Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଆଉ ଏହା ସାଙ୍ଗକୁ କୋହଲା ପାଗ । ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଚକିତ କଲା ପରି ଖବର ଦେଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ପେଙ୍ଗଲ' । ଆଜି ତାମିଲନାଡୁ ଉପକୂଳର ନିକଟବର୍ତ୍ତୀ ବାତ୍ୟା ହେବ । ବାତ୍ୟା 'ଫେଙ୍ଗଲ୍' ପ୍ରଭାବରେ ଆଜି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବର, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଜପତି,ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଗଞ୍ଜାମ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଗ କୋହଲା ରହିବା ସହିତ କନ୍ଧମାଳ ଓ କଳାହାଣ୍ତି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବେ। ଶୁକ୍ରାବାର ଦିନ କୋରାପୁଟ୍ ରେ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ଼ ହୋଇଛି। ଫୁଲବାଣୀରେ ୧୦.୫,ଦାରିଙ୍ଗିବାଡିରେ ୧୩.୫, ସୁନ୍ଦରଗଡ଼ରେ ୧୨.୫, ବୌଦ୍ଧରେ ୧୨.୫ ଡିଗ୍ରୀ, ଭୁବନେଶ୍ବରରେ ୨୧.୫, ଡିଗ୍ରୀ ରେକର୍ଡ଼ କରାଯାଇଛି। ସେପଟେ, ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ତାମିଲନାଡୁ-ଆନ୍ଧ୍ରପ୍ରଦେଶ ମଧ୍ୟରେ ବାତ୍ୟା 'ପେଙ୍ଗଲ' ଲ୍ୟାଣ୍ଡଫଲ କରିବା ନେଇ ଆଶଙ୍କା ରହିଛି। ଏହାର ପ୍ରଭାବ ଓଡିଶା ଉପରେ ବିଶେଷ ପଡିବ ନାହିଁ ବୋଲି ସୂଚନା ମିଳିଛି। ଏହା ସତ୍ତ୍ବେ ମଧ୍ୟ ଓଡିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ହେବାର ଆଶଙ୍କା ରହିଛି।