Himachal Pradesh Politics: ଅପରାହ୍ନ ପାଞ୍ଚଟାରେ ବସିବ ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ନାମ ଉପରେ ଲାଗିପାରେ ମୋହର
Advertisement

Himachal Pradesh Politics: ଅପରାହ୍ନ ପାଞ୍ଚଟାରେ ବସିବ ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ନାମ ଉପରେ ଲାଗିପାରେ ମୋହର

Himachal Government Formation: ଶନିବାର ଅନୁଷ୍ଠିତ ହେଉଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ପରେ ଡିସେମ୍ବର ୧୨ ତାରିଖ ସୋମବାର ସୁଦ୍ଧା ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ। ରାଜଧାନୀ ସିମଲାସ୍ଥିତ ରିଜ୍ ମଇଦାନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ। ପ୍ରଶାସନ ପକ୍ଷରୁ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଶାସନିକ ସ୍ତରରେ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। 

 

 Himachal Pradesh Politics: ଅପରାହ୍ନ ପାଞ୍ଚଟାରେ ବସିବ ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ନାମ ଉପରେ ଲାଗିପାରେ ମୋହର

Himachal Pradesh CM Race: ୨୦୨୨ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିବା ପରେ ଏବେ ​​କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି। ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ହୋଇ ପାରୁନାହିଁ ନିଷ୍ପତ୍ତି। ଏନେଇ ଡିସେମ୍ବର ୧୦ ତାରିଖ ଶନିବାର ଅନୁଷ୍ଠିତ ହେଉଛି ବିଧାୟକ ଦଳ ବୈଠକ। ଶୁକ୍ରବାର ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ହାଇକମାଣ୍ଡଙ୍କୁ ଅନୁମତି ଦିଆଯାଇଥିଲା। ହେଲେ ଶନିବାର ପୁଣି ଥରେ ରାଜଧାନୀ ସିମଲା ଠାରେ ହିମାଚଳ ପ୍ରଦେଶ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ଏହାର ଦିନେ ଦୁଇ ଦିନ ମଧ୍ୟରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦୌଡରେ ରାଜ୍ୟ କଂଗ୍ରେସ ସଭାପତି ପ୍ରତିଭା ସିଂହ, ଦଳୀୟ ପ୍ରଚାର ସମିତି ଅଧ୍ୟକ୍ଷ ସୁଖବିନ୍ଦର ସିଂହ ସୁଖୁ ଏବଂ ୧୩ ତମ ବିଧାନସଭାରେ ବିରୋଧୀ ଦଳର ନେତା ମୁକେଶ ଅଗ୍ନିହୋତ୍ରୀ ସାମିଲ ଅଛନ୍ତି।

ଶନିବାର ଅନୁଷ୍ଠିତ ହେଉଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ପରେ ଡିସେମ୍ବର ୧୨ ତାରିଖ ସୋମବାର ସୁଦ୍ଧା ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ। ରାଜଧାନୀ ସିମଲାସ୍ଥିତ ରିଜ୍ ମଇଦାନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ। ପ୍ରଶାସନ ପକ୍ଷରୁ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଶାସନିକ ସ୍ତରରେ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ମୁଖ୍ୟମନ୍ତ୍ରୀ ନାମ ଉପରେ ମୋହର ମରାଯିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି।

କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଏଥର ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶକୁ ମିଳିବ ନୂଆ ଉପମୁଖ୍ୟମନ୍ତ୍ରୀ। ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ କିଏ ହେବେ  ସେ ନେଇ ଶନିବାର ଅନୁଷ୍ଠିତ ହେଉଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଆଲୋଚନା କରାଯିବ। ଯଦି ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହେବା ପରେ ମଧ୍ୟ କୌଣସି ସହମତି ହୁଏ ନାହିଁ, ତାହେଲେ  ଦଳର ଜଣେ ବରିଷ୍ଠ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ। ଏନେଇ ଶିମଲା ଗ୍ରାମୀଣ ଆସନରୁ ବିଧାୟକ ତଥା ପ୍ରତିଭି ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହଙ୍କ ନାମ ଆଗରେ ରହିଛି। ବର୍ତ୍ତମାନ ହିମାଚଳ ପ୍ରଦେଶ ବ୍ୟତୀତ ରାଜସ୍ଥାନ ଏବଂ ଛତିଶଗଡ ଆଦି ରାଜ୍ୟ ଦ୍ୱୟରେ କଂଗ୍ରେସ ସରକାର କ୍ଷମତାସୀନ ରହିଛି।

ରାଜସ୍ଥାନରେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ ସମୀକରଣର ସମାଧାନ କରିବାକୁ ଚେଷ୍ଟା କରିଥିଲା। ହେଲେ ସ୍ଥିତି ବିଗିଡ଼ିବା ପରେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସଚିନ ପାଇଲଟ। ସେହିପରି ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓଙ୍କ ମଧ୍ୟରେ ଚାଲିଥିବା ବିବାଦ ବିଭିନ୍ନ ସମୟରେ ସାମ୍ନାକୁ ଆସିସାରିଛି। ମଧ୍ୟ ପ୍ରଦେଶରେ କମଲ ନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ମଧ୍ୟରେ ଚାଲିଥିବା ଲଢେଇ କାରଣରୁ କଂଗ୍ରେସ ସରକାର ଗାଦିଚ୍ୟୁତ ହେବା ସହ ଏହାର ଲାଭ ଉଠାଇଥିଲା ବିଜେପି।  

ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ହୋଇ ପାରିନଥିବା ବେଳେ କଂଗ୍ରେସ ପ୍ରଚାର ସମିତି ଅଧ୍ୟକ୍ଷ ସୁଖବିନ୍ଦର ସିଂହ ସୁଖୁ ଏକ ବଡ଼ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି ବିରୋଧୀ ପକ୍ଷର କିଛି ବିଧାୟକ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଦେବଭୂମି ହିମାଚଳ ପ୍ରଦେଶର କଂଗ୍ରେସ ପାଖରେ ୪୩ ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ସ୍ୱାଧୀନ ବିଧାୟକ। ସଦ୍ୟ ନିର୍ବାଚିତ ହୋଇଥିବା କିଛି ବିଜେପି ବିଧାୟକ ଦଳ ସହ ଆସିପାରିନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା। 

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ ଆସିବା ପରେ ଲଗାତାର ଜାରି ରହିଛି କଂଗ୍ରେସ ବିଧାୟକ ଦଳ ବୈଠକ। ଯାହାକୁ ନେଇ ସରଗରମ ରହିଛି ହିମାଚଳ ପ୍ରଦେଶ ରାଜନୀତି। ଏହି ସମୟରେ ଦଳ ସୂଚନା ଦେଇଛି ଯେ ସମସ୍ତ ବିଧାୟକ ଦଳର ହାଇ କମାଣ୍ଡଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ବାଛିବା ପାଇଁ ଅନୁମତି ଦେଇଛନ୍ତି। କଂଗ୍ରେସ ନେତା ମୁକେଶ ଅଗ୍ନିହୋତ୍ରୀ କହିଛନ୍ତି ଯେ ହାଇକମାଣ୍ଡ ଯାହାକୁ ଚାହିଁବେ ତାହାକୁ ବିଧାୟକ ଦଳ ନେତା ଭାବେ ଚୟନ କରିପାରିବେ। ଦଳ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଦିଲ୍ଲୀରୁ ଆସିଥିବା ଦଳର ପର୍ଯ୍ୟବେକ୍ଷକ ଶନିବାର ବିଳମ୍ବିତ ରାତି କିମ୍ବା ରବିବାର ସୁଦ୍ଧା ହାଇକମାଣ୍ଡ ପାଖକୁ ରିପୋର୍ଟ ପଠାଇବେ। କୌଣସି ବିଧାୟକ କୌଣସି ନାମ ଦେଇନାହାଁନ୍ତି। ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ପଦବୀ ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ। ହିମାଚଳ କଂଗ୍ରେସରେ କୌଣସି ଗୋଷ୍ଠୀ ନାହିଁ। ରାଜ୍ୟରେ ସରକାର ଗଠନ ଲାଗି କୌଣସି ଘୋଡା ବେପାର (horse trading in Himachal Pradesh) ହୋଇପାରିବ ନାହିଁ। ଆମର ପାଖରେ ସ୍ପଷ୍ଟ ବହୁମତ ରହିଛି। ବିଧାୟକ ଦଳ ଭାଙ୍ଗିବାର କୌଣସି ପ୍ରଶ୍ନ ଉଠୁନାହିଁ।