ଠିକାସଂସ୍ଥାର ମନମାନୀ ଆଗରେ ଅସହାୟ ନିର୍ବାହୀ ଯନ୍ତ୍ରୀ; ଦୁର୍ଦ୍ଧଶା ଭୋଗୁଛନ୍ତି ସହରବାସୀ
Advertisement
Article Detail0/zeeodisha/odisha1175249

ଠିକାସଂସ୍ଥାର ମନମାନୀ ଆଗରେ ଅସହାୟ ନିର୍ବାହୀ ଯନ୍ତ୍ରୀ; ଦୁର୍ଦ୍ଧଶା ଭୋଗୁଛନ୍ତି ସହରବାସୀ

ରାସ୍ତା ପ୍ରଶସ୍ତିକରଣ ସହ ଡ୍ରେନେଜ ବ୍ୟବସ୍ଥା ପାରଳାଖେମୁଣ୍ଡି ସହରର ବିକାଶ ତଥା ସୌନ୍ଦର୍ଯ୍ୟକରଣରେ ଅତ୍ୟାବଶ୍ୟକ ରହିଛି। 

ଠିକାସଂସ୍ଥାର ମନମାନୀ ଆଗରେ ଅସହାୟ ନିର୍ବାହୀ ଯନ୍ତ୍ରୀ; ଦୁର୍ଦ୍ଧଶା ଭୋଗୁଛନ୍ତି ସହରବାସୀ

ପାରଳାଖେମୁଣ୍ଡି: ବର୍ଷ ବର୍ଷ ଧରି ଅଧପନ୍ତରିଆ ଭାବେ ପଡି଼ରହିଛି ସହରର ରାସ୍ତା ନିର୍ମାଣ କାର୍ଯ୍ୟ। ସମ୍ପୂର୍ଣ୍ଣ ନ ହେଉଣୁ କେଉଁଠି ଭାଙ୍ଗି ଭୁଷୁଡି ଯାଉଛି ତ କେଉଁଠି ଆବର୍ଜନରେ ପୋତିହେଲାଣି ଉଭୟ ପାର୍ଶ୍ବରେ ନିର୍ମାଣାଧୀନ ଡ୍ରେନ। ଅନେକ ସ୍ଥାନରେ ଯାତ୍ରୀଙ୍କ ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ। ଖୋଦ୍ ଜିଲ୍ଲା ପ୍ରଶାସନର ନାକ ତଳେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ଏହା ହେଉଛି ସ୍ଥିତି। କହିବାକୁ ଗଲେ ଏଥିପ୍ରତି କାହାରି ନିଘା ନାହିଁ। ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସହରରେ ଏହା ହେଉଛି ବିକାଶର ପ୍ରକୃତ ଦୃଶ୍ୟ।

ପାରଳାଖେମୁଣ୍ଡି ସହରର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୮ ଆର୍ଥିକ ବର୍ଷରେ ସହରର ଦୁଇ ପ୍ରମୁଖ ରାସ୍ତା, ଫରେଷ୍ଟ ଛକ ଠାରୁ  ଗୁମାଗଡା ପର୍ଯ୍ୟନ୍ତ ୪.୭୫ କିମି ଏବଂ ମେଡିକାଲ ଛକ ଠାରୁ ପୁରୁଣା କୋର୍ଟ ଛକ ପର୍ଯ୍ୟନ୍ତ ୩.୭୫ କିମି ରାସ୍ତା ପ୍ରଶସ୍ତିକରଣ ସହ ଡ୍ରେନ ନିର୍ମାଣ ନିମନ୍ତେ ଯଥାକ୍ରମେ ୧୪ କୋଟି ୬୫ ଲକ୍ଷ  ଏବଂ ୧୧ କୋଟି ୬ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।  ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ତାହା ଏବେ ମଧ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ରାସ୍ତା ଅସନ୍ତୁଳିତ ଥିବା ବେଳେ ହୋଇପାରିନାହିଁ ପ୍ରଶସ୍ତିକରଣ। ନିମ୍ନମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ଡ୍ରେନର ଉପର ପ୍ଳେଟ ଭାଙ୍ଗି ପୋତି ହୋଇଯିବା ସହ ମୁକୁଳା ଡ୍ରେନ ଯାତାୟତରେ ବିପଦ ସୃଷ୍ଟି କରିଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

ରାସ୍ତା ପ୍ରଶସ୍ତିକରଣ ସହ ଡ୍ରେନେଜ ବ୍ୟବସ୍ଥା ପାରଳାଖେମୁଣ୍ଡି ସହରର ବିକାଶ ତଥା ସୌନ୍ଦର୍ଯ୍ୟକରଣରେ ଅତ୍ୟାବଶ୍ୟକ ରହିଛି। ଏସବୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦେଖି ସହରର କିଛି ପରିବର୍ତ୍ତନ ହେବା ଆଶା ବାନ୍ଧିଥିଲେ ସହରବାସୀ। ହେଲେ ବିଭାଗୀୟ ଅଧିକାରୀଙ୍କ ଅହେତୁକ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ସରି ପାରୁନାହିଁ ନିର୍ମାଣ କାର୍ଯ୍ୟ। ଏହା ସାଙ୍ଗକୁ ନିମ୍ନମାନର କାମ ଯୋଗୁଁ ଯୋଜନାର ଲକ୍ଷ୍ୟ ଭ୍ରଷ୍ଟ ହେବା ସହ ବିକାଶରେ ବାଧାପ୍ରାପ୍ତ ହେବା ସହ ଅଧିକାରୀ ମାନଙ୍କ ପାରିବା ପଣିଆ ପଦାରେ ପଡୁଛି। 

ଏନେଇ ପୈାର ପରିଷଦ ଚିନ୍ତା ବ୍ୟକ୍ତ କରିଥିବା ବେଳେ ଠିକା ସଂସ୍ଥା ଠାରୁ କ୍ଷତି ଭରଣା କରିବା ସହ ପୁନର୍ବାର ଟେଣ୍ଡର କରି ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ ଏବଂ କିଛି ସ୍ଥାନରେ ଥିବା ବିଦ୍ୟୁତ ଖୁଣ୍ଟ ହଟାଇବା ନେଇ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ। କେଉଁଠି ନା କେଉଁଠି ବିଭାଗୀୟ ଅଧିକାରୀଙ୍କ ଦୁର୍ବଳତା ଯୋଗୁଁ ଏଠି ଲକ୍ଷ୍ୟ ଭ୍ରଷ୍ଟ ହେଉଛି ଯୋଜନା। ଘୁଞ୍ଚି ଘୁଞ୍ଚି ଯାଉଛି ପାରଳାଖେମୁଣ୍ଡି ସହରର ବିକାଶ। ବିଭାଗୀୟ  ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟକୌଣସି ପଦକ୍ଷେପ ନନେବା ପାରଳାଖେମୁଣ୍ଡି ସହରର ବିକାଶ ପ୍ରତି ଅଣଦେଖା କରାଯାଉଥିବା ଅନୁଭବ କରୁଛନ୍ତି ପାରଳାବାସୀ।