Defense News: ଆଉ ଚଳିବ ନାହିଁ ଚୀନ ଦାଦାଗିରି; ୩ ଦେଶକୁ ବ୍ରହ୍ମାସ୍ତ୍ର ଦେବ ଭାରତ
Advertisement
Article Detail0/zeeodisha/odisha2105621

Defense News: ଆଉ ଚଳିବ ନାହିଁ ଚୀନ ଦାଦାଗିରି; ୩ ଦେଶକୁ ବ୍ରହ୍ମାସ୍ତ୍ର ଦେବ ଭାରତ

India-Philippines Missile Deal: ଏହା ହେଉଛି ଭାରତର ପ୍ରଥମ ପ୍ରମୁଖ ପ୍ରତିରକ୍ଷା ଉତ୍ପାଦ ରପ୍ତାନି। ବର୍ତ୍ତମାନ ଅନେକ ଦେଶ ବ୍ରହ୍ମୋସ୍ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ପ୍ରଥମ ବ୍ୟାଚ୍ କ୍ଷେପଣାସ୍ତ୍ର ମାର୍ଚ୍ଚ ମାସରେ ଫିଲିପାଇନ୍ସ ପାଖରେ ପହଞ୍ଚିଯିବ।

Defense News: ଆଉ ଚଳିବ ନାହିଁ ଚୀନ ଦାଦାଗିରି; ୩ ଦେଶକୁ ବ୍ରହ୍ମାସ୍ତ୍ର ଦେବ ଭାରତ

India Strategy to Counter Chinese Bullying: ଆଉ ଏଣିକି ଚଳିବ ନାହିଁ ଚୀନ ଦାଦାଗିରି। କାରଣ ୩ ଦେଶକୁ ବ୍ରହ୍ମାସ୍ତ୍ର ଯୋଗାଇ ଦେବାକୁ ଯାଉଛି ଭାରତ। ଆଜ୍ଞା ହଁ, ବିସ୍ତାରବାଦ ନୀତି ମାଧ୍ୟମରେ ଅନ୍ୟ ଦେଶକୁ ଦବାଇବାକୁ ଚେଷ୍ଟା କରୁଥିବା ଚୀନ୍ ସହ ମୁକାବିଲା କରିବା ଲାଗି ଭାରତ ଏକ ସୁଚିନ୍ତିତ ରଣନୀତି ଆପଣାଇଛି। ଏହି କ୍ରମରେ ଫିଲିପାଇନ୍ସ ଲାଗି ବ୍ରହ୍ମାସ୍ତ୍ର ପଠାଇବାକୁ ଯାଉଛି ଭାରତ। ଏହି କ୍ରମରେ ରପ୍ତାନୀ ହେବାକୁ ଯାଉଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ ଆସନ୍ତା ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ପୂର୍ବରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ଆନୁଷଙ୍ଗୀକ ସହଯୋଗ ଫିଲିପାଇନ୍ସ ପାଖକୁ ପଠାଇ ସାରିଛି ଭାରତ। 

ଦୀର୍ଘ ଦିନ ଧରି ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଭାରତୟ ସୈନ୍ୟବାହିନୀରେ ବ୍ୟବହୃତ ହୋଇଆସୁଛି। ହେଲେ ଗତ ୨୦୨୨ ବର୍ଷରେ ଭାରତ ପାଖରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ନେବା ଲାଗି ଏକ ଚୁକ୍ତି କରିଥିଲା ଫିଲିପାଇନ୍ସ। ଦକ୍ଷିଣ ଚୀନ ସାଗରରେ ବଢୁଥିବା ଚୀନ ଦାଦାଗିରିର ମୁକାବିଲା ଲାଗି ଫିଲିପାଇନ୍ସ ଭାରତ ପାଖରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ନେବା ଲାଗି ଆଗ୍ରହୀ ହୋଇ ଉଠିଥିଲେ। ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ହେଉଛି ପ୍ରଥମ ଭାରତୀୟ ପ୍ରମୁଖ ପ୍ରତିରକ୍ଷା ଉତ୍ପାଦ। ଯାହାକୁ ବର୍ତ୍ତମାନ ସେନା ବାହିନୀରେ ସାମିଲ କରିବା ପାଇଁ ଅନେକ ଦେଶ ଆଗ୍ରହ ଦେଖାଉଛନ୍ତି। ଦକ୍ଷିଣ ଚୀନ୍ ସାଗରରେ ଅବସ୍ଥିତ ଦେଶଙ୍କ ସହିତ ବ୍ରହ୍ମୋସ୍ ଚୁକ୍ତି ଉପରେ ଭାରତ ଗମ୍ଭୀରତାର ସହ ଆଲୋଚନା କରିପାରିବ। 

ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଣକୁ ନେଇ ଗତ ୨୦୨୨ ବର୍ଷରେ ଭାରତ ସହ ଏକ ଚୁକ୍ତି କରିଥିଲା ଫିଲିପାଇନ୍ସ। ଏହି ଚୁକ୍ତି ସହିତ ଜଡିତ ସୂତ୍ରରୁ ଜଣାପଡିଛି ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ ଫିଲିପାଇନ୍ସ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଯିବ। ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଗ୍ରାଉଣ୍ଡ ସିଷ୍ଟମ ପଠାଯାଇ ସାରିଛି। ଏପରିକି ବ୍ରହ୍ମୋସ କ୍ଷେପଣାସ୍ତ୍ରର ରକ୍ଷଣାବେକ୍ଷଣ କିପରି କରାଯିବ ସେ ସମ୍ପର୍କରେ ସେମାନଙ୍କ କର୍ମଚାରୀଙ୍କୁ ତାଲିମ ଦିଆଯାଇ ସାରିଛି।

ଭାରତରୁ ଫିଲିପାଇନ୍ସକୁ ପ୍ରଥମ ବ୍ୟାଚ୍ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଣ ଆସନ୍ତା ମାସରେ ହୋଇଯିବ। ଗତ ୨୦୨୨ ଜାନୁଆରୀ ମାସରେ ଫିଲିପାଇନ୍ସ ୩ ବ୍ରହ୍ମୋସ ବ୍ୟାଟେରୀ ପାଇଁ ଭାରତ ସହ ଏକ ଚୁକ୍ତି କରିଥିଲା। ପ୍ରତ୍ୟେକ ବ୍ୟାଟେରୀ ତିନୋଟି ଫାୟାରିଂ ୟୁନିଟ୍ ଏବଂ ପ୍ରତ୍ୟେକ ୟୁନିଟ ମଧ୍ୟରେ ୩ କ୍ଷେପଣାସ୍ତ୍ର ରହିବ। ଭାରତ ଯୋଗାଇ ଦିଆଯିବାକୁ ଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଫିଲିୁପାଇନ୍ସ ଏହାର ଉପକୂଳ ସୁରକ୍ଷା ପାଇଁ ବ୍ୟବହାର କରିବାକୁ ଚାହୁଁଛି। କାରଣ ଏହାର ସୁରକ୍ଷା ଉପରେ ଚୀନ୍‌ ପକ୍ଷରୁ କ୍ରମାଗତ ଭାବେ ବିପଦ ବଢିବାରେ ଲାଗିଛି।

କେତେ କିଲୋମିଟର ମଧ୍ୟରେ ଲକ୍ଷ୍ୟକ୍ଷେଦ କରିପାରିବ ବ୍ରହ୍ମୋସ କ୍ଷେପଣାସ୍ତ୍ର
ଫିଲିପାଇନ୍ସ ଲାଗି ଭାରତ ପକ୍ଷରୁ ଯୋଗାଇ ଦିଆଯାଉଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରାୟ ୨୯୦ କିଲୋମିଟର ମଧ୍ୟରେ ଲକ୍ଷ୍ୟଭେଦ କରିପାରିବ। ଯାହା ଶତ୍ରୁ ପକ୍ଷର ସ୍ଥଳ ଭାଗରେ ରହିଥିବା ସାମରିକ ଘାଟି କିମ୍ବା ଜାହାଜ ଉପରେ ଆକ୍ରମଣ କରିପାରିବ। ଭାରତ ବ୍ରହ୍ମୋସ କ୍ଷେପଣାସ୍ତ୍ର ସହିତ ଏହାର ପ୍ରାୟ ସମସ୍ତ ପ୍ରମୁଖ ଯୁଦ୍ଧ ଜାହାଜରେ ନିୟୋଜିତ କରିସାରିଛି। ଏହି କ୍ଷେପଣାସ୍ତ୍ର ୨୯୦ କିଲୋମିଟର ଠାରୁ ୪୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟକ୍ଷେଦ କରିପାରିବ।

ଫିଲିପାଇନ୍ସ ବ୍ୟତୀତ ଭାରତ ପାଖରୁ ବ୍ରହ୍ମୋସ ନେବେ ଭିଏତନାମ-ଇଣ୍ଡୋନେସିଆ 
ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସ ହେଉଛି ଅନ୍ୟତମ ପ୍ରମୁଖ ଦେଶ। ଯିଏ ଦୀର୍ଘ ଦିନ ଧରି ଚୀନ୍‌ର ବିସ୍ତାରବାଦୀ ନୀତି ଦ୍ୱାରା ଅସୁବିଧାରେ ପଡିଛି। ଆଉ ଏହାର ମୁକାବିଲା କରିବାକୁ ଯାଇ ଭାରତ ପାଖରୁ ସାମରିକ-ବୈଷୟିକ ସହାୟତା ଚାହୁଁଛି। ଫିଲିପାଇନ୍ସ ବ୍ୟତୀତ ଭିଏତନାମ ଏବଂ ଇଣ୍ଡୋନେସିଆ ବ୍ରହ୍ମୋସ ନେବା ଆଗ୍ରହୀ ହୋଇ ଉଠିଛନ୍ତି। କାରଣ ଦକ୍ଷିଣ ଚୀନ ସାଗରରେ ଭିଏତନାମ, ଫିଲିପାଇନ୍ସ, ଇଣ୍ଡୋନେସିଆ, ମାଲେସିଆ, ବ୍ରୁନେଇ, ତାଇୱାନ ଆଦି ଚୀନ୍‌ର ବିସ୍ତାରବାଦୀ ନୀତି ବିରୋଧରେ ଅଛନ୍ତି। 

ଏହି ଦେଶ ସହିତ ବ୍ରହ୍ମୋସ ଚୁକ୍ତି ଆନ୍ତର୍ଜାତୀୟ କୂଟନୈତିକ ସ୍ତରରେ ଭାରତ ପାଇଁ ଲାଭଦାୟକ। କାରଣ ଭାରତ ଦକ୍ଷିଣ ଚୀନ୍ ସାଗରରେ ଅବସ୍ଥିତ ଏହି ସମସ୍ତ ଦେଶ ସହିତ ସାମରିକ ଏବଂ ରଣନୀତିକ ସମ୍ପର୍କକୁ ମଜବୁତ କରିବାକୁ ଚାହୁଁଛ। ଯାହା ଦ୍ୱାରା ଚୀନ୍ ଭଳି ଦେଶକୁ ଦକ୍ଷିଣ ଚୀନ ସାଗରରେ ଘେରିହେବ। ଏହି ଦେଶ ସହିତ ସହଯୋଗ ବୃଦ୍ଧି କରିବାକୁ ଭାରତ ଗତ ଦଶନ୍ଧିରେ ଆକ୍ଟ-ଇଷ୍ଟ ପଲିସି ଆରମ୍ଭ କରିଥିଲା। ଯାହା ଅଧିନରେ ଏହି ସମସ୍ତ ଦେଶର ସୈନ୍ୟବାହିନୀକୁ ତାଲିମ ଦେବା ଏବଂ ମିଳିତ ସମରାଭ୍ୟାସ କରିବା ପରେ ଭାରତ ବର୍ତ୍ତମାନ ସେମାନଙ୍କୁ ଭଲ ଅସ୍ତ୍ର ଯୋଗାଇବାକୁ ଚାହୁଁଛି। ଯାହା ଦ୍ୱାରା ସେମାନେ ଆବଶ୍ୟକ ହେଲେ ଚୀନ୍ ସହ ମୁକାବିଲା କରିପାରିବେ।