୨୦୨୪ ନିର୍ବାଚନ ଲଢ଼ିବେନି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ: ଦେବୀ ପ୍ରସାଦ ମିଶ୍ର
Advertisement

୨୦୨୪ ନିର୍ବାଚନ ଲଢ଼ିବେନି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ: ଦେବୀ ପ୍ରସାଦ ମିଶ୍ର

VK Pandian News: ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଶୁକ୍ରବାର ଦିନ ଭୁବନେଶ୍ୱରରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୌଠକ ପରେ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି।

 

 

VK Pandian

ଭୁବନେଶ୍ୱର: ବିଜୁ ଜନତା ଦଳ (BJD) ର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦିନ ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଥିଲା । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର ଏକ ବଡ଼ ସୂଚନା ଦେଇଥିଲେ । ସେ କହିଥିଲେ ପାଣ୍ଡିଆନ ରାଜନୀତିରେ ରହି ସେବା କରିବେ, କିନ୍ତୁ ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ । ତେବେ ସେ ନିର୍ବାଚନ ଲଢ଼ିଲେ କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ କହିଥିଲେ ।

ଏହି କାର୍ଯ୍ୟକାରିଣୀ ବୈଠକରେ ୨୦୦୦ ମସିହାରୁ ବିଜେଡ଼ିକୁ ଜନସାଧାରଣଙ୍କ ବିପୁଳ ସମର୍ଥନ ଓ ବିଭିନ୍ନ ନିର୍ବାଚନରେ ବିଜୟୀ ନେଇ ଦଳ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛି । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ଯ ଦଳ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି । ରାଜ୍ୟରେ ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମ ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ରୂପାନ୍ତରୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ପାରିତ ହୋଇଥିଲା ।

କହିରଖୁଛୁ ଯେ ୨୩ ଅକ୍ଟୋବର ୨୦୨୩ ରେ ୫ଟି ସଚିବ ଭିକେ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ । ପାଣ୍ଡିଆନ ୨୦୦୦ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ପ୍ରଥମେ ସେ ୨୦୦୨-୦୪ ମସିହା ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୫-୦୭ ପର୍ଯ୍ୟନ୍ତ ମୟୂରଭଞ୍ଜ ଏବଂ ୨୦୦୭-୧୧ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ସେ ନିଯୁକ୍ତ ହୋଇଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୯ ବର୍ଷରେ ଭି.କେ ପାଣ୍ଡିଆନଙ୍କୁ ୫ଟି ସଚିବ ଭାବେ ନିଯୁକ୍ତ କରିଥିଲେ ।

ଭିକେ ପାଣ୍ଡିଆନ ଅବସର ନେବା ପରେ ବଜେଡ଼ି ଦଳରେ ଯୋଗ ଦେଇଥିଲେ ଓ ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବରେ ମଧ୍ୟ ଦେଖାଯାଉଥିଲା । ବର୍ତ୍ତମାନ ତାଙ୍କ ନିର୍ବାଚନ ନ ଲଢ଼ିବା ଖବର ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ।