Phulpur Seat: ୨୦୨୪ ଲୋକସଭା ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ବିହାର ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1360371

Phulpur Seat: ୨୦୨୪ ଲୋକସଭା ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ବିହାର ମୁଖ୍ୟମନ୍ତ୍ରୀ

Lok Sabha Election 2024: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜେଡିୟୁ ପ୍ରତିଷ୍ଠାତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। 

Phulpur Seat: ୨୦୨୪ ଲୋକସଭା ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ବିହାର ମୁଖ୍ୟମନ୍ତ୍ରୀ

Bihar CM Nitish Kumar: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ଫୁଲପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବର୍ତ୍ତମାନ ଏଭଳି ଏକ ଚର୍ଚ୍ଚାକୁ ନେଇ ସରଗରମ ହୋଇଉଠିଛି ରାଜନୀତି। ସଦ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ। ଏନେଇ ପ୍ରତିକ୍ରିୟା ରଖି ଲଲନ ସିଂହ କହିଛନ୍ତି ଯେ, ଦଳର ଉତ୍ତର ପ୍ରଦେଶ ଶାଖା କର୍ମକର୍ତ୍ତା ଚାହୁଁଛନ୍ତି ଯେ ଦଳୀୟ ନେତା ନୀତୀଶ କୁମାର ଆଗାମୀ ଲୋକସଭା ନିର୍ବାଚନରେ ଫୁଲପୁର ଆସନରୁ ​ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ତାଙ୍କର ଏହି ବୟାନ ଆସିବା ପରେ ୨୦୨୪ ଲୋକସଭା ନିର୍ବାଚନରେ ନୀତିଶ କୁମାରଙ୍କ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 

ବର୍ତ୍ତମାନ ଏହି ଚର୍ଚ୍ଚା ଉପରେ ନିଜେ ପ୍ରତିକ୍ରିୟା ରଖିଛନ୍ତି ଜେଡିୟୁ ପ୍ରତିଷ୍ଠାତା (JDU Founder) ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Bihar CM Nitish Kumar)। ମଙ୍ଗଳବାର ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଫୁଲପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ହେଉଥିବା ଚର୍ଚ୍ଚାର କୌଣସି ସତ୍ୟତା ନାହିଁ। ଏଭଳି ଚର୍ଚ୍ଚା କେଉଁଠୁ ଆରମ୍ଭ ହେଉଛି ତାହା ମୋତେ ଜଣା ନାହିଁ। ମୁଁ ପୂର୍ବରୁ କହିଛି ଯେ ବିରୋଧୀଙ୍କୁ ଏକଜୁଟ କରିବା ମୋର ଲକ୍ଷ୍ୟ। ମୁଁ ଏହି ଅଭିଯାନରେ ନିୟୋଜିତ ରହିଛି। ଏହା ବ୍ୟତୀତ ମୋର କୌଣସି ଇଚ୍ଛା ନାହିଁ। 

Also Read: Bihar Politics: ଗଣମାଧ୍ୟମ ପ୍ରଶ୍ନ ଶୁଣି କାହିଁକି ଉଠି ପଳାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର?

ମୋର କେବଳ ଗୋଟିଏ ଜିନିଷରେ ଆଗ୍ରହ ରହିଛି। ତାହା ହେଉଛି କିପରି ଅଧିକରୁ ଅଧିକ ଦଳକୁ ଏକାଠି କରିବା। ମୁଁ ମୋ ନିଜ ପାଇଁ କିଛି ଚାହେଁ ନାହିଁ। ମୋତେ ନୂତନ ପିଢି ପାଇଁ କାମ କରିବାର ଆବଶ୍ୟକତା ରହିଛି। ସମସ୍ତେ ଦେଶର ଅବସ୍ଥା ଉପରେ ନଜର ରଖିଛନ୍ତି। ସମସ୍ତଙ୍କୁ ନିୟନ୍ତ୍ରଣ କରାଯାଉଛି। ଦେଶରେ କୌଣସି କାମ ହେଉନାହିଁ ବୋଲି କହିଛନ୍ତି ଜେଡିୟୁ ନେତା ନୀତିଶ କୁମାର।

ବିହାର ରାଜନୀତିରେ ପୁଣି ଥରେ ମହାମେଣ୍ଟ ସରକାର ଗଠନ ହୋଇସାରିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏନେଇ ସେ ନିକଟରେ ଦିଲ୍ଲୀ ଗସ୍ତରେ ଆସି ବିଭିନ୍ନ ବିରୋଧି ଦଳର ନେତାଙ୍କୁ ଭେଟିଥିଲେ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧିଙ୍କୁ ଏକାଠି କରିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ। ବର୍ତ୍ତମାନ ସେ ତାଙ୍କର ସେହି ପୁରୁଣା କଥାକୁ ପୁଣି ଥରେ ଦୋହରାଇଛନ୍ତି। ଅର୍ଥାତ ବିରୋଧିଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ। 

ଅନ୍ୟପଟେ ଦଳର ପ୍ରତିଷ୍ଠାତା ନୀତିଶ କୁମାରଙ୍କ ୨୦୨୪ ଲୋକସଭା ନିର୍ବାଚନ (Lok Sabha Election 2024) ଲଢିବା ଉପରେ ପ୍ରତିକ୍ରିୟା ରଖି ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ (JDU National President Lalan Singh) ପୂର୍ବରୁ କହିଥିଲେ  ଯେ, ଏହାକୁ ସ୍ୱୀକାର କରିବା କିମ୍ବା ଅସ୍ୱୀକାର କରିବା ଭଳି କିଛି ନାହିଁ। ଫୁଲପୁର ଆସନ ଲୋକେ ଚାହାଁନ୍ତି ଯେ ଆମେ ସେମାନଙ୍କୁ ସମ୍ମାନ କରୁ। ହେଲେ ଦଳର ପ୍ରତିଷ୍ଠାତା ଏଠାରୁ  ଲଢ଼ିବେ ନା ନାହିଁ ତାହା ତାଙ୍କ ଉପରେ ନିର୍ଭର କରେ। ନୀତିଶ କୁମାର ଆଗାମୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନା ନାହିଁ, ସେ ନେଇ ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ। ହେଲେ ସେ କେବଳ ଯେ ଫୁଲପୁର ଆସନରୁ ଲଢିବେ ତାହା ନୁହେଁ। ତାଙ୍କୁ ଫୁଲପୁର ବ୍ୟତୀତ ଆମ୍ବେଦକର ନଗର ଏବଂ ମିର୍ଜାପୁର ଲୋକସଭା ଆସନରୁ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତାବ ଦିଆଯାଇଛି। ବିରୋଧୀ ଦଳକୁ ଏକଜୁଟ କରିବା ପାଇଁ ନୀତିଶ କୁମାର ଯେଉଁଭଳି କାର୍ଯ୍ୟ କରୁଛନ୍ତି, ତାହାର ଫଳାଫଳ ସ୍ୱରୂପ ଉତ୍ତର ପ୍ରଦେଶରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦାବି କରୁଛନ୍ତି ଜେଡିୟୁ କର୍ମକର୍ତ୍ତା।