Khaja Issue: ଶ୍ରୀକ୍ଷେତ୍ରର ଛପନ ଭୋଗର ଅଂଶବିଶେଷ ହେଉଛି ଖଜା। ପୁରୀ ଖଜାର ରୁପ ,ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀ ନିମନ୍ତେ ରହିଛି ସ୍ଵତନ୍ତ୍ର ଲୋକପ୍ରିୟତା। ପୂର୍ବରୁ ବିହାରକୁ ଖଜା ପାଇଁ ଜିଆଇ ଟ୍ୟାଗ ମିଳିଥିବା ବେଳେ ପୁରୀ ଖଜାକୁ ଭୌଗଳିକ ସୁଚକାଙ୍କ ବା ଜିଆଇ ଆଧୀନରେ ପଂଜିକୃତ ପାଇଁ ଦାବି ହୋଇ ଆସୁଛି। ସେହିଭଳି ସମସ୍ତ ଖଜା ଦୋକାନୀଙ୍କୁ ନେଇ ଗଠିତ ହେବାକୁ ଥିବା କ୍ଲଷ୍ଟର କେବେ ହେବ ତାକୁ ନେଇ ମଧ୍ୟ ରହିଛି ପ୍ରଶ୍ନ। ସେପଟେ ଶ୍ରୀମନ୍ଦିର ଆନନ୍ଦବଜାରରେ ମିଳୁଥିବା ଖଜା ମହାପ୍ରଭୁଙ୍କ ମହାପ୍ରସାଦ। ମାତ୍ର ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ। ମହାପ୍ରସାଦ କହି ଭକ୍ତଙ୍କୁ ଠକା ଯାଉଛି। ଗୋଡରେ ଚକଟି ଏହି ଖଜା ପ୍ରସ୍ତୁତ ହୋଇଥାଏ ବୋଲି ଅଭିଯୋଗ କରିଛନ୍ତି ସୁଆରମହାସୁଆ ନିଯୋଗ ସଂପାଦକ। ତେବେ ଶ୍ରୀମନ୍ଦିର ଭିତରେ ବିକ୍ରି ହେଉଥିବା ପ୍ରସାଦ ହେଉଛି ମହାପ୍ରସାଦ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୂଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ।
ମହାପ୍ରଭୁଙ୍କ ଛପନ ଭୋଗର ଅଂଶବିଶେଷ ଖଜା। କିଏ କିଏ ତାକୁ ଫେଣି ବି କୁହନ୍ତି। ଖଜାର ତିଆରି ଶୈଳୀ ବି ସ୍ଵତନ୍ତ୍ର। ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରର ପରମ୍ପରା ପରିଚୟ ଭାବରେ ଖଜାର ଆଦୃତି ରହିଛି।ଖଜାର ଆଦୃତିକୁ ଦୃଷ୍ଟିରେ ରଖି ଶତାଧିକ ବ୍ୟବସାୟୀ ଖଜା ଉପରେ ନିର୍ଭର କରି ଚଳି ଆସୁଛନ୍ତି। ହେଲେ ଏଯାଏଁ ନିର୍ମାଣ ହୋଇପାରୁନାହିଁ ଖଜା କ୍ଳଷ୍ଟର।ଜିଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଖଜାକୁ କ୍ଷୁଦ୍ରଶିଳ୍ପ ଘୋଷଣା କରାଯାଇଥିଲେ ସୁଦ୍ଧା ରୁଗ୍ଣ ଅବସ୍ଥାରେ ରହିଛି ଏହି ଖଜା ଶିଳ୍ପ। ଖଜା ଉଦୋଗୀମାନଙ୍କୁ ନେଇ ଏକ ଶିଳ୍ପପୁଂଜ ଗଠନ କରିବା ପରେ ପଂଜୀକୃତ କରାଯିବ ତେବେ ଯାଇ ଖଜା ଶିଳ୍ପ ପାଇଁ ମିଳିବ ସରକାରୀ ସହାୟତା। ସେପଟେ ଶ୍ରୀକ୍ଷେତ୍ର ଖଜାର ଶୁଦ୍ଧତା ଉପରେ ଉଠିଛି ପ୍ରଶ୍ନ। ଶ୍ରୀମନ୍ଦିର ଆନନ୍ଦବଜାରରେ ମିଳୁଥିବା ଖଜା ହେଉଛି ମହାପ୍ରସାଦ। ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ଆନନ୍ଦବଜାରରେ ବିକ୍ରି ହୋଇଥାଏ। ଶ୍ରୀମନ୍ଦିର ଭିତର ଖଜା ଶ୍ରୀମନ୍ଦିର ଠାରୁ ଏକ କିଲୋମିଟର ପରିଧି ମଧ୍ୟରେ ବିକ୍ରି ହୁଏନାହିଁ। ଏଣୁ ଶ୍ରୀମନ୍ଦିର ବାହାରେ ଯେଉଁ ଖଜା ମହାପ୍ରସାଦ କହି ଭକ୍ତଙ୍କୁ ବିକ୍ରି ହୁଏ ତାହା ମହାପ୍ରସାଦ ନୁହେଁ। ଭକ୍ତମାନେ ଏଥିପ୍ରତି ସଚେତନ ହେବା ଆବଶ୍ୟକ। ଶ୍ରୀମନ୍ଦିର ଖଜା ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତ ହୋଇଥାଏ। ମାତ୍ର ବାହାରେ ମିଳୁଥିବା ଖଜା ନିମ୍ନମାନର। ଖଜା ବ୍ଯବସାୟୀ ମାନେ ଖଜା ଭାଟିରେ ଖଜା ପ୍ରସ୍ତୁତି କରୁଥିବା ସମୟରେ ମଇଦାକୁ ଗୋଡରେ ଦଳି ପ୍ରସ୍ତୁତ କରିଥାନ୍ତି। ନିମ୍ନମାନର ଘିଅ ବ୍ଯବହାର କରି କମ୍ ଦରରେ ମହାପ୍ରସାଦ କହି ଭକ୍ତଙ୍କୁ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ସୁଆର ସେବକ। ସେପଟେ ପୁରୀ ଖଜାର ସ୍ୱତନ୍ତ୍ରତା ଯୋଗୁଁ ଏହାକୁ ଭୌଗଳିକ ସୂଚକାଙ୍କ ଅଧୀନରେ ପଞ୍ଜିକୃତ କରିବା ଲାଗୁ ଆବେଦନ ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ବିହାରର ସିଲାଓ ଖଜାକୁ ଜିଆଇ ମାନ୍ୟତା ମିଳିବା ନେଇ ଦୋକାନୀ, ସାଧାରଣ ଲୋକ ଓ ଶ୍ରୀମନ୍ଦିର ସେଵାୟତଙ୍କ ମନରେ ରହିଛି ଦୁଃଖ ଓ ଅସନ୍ତୋଷ।
ପୁରୀରେ ଖଜାକୁ ନେଇ ସୃଷ୍ଟି ହୋଇଛି ଶହ ଶହ ଦୋକାନ। ଆଉ ବ୍ୟବସାୟରେ ମଧ୍ୟ ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ଶ୍ରୀମନ୍ଦିରର ପରମ୍ପରାରେ ଖଜାର ରହିଛି ଅନେକ ବିଶେଷତ୍ୱ। ଆଉ ସେଥିରେ ଭିନ୍ନ ଭିନ୍ନ ରକମର ଖଜା ରହିଛି । ପୁଣି ଖଜାକୁ କ୍ଷୁଦ୍ରଶିଳ୍ପ ମାନ୍ୟତା ମିଳିଥିବା ବେଳେ ଏହାର ମାନରେ ପରିବର୍ତନ ହେଲେ ଏହା ବ୍ୟାପକ ଆଦୃତ ହେବ। ଆଉ ମହାପ୍ରଭୂଙ୍କ ଶୁଖିଲା ଭୋଗରେ ଖଜା ଓ ଶ୍ରୀ ଲୋକନାଥଙ୍କ ପ୍ରିୟ ଭୋଗ ଖଜାକୁ ପାଇବା ପାଇଁ ଭକ୍ତଙ୍କର ଥାଏ ଅହେତୁକ ଆବେଗ। ଖଜା ଖାଲି ମିଠା ନୁହେଁ ମସଲା ଖଜା , ଲୁଣି ଖଜା , ଭଲ ଘିଅ ଖଜା ଆଦି ବିଭିନ୍ନ ଭେରାଇଟିର ଖଜାକୁ ବିକ୍ରୟ କରାଯାଉଛି। କାହିଁ କେଉଁ ଅମଳରୁ ଶ୍ରୀମନ୍ଦିର ନିକଟରେ ଖଜା ପଟି ମଧ୍ୟ ସେଥିପାଇଁ ରହିଥିଲା। ସେଠାରେ ଖଜା ବ୍ୟବସାୟୀଙ୍କ ଭିଡ ଜମିଥିବା ବେଳେ ଏବେ ଉଠା ଦୋକାନରେ ବି ଖଜାର ପସରା । ଧିରେଧିରେ ଶ୍ରୀମନ୍ଦିର ଖଜା ପ୍ରସାଦ କହି ଭକ୍ତଙ୍କୁ ଆକୃଷ୍ଟ କରିବାକୁ ପ୍ରଚେଷ୍ଟା କରୁଛନ୍ତି ଖଜା ବ୍ଯବସାୟୀ। ଖଜା ବ୍ଯବସାୟ ଏବେ ପ୍ରମୁଖ ବ୍ଯବସାୟ ହେଲଖଣି। ପ୍ରଭୁଙ୍କ ଖଜା ଭାବି ଭକ୍ତମାନେ ମଧ୍ୟ ଖଜା କିଣିବା ପାଇଁ ଖଜା ଦୋକାନରେ ଭିଡ ଜମିଲାଣି। ସେପଟେ ମହାପ୍ରସାଦ ଭାବେ ବିଶ୍ୱାସ ଜନ୍ମାଇବା ପାଇଁ ତାଳପତ୍ର ଭୋଗେଇରେ ପ୍ୟାକିଂ କରି ଦିଆଯାଉଛି। ଆଉ ଭକ୍ତ ଓ ପର୍ଯ୍ୟଟକ ମାନେ ଭକ୍ତି ଓ ବିଶ୍ୱାସରେ ଭୋଗେଇରେ ନେବାକୁ ବେଶ ଆଗ୍ରହ ରଖୁଛନ୍ତି । ତେବେ ବାହାର ଖଜାର ଚାହିଦା ବୃଦ୍ଧି ପାଉ ମାତ୍ର ଭକ୍ତଙ୍କୁ ମହାପ୍ରସାଦ କହି ବିକ୍ରି କରାନଯାଉ। ସେପଟେ ଖଜାକୁ କ୍ଷୁଦ୍ରଶିଳ୍ପ ମାନ୍ୟତା ତ ମିଳିଛି ହେଲେ ଏହାର ମାନରେ ପରିବର୍ତ୍ତନ ହେଲେ ଏହାର ଆଦୃତି ଆହୁରି ବଢ଼ିବା ସହ ସ୍ୱତନ୍ତ୍ରତା ବଜାୟ ରହିବ ବୋଲି କହିଛନ୍ତି ସେବାୟତ ଓ ବ୍ୟବସାୟୀ। ଖଜାର ଚାହିଦାକୁ ଦେଖି ଏହା ପ୍ରାୟ ୧୦୦ ରୁ ୬୦୦ ଟଙ୍କା ପ୍ରତି କିଲୋ ବିକ୍ରି ହେଉଛି। ଏହି ଖଜା ଏବେ ଦେଶ ବିଦେଶରେ ଲୋକ ଆପଣାଇଥିବା ବେଳେ ଏହି ଖଜାର ମାନକୁ ନେଇ ଉଠିଲାଣି ପ୍ରଶ୍ନ। ତେବେ ବାହାର ଖଜାକୁ ନେଇ ଭକ୍ତମାନେ ଦ୍ୱନ୍ଦରେ ପଡୁଛନ୍ତି। ବାହାରେ ବିକ୍ରି ହେଉଥିବା ଖଜା ମହାପ୍ରସାଦ ନୁହେଁ। ଶ୍ରୀମନ୍ଦିର ଭିତରେ ମିଳୁଥିବା ଖଜା ମହାପ୍ରସାଦ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୂଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ।