(ଦିଲ୍ଲୀପ ଦାସ, ଜଳେଶ୍ଵର)
ଓଡ଼ିଶାର ଲକ୍ଷ ଲକ୍ଷ ମହିଳା ଆଜି ଆର୍ଥିକ ଓ ସାମାଜିକ ସ୍ତରରେ ସଶକ୍ତ ହୋଇଛନ୍ତି । ଗ୍ରାମାଞ୍ଚଳରେ ମହିଳା ମାନେ ଆଉ ପରିବାରର ବୋଝ ହୋଇନାହାନ୍ତି । ନିଜେ ରୋଜଗାର କରି ନିଜ ପରିବାରର ଆର୍ଥିକ ମେରୁଦଣ୍ଡକୁ ଦୃଢ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାମାଜିକ ଆନ୍ଦୋଳନରେ କର୍ଣ୍ଣଧାର ହୋଇପାରିଛନ୍ତି । ଏହା କେବଳ ସମ୍ଭବ ହୋଇଛି ଓଡିଶା ସରକାରଙ୍କ "ମିଶନ ଶକ୍ତି" ଯୋଜନା ଯୋଗୁଁ ।
Trending Photos
ସେହିଭଳି ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦାରୁହା ଗ୍ରାମର "ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ"। ଏହି ଗୋଷ୍ଠୀର ମହିଳା ମାନଙ୍କୁ "ମିଶନ ଶକ୍ତି" ବଞ୍ଚିବାର ରାହା ଦେଖାଇଛି । ଛେଳି ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ନିଜ ପରିବାରକୁ ଆର୍ଥିକ ସ୍ୱଚ୍ଛଳ କରିପାରିଛନ୍ତି ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ।
ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପ୍ରେରଣାରେ ଗତ ୨୦୦୭ ମସିହାରେ ଏହି ଗ୍ରାମର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୧୦ଟି ପରିବାର ମହିଳାମାନେ ଏକ ଜୁଟ ହୋଇ "ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ" ଗଢ଼ି ଥିଲେ । ପ୍ରତ୍ୟେକ ମହିଳା ମାସିକ ୧୦୦ ଟଙ୍କା ମେମ୍ବର ଫି ଜମା କରି ନିକଟସ୍ଥ ବ୍ୟାଙ୍କରେ ଖାତା ଖୋଲି ଜମା କରୁଥିଲେ । ଯାହା ଏବେ ତାଙ୍କର ଜମା ଟଙ୍କା ବଢି ୧ ଲକ୍ଷ ୬୦ ହଜାର ଟଙ୍କାରେ ପହଁଚିଲାଣି । କିଛିଦିନ ପରେ ସେଥିରୁ ଟଙ୍କା ଉଠାଇ ପ୍ରତ୍ୟେକେ କୁକୁଡ଼ା ଚାଷ ସହିତ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ ।ପରବର୍ତ୍ତୀ ସମୟରେ ବ୍ୟାଙ୍କରୁ ଋଣ ଓ ଜିପିଏଲଏଫ ମାଧ୍ୟମରେ ଋଣ ଆଣି ନିଜ ବ୍ୟବସାୟକୁ ବୃଦ୍ଧି କରିଥିଲେ ।
ତେବେ ୨୦୨୧ ମସିହା ନଭେମ୍ବର ମାସରେ ମିଶନ ଶକ୍ତି ଓ ଜୀବିକା ମିଶନ ମିଳିତ ପ୍ରୟାସରେ ଏହି ଗୋଷ୍ଠୀକୁ ଛେଳି ପାଳନ ନିମନ୍ତେ ଯେତେବେଳେ ପ୍ରସ୍ତାବ ଆସିଲା ଏହାକୁ ହାତଛଡ଼ା କରିନଥିଲେ ଗୋଷ୍ଠୀର ସଭାନେତ୍ରୀ ଜୟିତା ଭଞ୍ଜ ଓ ସମ୍ପାଦିକା କାଜଲ ଭଞ୍ଜ । ସଙ୍ଗେ ସଙ୍ଗେ ଗୋଷ୍ଠୀର ସଦସ୍ୟ ମାନେ ମିଟିଂ ଡକାଇ ଦରଖାସ୍ତ ଜରିଆରେ ଉକ୍ତ ପ୍ରକଳ୍ପକୁ ହାତକୁ ନେଇଥିଲେ ।ପ୍ରଥମ ପର୍ଯ୍ୟାୟରେ ୪୬ହଜାର ଟଙ୍କା ସେମାନଙ୍କୁ ଋଣ ମିଳିଥିଲା ଓ ସେହି ଟଙ୍କାରେ ସେମାନେ ୩୨ଟି ଛେଳି କିଣି ତା'ର ପାଳନ କରିଥିଲେ । ମାତ୍ର ୭ ମାସ ମଧ୍ୟରେ ସେମାନେ ସେଥିରୁ ଛେଳିକୁ ବିକ୍ରି କରି ୨୫ ହଜାର ଟଙ୍କା ଲାଭ ପାଇଛନ୍ତି ।
ସେମାନଙ୍କ ନିକଟରେ ଆହୁରି ୨୮ଟି ଛେଳି ରହିଥିବା ବେଳେ ୪୫୦ ବର୍ଗ ଫୁଟର ଏକ ଗୁହାଳ ଘର ନିର୍ମାଣ କରିଛନ୍ତି । ଆଗକୁ ୧୦୦ଟି ଛେଳି ରଖାଯିବ ବୋଲି ଗୋଷ୍ଠୀର ସଭାନେତ୍ରୀ ଜୟିତା କହିଛନ୍ତି । ଏହି ଛେଳି ଚାଷ ଗୋଷ୍ଠୀର ୧୦ ଜଣ ମହିଳାଙ୍କ ଏକ ପ୍ରମୁଖ ରୋଜଗାରର ମାଧ୍ୟମ ହୋଇଥିବା ବେଳେ ଏହା ଦ୍ୱାରା ସମସ୍ତ ମହିଳା ସ୍ୱାବଲମ୍ବୀ ହୋଇପାରିଥିବା ସଦସ୍ୟା ସରିତା ଭଞ୍ଜ, ଗୀତାଞ୍ଜଳୀ ଭଞ୍ଜ, ଛବିରାଣୀ ସେନାପତି, ମିନତୀ ଜେନା କହିଛନ୍ତି ଓ ଏହାର ଶ୍ରେୟ ଓଡିଶା ସରକାରଙ୍କ ମିଶନ ଶକ୍ତି ଯୋଗୁଁ ହୋଇପାରିଛି ବୋଲି କହିଛନ୍ତି ।
ଉକ୍ତ ପଞ୍ଚାୟତରେ ଆହୁରି ଅନେକ ଗୋଷ୍ଠୀ ମାନଙ୍କୁ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ଜରିଆରେ ପ୍ରୋତ୍ସାହନ ଦିଆଯାଉଛି । ସେମାନେ ମଧ୍ୟ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକରି ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି ଜିପିଏଲଏଫର ଏମବିକେ ସବିତା ରାଣୀ ସାହୁ ସୂଚନା ଦେଇଛନ୍ତି ।