DGP Conference: ଆଜିଠୁ ତିନିଦିନ ଯାଏ ରାଜଧାନୀ ଭୁବନେଶ୍ୱର ସହରର ଗଳି କନ୍ଦିରେ ରହିବ କଡ଼ା ସୁରକ୍ଷା ପହରା। ଲୋକଙ୍କ ଯାତାୟାତଠୁ ଆରମ୍ଭ କରି ସ୍କୁଲ୍, କଲେଜ, ହାଟ, ବଜାର ସବୁଠି ଲାଗିଗଲାଣି କଟକଣା। କାରଣ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ସମସ୍ତ ଶୀର୍ଷ ନେତୃତ୍ୱ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଉ କିଛିସମୟ ପରେ ଏଠାରେ ଆରମ୍ଭ ହେବାକୁ ଯାଉଛି ଅନ୍ତରୀଣ ସୁରକ୍ଷାର ମହା ସମ୍ମିଳନୀ- ୫୯ତମ ଡିଜି ପୁଲିସ ସମ୍ମିଳନୀ।
ଏହି ସମ୍ମିଳନୀ ସାରା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଭାବେ ଗ୍ରହଣ କରାଯାଏ। ଦେଶର ଆନ୍ତରୀଣ ସମମ୍ୟାକୁ କିପରି ମୁକାବିଲା କରାଯାଇପାରିବ, ଦେଶର ନେତୃତ୍ୱଙ୍କ ଲକ୍ଷ୍ୟ ତଥା ତାହାକୁ ସଫଳତାର ସହ ହାସଲ କରିବା ଲାଗି ନୀତି ନିର୍ଦ୍ଧାରଣ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ସେଥିଲାଗି ଦେଶର ଗୁଇନ୍ଦା ମୁଖ୍ୟଙ୍କଠାରୁ ଆରମ୍ଭ କରି ସୁରକ୍ଷା ପରାମର୍ଶଦାତା ତଥା ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି।
ଏହିକ୍ରମରେ ଭୁବନେଶ୍ୱର ଏବେ କିଛିଦିନ ପାଇଁ ଆନ୍ତର୍ଜାତିକ ତଥା ଅନ୍ତର୍ଦେଶୀୟ ସୁରକ୍ଷା ତାଲିକାରେ ହଟ୍ ସିଟି ଭାବେ ପରିଚିତ ହୋଇଛି। ଏ ଭିତରେ ପୁଣି ଖଲିସ୍ତାନୀ ଆତଙ୍କବାଦୀ ,ଗୁରୁପତ ସିଂହ ପନ୍ନୁ ଏକ ଭିଡିଓ ବାର୍ତ୍ତାରେ ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ ଧମକ ଦେଇଛି। ଦୁଇମିନିଟ ଭିଡିଓ ଜାରି କରି ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବ ବୋଲି କହିଛି। ଏଣୁ ସହରର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ତଥା ଗୁରୁତ୍ୱପୂର୍ଣ୍ଣ ଛକରେ ବିଏସ୍ଏସଫ୍ ଯବାନଙ୍କୁ ମୁତ୍ତୟନ କରାଯାଇ ସୁରକ୍ଷାକୁ ଅଧିକ କଡ଼ା କରାଯାଇଛି। ବିମାନବନ୍ଦର, ରେଳଷ୍ଟେସନ, ହୋଟେଲ, ଶପିଂ ମଲ, ଜାତୀୟ ରାଜପଥ, ବସ୍ଷ୍ଟାଣ୍ଡ ସବୁଠି ସୁରକ୍ଷା କଡ଼ାକଡ଼ି କରାଯାଇଛି। କମାଣ୍ଡୋ ମାନଙ୍କୁ ପିକେଟିଂରେ ନିୟୋଜିତ କରାଯାଇଛି। ସ୍କୁଲ୍ଗୁଡ଼ିକୁ ଅପରାହ୍ଣ ୧ଟା ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସଞ୍ଜୟ କୁମାର କହିଛନ୍ତି, ‘ଆମେ ସମସ୍ତ ପ୍ରଭାର ଧମକକୁ ପ୍ରତି ସଚେତନ ରହିଛୁ। ଆମେ ଏପରି କୌଣସି ଅଘଟଣ ଯେମିତି ଘଟିବ ନାହିଁ ସେତିପ୍ରତି ଯତ୍ନବାନ ରହିଛୁ'।
ଶ୍ରୀ କୁମାର କହିଛନ୍ତି, ଓଡ଼ିଶା ପୁଲିସ, କେନ୍ଦ୍ରୀୟ ସଶସ୍ତ୍ରବଳ, ସିଆର୍ପିଏଫ, ବିଏସ୍ଏଫ୍କୁ ମିଶାଇ ୮୦ ପ୍ଲାଟୁନ ପୁଲିସ ବଳ ଏଠାରେ ମୁତ୍ତୟନ ରହିଛନ୍ତି। ଗୋଟିଏ ପ୍ଲାଟୁନରେ ୩୦ ଜଣ ପୁଲିସବଳ ରହିଲେ ସମୁଦାୟ ୨୪୦ ପୁଲିସବଳ ଏହି ବୈଠକସ୍ଥଳରେ ମୁତ୍ତୟନ ରହିଛନ୍ତି। ଆଜି ସକାଳୁ ଏହି ବୈଠକ ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଏବଂ ଇନ୍ସପେକ୍ଟର ଜେନେରାଲ୍ମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଗୃହମନ୍ତ୍ରୀ ବୈଠକକୁ ଉଦ୍ଘାଟନ କରିବେ। ସେ ଦିନ ୧ଟା ୧୫ ମିନିଟ ସମୟରେ ଭୁବନେଶ୍ୱରରେ ପହଞ୍ଚିବେ। ବିମାନବନ୍ଦରରୁ ସିଧା ଲୋକସେବା ଭବନର ସମ୍ମିଳନୀ କକ୍ଷକୁ ତାଙ୍କୁ ନିଆଯିବ। ବୈଠକର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ।