ଆନ୍ଧ୍ର-ଓଡ଼ିଶା ସୀମା ବିବାଦ; ଲୋକଙ୍କ ଦୁଃଖ ଶୁଣିବାକୁ ସମୟ ପାଉନାହାନ୍ତି ଗଜପତି ଜିଲ୍ଲାପାଳ
Advertisement
Article Detail0/zeeodisha/odisha998183

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ; ଲୋକଙ୍କ ଦୁଃଖ ଶୁଣିବାକୁ ସମୟ ପାଉନାହାନ୍ତି ଗଜପତି ଜିଲ୍ଲାପାଳ

ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି ଯେ, ସୀମାନ୍ତ ପଞ୍ଚାୟତବାସୀଙ୍କ ଦାବି ମୁତାବକ ଓଡିଶା ଦେଇ ଯୋଗାଯୋଗ ପାଇଁ ୯ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। 

ଡିଜାଇନ୍ ଫଟୋ

ଗଜପତି: ଆନ୍ଧ୍ର-ଓଡ଼ିଶା ସୀମାକୁ ନେଇ ଲାଗି ରହିଥିବା ବିବାଦର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ନେଉନାହିଁ। ଘଟଣାର ଏତେ ଦିନ ପରେବି ବିବାଦୀୟ ଅଞ୍ଚଳରେ ପାଦ ପଡ଼ିଲାଣି କିମ୍ବା ଅଞ୍ଚଳବାସୀଙ୍କ ଦୁଃଖ ଶୁଣିବାକୁ ଜିଲ୍ଲାପାଳ ସମୟ ପାଇଲେନାହିଁ। ମାତ୍ର ଅଞ୍ଚଳବାସୀଙ୍କ ଦାବିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିବା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।  

ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା କହିଛନ୍ତି ଯେ, ସୀମାନ୍ତ ପଞ୍ଚାୟତବାସୀଙ୍କ ଦାବି ମୁତାବକ ଓଡିଶା ଦେଇ ଯୋଗାଯୋଗ ପାଇଁ ୯ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କରି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗଙ୍ଗାବାଡ ଓ ମାଣିକପାଟଣା ଗ୍ରାମରେ ୧୭ ଲକ୍ଷ ବ୍ୟୟରେ ଘରେ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ୮ ଲକ୍ଷ ବ୍ୟୟରେ ସ୍ଥାନେ ସ୍ଥାନେ ସୋଲାର ଲାଇଟ ସ୍ଥାପନ, ୧କୋଟି ୭୧ ଲକ୍ଷ ବ୍ୟୟରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। 

Also Read: ନାଚାର ମୋହନା ପୋଲିସ! ଥାନାରୁ ନବବିବାହିତାଙ୍କୁ ଟେକିନେଲେ ପରିବାର

ଏଥିସହିତ ଚମ୍ପାପୁର ଠାରୁ ଗଙ୍ଗା ବାଡ଼ ପର୍ଯ୍ୟନ୍ତ ୨.୫ କିମି ରାସ୍ତାରେ ୫ କୋଟି ୪୦ ଲକ୍ଷ ବ୍ୟୟରେ ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପାଇଁ ୧୦୦ଟି ପରିବାରକୁ କୁକୁଡ଼ା ଓ ୩୦ଟି ପରିବାରକୁ ଛେଳି ପାଳନ, ତିନୋଟି ସ୍ବୟଂ ସହାୟକ ଗୋଷ୍ଠୀକୁ ରଙ୍ଗିନ ମାଛ ଚାଷରେ ସାମିଲ କରାଯିବା ସହ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଅଞ୍ଚଳର କୃଷି ଉତ୍ପାଦିତ ଓ ଜଙ୍ଗଲଜାତ ଦ୍ରବ୍ୟର ମାର୍କେଟ ବ୍ୟବସ୍ଥା କରାଯାଇ ଲୋକଙ୍କ ବିକାଶ କ୍ଷେତ୍ରରେ ସହାୟକ ହେବାକୁ ଲକ୍ଷ୍ୟ ରଖିଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। 

ତେବେ ସୀମାବର୍ତ୍ତୀ ଅଞ୍ଚଳର ବିକାଶ ମୂଳକ ପଦକ୍ଷେପ କେତେ ସଫଳ ହେଉଛି, ଏହି ସବୁ ଉନ୍ନୟନ ମୂଳକ କାର୍ଯ୍ୟରେ ପ୍ରଶାସନର ପ୍ରକୃତ ଆନ୍ତରିକତା ରହିଛି ନା ପୂର୍ବ ଭଳି ସୀମାଵର୍ତ୍ତୀ ଲୋକଙ୍କୁ ବିଭିନ୍ନ ସହାୟତା ଯୋଗାଇ ପ୍ରଲୋଭିତ କରିନେବା ରେ ସଫଳ ହେଉଛି ଆନ୍ଧ୍ର ପ୍ରଶାସନ ତାହା ପରବର୍ତ୍ତୀ ସମୟରେ ଜଣା ପଡିବାକୁ ଥିବା ବେଳେ ପଞ୍ଚାୟତବାସୀଙ୍କ ଦାବି ମଧ୍ୟରେ ସ୍ଥାୟୀ ସୀମା ନିର୍ଦ୍ଧାରଣ ଅନ୍ୟତମ ମୁଖ୍ୟ ଦାବି ହେଉଛି। ସେଥିପ୍ରତି ପ୍ରଶାସନ ଦୃଷ୍ଟି ନଦେବାର କାରଣ କଣ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Also Read: ସରକାରୀ ଜମି ପାଇଁ NH-149 ଅବରୋଧ

ସୂଚନାଯୋଗ୍ୟ, ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାନ୍ତ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ସୀମା ବିବାଦକୁ ନେଇ ଗତ ୯ ତାରିଖରେ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ଆନ୍ଧ୍ର ମନ୍ତ୍ରୀ ଯେଉଁ ଭଳି ଭାବରେ ଧମକ ଦେଲେ, ଉକ୍ତ ଘଟଣାର ଗୋଟିଏ ମାସ ବିତିବାକୁ ଯାଉଛି। କିନ୍ତୁ ଗଜପତି ଜିଲ୍ଲା ପ୍ରଶାସନ କିମ୍ବା ଓଡିଶା ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଯାହା ଓଡ଼ିଶାର ସ୍ବାଭିମାନ ପ୍ରତି ଆଘାତ ଦେଇଛି। ଅପରପକ୍ଷରେ ଆନ୍ଧ୍ର ପୋଲିସ ଏଥିସହିତ ଉଦ୍ଦେଶ୍ୟ ମୂଳକ ଭାବେ ଓଡ଼ିଶାର ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଯାହାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। 

ଆନ୍ଧ୍ରର ମନମାନିର ପ୍ରତିବାଦରେ ଓଡ଼ିଶାର ରାଜ୍ୟ ସ୍ତରୀୟ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ନେତୃବୃନ୍ଦଙ୍କ ଏକ ଟିମ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡିର ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଟିମ୍ ଗଙ୍ଗାବାଡ ପଞ୍ଚାୟତର ସୀମାବର୍ତ୍ତୀ ଗାଁ ଗସ୍ତକରି ଲୋକଙ୍କ ସହ ଆଲୋଚନା କରିବା ପରେ ଏସ୍ପି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ। ଏଥିସହ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।