Assembly Budget Session: ବିଭିନ୍ନ କ୍ଷେତ୍ରର ଉନ୍ନତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ
Advertisement

Assembly Budget Session: ବିଭିନ୍ନ କ୍ଷେତ୍ରର ଉନ୍ନତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

Governor Raghubar Das Address The House: ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିଥିଲେ ରାଜ୍ୟପାଳ ରଘୁବର ଦାସ । ପୂରା ୧ ଘଣ୍ଟା ୫୮ ମିନିଟ୍ ର ନିଜର ଅଭିଭାଷଣ ରଖିଥିଲେ ରାଜ୍ୟପାଳ । ସମସ୍ତ ସଦସ୍ୟଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଥିଲେ।

Assembly Budget Session: ବିଭିନ୍ନ କ୍ଷେତ୍ରର ଉନ୍ନତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟପାଳ

Governor Raghubar Das Address The House: ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଅଧିବେଶନ ଆରମ୍ଭ ପୂର୍ବରୁ ପୂର୍ବାହ୍ନ ୧୦.୪୫ ସୁଦ୍ଧା ବିଧାନସଭାରେ ପହଞ୍ଚିଥିଲେ ରାଜ୍ୟପାଳ ମାନ୍ୟବର ରଘୁବର ଦାସ । ଏହାପରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ପରମ୍ପରା ଅନୁଯାୟୀ, ବିଧାନସଭା ଗୃହକୁ ପାଛୋଟି ନେଇଥିଲେ ବାଚସ୍ପତି । ପୂର୍ବାହ୍ଣ ଠିକ୍ ୧୧ ଟା ସମୟରେ ବିଧାନସଭାରେ ଅଭିଭାଷଣ ଆରମ୍ଭ କରିଥିଲେ ରାଜ୍ୟପାଳ ।  ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶୋକବ୍ୟକ୍ତ କରିଥିଲେ ରାଜ୍ୟପାଳ ରଘୁବର ଦାସ । ପୂରା ୧ ଘଣ୍ଟା ୫୮ ମିନିଟ୍ ର ନିଜର ଅଭିଭାଷଣ ରଖିଥିଲେ ରାଜ୍ୟପାଳ । ସମସ୍ତ ସଦସ୍ୟଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ବିଧାନସଭାରେ ରଖିଥିଲେ। 

ପରିକ୍ରମା ପ୍ରକଳ୍ପ, ମନ୍ଦିରର ଉନ୍ନତି କରଣର ପ୍ରଶଂସା-: 
ଅଭିଭାଷଣ ପ୍ରାରମ୍ଭରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ପ୍ରଂଶସା କଲେ ରାଜ୍ୟପାଳ । ପରିକ୍ରମା ପ୍ରକଳ୍ପ ସାରା ବିଶ୍ୱରେ ଥିବା ଜଗନ୍ନାଥ ପ୍ରେମୀଙ୍କ ପାଇଁ ଉତ୍ସର୍ଗ ବୋଲି କହିଲେ ରାଜ୍ୟପାଳ । ସାରା ରାଜ୍ୟରୁ ଜଗନ୍ନାଥ ପ୍ରେମୀଙ୍କୁ ଏକଜୁଟ୍ କରିବା ଅର୍ଥାତ୍ ମହାପ୍ରଭୁଙ୍କ ଆଶିଷ ଜ୍ଞାତ କରିବାକୁ ଜଗନ୍ନାଥ ଏକ୍ସପ୍ରେସ ପରି ଲଗଜରିଅସ ବସ୍ ର ଯୋଜନା କରିଛନ୍ତି ମୋ ସରକାର । ଏହାଦ୍ୱାରା ରାଜ୍ୟ ବାସୀ ସୁରୁଖୁରୁରେ ପରିକ୍ରମା ପ୍ରକଳ୍ପ ବୁଲିବା ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସମ୍ବଲପୁରରେ ମା ସମଲେଇ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ରାଜ୍ୟବାସୀଙ୍କ ଆସ୍ଥା ଓ ଭାବାବେଗକୁ ଦୃଷ୍ଟିରେ ରଖି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ଶ୍ରୀମନ୍ଦିରର ଅଦ୍ଭୁତପୂର୍ବ ପରିବର୍ତ୍ତନ ସହ ଐତିହ୍ୟ ଓ ସଂସ୍କୃତିକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ରାଜ୍ୟର ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତରଣ କାମକୁ ପ୍ରାଥମିକତା ଦେଇଛନ୍ତି ସରକାର । ସମ୍ବଲପୁରରେ ମା ସମଲେଇ ପରିକ୍ରମା ପ୍ରକଳ୍ପ ଯୋଜନା ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରେ ସ୍ୱଇଚ୍ଛାରେ ଜମି ପ୍ରଦାନ କରିଥିବା ଲୋକଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟସରକାର ଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ । 

ଫୋକସରେ ଓଡ଼ିଆ ଭାଷା, ଯୁବପିଢି, ମହିଳା-: 
ଓଡ଼ିଆ ଭାଷାକୁ ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ କରିଛନ୍ତି ଯାହା ପ୍ରଂଶସନୀୟ ପଦକ୍ଷେପ ।  ଯୁବପୀଢିଙ୍କୁ ଉତ୍ସାହିତ କରିବା ଓ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ଦିଗରେ ମୋ ସରକାର ନୂଆ ଓ- କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। 5T ସରକାର ଓ ମୋ ସରକାରର ଅନେକ ଯୋଜନା ର ଲାଭ ଉଠାଉଛନ୍ତି ରାଜ୍ୟ ବାସୀ । ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିବା ସହ ଯୁବପୀଢୀଙ୍କୁ ଦକ୍ଷତା, ମହିଳା ସଶକ୍ତିକରଣ ଦୃଢ ହେବା ନେଇ କହିଛନ୍ତି ରାଜ୍ୟପାଳ ।  ରାଜ୍ୟ ସରକାରଙ୍କ ଅଧିନରେ ଥିବା ଅନେକ ଯୋଜନା ର ପ୍ରଶଂସା କରିବା ସହ ଏହି ଯୋଜନା ମଧ୍ୟରେ ଯୁବପୀଢୀ, ମହିଳା ଓ ଚାଷୀ ଉପକୃତ ହେଉଛନ୍ତି ବୋଲି ଅଭିଭାଷଣ ରେ କହିଛନ୍ତି ରାଜ୍ୟପାଳ । 

ଚାଷ ଓ ଚାଷୀର ଉନ୍ନତି-:
ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ରାଜ୍ୟ ପ୍ରତିଟି ପ୍ରତିକୂଳ ସ୍ଥିତିରେ ଅଣ୍ଟା ସଳଖି ଛିଡ଼ା ହୋଇଛି। ଏହାସହ ଚାଉଳ ଓ ଫସଲ ଉତ୍ପାଦନରେ ବୃଦ୍ଧି ହୋଇଛି ବୋଲି କହିଛନ୍ତି ରାଜ୍ୟପାଳ । ମାଣ୍ଡିଆକୁ ବିଶ୍ୱ ଦରବାର ସ୍ତରରେ ପହଞ୍ଚାଇବାକୁ ମୋ ସରକାର ଆରମ୍ଭ କରିଛନ୍ତି ମିଲେଟ ମିଶନ୍ । ଯାହା ଅନ୍ୟ ରାଜ୍ୟ ଠାରୁ ଅଗ୍ରଣୀ ଭାବେ ଓଡ଼ିଶା ଏହି ପ୍ରକ୍ରିୟାରେ ଶ୍ରେଷ୍ଠ ବୋଲି ବିବେଚିତ ହୋଇଛି। ୨୦୧୮ ରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ଏବେ ଚର୍ଚ୍ଚାରେ ରହିଛି। ଏହି ଯୋଜନାରେ କ୍ଷୁଦ୍ରଚାଷୀ ଉପକୃତ ହୋଇଛନ୍ତି । ୪୩.୮୮ ଲକ୍ଷ କ୍ଷୁଦ୍ର ଚାଷୀ  ଓ ୧୮.୯୩ ଲକ୍ଷ ଭୂମିହନ ଚାଷୀଙ୍କୁ କାଳିଆ ଯୋଜନା ରେ ସହାୟତା ମିଳିଛି। ମାଣ୍ଡିଆକୁ ବିଶ୍ୱ ଦରବାର ସ୍ତରରେ ପହଞ୍ଚାଇବାକୁ ମୋ ସରକାର ଆରମ୍ଭ କରିଛନ୍ତି ମିଶନ ମିଲେଟ୍ । ୨୦୨୨-୨୩ ରେ ୬.୦୩ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ ହୋଇଛି। ୧୧୩.୭୬ ରାସନ କାର୍ଡ ଧାରୀଙ୍କୁ ୪ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ଦିଆଯାଇଛି। 

ଯୋଜନା, ପ୍ରକଳ୍ପ-: 
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଅଧିନରେ ମୋ ସରକାର ବରିଷ୍ଠ ନାଗରିକକୁ ଦେଶର ଧାମ ବୁଲାଇବାରେ ଅନେକ ସହାୟକ ହୋଇଛନ୍ତି । ଏହି ଆଧାରରେ  ୧୩ ହଜାର ବରିଷ୍ଠ ନାଗରିକ ଉପକୃତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି। ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି। ୫-ଟି ଓ ମୋ ସରକାର ପ୍ରଶାସନିକ ଦିଗରେ ଏକ ନୂତନ ଯୁଗ ଆରମ୍ଭ କରିଛି । ଏହାଦ୍ୱାରା ସରକାର ଓ ଲୋକଙ୍କ ମଧ୍ୟରେ ଦୂରତା କମିଛି । ମହିଳା ସଶକ୍ତିକରଣ, ସ୍କୁଲ ରୂପାନ୍ତରଣ, ପୁଞ୍ଜି ନିବେଶ, ଖାଦ୍ୟ ସୁରକ୍ଷା, ଯୁବବର୍ଗଙ୍କୁ ଦକ୍ଷ କରିବା ଦିଗରେ ସରକାର କାର୍ଯ୍ୟ କରୁଛି । ଓଡ଼ିଶାର ଶାସନ ବ୍ୟବସ୍ଥା ପାରଦର୍ଶୀ ଓ ସୁଶାସନର ପ୍ରତୀକ ଭାବେ ଉଭା ହୋଇଛି ।

ସ୍ୱାସ୍ଥ୍ୟ, ଶିକ୍ଷା-: 
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୩.୫ କୋଟି ଲୋକଙ୍କ ପାଖରେ ପହଞ୍ଚିଛି। ୭୫୦ କୋଟି ଟଙ୍କାରେ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଛି।  ରାଜ୍ୟରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇଛି। ସରକାରଙ୍କ ଯୋଜନା ଓ ଉନ୍ନତା ମାନର ସ୍ୱାସ୍ଥ୍ୟସେବା କାରଣରୁ ଶିଶୁମୃତ୍ୟୁ ହାର କମିଛି। ଏହା ସହ ଶିଶୁ ମୃତ୍ୟହାର ହ୍ରାସରେ ଓଡ଼ିଶା ଦେଶରେ ପ୍ରଥମ ।  ୩୪୧୧ କୋଟି ଖର୍ଚ୍ଚରେ ୬୮୭୨ ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି। କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି। 

ଓଡ଼ିଶାରେ IT ସେକ୍ଟର-:
ଭୁବନେଶ୍ୱରରେ ପ୍ରମୁଖ ଆଇଟି, ଇଲେକ୍‌ଟ୍ରୋନିକ୍ସ କମ୍ପାନି ଏବଂ ବୃତିଗତ ସେବା ସଂସ୍ଥା ସେମାନଙ୍କ କେନ୍ଦ୍ର ଖୋଲିଛନ୍ତି । ଆଇବିଏମ୍, ଡେଲଏଟ୍, ଇଏଣ୍ଡୱାଇ, ସିନୋପସିସ୍, ପିଡବ୍ଲ୍ୟୁସି, ହାପିଏଷ୍ଟ ମାଇଣ୍ଡସ୍, କନସେଣ୍ଡ୍ରିକ୍ସ ଭଳି ନାମୀଦାମୀ କମ୍ପାନି ଅନ୍ତର୍ଭୁକ୍ତ । ଗତ ୫ ବର୍ଷ ମଧ୍ୟରେ ରାଜ୍ୟର ଆଇଟି ରପ୍ତାନି ୮୭.୫% ବୃଦ୍ଧି ପାଇଛି । ୨୦୧୮-୧୯ ରେ ଏହା ୪୦୦୦ କୋଟି ଟଙ୍କା ରହିଥିବାବେଳେ ୨୦୨୩-୨୪ ସୁଦ୍ଧା ଏହା ୭୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆଇଟି କ୍ଷେତ୍ରରେ ନିୟୋଜିତ ଲୋକଙ୍କ ସଂଖ୍ୟା ୨୦୧୮-୧୯ ରେ ୨୦,୦୦୦ ଥିଲାବେଳେ ୨୦୨୨-୨୩ ରେ ୪୦୦୦୦ କୁ ବୃଦ୍ଧି ପାଇଛି । ରାଜ୍ୟରେ ପୁଞ୍ଜିନିବେଶ ପ୍ରବାହକୁ ପ୍ରୋତ୍ସାହିତ କରିବା ପାଇଁ ମୋ ସରକାର ଇଲେକଟ୍ରୋନିକ୍‌ ନୀତି, ଆଇଟି ନୀତି, ବିପିଓ ନୀତି ଏବଂ ଡାଟା ସେଣ୍ଟର ନୀତି ପ୍ରଣୟନ କରିଛନ୍ତି । ନିକଟରେ ମୋ ସରକାର ସେମିକଣ୍ଡକ୍ଟର ଡିଜାଇନ୍ ୟୁନିଟ୍ ଏବଂ ସପ୍ଲାଏ ଚେନ୍ ୟୁନିଟ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ସହିତ ଦେଶର ଚତୁର୍ଥ ରାଜ୍ୟ ଭାବେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପାଇଁ ଉତ୍ସର୍ଗୀକୃତ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସେମିକଣ୍ଡକ୍ଟର ମାନୁଫାକ୍‌ଚରିଂ ଏବଂ ଫାବଲେସ୍ ନୀତି, ୨୦୨୩ ପ୍ରଣୟନ କରିଛନ୍ତି । ଏକ ଅନୁକୂଳ ସେମିକଣ୍ଡକ୍ଟର ଇକୋ –ସିଷ୍ଟମର ବିକାଶ ପାଇଁ ମୋ ସରକାର ଖୁବ୍‌ଶୀଘ୍ର ଓ-ଚିପ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି କହିଛନ୍ତି ରାଜ୍ୟପାଳ । 

ଖାଦ୍ୟ, ପାନୀୟ ଓ ବାସଗୃହ-
ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣା ପ୍ରଦାନ କରାଯାଉଛି। ଅନ୍ତୋଦୟ ଅନ୍ନ ଯୋଜନାରେ  ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପରିବାରକୁ ରାଜ୍ୟ ସରକାର ଚାଉଳ ପ୍ରଦାନ କରୁଛନ୍ତି । ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି । ୧୭.୧୧ ଲକ୍ଷ ଚାଷୀଙ୍କ ଠାରୁ ୭୯.୧୬ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଛି। ନ୍ୟୁୟର୍କ, ଟୋକିଓ ଓ ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା ଚାଲିଛି । ଡ୍ରିଙ୍କ ଫ୍ରମ ଟ୍ୟାପରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ଦ୍ୱିତୀୟ ସହର । ୨୪ ସହରାଞ୍ଚଳର ୨୩ ଲକ୍ଷ ବାସିନ୍ଦା ଡ୍ରିଙ୍କ ଫ୍ରମ୍ ଟ୍ୟାପ ସୁବିଧା ପାଉଛନ୍ତି । ରାଜ୍ୟର ୪୦ ପ୍ରତିଶତ ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି। ୨୦୧୪-୧୫ ରୁ ଏଯାଏଁ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି। ସମୟ ପୂର୍ବରୁ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି। ମଧ୍ୟବିତ୍ତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ 'ମୋ ଘର' ଆରମ୍ଭ ହୋଇଛି। 'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଦିଆଯାଇଛି। ରାଜ୍ୟର ୧୦ ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି। ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳ ବସ୍ତିମୁକ୍ତ ହେବ। 

ମିଶନ ଶକ୍ତି-ଖାଦ୍ୟଶସ୍ୟ ରେକର୍ଡ-:
ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ ୫ଲକ୍ଷ ଯାଏଁ ଋଣ ମିଳୁଛି। ଆନ୍ତଃ-ଜାତି ବିବାହକୁ ସ୍ୱୀକୃତି ପାଇଁ ଦମ୍ପତିଙ୍କୁ ୨.୫ ଲକ୍ଷ ପ୍ରୋତ୍ସାହନ ମିଳୁଛି। ୫୩.୦୯ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି। ୨୦୨୨-୨୩ରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୪୧.୩୬ ମେଟ୍ରିକ ଟନରେ ପହଞ୍ଚିଛି । ଯାହା ୨୦୦୦-୦୧ରେ ୫୫.୩୫ ଲକ୍ଷ ମେଟ୍ରିକ ଟନ୍ ଥିଲା । ଆଧୁନିକ କୃଷି ପଦ୍ଧତି ଦ୍ୱାରା କୃଷିକ୍ଷେତ୍ରକୁ ବିକଶିତ କରୁଛନ୍ତି ରାଜ୍ୟ ସରକାର । ପ୍ରାକୃତିକ ବିପର୍ଯ୍ୟୟ ସତ୍ତେ୍ୱ ମଧ୍ୟ ଓଡ଼ିଶା କୃଷି କ୍ଷେତ୍ରରେ ଆଗୁଆ ରାଜ୍ୟ ଭାବେ ଉଭା ହୋଇଛି । ମିଲେଟ ମିଶନ ଆରମ୍ଭ କରି ଓଡ଼ିଶା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ୧୦ ନଭେମ୍ବରକୁ ମିଲେଟ ଦିବସ ଭାବେ ପାଳନ କରୁଥିବା ଦେଶର ପ୍ରଥମ ରାଜ୍ୟ ପାଲଟିଛି ଓଡ଼ିଶା । କୃଷକଙ୍କୁ ଆର୍ଥିକ ସହାୟତା ଦେବାକୁ କାଳିଆ ଯୋଜନା ଜାରି ରଖିଛନ୍ତି ରାଜ୍ୟ ସରକାର ।

ନିଯୁକ୍ତି-:
ରାଜ୍ୟରେ ମୁଣ୍ଡପିଛା ଆୟ ବଢିଥିବା କହିଲେ ରାଜ୍ୟପାଳ । ଆକଳନ ଅନୁଯାୟୀ, ୨୦୨୨-୨୩ ରେ ମୁଣ୍ଡପିଛା ଆୟ ୧.୫୧ ଲକ୍ଷ , ସେହିପରି ୨୦୨୧-୨୨ ରେ ମୁଣ୍ଡପିଛା ଆୟ ରହିଥିଲା ୧.୨୯ ଲକ୍ଷ । ବେକାରୀ ଅଭିବୃଦ୍ଧି ହାର କମିଥିବା କହିଲେ ରାଜ୍ୟପାଳ । ବିଗତ ୫ ବର୍ଷରେ ମୋଟ ୪୬, ୯୮୬ ପ୍ରାର୍ଥୀଙ୍କୁ ସରକାରୀ ଚାକିରି । ଅଭିଭାଷଣରେ ସରକାରୀ ନିଯୁକ୍ତି ସଂଖ୍ୟା କହିଲେ ରାଜ୍ୟପାଳ । ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ୧୫, ୦୯୬ ନିଯୁକ୍ତି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଜରିଆରେ ୧୨, ୯୮୮ ନିଯୁକ୍ତି । ଓଡ଼ିଶା ସବୋଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ୧୮ ହଜାର ୯୦୨ ନିଯୁକ୍ତି । 

ଯାତାୟାତ ସୁବିଧା-: 
ଜନସାଧାରଣଙ୍କୁ ଦ୍ରୁତ, ସୁବିଧାଜନକ, ଆଧୁନିକ ଏବଂ ସୁଲଭ ପରିବହନ ସେବା ଯୋଗାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଏବଂ ପୁରୀ ସହରରେ ରେଳଭିଭିକ ଦ୍ରୁତ ସାଧାରଣ ପରିବହନ ବ୍ୟବସ୍ଥା ପ୍ରତିଷ୍ଠା, ପରିଚାଳନା ତଥା ରକ୍ଷଣାବେକ୍ଷଣ ନିମନ୍ତେ ମୋ ସରକାର ପ୍ରତିବଦ୍ଧ । ଏହି ଆକାଂକ୍ଷିତ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହୋଇ ମୋ ସରକାର ‘ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଲିମିଟେଡ୍’ ଗଠନ କରିଛନ୍ତି ଏବଂ ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର ବିମାନବନ୍ଦର ସହିତ ତ୍ରିଶୂଳିଆ ଛକକୁ ସଂଯୁକ୍ତ କରାଯାଉଛି । ୨୦୨୭ ଶେଷ ସୁଦ୍ଧା ପ୍ରାୟ ୬,୨୫୬ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖଯାଇଛି । ସେହିପରି ୩୦ ଜିଲ୍ଲାରେ ୬୭୯୮ ପଞ୍ଚାୟତରେ ଗଡ଼ିବ ଲକ୍ଷ୍ମୀ ବସ୍ । 

ଆଇନଶୃଙ୍ଖଳା ପରିସ୍ଥିତି-: 
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ମାଓ ବିରୋଧୀ ଅଭିଯାନରେ ପୋଲିସକୁ ସଫଳତା ମିଳିଛି। ମୁଖ୍ୟସ୍ରୋତକୁ ଫେରିଛନ୍ତି ମାଓବାଦୀ, ମାଓ ହିଂସା କମିଛି । ଶାନ୍ତିପୂର୍ଣ୍ଣ ରାଜ୍ୟ ଓଡ଼ିଶାରେ ସାମଗ୍ରିକ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ସ୍ଥିର ଓ ପୂର୍ଣ୍ଣ ରହିଛି । ମୋ ସରକାରଙ୍କ ସକ୍ରିୟ ସାମରିକ ଏବଂ ପ୍ରଶାସନିକ ପ୍ରତିକ୍ରିୟା ଫଳରେ ନକ୍ସଲବାଦ ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି । ପୁଲିସ କାର୍ୟ୍ୟାନୁଷ୍ଠାନରେ ୪୨ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ହୋଇଥିବାବେଳେ ୬୩ ଜଣ ଆତ୍ମସମର୍ପଣ କରିଛନ୍ତି । ଏହା ବ୍ୟତୀତ ମାଓ ବିରୋଧି ଅଭିଯାନ ସମୟରେ ୧୬୨ ବନ୍ଧୁକ, ୪୮୦ ବିସ୍ଫୋରକ ସାମଗ୍ରୀ ଓ ମାଓ କାର୍ୟ୍ୟକଳାପରେ ବ୍ୟବହୃତ ବହୁ ପରିମାଣର ସାମଗ୍ରୀ ଜବତ କରାଯାଇଛି । ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ଏବେ ୨୧ରୁ ୧୦କୁ ହ୍ରାସ ପାଇଛି ।

ଚଳିତ ବଜେଟ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ଥିବାବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ  ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।  ୮ତାରିଖରେ ଅର୍ଥମନ୍ତ୍ରୀ କାମଚଳା ବଜେଟ୍ ଉପସ୍ଥାପନ କରିବେ ଓ ୯ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ ।