଇ ବୋଡ଼ାସମ୍ବର କୃଷକ ସଂଗଠନର ନେତୃତ୍ବରେ ଚାଷୀମାନେ ଧାରଣାରେ ବସିଛନ୍ତି । ନାମାଙ୍କନ ନ କରିବାକୁ ଚାଷୀମାନେ ସର୍ବଦଳୀୟ ବୈଠକ ବେଳେ ନେତାଙ୍କୁ ମୁଣ୍ଡିଆ ମାରିବା ବି ନଜିର ରହିଛି । ଗତ ସୋମବାର ବିଜେପି ଜୋର୍‌ଦାର୍‌ ଶୋଭାଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା ପରେ ଦଳ ନାମାଙ୍କନ କଲାନାହିଁ। ଚାଷୀ ଆନ୍ଦୋଳନକୁ ସମ୍ମାନ ଜଣାଇ ଦଳ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲା। 

Also Read: Padampur Fight: ନବୀନଙ୍କୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ,କାମଦେବନି ସୁପ୍ରିମୋଙ୍କ ଯାଦୁକରୀ

ଛକାପଞ୍ଝା ମଧ୍ୟରେ ୧୭ ତାରିଖ ଅର୍ଥାତ ଶେଷ ଦିନ ହିଁ ତିନି ପ୍ରମୁଖ ଦଳ ନାମାଙ୍କନ ଭରିଥିଲେ । ଗତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ୨ଶହ କୋଟି ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ସହାୟତା ଘୋଷଣା କରିଛନ୍ତି । ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍‌ ମଧ୍ୟ ଚାଷୀଙ୍କ ପାଇଁ ଟ୍ବିଟ୍‌ କରିଥିଲେ । ଏଥିରେ ସେ ବୀମା କମ୍ପାନିଗୁଡ଼ିକୁ ବୀମା ଟଙ୍କା ତୁରନ୍ତ ପୈଠକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଏହି ଦୁଇଟି ଘୋଷଣା ନେଇ ଉଭୟ ବିଜେଡି ଏବଂ ବିଜେପି ପଦ୍ମପୁର ଭୋଟରଙ୍କ ପାଖକୁ ଯିବା ଅନୁମାନ କରାଯାଉଛି । ତେବେ ଗୋଟେପଟେ ଚାଷୀବୀମା ଅନ୍ୟପଟେ ଜିଲ୍ଲା ଗଠନ ଦାବି । ଏ ସମସ୍ତ ଭିତରେ ଦୋଦୁଲ୍ୟମାନ ସ୍ଥିତିରେ ପଦ୍ମପୁରର ଭୋଟର ।