Padmapur Farmers Problem: ପଦ୍ମପୁରର ଚାଷୀଙ୍କ ଚିନ୍ତାରେ ଘାଇଲା ରାଜ୍ୟ ଓ କେନ୍ଦ୍ର ସରକାର
Advertisement

Padmapur Farmers Problem: ପଦ୍ମପୁରର ଚାଷୀଙ୍କ ଚିନ୍ତାରେ ଘାଇଲା ରାଜ୍ୟ ଓ କେନ୍ଦ୍ର ସରକାର

ବୀମା ରାଶି ଆକଳନ ଉଦ୍ଦେଶ୍ୟରେ ହେଉଥିବା ସଠିକ ଫସଲ କାଟ ପରୀକ୍ଷଣରେ ବି ରାଜ୍ୟ ସରକାର ବିଫଳ ହୋଇଛନ୍ତି। ବିଭାଗୀୟ ନିଷ୍କ୍ରିୟତା ଓ ଫସଲ ବୀମାରେ ସ୍ଥାନୀୟ ରାଜନୈତିକ ହସ୍ତକ୍ଷେପ ମଧ୍ୟ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଫସଲ କାଟ ବେଳ ବୈଜ୍ଞାନିକ ପଦ୍ଧତି ଓ ନିର୍ଦ୍ଦେଶାବଳୀ ଅନୁସାରେ ଟେକ୍ନୋଲୋଜିର ବ୍ୟବହାର କରାଯିବା କଥା। 

ପ୍ରତିକାତ୍ମକ ଫଟୋ

Padmapur Farmers Problem:  ଭୁବନେଶ୍ୱର (ଦେବବ୍ରତ ରାୟ): ପଦ୍ମପୁର ଉପନିର୍ବାଚନରେ ମଇଦାନରେ ଏଥର ପ୍ରମୁଖ ପ୍ରସଙ୍ଗ ଫସଲବୀମା। ଇନପୁଟ ସବସିଡ ନେଇ ମୁହାଁମୁହିଁ କେନ୍ଦ୍ର ଓ ରାଜ୍ୟ ସରକାର। ଚାଷୀଙ୍କୁ ମନେଇବା ପାଇଁ ଉଭୟଙ୍କ ନୂଆ ରଣନୀତି। କେନ୍ଦ୍ର ଘୋଷଣା ପରେ ତରବରିଆ ଭାବେ ନିଜସ୍ୱ ପାଣ୍ଠିରୁ ମରୁଡି ଇନପୁଟ ସବସିଡ ୨୦୦ କୋଟି ଘୋଷଣା କଲେ ରାଜ୍ୟ ସରକାର।

ଫସଲବୀମା ସହାୟତା ରାଶି ନେଇ ପଦ୍ମପୁରରେ ଧରାଣାରେ ଚାଷୀ। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦୀପ ପୁରୋହିତଙ୍କ ନାମାଙ୍କନ ଦାଖଲ କରିବା ପାଇଁ ଯାଇଥିଲା ବେଳେ ଚାଷୀଙ୍କୁ ସମର୍ଥନ କରି ନାମାନଙ୍କ ଦାଖଲ ନକରି ବିଜେପି ଫେରି ଆସିଥିଲା। ଆଉ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଖୁବଶୀଘ୍ର ଚାଷୀଙ୍କୁ ବୀମା ରାଶି ଦେବା ପାଇଁ ବୀମା କମ୍ପାନିଙ୍କୁ ଓ ରାଜ୍ୟ ସାରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ପଦ୍ମପୁର, ଝାରବନ୍ଧ ଓ ପାଇକମାଳର ଚାଷୀ ପାଇବେ ବୀମା ରାଶି। ଟ୍ଵିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ ଓ ବୀମା ଟଙ୍କା ଦାବିରେ କିଛି ଦିନ ହେଲା ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟ ସରକାର ବୀମା ସମ୍ପର୍କିତ ଗାଇଡଲାଇନ ପାଳନ କରିନଥିବା ଅଭିଯୋଗ କରିଛି କେନ୍ଦ୍ର। ସେହିପରି ବିଳମ୍ବରେ କମିଟି ଗଠନ କରିବାରୁ ବୀମା ପ୍ରଦାନରେ ବିଳମ୍ବ ଅଭିଯୋଗ ହୋଇଛି। ବଲାଙ୍ଗିର ସମ୍ବଲପୁରରେ ଓ ବରଗଡ଼ ପ୍ରଭୃତି ଜିଲ୍ଲାରେ ଫସଲମ ବୀମାର ସଠିକ ଆକଳନ ହୋଇନାହିଁ।

ସେହିପରି ବୀମା ରାଶି ଆକଳନ ଉଦ୍ଦେଶ୍ୟରେ ହେଉଥିବା ସଠିକ ଫସଲ କାଟ ପରୀକ୍ଷଣରେ ବି ରାଜ୍ୟ ସରକାର ବିଫଳ ହୋଇଛନ୍ତି। ବିଭାଗୀୟ ନିଷ୍କ୍ରିୟତା ଓ ଫସଲ ବୀମାରେ ସ୍ଥାନୀୟ ରାଜନୈତିକ ହସ୍ତକ୍ଷେପ ମଧ୍ୟ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଫସଲ କାଟ ବେଳ ବୈଜ୍ଞାନିକ ପଦ୍ଧତି ଓ ନିର୍ଦ୍ଦେଶାବଳୀ ଅନୁସାରେ ଟେକ୍ନୋଲୋଜିର ବ୍ୟବହାର କରାଯିବା କଥା। କିନ୍ତୁ ଓଡ଼ିଶା ସରକରା ଆଖିଦେଖା ପଦ୍ଧତିରେ ଫସଲ କାଟ ପରୀକ୍ଷଣ କରାଇଥିଲେ। ଏଣୁ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛି କେନ୍ଦ୍ର।

ସେହିପରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ମରୁଡି ଇନପୁଟ୍ ସହାୟତା ବାବଦକୁ ଚାଷୀଙ୍କୁ ମିଳିବ ୨୦୦ କୋଟି, ଉପକୃତ ହେବେ ରାଜ୍ୟର ମରୁଡି କ୍ଷତିଗ୍ରସ୍ତ ଚାଷୀ। ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା। ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍‌ ଏବଂ ୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨,୬୩,୫୬୦ ହେକ୍ଟର ଚାଷଜମିରେ ୩୩ ପ୍ରତିଶତ ବା ତା’ଠାରୁ ଅଧିକ ଫସଲହାନି ହୋଇଛି। ମରୁଡିରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଚାଷୀଙ୍କୁ ଏଯାବତ ଫସଲ ବୀମା ମିଳିନାହିଁ। 

ତେଣୁ ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ବୈଷୟିକ ଉପଦେଷ୍ଟା କମିଟିକୁ ଜଣାଇବା ସହ ଅନୁରୋଧ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ମରୁଡ଼ି ପୀଡ଼ିତ କୃଷକଙ୍କ ଦାବି ଏବଂ ଜିଲ୍ଲାପାଳମାନେ ଦେଇଥିବା ଫସଲହାନୀ ରିପୋର୍ଟକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ପୀଡ଼ିତ ଏବଂ ବଞ୍ଚିତ ଚାଷୀଙ୍କୁ ରାଜ୍ୟର ନିଜସ୍ବ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଚାଷୀ ମାନଙ୍କ ପ୍ରତି ଆନ୍ତରିକ ନାହିଁ। ୨୨ ବର୍ଷ ହେବ ରାଜ୍ୟ ସରକାର କେବଳ ଚାଷୀଙ୍କୁ ଭଣ୍ଡେଇ ଚାଲିଛନ୍ତି । ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଠାରୁ ଆରମ୍ଭ କରି ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ କାମ କରୁନାହିଁ। ତେଣୁ ରାଜ୍ୟ ସରକାର କେବଳ କେନ୍ଦ୍ରକୁ ଦୋଷ ଦେଇ ଜାଣିଛନ୍ତି।

ସେପଟେ ଜବାବ ରଖିଛି ବିଜେଡି। ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି।ଫସଲ ବୀମା ନେଇ କେନ୍ଦ୍ରର ଚାଲ ଧରା ପଡ଼ିଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି। କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟରୁ ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳିନଥିବା ସ୍ପଷ୍ଟ ହୋଇଛି। ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରେ ଏବେ କେନ୍ଦ୍ର ସରକାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି।
ଗତ ଅଗଷ୍ଟ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।

ତେବେ ଉପନିର୍ବାଚନ ସମୟରେ ସେ ଫସଲବୀମା ରାଜନୀତି ଜୋର ଧରିଛି। ବିଜେଡି ବିଜେପି ଚାଷୀ ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ନେବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହାରି ଭିତରେ ଆରମ୍ଭ ହୋଇଛି ରାଜନୈତିକ କାଦୁଅ ଫିଙ୍ଗା।