ସାତ ଦିନରେ ସାତ ପ୍ରସଙ୍ଗ: ସରକାର କେମିତି ରହିଲେ ଚାପରେ, ସମୟପୂର୍ବରୁ ବନ୍ଦ କଲେ ଅଧିବେଶନ
Advertisement
Article Detail0/zeeodisha/odisha1899548

ସାତ ଦିନରେ ସାତ ପ୍ରସଙ୍ଗ: ସରକାର କେମିତି ରହିଲେ ଚାପରେ, ସମୟପୂର୍ବରୁ ବନ୍ଦ କଲେ ଅଧିବେଶନ

Odisha News: ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକଙ୍କ ଏହି ପ୍ରଥମ ଅଧିବେଶନ ଅନେକ ଦୃଷ୍ଟିରୁ ସ୍ମରଣୀୟ ରହିବ। କାରଣ ଏଥିରେ ଶାସକ ଦଳ କମ୍‍ ବିରୋଧୀଙ୍କ ଗୁରୁତ୍ୱ ଅଧିକ ଦେଖିବାକୁ ମିଳିଥିଲା। ଏହାର କାରଣ ବିରୋଧୀଙ୍କୁ ଅଧିକ ସୁଯୋଗ ତା ନୁହେଁ ବରଂ ପରିଚାଳନାଗତ ତ୍ରୁଟି ବୋଲି କୁହାଯାଇପାରେ। 

ସାତ ଦିନରେ ସାତ ପ୍ରସଙ୍ଗ: ସରକାର କେମିତି ରହିଲେ ଚାପରେ, ସମୟପୂର୍ବରୁ ବନ୍ଦ କଲେ ଅଧିବେଶନ

Odisha News: ଭୁବନେଶ୍ୱର: ଏବର୍ଷ ବିଧାନସଭାର ମୌସୁମୀ ଅଧିବେଶନରେ ସରକାରୀ ଦଳ ଚାପରେ ଥିଲାଭଳି ମନେ ହୋଇଛି। ବିରୋଧୀଙ୍କ ପ୍ରତିଟି ପ୍ରସଙ୍ଗକୁ ପୂର୍ବରୁ ଅଣଦେଖା କରୁଥିବା ବିଜେଡି ଏଥର ନିଜର ନୀତିକୁ ବଜାୟ ରଖିବାରେ ଅସମର୍ଥ ହୋଇଛି। ଏପରିକି ‘କଣ୍ଟାକୁ କଣ୍ଟାରେ କାଢ଼ିବା’ ନୀତି ମଧ୍ୟ ଶାସକ ଦଳର ପାଣି ଫୋଟକା ଭଳି ମଉଳି ଯାଇଛି। ମୋଟା ମୋଟି ଭାବେ ଏହି ସାତ ଦିନରେ ଉଠିଥିବା ସାତ ପ୍ରମୁଖ ପ୍ରସଙ୍ଗ ଗୃହ କାର୍ଯ୍ୟକୁ ସ୍ୱଭାବିକ ଭାବେ ଚଳାଇ ଦେଇ ନାହିଁ। ଏହି ସାତ ପ୍ରସଙ୍ଗରୁ ୫ଟି  ଶାସକ ବିଜେଡି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାରୁ ବାଧ୍ୟ ହୋଇ ବାଚସ୍ପତି ସମୟ ପୂର୍ବରୁ ବିଧାନସଭାକୁ ବନ୍ଦ କରିଛନ୍ତି।  

ଅଧିବେଶନର ପ୍ରଥମ ଦିନ ସ୍ୱଭାବିକ ଥିଲା। କାର୍ଯ୍ୟସୂଚୀ ଅନୁସାରେ ସବୁକିଛି ସମାପନ ହୋଇଥିଲା। ନୂତନ ବାଚସ୍ପତିଙ୍କ ଆସନ ଗ୍ରହଣ, ଦିବଂଗତଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହରେ ଅତିରିକ୍ତ ବଜେଟ୍‍ ଆଗତ ହୋଇଥିଲା। କିନ୍ତୁ ଦ୍ୱିତୀୟ ଦିନରୁ ଆରମ୍ଭ ହୋଇଥିଲା ଅଚଳାବସ୍ଥା। ଗୋଟିକ ପରେ ଗୋଟିଏ ପ୍ରସଙ୍ଗରେ ବିରୋଧୀ ଦଳ ସରକାରଙ୍କୁ ଘରିଥିଲେ। ପ୍ରସଙ୍ଗଗୁଡ଼ିକ ଏତେ ପ୍ରଭାବଶାଳୀ ଥିଲା ଯେ, ଶାସକ ଦଳ ଏହାର ଜବାବ ରଖିବାକୁ ବାଧ୍ୟ ହୋଇଥିଲେ।  

ପ୍ରଥମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହା ଶାସକ ଦଳ ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରିଥିଲା ତାହା ହେଲା ‘ ଶ୍ରଦ୍ଧା’ ପ୍ରସଙ୍ଗ।  ୨୦୨୨ ମସିହା ଜୁନ୍‍୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ‘ଶ୍ରଦ୍ଧା’ ନାମ୍ନୀ ମହିଳା ଭାଟିକାନ୍‍ ସିଟି ଗସ୍ତ କରିଥିଲେ। ସେ କେଉଁ କ୍ଷମତାରେ ମୁଖ୍ୟମନ୍ତ୍ରୀଙ୍କ ସହ ଭାଟିକାନ ସହର ଗଲେ ଏବଂ କିପରି ରାଜ୍ୟ ତହବିଲରୁ ତାଙ୍କ ପାଇଁ ଖର୍ଚ୍ଚ କରାଗଲା ତାହାକୁ ନେଇ ବିଜେପି ବିଧାୟକ ଦଳର ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଥିଲେ। ବିଜେପିର ବିଧାୟକମାନେ ତାଙ୍କ ଫଟୋକୁ ଧରି ବିଧାନସଭା ଚାରିକଡ଼ ବୁଲିଥିଲେ। ବିଜେପିର ସାଂସଦଙ୍କ ଠାରୁ ବିଧାୟକଙ୍କ ଯାଏ ଏ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ସଚେତନ କରିଥିଲେ। ପରେ ଚାରିଆଡ଼େ ‘ଶ୍ରଦ୍ଧା’ ନାଁରେ ଚର୍ଚ୍ଚା ହେଲା।  ଅବଶ୍ୟ ବାଚସ୍ପତି ଗୃହରେ ହୋଇଥିବା ‘ଶ୍ରଦ୍ଧା’ ପ୍ରସଙ୍ଗକୁ ରେକର୍ଡରୁ ବାହାରେ ରଖିଥିଲେ ଏବଂ ମିଡିଆକୁ ବି ପ୍ରକାଶନ ବାରଣ କରିଥିଲେ କିନ୍ତୁ ବିଜେପି ଗୃହ ବାହାରେ ଯେମିତି ଏହାର ପ୍ରଚାର କଲା ତାହା ସମସ୍ତ ମିଡିଆରେ ପ୍ରକାଶିତ ହୋଇଥିଲା।  

 ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଲା। ଆଉ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହେଲେ। ଶେଷ ଦିନରେ ହେଲେ ବି ସେ କହିଥିଲେ, ରାଜ୍ୟ ସରକାରଙ୍କ ପାଣ୍ଠିରେ ଶ୍ରଦ୍ଧା ଭାଟିକାନ୍‍ ଗସ୍ତ କରି ନାହାନ୍ତି। ତାଙ୍କୁ କୌଣସି ସରକାରୀ ଘର ପ୍ରଦାନ କରାଯାଇ ନାହିଁ। ସେ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଶ୍ରଦ୍ଧାଙ୍କୁ ନିଜର ଫିଜିଓ ଥେରାପିଷ୍ଟ ଭାବରେ ନିଯୁକ୍ତ କରିଛନ୍ତି।  

ଯଦିଓ ମୁଖ୍ୟମନ୍ତ୍ରୀ ଗୃହର ମୂଲ୍ୟବାନ ସମୟକୁ ଜନସ୍ୱାର୍ଥ ସମ୍ବଳିତ  ପ୍ରସଙ୍ଗ ଆଲୋଚନାରେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲା କିନ୍ତୁ ବିଧାନସଭାର ଗୃହ କାର୍ଯ୍ୟରୁ ବାଦ୍‍ ପଡ଼ିଥିବା ଏକ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିବା ନିହାତି ଭାବେ ବିରୋଧୀ ଦଳର ଚାପକୁ ପ୍ରଶମିତ କରିବା ଲାଗି ଉଦ୍ଦିଷ୍ଟ ଥିଲା।  

ଦ୍ୱିତୀୟ ପ୍ରସଙ୍ଗ ଯାହା ବିଧାନସଭାରେ ଚର୍ଚିତ ହୋଇଥିଲା ତାହା ଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଭିଯୋଗ ଗ୍ରହଣ। ୫-ଟି ସଚିବ ବ୍ୟକ୍ତିଗତ କାର୍ଯ୍ୟୃରେ ମନ୍ତ୍ରୀମାନଙ୍କ ନାଁରେ ହେଲିକପ୍ଟର ବୁକିଂ କରି ରାଜ୍ୟ ବୁଲୁଛନ୍ତି ବୋଲି ଅଭିଯୋଗ ଆସିଲା। ଏ ପ୍ରସଙ୍ଗରେ ବି ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଲେ। କିନ୍ତୁ ଏଥିରେ ଅରାଜି ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ବିରୁଦ୍ଧରେ ବିରୋଧୀ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ। ଏହା ଏପରି ପ୍ରଥମ ମାମଲା ଥିଲା। ବିଧାନସଭାରେ ବିରୋଧୀଙ୍କ ଶକ୍ତି କ’ଣ ତାହା ସମସ୍ତଙ୍କୁ ଜଳ ଜଳ ଦିଶିଲା।  

ବିରୋଧୀ ଦଳର ନେତାଙ୍କ ମନୋବଳ ଭାଙ୍ଗିବା ଲାଗି ଶାସକ ତାଙ୍କୁ ‘ମାନସିକ ବିକାର’ ରୋଗରେ ଆକ୍ରାନ୍ତ ବୋଲି କହିଥିଲେ। କିନ୍ତୁ ବିରୋଧୀ ଏ ବିରୁଦ୍ଧରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ଏ ଶବ୍ଦକୁ ଅପସାରଣ କରିବାକୁ ଦାବି କରିଥିଲେ। ଅନେକ ଯୁକ୍ତି ପରେ ବାଚସ୍ପତି ସେଥିରେ ରାଜି ହୋଇଥିଲେ, ଯାହା ଥିଲା ଶାସକ ଦ ପାଇଁ  ତୃତୀୟ ଦୁର୍ବଳ ସମୟ।  

 ଚତୁର୍ଥରେ ଯେଉଁ ପ୍ରସଙ୍ଗରେ ସରକାରଙ୍କୁ ହରଡ଼ଘଣାରେ  ବିରୋଧୀ ପକାଇଲେ ତାହାର ମୂଳ ଖୋଦ୍‍ ଥିଲେ ବାଚସ୍ପତି। ବାଚସ୍ପତିଙ୍କ ଉପରକୁ ଡାଲି ଫୋପାଡ଼ିଥିଲେ ବିରୋଧୀ। ଏହା ସାମ୍ବିଧାନିକ ବିଧି ବ୍ୟବସ୍ଥା ପ୍ରତି ଅପମାନ ବୋଲି ଅଭିହିତ ହେଲା। ପରେ ଦୁଇଜଣ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଏବଂ ମୋହନ ମାଝିଙ୍କୁ ଗୃହରୁ ନିଲମ୍ବିତ କରାଯାଇଥିଲା। ଏହାକୁ ଦୃଆ ବିରୋଧ କରିଥିଲା ବିଜେପି। ବିରୋଧ ଏତେ ଶାଣିତ ଥିଲା ଯେ, ଗୃହ କାର୍ଯ୍ୟ ଚଳାଇବାକୁ ବାଚସ୍ପତି ସମର୍ଥ ହୋଇ ନଥିଲେ। ବାରମ୍ବାର ଗୃହକୁ ମୁଲତବୀ କରିବା ପରେ ଶେଷରେ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିଥିଲେ।  

ପଞ୍ଚମରେ ଥିଲା ‘ଜନବିରୋଧୀ ଶବ୍ଦର ଅପସାରଣ। ବିରୋଧୀଙ୍କୁ ପଛକୁ ଠେଲିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ  ‘ଜନ ବିରୋଧୀ’ ଶବ୍ଦର ପ୍ରୟୋଗ କରିଥିଲେ। ଯାହା ଆକ୍ଷେପମୂଳକ ବୋଲି ଅଭିଯୋଗ କରିଥିଲା ବିଜେପି। ଆଉ ସେ ବାବଦରେ ନିଷ୍ପତ୍ତି ନେଇ ବାଚସ୍ପତି ବିଧାନସଭା ରେକର୍ଡରେ ‘ଜନବିରୋଧୀ’ ଶବ୍ଦର ବ୍ୟବହାର ନକରିବାକୁ ଆଦେଶ ଦେଇଥିଲା।  

ଖାଲିଯେ ବିରୋଧୀଙ୍କ ବାଣରେ ଶାସକ ଆକ୍ରାନ୍ତ ହୋଇଥିଲେ ତାହା ନୁହଁ, ଶାସକ ଦଳର ସମୀକରଣ ଏଥର କାମ ଦେଇ ନଥିଲା। କଣ୍ଟାକୁ କଣ୍ଟାରେ କାଢ଼ିବା ନ୍ୟାୟକୁ ଆପଣାଇ  ଶାସକ ବି ବିରୋଧୀଙ୍କୁ ଘେରିଥିଲେ। ଏଥିରେ ଥିଲା ଦୁଇଟି ପ୍ରସଙ୍ଗ।  ଶାସକ ଦଳ ପକ୍ଷରୁ ରାଜପଥ ମରାମତି ଓ ଧାନ କ୍ରୟ ଦର ବୃଦ୍ଧି ଭଳି ଦୁଇ ପୁରୁଣା ପ୍ରସଙ୍ଗ ଉଠାଯାଇଥିଲା। କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଇଥିଲା। ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳାକୁ ଉପସ୍ଥାପନ କରାଯାଇଥିଲା। ହେଲେ ଗୃହରେ ଏହା ଶାନ୍ତ ବାତାବରଣ ସୃଷ୍ଟି କରିବାରେ ସମର୍ଥ ହୋଇପାରି ନଥିଲା। ଫଳରେ ବାରମ୍ବାର ଗୃହ ମୁଲତବୀ ହୋଇଥିଲା।  

ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକଙ୍କ ଏହି ପ୍ରଥମ ଅଧିବେଶନ ଅନେକ ଦୃଷ୍ଟିରୁ ସ୍ମରଣୀୟ ରହିବ। କାରଣ ଏଥିରେ ଶାସକ ଦଳ କମ୍‍ ବିରୋଧୀଙ୍କ ଗୁରୁତ୍ୱ ଅଧିକ ଦେଖିବାକୁ ମିଳିଥିଲା। ଏହାର କାରଣ ବିରୋଧୀଙ୍କୁ ଅଧିକ ସୁଯୋଗ ତା ନୁହେଁ ବରଂ ପରିଚାଳନାଗତ ତ୍ରୁଟି ବୋଲି କୁହାଯାଇପାରେ। କାରଣ ବିରୋଧୀଙ୍କୁ ସୁଯୋଗ ଦେଇଥିଲେ ସ୍ୱାଧୀନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୃହର ମଧ୍ୟଭାଗକୁ ଆସି ଅନଶନ କରିବାକୁ ପଡ଼ି ନଥାଆନ୍ତା। କି ଗୃହରେ  ଏତେ ହଟ୍ଟଗୋଳ ହୋଇ ନଥାଆନ୍ତା। 

Also Read: Weather: ଆଜି ବି ଛେଚିବ ବର୍ଷା! ୯ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ବିଭାଗ