Abhada Rate Chart: ଆନନ୍ଦ ବଜାରରେ ଲାଗି ପାରିଲା ନାହିଁ ମହାପ୍ରସାଦ ଦର ତାଲିକା, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1870295

Abhada Rate Chart: ଆନନ୍ଦ ବଜାରରେ ଲାଗି ପାରିଲା ନାହିଁ ମହାପ୍ରସାଦ ଦର ତାଲିକା, ଜାଣନ୍ତୁ କାରଣ

Mahaprasad Price List of Anand Bazar: ଶୃଙ୍ଖଳା କମିଟି ବୈଠକ ଆୟୋଜିତ ହେବା ସତ୍ତ୍ୱେ ଭକ୍ତଙ୍କ ପାଇଁ ଆନନ୍ଦ ବଜାରରେ ଲାଗି ପାରିନାହିଁ ମହା ପ୍ରସାଦର ଚୂଡାନ୍ତ ଦର ତାଲିକା।

Abhada Rate Chart: ଆନନ୍ଦ ବଜାରରେ ଲାଗି ପାରିଲା ନାହିଁ ମହାପ୍ରସାଦ ଦର ତାଲିକା, ଜାଣନ୍ତୁ କାରଣ

Anand Bazar Meeting on Abhada Rate Chart: ପୁଣି ଝୁଲି ରହିଲା ମହା ପ୍ରସାଦର ଚୂଡାନ୍ତ ଦର ତାଲିକା। ପୂର୍ବରୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଏକ ପ୍ରସ୍ତାବିତ ଦର ତାଲିକା ପ୍ରସ୍ତୁତ କରାଯାଇଥିଲା। ହେଲେ ତାହା ପରିଚାଳନା କମିଟି ଅନୁମୋଦନ ପାଇବା ପରେ ଯାଇ କାର୍ଯ୍ଯକାରୀ ହେବ ବୋଲି ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ମାତ୍ର ବୁଧବାର ଶ୍ରୀମନ୍ଦିର ସ୍ୱତନ୍ତ୍ର ପ୍ରଶାସକ ଅଜୟ ଜେନାଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ମହା ପ୍ରସାଦର ଦର ତାଲିକା ପ୍ରସଙ୍ଗ ଆସିନଥିବା ଜଣାପଡିଛି। ସେପଟେ ନିଯୋଗ ପକ୍ଷରୁ ପୂର୍ବରୁ ଯେଉଁ ରେଟ୍ ଚାର୍ଟ ପ୍ରକାଶ କରାଯାଇଥିଲା ତାହାକୁ ନେଇ ମଧ୍ୟ ନିଯୋଗ ସଭାପତି ଏବଂ ସମ୍ପାଦକ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। 

ସେପ୍ଟମ୍ବର ୧୩ ତାରିଖ ବୁଧବାର ଶ୍ରୀମନ୍ଦିର କାର୍ଯ୍ଯାଳୟରେ ବସିଥିଲା ଶୃଙ୍ଖଳା କମିଟି ବୈଠକ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇନାହିଁ। ଯଦି ଓମଫେଡ ଘିଅରେ ଅଭଡା ପ୍ରସ୍ତୁତ କରାଯାଏ, ତାହେଲେ ଭକ୍ତଙ୍କ ପାଇଁ ଏହା ଟିକେ ମହଙ୍ଗା ହେବ ବୋଲି ନିଯୋଗରେ ଆଲୋଚନା ହୋଇଥିଲା। ମାତ୍ର ତାହା ଚୁଡାନ୍ତ ଦର ତାଲିକା ନଥିଲା। ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସଫେଇ ଦେଇଛି ନିଯୋଗ। ଆନନ୍ଦ ବଜାରରେ ବିଶୃଙ୍ଖଳା ଦୃଷ୍ଟିରୁ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାର କରି ଦିଆଯାଇଛି।

କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ପ୍ରତି ଷ୍ଟଲ ଠାରେ ୨ ଜଣ ଲେଖାଏଁ ସହାୟକ ନିୟୋଜିତ ହୋଇଛନ୍ତି। ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ସହ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦିଆଯିବ। ଖଜା ଦୋକାନ ଏବଂ ଅଭଡା ଦୋକାନ ଅଲଗା ଅଲଗା ସ୍ଥାନରେ ବସି ପାରିବେ ନାହିଁ। ଅବଢା ଦୋକାନ ଗୋଟିଏ ପଟରେ ଏବଂ ଖଜା ଦୋକାନ ଅନ୍ୟ ଏକ ସ୍ଥାନରେ ରହିବ। ଆନନ୍ଦ ବଜାରର ସୌନ୍ଦର୍ଯ୍ୟ କରଣ ଉପରେ ଗୁରୁତ୍ୱ ଦିଆଯିବ। ସବୁ ଦୋକାନରୁ ଜରି ହଟିବ। ସ୍ୱତନ୍ତ୍ର ଶେଡ୍ ବ୍ୟବସ୍ଥା କରିବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହି ଶେଡ ଠାରେ ଭେଣ୍ଟିଲେଟର ଲଗାଯିବ। ଶେଡ୍ ଶେଷ ହେବା ପରେ ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ରହିବ ଆନନ୍ଦ ବଜାର। ଭକ୍ତ ମହାପ୍ରସାଦ ସେବନ ପାଇଁ ଅଧିକ ଘରର ଆବଶ୍ୟକତା ରହିଛି। ଏହାକୁ ନଜରରେ ରଖି ଅଧିକ ଘର ନିର୍ମାଣ କରାଯିବ।

ସେପଟେ ଭଲ ଘିଅ ଅର୍ଥାତ୍ ଓମଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ବୁଧବାର ଆୟୋଜିତ ହୋଇଥିବା ବୈଠକରେ ଆଲୋଚନା ହୋଇଛି। ସେପଟେ ଭୋଗ ବାହାରିବା ସମୟରେ ଅଧିକ ଭିଡ ରହୁଛି। ସେହି ସମୟରେ ଅନ୍ତତଃ ଏକ ଘଣ୍ଟା ବାଇଶି ପାହାଚରୁ ଆନନ୍ଦବଜାର ଯିବା ଫାଟକକୁ ଖୋଲିବା ପାଇଁ ନିଯୋଗ ଅନୁରୋଧ କରିଛି। ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ହେବ। ନବ ଗଠିତ କୋର୍ କମିଟି ଏନେଇ ନିଷ୍ପତ୍ତି ନେବା ପରେ ମୁଖ୍ୟ ପ୍ରଶାସକ ଏହାକୁ ଅନୁମୋଦନ କରିବେ। ସେହି ଆଧାରରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯାଇ ପାରିବ ବୋଲି ସୁଆର ମହାସୁଆର ନିଯୋଗ ସଭାପତି ଏବଂ ସମ୍ପାଦକ କହିଛନ୍ତି। ବିଶେଷକରି ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣ ସୂପକାର ଏବଂ ଅଣ ସେବାୟତଙ୍କ ଆନନ୍ଦବଜାର ପ୍ରବେଶ ଉପରେ ରୋକ ଲଗାଯାଇଛି।