ନ୍ୟାୟ ପାଇଁ ଶଶୁର ଘର ଆଗରେ ଧାରଣା ଦେଲେ ଆଉ ଜଣେ ଡିମ୍ପଲ
Advertisement
Article Detail0/zeeodisha/odisha1170052

ନ୍ୟାୟ ପାଇଁ ଶଶୁର ଘର ଆଗରେ ଧାରଣା ଦେଲେ ଆଉ ଜଣେ ଡିମ୍ପଲ

ସମାଜରେ ଯୈାତୁକ ନିର୍ଯାତନା ଏକ ବ୍ୟାଧି ପାଲଟି ଥିବା ବେଳେ ଏହାକୁ ରୋକିବା ପାଇଁ କଡା ଆଇନ ମଧ୍ୟ ରହିଛି। ହେଲେ ତଥାପି ମହିଳାଙ୍କୁ ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା ଦେବାକୁ ପଡୁଛି।

ନ୍ୟାୟ ପାଇଁ ଶଶୁର ଘର ଆଗରେ ଧାରଣା ଦେଲେ ଆଉ ଜଣେ ଡିମ୍ପଲ

ଗଜପତି: ନ୍ୟାୟ ପାଇଁ ଶ୍ବଶୁର ଦୁଆରେ ବସିଛି ଆଉ ଜଣେ ଡିମ୍ପଲ। ଡହ ଡହ ଖରାରେ ଖୋଲା ଆକାଶ ତଳେ ଶଶୁର ଘର ଆଗରେ ଧାରଣା ଦେଇଛି ବୋହୂ ମନୀଷା। ହେଲେ ତାଙ୍କୁ ତାଙ୍କ ସ୍ବାମୀ ଏବଂ ଶ୍ବଶୁର ପ୍ରଥମେ ସେହି ସ୍ଥାନରୁ ହଟାଇବା ପାଇଁ ପ୍ରୟାସ କରିଥିଲେ। ଏଥିରେ ବିଫଳ ହେବା ପରେ ବୋହୂକୁ ଉଠାଇବାକୁ ଉଦ୍ୟମ କରିଥିଲେ। ହେଲେ ବୋହୂର ଏକା ଜିଦ୍ ନ୍ୟାୟ ନମିଳିବା ଯାଏଁ ଧାରଣା ଜାରି ରହିବ। 

ଶନିବାର ସକାଳୁ ସକାଳୁ ବୋହୂ ମନୀଷା ତାଙ୍କ ବାପଘର ସହ ଆସି ଶଶୁର ଘର ଆଗରେ ଧାରଣା ବସିଥିଲେ। ପୂର୍ବରୁ ବ୍ରହ୍ମପୁର ସହରର ଡିମ୍ପଲ ନ୍ୟାୟ ପାଇଁ ଶଶୁର ଘର ଆଗରେ ଧାରଣାରେ ବସିବା ଘଟଣା ଚର୍ଚ୍ଚାକୁ ଆସିଥିବା ବେଳେ ଆଉ ଜଣେ ବୋହୂ ମନୀଷା ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି। 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର ଏ.ଜଗନ୍ନାଥ ରାଜୁଙ୍କ ପୁଅ ଚୈତନ୍ୟ ଗତ ୨୦୧୬ ମାର୍ଚ୍ଚ ୧୧ ତାରିଖରେ ରାଜସୀତାପୁର ଗ୍ରାମର ବିଶ୍ବନାଥ ରାଜୁଙ୍କ ଝିଅ ମନୀଷାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ପରେ ଅଧିକ ଯୌତୁକ ଦାବିରେ ବିବାହର ମାତ୍ର କିଛି ମାସ ପରେ ସ୍ୱାମୀ ଓ ଶାଶୁଘର ଲୋକେ ନିର୍ଯ୍ୟାତନା ଆରମ୍ଭ କରିଥିବା ଅଭିଯୋଗ କରିଛନ୍ତି ମନୀଷା। ଏପରିକି ବିବାହର କିଛି ମାସ ପରେ ତାଙ୍କୁ ଘରୁ ବାହାର କରିଦେଇଥିବା ଅଭିଯୋଗ କରିଛନ୍ତି ସେ। ସେହିଦିନ ଠାରୁ ନିଜ ବାପଘରେ ରହିଆସୁଛନ୍ତି ମନୀଷ। 

ଶାଶୁଘରୁ ବାହାରି ଆସିଥିବା ମନୀଷା ୨୦୧୮ ଅଗଷ୍ଟରେ ଆତ୍ମହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ। ଝିଅର ଏଭଳି ସମସ୍ୟାର ସମାଧାନ ପାଇଁ ବାପା ବିଶ୍ବନାଥ ବାରମ୍ବାର ପ୍ରୟାସ କରି ବିଫଳ ହେବା ପରେ ଶେଷରେ ୨୦୧୯ ଅପ୍ରେଲ ରେ ଆଖି ବୁଜି ଦେଇଥିଲେ। ସେହିଦିନ ଠାରୁ ମନିଷା ନିଜ ଭାଇ ଭାଉଜଙ୍କ ପାଖରେ ରହି ଆସୁଛନ୍ତି। ନିଜ ହକ୍ ପାଇଁ ବାରମ୍ବାର ପ୍ରୟାସ କରୁଥିବା ମନୀଷା ବିଫଳ ହେବା ପରେ ନିଜ ଶ୍ୱଶୁର ଘର ସମ୍ମୁଖରେ ପୁଣି ଥରେ ଧାରଣାରେ ଦେଇଛନ୍ତି। 

ଗତ ଫେବୃୟାରୀ ୧୨ ତାରିଖରେ ମଧ୍ୟ ଶ୍ୱଶୁର ଘରେ ପଶିବାକୁ ଉଦ୍ୟମ କରି ପରେ ଘର ଆଗରେ ଏହିଭଳି ଧାରଣା ଦେଇଥିଲେ। ହେଲେ ସହରର କିଛି ବୁଦ୍ଧିଜୀବୀ ସେଠାରେ ପହଞ୍ଚି ଆପୋଷ ସମାଧାନ କରିବାକୁ କଥା ଦେଇଥିଲେ। ହେଲେଏ ପର୍ଯ୍ୟନ୍ତ କୌଣସି ସମାଧାନ ନ ହେବାରୁ ଶନିବାର ଠାରୁ ମନୀଷା ପୁଣିଥରେ ଶ୍ବଶୁର ଘର ସମ୍ମୁଖରେ ଧାରଣା ବସିଛନ୍ତି। ନ୍ୟାୟ ନମିଳିବା ଯାଏଁ ସେମିତି ସେ ବସିବେ ବୋଲି କହିଛନ୍ତି ମନୀଷା। ପୋଲିସ ଆସି ବୁଝାସୁଝା କରିବା ପରେ ମନୀଷା ଉଠି ଥିଲେ। 

ପୂର୍ବରୁ ଅଦାଲତରେ ମାମଲା ବିଚାରାଧୀନ ରହିଥିବା ବେଳେ ପୁଣିଥରେ ଶଶୁର ଘର ଆଗରେ ଧାରଣା ଦେବା ପରେ ଉଭୟ ପକ୍ଷଙ୍କୁ ଡାକି ସମାଧାନର ପନ୍ଥା ବାହାର କରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି। ଶନିବାର ଆଲୋଚନା ପରେ ଆସନ୍ତା ୬ ତାରିଖରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ। ସମାଜରେ ଯୈାତୁକ ନିର୍ଯାତନା ଏକ ବ୍ୟାଧି ପାଲଟି ଥିବା ବେଳେ ଏହାକୁ ରୋକିବା ପାଇଁ କଡା ଆଇନ ମଧ୍ୟ ରହିଛି। ହେଲେ ତଥାପି ମହିଳାଙ୍କୁ ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା ଦେବାକୁ ପଡୁଛି।