ଚାଉଳ ଏଟିଏମ୍‍: ଯୋଗାଣମନ୍ତ୍ରୀ ଅଜ୍ଞ ନା ଅଫିସରଙ୍କ କାରସାଦି
Advertisement
Article Detail0/zeeodisha/odisha2302752

ଚାଉଳ ଏଟିଏମ୍‍: ଯୋଗାଣମନ୍ତ୍ରୀ ଅଜ୍ଞ ନା ଅଫିସରଙ୍କ କାରସାଦି

Rice ATM in Odisha: ପ୍ରଥମେ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ଏକ ଏଟିଏମ୍‍ ବସାଯିବ ଏହାପରେ ସବୁ ଜିଲ୍ଲା ମୁଖ୍ୟାଳୟରେ ଚାଉଳ ଏଟିଏମ୍‍ ଖୋଲି ସହଜରେ ଚାଉଳ ବାଣ୍ଟିବେ ସରକାର।

Rice ATM in Odisha

ଭୁବନେଶ୍ୱର: ରାଜ୍ୟରେ ଚାଉଳ ଏଟିଏମ୍‍ ଖୋଲିବ। ପ୍ରଥମେ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ଏକ ଏଟିଏମ୍‍ ବସାଯିବ ଏହାପରେ ସବୁ ଜିଲ୍ଲା ମୁଖ୍ୟାଳୟରେ ଚାଉଳ ଏଟିଏମ୍‍ ଖୋଲି ସହଜରେ ଚାଉଳ ବାଣ୍ଟିବେ ସରକାର। ଏହା ପୁଣି ପ୍ରଥମଥର ଲାଗି ହେବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେବା ପରେ ଏବେ ମିଡିଆରେ ଚର୍ଚ୍ଚା ଯେ, ଅଫିସରଙ୍କ ଫନ୍ଦି ଫିକରରେ ପଡ଼ିଛନ୍ତି ସରକାରଙ୍କ ମନ୍ତ୍ରୀ। ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନିନ୍ଦିତ କରିବା ପାଇଁ ଏହା କିଛି ଅମଲାଙ୍କ ବୁଝି ବିଚାରି ଚାଲାକି ହୋଇପାରେ ବୋଲି କୁହାଯାଉଛି। 

ଶୁକ୍ରବାର ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମରେ ସୂଚନା ଦେଇଥିଲେ ଯେ, ରାଜ୍ୟରେ ଚାଉଳ ଏଟିଏମ୍‍ ଖୋଲି ସ୍ୱଚ୍ଛତାର ସହ ଚାଉଳ ବଣ୍ଟନ ହେବ। ଏହା ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ବସାଯିବ ଏବଂ ପରେ ସବୁଜିଲ୍ଲାକୁ ବ୍ୟାପି।    କିନ୍ତୁ ଏଠାରେ ଦର୍ଶାଯାଇପାରେ ଯେ, ଏହି ଚାଉଳ ଏଟିଏମ୍‍  ପ୍ରଥମଥର ପାଇଁ ଭୁବନେଶ୍ୱରରେ ୧୯ ନଭେମ୍ବର ୨୦୨୨ରେ  ଖୋଲାଯାଇଥିଲା।  ୟୁନିଟ୍‍ ୪ ଅଞ୍ଚଳର ଏକ ମୈତ୍ରୀ  ଷ୍ଟୋରରେ ଏହାକୁ ଆରମ୍ଭ କରାଯାଇଥିଲା। କିନ୍ତୁ ଏଥିରେ ବାରମ୍ବାର ସଫ୍ଟଓ୍ୱେର ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଧ୍ୟାନ ଆକର୍ଷଣରେ ବିଫଳତା ହେତୁ ଏହି ମସିନ ଠିକଣା ଭାବରେ କାମ କରିଲା ନାହିଁ। ଏଣୁ ଏବେ ତାହା ବନ୍ଦ ହୋଇ ପଡ଼ିରହିଛି। ସେହିଦିନ ଓଡ଼ିଶାର ଭୁବନେଶ୍ୱର ସମେତ ହରିଆନାର ଗୁରୁଗାଓଁ, ଉତ୍ତରାଖଣ୍ଡର ଡେରାଡୁନ ଓ ଉତ୍ତର ପ୍ରଦେଶର ବାରାଣାସୀ ଏହି ଚାଉଳ ଏଟିଏମ୍‍ କାର୍ଯ୍ୟକାରୀ କରାଯାଇଥିଲା ବୋଲି କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ସଞ୍ଜିବ ଚୋପ୍ରା ସୂଚନା ଦେଇଥିଲେ।

୧୯ ନଭେମ୍ବର ୨୦୨୨ରେ ଚାଉଳ ଏଟିଏମ୍‍ ଆରମ୍ଭ କରିବାରେ ଯେଉଁମାନେ ପୁରୋଧା ଥିଲେ ସେହି ଅଫିସରମାନେ ଶୁକ୍ରବାର ଦିନ ମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇବାରେ ପୁରୋଧା ସାଜିଥିବା ଚର୍ଚ୍ଚା ହେଉଛି। ରାଜ୍ୟରେ କାମ କରୁଥିବା ବିଶ୍ୱ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଅଧିକାରୀ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ତତ୍କାଳୀନ ସ୍ୱତନ୍ତ୍ର ସଚିବ ଏମ. କିୟୁ. ହକ୍‍ ଏହି ଚାଉଳ ଏଟିଏମ୍‍କୁ ୨୦୨୨ରେ ଆରମ୍ଭ କରି ଲୋକମାନଙ୍କୁ ପୁଷ୍ଟିକର ଚାଉଳ ଯୋଗାଇ ଦେବାକୁ ଗୁରୁତ୍ୱାରୋପ କରିଥିଲେ। ଅର୍ଥାତ୍‍ କିଛିଦିନ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଦାୟିତ୍ୱ ନେଇଥିବା ମନ୍ତ୍ରୀଙ୍କୁ ଭଆଁ ବୁଲାଇ ତାଙ୍କ ମୁହଁରେ ଅସତ୍ୟ କୁହାଇଥିବା ଚର୍ଚ୍ଚା ହେଉଛି।    
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ତତ୍କାଳୀନ ସ୍ୱତନ୍ତ୍ର ସଚିବ ଏମ. କିୟୁ. ହକ୍‍ ଅବସର ପରେ ଏବେ ବିଭାଗର ଓଏସ୍‍ଡି ତଥା ସ୍ୱତନ୍ତ୍ର ସଚିବ ଭାବରେ କାମ କରୁଛନ୍ତି। ତାଙ୍କ ଉପରେ ବିଭାଗର ସଚିବ ବୀର ବିକ୍ରମ ସିଂହ ଯାଦବ ଏତେ ନିର୍ଭରଶୀଳ ଯେ ଅବସର ପରେ ଦୁଇ ବର୍ଷ ପାଇଁ ହକ୍‍ଙ୍କୁ ଆଉଟସୋର୍ସିଂ କରି ନିଯୁକ୍ତି ଦିଆଯାଇଛି। ଗତ ଶୁକ୍ରବାର ଦିନ ମନ୍ତ୍ରୀଙ୍କ ସହିତ ବୈଠକରେ ଏହି ଆଉଟସୋର୍ସିଂ ଅଧିକାରୀ ଜଣଙ୍କ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଅଧିକାରୀଙ୍କୁ ସାଙ୍ଗରେ ଆଣି ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଭୁଲ୍‍ ଘୋଷଣା କରାଇଛନ୍ତି।

ଏହି ପରାମର୍ଶଦାତାମାନେ ଯେ କେବଳ ଗୋଟିଏ ବିଭାଗରେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ତାହା ନୁହେଁ। ସେମାନେ ସରକାରଙ୍କ କାମରେ ଆସୁ ନାହାନ୍ତି ବୋଲି ଖୋଦ ସରକାର ଅନୁଭବ କରିଥିବାରୁ ଆଜି ସମସ୍ତ ପରାମର୍ଶଦାତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।