ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଜଳଛାୟା ପ୍ରକଳ୍ପ ସହାୟକ
Advertisement
Article Detail0/zeeodisha/odisha1196699

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଜଳଛାୟା ପ୍ରକଳ୍ପ ସହାୟକ

ବ୍ଲକ ଜଳ ଛାୟା ବିଭାଗର ପ୍ରକଳ୍ପ ସହଯୋଗୀ ନଗେନ୍ଦ୍ରନାଥ ସ୍ୱାଇଁ ଚାରୋଟି ପୋଖରୀ ଖୋଳା କାମ ବାବଦ ବିଲ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

 ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଜଳଛାୟା ପ୍ରକଳ୍ପ ସହାୟକ

କନ୍ଧମାଳ: ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଜଳ ଛାୟା ବିଭାଗର ପ୍ରକଳ୍ପ ସହଯୋଗୀ ନଗେନ୍ଦ୍ରନାଥ ସ୍ୱାଇଁ ଚାରୋଟି ପୋଖରୀ ଖୋଳା କାମ ବାବଦ ବିଲ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ତାଙ୍କ ପାଖରୁ ରଙ୍ଗ ବୋଳା ଟଙ୍କା ଜବତ କରାଯାଇଛି। ଏହା ସହ ନଗେନ୍ଦ୍ର ନାଥଙ୍କ ଅଫିସ ଏବଂ ବାଲିଗୁଡା ବାସଭବନ ଓ ଫୁଲବାଣୀ ବାସଭବନରେ ଚଢ଼ାଉ କରିଛି ଫୁଲବାଣି ଭିଜିଲାନ୍ସ ଟିମ। 

ମିଳିଥିବା ସୂଚନା ଅନୁସାରେ ଜଳଛାୟା ବିଭାଗ ପକ୍ଷରୁ ତୁମୁଡିବନ୍ଧ ବ୍ଲକ ଗୁମା ପଞ୍ଚାୟତ ଡୁ଼ପି ଇଡିପଦର ଗ୍ରାମରେ ୪ ଜଣ ହିତାଧିକାରୀଙ୍କ ଚାରୋଟି ପୋଖରୀ ଖନନ କାର୍ଯ୍ୟ ହୋଇଥିଲା। ଜଣେ ହିତାଧିକାରୀଙ୍କ ସମ୍ପର୍କୀୟ ଦାଦା ସୁବାସ ମଲ୍ଲିକ କାମ ବୁଝାବୁଝି କରୁଥିଲେ। ହେଲେ କାମର ମଷ୍ଟରରୋଲ ବାହାର କରିବା ପାଇଁ ନଗେନ୍ଦ୍ରନାଥ ଗୋଟିଏ ପୋଖରୀ ପିଛା ୩୦ ହଜାର ଲେଖାଏଁ ଟଙ୍କା ଦାବି କରିଥିଲେ। ହିତାଧିକାରୀ ଏହା ଦେଇ ପାରିବେ ନାହିଁ କହିଥିଲେ। 

ପରେ ୧ ଲକ୍ଷ ଟଙ୍କାରେ କଥା ଛିଡି ଥିଲା। ଏନେଇ ସୁବାସ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୂତାବକ ବୁଧବାର କୁର୍ତମଗଡ ଠାରେ ଟଙ୍କା ନେବା ପାଇଁ ନଗେନ୍ଦ୍ରନାଥ ପହଞ୍ଚିଥିଲେ। ବଜାର ଠାରୁ କିଛି ଦୂର ଜଙ୍ଗଲ ଭିତର ରାସ୍ତାରେ ସୁବାସ ରହିଥିଲେ। ସେଠାରେ ନଗେନ୍ଦ୍ରନାଥ ପହଞ୍ଚି ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ନଗେନ୍ଦ୍ରନାଥଙ୍କୁ ଧରି ତାଙ୍କ ପାଖରୁ ଟଙ୍କା ଜବତ କରିବା ସହ ଗିରଫ କରିଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ୬/୨୨ ରେ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ଡିଏସ୍‌ପି ଅରୁଣ ନାୟକ ଜଣାଇଛନ୍ତି।