G-20 Summit 2023: ଜି -୨୦ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ନୂଆ ପୋଷାକରେ ଦିଲ୍ଲୀ ପୋଲିସ
Advertisement

G-20 Summit 2023: ଜି -୨୦ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ନୂଆ ପୋଷାକରେ ଦିଲ୍ଲୀ ପୋଲିସ

G-20 Summit 2023:  ଦିଲ୍ଲୀ ପୋଲିସ୍ ସମେତ ଏନଏସଜି ଏବଂ ସେଣ୍ଟ୍ରାଲ୍ ଫୋର୍ସ କର୍ମଚାରୀମାନେ ଦିଲ୍ଲୀର ପ୍ରତ୍ୟେକ ଅଞ୍ଚଳରେ ନଜର ରଖିବେ ।

G-20 Summit 2023: ଜି -୨୦ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ନୂଆ ପୋଷାକରେ ଦିଲ୍ଲୀ ପୋଲିସ

G-20 Summit 2023: ଦେଶର ରାଜଧାନୀ ନୂଆଦିଲ୍ଲୀରେ ହେବାକୁ ଯାଉଛି ଜି -୨୦ ସମ୍ମିଳନୀ । ଏଥିପାଇଁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା (Security system) ଉପରେ ଅଧିକ ଦୃଷ୍ଟି ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ସମୁଦାୟ ୪୫ ହଜାର ପୋଲିସ କର୍ମଚାରୀ ନିଯୋଜିତ ହେବେ । ଦିଲ୍ଲୀ ପୋଲିସ (Delhi police) ସହିତ କେନ୍ଦ୍ରୀୟ ବାହିନୀ ମଧ୍ୟ ସୁରକ୍ଷା ପାଇଁ ନିୟୋଜିତ ରହିବେ । ବିଶେଷ କଥା ଏହା ଯେ, ନିୟୋଜିତ ହେବାକୁ ଥିବା ଯବାନମାନେ ସେମାନଙ୍କ ୟୁନିଫର୍ମ ବଦଳରେ ନୀଳ ସଫାରି ସୁଟ (blue safari suit,) ପିନ୍ଧିବେ । ପୋଲିସ ବିଭାଗ ପକ୍ଷରୁ ଶୁକ୍ରବାର ଏହି ସୂଚନା ମିଳିଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଜି -୨୦ ଶିଖର ସମ୍ମିଳନୀ ପାଇଁ ଖୁବ ପୂର୍ବରୁ ଅନେକ ଯୋଜନା କରାଯାଇଛି । ଯେଉଁଥିରେ ପାରାମିଲିଟାରୀ ଫୋର୍ସ ସଶକ୍ତିକରଣ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ, ଆତଙ୍କବାଦୀଙ୍କ ସହ ଲଢିବା ପାଇଁ ତାଲିମ, ଭିଭିଆଇପି ସୁରକ୍ଷା ଏବଂ ଲୋକଙ୍କ ହିତ ପାଇଁ ପୋଲିସର କର୍ତ୍ତବ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ନିଯୋଜିତ ହେଉଥିବା ୪୫ ହଜାର ଯବାନ ଖୁବ ଦକ୍ଷ ଓ ତାଲିମପ୍ରାପ୍ତ (Skilled and trained) । ତେଣୁ ସେମାନଙ୍କୁ ସଠିକ୍ ଡ୍ରାଇଭିଂ ଦକ୍ଷତା ସହିତ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରିବେ । ସିସିଟିଭି ଫୁଟେଜ (CCTV footage) ଉପରେ ନଜର ରଖିବା ପାଇଁ ନୂଆଦିଲ୍ଲୀରେ ଦୁଇଟି ସ୍ପେଶାଲ କଣ୍ଟ୍ରୋଲ୍ ରୁମ୍ (Special Control Room) ବ୍ୟବସ୍ଥା କରାଯାଇଛି। ଏଠାରେ ୨୪ ଘଣ୍ଟା ପୋଲିସ ପକ୍ଷରୁ ଗତିବିଧି ଉପରେ ନଜର ରଖାଯିବ । ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ପୋଲିସ କମିଶନର (Special Commissioner of Police) ମାଧୁପ ତିୱାରଙ୍କ କହିବା ଅନୁସାରେ, “ଜି -୨୦ ଶିଖର ସମ୍ମିଳନୀରେ ସୁରକ୍ଷା ପାଇଁ ନିୟୋଜିତ ପ୍ରାୟ ଅର୍ଦ୍ଧେକ କର୍ମଚାରୀ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ । ସେମାନଙ୍କୁ ଉଚିତ ତାଲିମ ପ୍ରଦାନ କରାଯାଇଛି । କେବଳ ଦିଲ୍ଲୀ ପୋଲିସ ନୁହେଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ୍) ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଭଳି ସ୍ୱତନ୍ତ୍ର ଏଜେନ୍ସିର ଅତିରିକ୍ତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ଯୋଗାଇ ଦିଆଯାଇଛି ।

ପୋଲିସ କମିଶନର ଆହୁରି ମଧ୍ୟ କହିଛନ୍ତି ଯେ, ଶିଖର ସମ୍ମିଳନୀର ଦାୟିତ୍ୱ ସାତ ଡୋମେନ୍ ଏବଂ ଅଞ୍ଚଳରେ ବିଭକ୍ତ କରାଯାଇଛି । ଯେଉଁଥିରେ ବିମାନବନ୍ଦର, ଇଭେଣ୍ଟ ଗୁଡିକର ସ୍ଥାନ, ବିଦେଶୀ ଅତିଥିମାନଙ୍କ ପାଇଁ ରହିବା ସ୍ଥାନ, ରାଜଘାଟ, ଟ୍ରାଫିକ୍, ମୋଟରକେଡ୍ ପରିଚାଳନା, ଆତଙ୍କବାଦ ବିରୋଧୀ ପଦକ୍ଷେପ ଏବଂ ଆଇନ ଶୃଙ୍ଖଳା ଅନ୍ତର୍ଭୁକ୍ତ ରହିଛି । ଏଥିମଧ୍ୟରୁ ପ୍ରତ୍ୟେକ ଗ୍ରୁପରେ ଜଣେ ଭେନ୍ୟୁ କମାଣ୍ଡର ନେତୃତ୍ୱ ନେବେ ଯିଏ ଜଣେ ସ୍ୱତନ୍ତ୍ର କମିଶନର ପଦବୀ ଅଧିକାରୀ ହେବେ। ଏହା ବ୍ୟତୀତ ଅନ୍ୟ ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅତିରିକ୍ତ ଡେପୁଟି କମିଶନର ଅଫ୍ ପୋଲିସ୍ ଏବଂ ତଦୁର୍ଦ୍ଧ୍ୱ ଅଧିକାରୀମାନେ ନୀଳ ରଙ୍ଗର ସୁଟ୍ ପିନ୍ଧିଥିବାବେଳେ ଅନ୍ୟମାନଙ୍କ ପାଇଁ ସମାନ ରଙ୍ଗର ସଫାରି ସୁଟ୍ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ନିର୍ଦ୍ଦିଷ୍ଟ ଡିଜାଇନରେ ସିଲେଇ କରିବା ପାଇଁ ପୋଷାକ ଯୋଗାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଜି -୨୦ ଶିଖର ସମ୍ମିଳନୀ ପାଇଁ ସମଗ୍ର ଦିଲ୍ଲୀ ସଜେଇ ହେବା ଆରମ୍ଭ ହୋଇଛି । ଦିଲ୍ଲୀରେ ବିଭିନ୍ନ ପ୍ରକାରର ବଡ଼ ବଡ଼ ପୋଷ୍ଟର ଲାଗିଛି । ଏଥିସହ ରାସ୍ତାକୁ ଅଧିକ ସୌନ୍ଦର୍ଯ୍ୟକରଣ କରାଯାଇଛି । ଦିଲ୍ଲୀ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ଅଧିକ ଆକର୍ଷିତ କରୁଛି । ଆଗକୁ ଆହୁରି ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ସ୍ଥାନରେ କାମ ଚାଲିଛି । ରାସ୍ତାକୁ ରଙ୍ଗ କରାଯାଉଛି ।

Also Read- World Coconut Day 2023: ଏମିତି ବନାନ୍ତୁ ନଡ଼ିଆ ଚଟଣି, ସ୍ୱାଦ ହେବ ଦମଦାର