Raja Celebration: ଆଜି ପହିଲି ରଜ: ପୂରା ରାଜ୍ୟ ବେଶ ଉତ୍ସବ ମୁଖର
Advertisement
Article Detail0/zeeodisha/odisha1736868

Raja Celebration: ଆଜି ପହିଲି ରଜ: ପୂରା ରାଜ୍ୟ ବେଶ ଉତ୍ସବ ମୁଖର

ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ। ତିନିଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ। ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ। 

Raja Celebration: ଆଜି ପହିଲି ରଜ: ପୂରା ରାଜ୍ୟ ବେଶ ଉତ୍ସବ ମୁଖର

Raja Celebration:  ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟର ଗଣପର୍ବ ରଜ । ତିନିଦିନ ଧରି ପାଳନ ହେବାକୁ ଥିବା ଏହି ରଜ ପର୍ବ ପାଇଁ ପୂରା ରାଜ୍ୟ ବେଶ ଉତ୍ସବମୁଖର। ଗାଁ ଗଣ୍ଡା ଠାରୁ ଆରମ୍ଭ କରି ସହରର ଗଳିକନ୍ଦି ପର୍ଯ୍ୟନ୍ତ ରଜର ମାହୋଲ ଜମିଛି। ଦୋଳିରେ ପିଲାମାନେ ଝୁଲୁଥିବାର ନଜର ଆସିଛି।  ଏହି ଉପଲକ୍ଷେ ଜମିଛି ରଜ ଆସର। ସବୁ ବର୍ଷ ଭଳି ରଜପର୍ବ ପାଳନ ପାଇଁ ଓଟିଡିସି ପକ୍ଷରୁ ଭୁବନେଶ୍ୱର ପାନ୍ଥନିବାସରେ ବ୍ୟାପକ ଆୟୋଜନ କରାଯାଇଛି । ପାନ୍ଥ ନିବାସରେ ହେବାକୁ ଥିବା ରଜ ମହୋତ୍ସବ ବୁଧବାର ଠାରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିବ। ଏଠାରେ ଲୋକଙ୍କ ପାଇଁ ପୋଡ଼ ପିଠା, କାକରା ପିଠା, ରଜପାନ ସହ ବିଭିନ୍ନ ପ୍ରକାରର ମିଠା ଓ ମିଠା ବିକ୍ରି ହେବ ।

ସେହିପରି ଯେଉଁମାନେ ପାନ୍ଥନିବାସ ଆସି ପାରୁନାହାଁନ୍ତି, ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ପିଠା ଅନ୍ ହ୍ୱିଲ୍ ହାତକୁ ନିଆଯାଇଛି । ଏହି ପିଠାଗାଡ଼ି ସହରର ବିଭିନ୍ନ ସ୍ଥାନରେ ବୁଲି ରଜ ପିଠା ପହଞ୍ଚାଇବ। ଗତବର୍ଷ ଭଳି ଏଥର ବି ପିଠା ଦର ସମାନ ରହିଛି। ପୋଡ଼ ପିଠା କିଲୋ ପିଛା ୪ ଶହ ଟଙ୍କା ରଖାଯାଇଥିବା ବେଳେ କାକରା ମଣ୍ଡା ପିଠା ଗୋଟାକୁ ୨୦ ଟଙ୍କା ରଖାଯାଇଛି।

ସୂଚନାଯୋଗ୍ୟ ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ। ତିନିଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ। ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ। 

ତେବେ ଏହି ପର୍ବ ଠାରୁ ଚାଷ କାର୍ଯ୍ୟର ଆରମ୍ଭ ହୋଇଥାଏ। ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ। ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ।

ବିଶେଷତ୍ୱ
ରଜ ପର୍ବକୁ ନେଇ ଅନେକ ଲୋକ ବିଶ୍ୱାସ ରହି ଆସିଛି। ରଜ ତିନିଦିନକୁ ନେଇ ମହିଳା ତଥା ଯୁବତୀମାନଙ୍କୁ ନେଇ ଇତିହାସରେ ଅନେକ କଥା ଲେଖାଯାଇଛି। ଆଷାଢ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ। ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା'ନ୍ତି। ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ଗ୍ରହଣ କରାଯାଏ। ବିରହ, ବିଧୂର ଯକ୍ଷର ପ୍ରିୟା ଉଦ୍ଦେଶ୍ୟରେ ମେଘ ମାଧ୍ୟମରେ ପ୍ରେରିତ ବାର୍ତ୍ତାକୁ ନେଇ ମହାକବି କାଳିଦାସଙ୍କ ରଚିତ "ମେଘଦୂତ' ମହାକାବ୍ୟ ଏକ ଅନବଦ୍ୟ ସାଂସ୍କୃତିକ ବୌଦ୍ଧିକ ପ୍ରତିଲିପି ଓ ଇତିକଥା। ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମଦେଶରେ ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । 

ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ। ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିାଇଁ ଭୂ ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । ଜଣେ ନାରୀଭାବେ ଆଗାମୀ ଦିନରେ କିରି କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ, ତାହା କୁମାରୀମାନଙ୍କୁ ଶିଖିବାକୁ ପଡ଼ିଥାଏ, ଏହି ରଜ ପର୍ବ ପାଳନ ଅବସରରେ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି । 

Also Read: Boat Tragedy: ପହିଲି ରଜ ପୂର୍ବରୁ ବଡ଼ଧରଣର ଅଘଟଣ, ନଦୀ ମଝିରେ ଡଙ୍ଗା ବୁଡ଼ି ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ

Also Read: Rahu Gochar 2023: ଏହି ଦିନ ମୀନ ରାଶିରେ ପ୍ରବେଶ କରିବେ ରାହୁ, ବଦଳିବ ୪ ରାଶିଙ୍କ ଭାଗ୍ୟ!

Also Read: Bihar: ୪ ହାତ, ୪ ଗୋଡ ଓ ୪ କାନ ମଧ୍ୟ ରହିଛି, ବିହାରର ଘରୋଇ ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ, ଦେଖିବା ପାଇଁ ପ୍ରବଳ ଭିଡ଼