New Governor of Odisha: ରଘୁବର ଦାସ ଓଡ଼ିଶା ରାଜ୍ୟପାଳ ନିଯୁକ୍ତ
Advertisement
Article Detail0/zeeodisha/odisha1921410

New Governor of Odisha: ରଘୁବର ଦାସ ଓଡ଼ିଶା ରାଜ୍ୟପାଳ ନିଯୁକ୍ତ

Odisha New Governor: ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ। 

 

New Governor of Odisha: ରଘୁବର ଦାସ ଓଡ଼ିଶା ରାଜ୍ୟପାଳ ନିଯୁକ୍ତ

Raghubar Das appointed as Governor of Odisha: ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ। ନୂତନ ରାଜ୍ୟପାଳ ନିଯୁକ୍ତି ସମ୍ପର୍କରେ ଅକ୍ଟୋବର ୧୮ ତାରିଖ ବୁଧବାର ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ରଘୁବର ଦାସ ବର୍ତ୍ତମାନର ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ସ୍ଥାନ ନେବେ। ଗତ ୨୦୧୮ ମେ ୨୯ ତାରିଖରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ପ୍ରଫେସର ଗଣେଶୀ ଲାଲ୍।

ଓଡ଼ିଶା ରାଜ୍ୟପାଳ ପଦଭାର ଗ୍ରହଣ କରିବା ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳି ସାରିଛନ୍ତି ରଘୁବର ଦାସ। ରାଜ୍ୟର ପୂର୍ବ ଜାମସେଦପୁର ଆସନରୁ ଝାଡଖଣ୍ଡ ବିଧାନସଭାକୁ ଲଗାତାର ୫ ଥର ପ୍ରତିନିଧିତ୍ୱ କରିଥିଲେ।  ଗତ ୨୦୧୪ ଡିସେମ୍ବର ୨୮ ତାରିଖରୁ ୨୦୧୯ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଷଷ୍ଠ ତମ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ରଘୁବର ଦାସ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପୂର୍ବରୁ ୨୦୦୯ ଡିସେମ୍ବର ୩୦ ତାରିଖରୁ ୨୦୧୦ ମେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଚତୁର୍ଥ ଉପମୁଖ୍ୟମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିଲେ ରଘୁବର ଦାସ। ରାଜ୍ୟର ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ତାଙ୍କ ନାମରେ ରହିଛି। ସେ ହେଉଛନ୍ତି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ୫ ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଛନ୍ତି।

୧୯୫୫ ମସିହା ମେ ୩ ତାରିଖରେ ଝାଡଖଣ୍ଡ ଜାମସେଦପୁର (Jamshedpur Area Jharkhand) ଠାରେ ଜନ୍ମଗ୍ରହଣ କରିଥିଲେ ରଘୁବର ଦାସ। ସ୍ଥାନୀୟ ଭାଲୁବାସା ହରିଜନ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ଜାମସେଦପୁର ସମବାୟ ମହାବିଦ୍ୟାଳୟରୁ ବି.ଏସ.ସି ଡିଗ୍ରୀ ହାସଲ କରିଥିଲେ। ସେହି ସମାନ ମହାବିଦ୍ୟାଳୟରୁ ସେ ଆଇନ ଡିଗ୍ରୀ ହାସଲ କରି ଟାଟା ଷ୍ଟିଲ ଠାରେ ଏକ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ରାଜନୀତିକୁ ଆସିବା ପୂର୍ବରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ କାର୍ମକର୍ତ୍ତା ଭାବେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ ରଘୁବର ଦାସ (Raghubar Das)।

୧୯୮୦ ମସିହାରେ ଜଣେ ବିଜେପି ପ୍ରତିଷ୍ଠାତା ସଦସ୍ୟ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ରଘୁବର ଦାସ (BJP Leader Raghubar Das)। ୧୯୮୦ ମସିହାରୁ ୧୯୯୫ ଦଳର ବିଭିନ୍ନ ସାଙ୍ଗଠନିକ ଦାୟିତ୍ୱରେ ରହିଥିଲେ। ସର୍ବପ୍ରଥମେ ୧୯୯୫ ପୂର୍ବ ଜାମସେଦପୁର ଆସନରୁ ସେତେବେଳର ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୦ ମସିହାରୁ ପୂର୍ବ ଜାମସେଦପୁର ଆସନରୁ (Jamshedpur East Assembly Constituency) ଲଗାତାର ୪ ଥର ଝାଡଖଣ୍ଡ ବିଧାନସଭାକୁ (Jharkhand Legislative Assembly) ପ୍ରତିନିଧିତ୍ୱ କରିଥିଲେ। ୨୦୦୦ ମସିହାରେ ରାଜ୍ୟର ଶ୍ରମ ନିୟୋଜନ ମନ୍ତ୍ରୀ ପଦରେ ରହିଥିଲେ। ପରେ ୨୦୦୫ ମସିହାରେ ନଗର ଉନ୍ନୟନ ଏବଂ ବାଣିଜ୍ୟ କର ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଗତ ୨୦୦୪ ମସିହାରେ ଝାଡ଼ଖଣ୍ଡ ବିଜେପି ରାଜ୍ୟ ଶାଖା ସଭାପତି ନିଯୁକ୍ତ ହୋଇଥିଲେ ରଘୁବର ଦାସ। ୨୦୧୪ ଅଗଷ୍ଟ ୧୬ ତାରିଖରେ ତାଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା।