ପାଣ୍ଡିଆନ, ଶ୍ରଦ୍ଧା, କାମିଆ ଓ ଅନ୍ୟମାନେ
Advertisement

ପାଣ୍ଡିଆନ, ଶ୍ରଦ୍ଧା, କାମିଆ ଓ ଅନ୍ୟମାନେ

Year Ender 2023: ପାଣ୍ଡିଆନ୍‍ଙ୍କ ସହ ସମ୍ପୃକ୍ତ ଓଡ଼ିଶା ରାଜନୀତିର ଚର୍ଚ୍ଚା ପରିସରରେ ଆଉ ଦୁଇଜଣ ମହିଳାଙ୍କ ଆବିର୍ଭାବ ହୋଇଥିଲା। ସେମାନେ ହେଲେ ମୁଖ୍ୟମନ୍ତ୍ରୀଙ୍କ ଏକଦା ଫିଜିଓ ଥେରାପିଷ୍ଟ ଭାବେ କାର୍ଯ୍ୟ କରୁଥିବା ଶ୍ରଦ୍ଧା ଓ ୟୁଟ୍ୟୁବର କାମିଆ ଜାନି।  

 

Year Ender 2023

ଭୁବନେଶ୍ୱର: ରୂପାନ୍ତରଣର ପରୀକ୍ଷାଗାର ସାଜିଥିବା ଓଡ଼ିଶା ରାଜନୀତିରେ ୩ଟି ଚରିତ୍ର ବିଶେଷକରି ୨୦୨୩ରେ ଜନତାଙ୍କୁ ଆକୃଷ୍ଟ କରିଥିଲେ। ଅବଶ୍ୟ ଖାଲି ଜନତା କହିଲେ ଭୁଲ ହେବ; କାରଣ ନେତା, ଗଣମାଧ୍ୟମ, ସୋଶାଲ୍‍ ମିଡିଆ, ବିଶିଷ୍ଟ ସ୍ତମ୍ଭକାରମାନେ ଏ ବିଷୟରେ ନିଜକୁ ଅଂଶୀଦାର କରି ଜନତାଙ୍କୁ ପ୍ରଭାବିତ କରିବାକୁ ଚାହିଁଥିଲେ। ଏହାକୁ ନେଇ ବିଧାନସଭା ବି ଉଠିଥିଲା ପଡ଼ିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଏହି ତିନି ଚରିତ୍ର ରାଜ୍ୟର ବିକାଶ ପ୍ରକ୍ରିୟାଠୁ ବି ବେଶୀ ଗୁରୁତ୍ୱ ହୋଇପଡ଼ିଥିଲେ। ପ୍ରକାରାନ୍ତେ କହିବାକୁ ଗଲେ ଏହି ପ୍ରକ୍ରିୟାରେ ବିଜୁ ବାବୁ ନିଷ୍ପ୍ରଭ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ରାଜନୀତିର ପ୍ରଚ୍ଛଦପଟ୍ଟରେ କେବଳ ପୋଷ୍ଟର ବୟ ଭାବେ ସୀମିତ ଥିଲେ।  

୨୦୨୩ ଅନ୍ତ ହେବା ବେଳେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିଥିବା ଏହି ତିନି ଚରିତ୍ରମାନଙ୍କ ଭିତରେ ସାମଞ୍ଜସ୍ୟ ଏହା ଯେ, ଏ ସମସ୍ତ ରାଜ୍ୟ ବାହାରର ଲୋକ। ଫରକ ଏତିକି ଯେ, ଜଣେ ଏଠାରେ ସ୍ଥାୟୀ ଆଉ ଦୁଇଜଣ ଅତିଥି କଳାକାର। ସ୍ଥାୟୀ ଚରିତ୍ରଟି ହେଉଛି କେନ୍ଦ୍ରାପଡ଼ା ଜ୍ୟୋଇଁ ତଥା ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍‍। ଏବେ ତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ବିବେଚନା କରାଯାଉଛି। କେହି କହି ତ ତାଙ୍କ ଆଗରେ ‘ପଟ୍ଟନାୟକ’ ସାଜ୍ଞା ବି ଯୋଡ଼ି ସାମାଜିକ ଗଣମାଧ୍ୟମରେ ପ୍ରଚାର  

ଶ୍ରୀ ପାଣ୍ଡିଆନ୍‍ ୨୦୨୦ ବ୍ୟାଚର ପ୍ରଶାସନିକ ଅଧିକାରୀ, ଯିଏ ତାଙ୍କ ବ୍ୟାଚ୍‍ର ଆଉ ଜଣେ ଆଇଏଏସ୍‍ ଅଧିକାରୀ ତଥା ଓଡ଼ିଆ ଝିଅ ସୁଜାତାଙ୍କୁ ବିବାହ କରିବା ପରେ ଓଡ଼ିଶା ପ୍ରତି ଆକର୍ଷିତ ହୋଇଛନ୍ତି। ଓଡ଼ିଶାର ରୂପାନ୍ତରଣର ସେ ସାରଥି ବୋଲି ଶାସକ ଦଳ କହୁଛି। ଏହାକୁ କିନ୍ତୁ ବିରୋଧୀ ବିଜେପି ବା କଂଗ୍ରେସ ହଜମ କରିପାରୁ ନାହାନ୍ତି। ଏତେ ଓଡ଼ିଆ ଲୋକ ଥାଉ ଥାଉ ନବୀନ ଜଣେ ଅଣ ଓଡ଼ିଆ ଅଧିକାରୀଙ୍କୁ ନିଜର ଉତ୍ତରାଧିକାରୀ ଭାବେ ଚିହ୍ନିତ କରିବା ସେମାନଙ୍କୁ ଦୁଃଖ ଦେଇଛି। ଏଣୁ ବିଧାନସଭା ହେଉ ବା ଗଣମାଧ୍ୟମ ଏ ପ୍ରସଙ୍ଗକୁ ଭିନ୍ନ ଭାବେ ସେମାନେ ଉଠାଇ ତାଙ୍କୁ ଏ ବର୍ଷ ଚାକିରି ଛାଡ଼ି ସିଧା ରାଜନୀତିକୁ ଆସ ବୋଲି ଆହ୍ୱାନ ଦେଇଥିଲେ। ଏହାକୁ ବି ପାଣ୍ଡିଆନ୍‍ ବାବୁ ଗ୍ରହଣ କରି ବିଜୟା ଦଶମୀରେ ଚାକିରି ଛାଡ଼ି ରାଜନୀତିକୁ ଆସିଲେ। ହେଲେ ବିଜେଡିର କାର୍ଯ୍ୟ ନିର୍ବାହୀ ବୈଠକରେ ନିର୍ବାଚନ ଲଢ଼ିବେ ନାହିଁ କହି ଦଳ ଭିତରେ ଅସନ୍ତୋଷକୁ ପ୍ରଶମିତ କରିବାରେ ସମର୍ଥ ହୋଇଥିଲେ। ପାଣ୍ଡିଆନ୍‍ଙ୍କ ରାଜନୀତିରେ ଆବିର୍ଭାବ ଏବେ ବିଜେଡିର ପ୍ରଚାର ପ୍ରସାରରୁ ବିଜୁ ବାବୁଙ୍କୁ ନିଷ୍ପ୍ରଭ କରିଦେଇଥିବା ଦେଖିବାକୁ ମିଳିଛି। ଆଗକୁ ନବୀନ ଜଣେ ପୋଷ୍ଟର ବୟ ହୋଇ କେବଳ ପାଣ୍ଡିଆନ୍‍ଙ୍କୁ ଆଶୀର୍ବାଦ କରିବେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। ଏହା ଏବେବି ଜାରି ରହିଛି।  

ପାଣ୍ଡିଆନ୍‍ଙ୍କ ସହ ସମ୍ପୃକ୍ତ ଓଡ଼ିଶା ରାଜନୀତିର ଚର୍ଚ୍ଚା ପରିସରରେ ଆଉ ଦୁଇଜଣ ମହିଳାଙ୍କ ଆବିର୍ଭାବ ହୋଇଥିଲା। ସେମାନେ ହେଲେ ମୁଖ୍ୟମନ୍ତ୍ରୀଙ୍କ ଏକଦା ଫିଜିଓ ଥେରାପିଷ୍ଟ ଭାବେ କାର୍ଯ୍ୟ କରୁଥିବା ଶ୍ରଦ୍ଧା ଓ ୟୁଟ୍ୟୁବର କାମିଆ ଜାନି।  

ପ୍ରଥମେ ଶ୍ରଦ୍ଧା କାହାଣୀ। ସେପ୍ଟମ୍ବର ମାସରେ ବିଧାନସଭାରେ ଏ ପ୍ରସଙ୍ଗ ଯଥେଷ୍ଟ ଚର୍ଚ୍ଚା ହୋଇଥିଲା। ବିଜେପି ପକ୍ଷରୁ ବିଧାନସଭାରେ ଏ ବିଷୟ ଉଠାଯିବା ପରେ ଗୃହ ବାରମ୍ବାର ମୁଲତବୀ ହୋଇଥିଲା।  ୨୦୨୨ ଜାନୁୟାରୀ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଭାଟିକାନ ସିଟି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଥିବା ‘ଶ୍ରଦ୍ଧା’ କିଏ ବୋଲି ବିରୋଧୀ ପ୍ରଶ୍ନ କରି ବିଭିନ୍ନ ସ୍ଥାନରେ ଫଟୋ ସହ ଧାରଣା ଦେଇଥିଲେ। ଏ ବିଷୟରେ ଅନେକ ଦିନ ଚୁପ ରହିବା ସହ ବିରୋଧୀଙ୍କୁ ଗଣମାଧ୍ୟମରେ ସମାଲୋଚନା କରିଥିଲା ଶାସକ ଦଳ। ବିକାଶ ପ୍ରକ୍ରିୟାଠୁ ଦୂରେଇ ଦଳ ବିଭ୍ରାନ୍ତ ସୃଷ୍ଟି କରୁଛି ବୋଲି କୁହାଯାଇଥିଲ। କିନ୍ତୁ ଏଥିରେ ବିଫଳ ହେବା ପରେ ମୁଖ୍ୟମନ୍ତ୍ରୀ ଖୋଦ୍‍ ଗୃହରେ ବାବଦରେ ମତ ରଖି ଶ୍ରଦ୍ଧାଙ୍କୁ ନିଜର ଫିଜିଓ ଥେରାପିଷ୍ଟ ବୋଲି କହିଥିଲେ। ଏହାପରେ ଗୃହ ମୁଲତବୀ ହୋଇଥିଲା।  

ଅନ୍ୟ ଏକ ପ୍ରସଙ୍ଗରେ ଚର୍ଚ୍ଚିତ ହୋଇଥିବା ରାଜ୍ୟ ରାଜନୀତିର ପ୍ରଚ୍ଛଦରେ ରହିଥିଲେ ୟୁଟ୍ୟୁବର କାମିଆ ଜାନୀ। ଡିସେମ୍ବର ମାସରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ସୋଶାଲ୍‍ ମିଡିଆରେ ପ୍ରମୋଟ କରିବା ଲାଗି ରାଜ୍ୟ ସରକାର ତାଙ୍କୁ ବ୍ୟବହାର କରିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଛି। ସେ ଜଣେ ଗୋମାଂସ ଭକ୍ଷଣକାରୀ ବୋଲି ବିଜେପି ଅଭିଯୋଗ କରିଥିଲା। ଏପରିକି ବିଜେପିର କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଏ ବାବଦରେ ପ୍ରତିକ୍ରିୟା ରଖି ଶ୍ରୀ ଜଗନ୍ନାଥ ମନ୍ଦିରର ପବିତ୍ରତାକୁ ଅକ୍ଷୁର୍ଣ୍ଣ ରଖିବାକୁ ଅନୁରୋଧ କରିଥିଲେ। ଏହାକୁ ନେଇ ଅନେକ ଦିନ ରାଜ୍ୟ ରାଜନୀତି ପଡ଼ିବ ଉଠିବା ପରେ କାମିଆ ସୋଶାଲ୍‍ ମିଡିଆରେ ନିଜର ପ୍ରତିକ୍ରିୟା ରଖିଥିଲେ। ନଜକୁ ଜଣେ ହିନ୍ଦୁ ବୋଲି କହିବା ସହ ସେ କେବେ ଗୋମାଂସ ଭକ୍ଷଣ କରି ନଥିବା ସ୍ପଷ୍ଟ କରିଥିଲେ। 

୨୦୨୩ର ପ୍ରମୁଖ ରାଜନୀତିକ ଘଟଣାବଳୀ ଭିତରେ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା ତତ୍‍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା।  ଜାନୁୟାରୀମାସରେ ଏହି ଅଘଟଣ ଘଟିଥିଲା। ରାଜ୍ୟ ବିଭିନ୍ନ ଉତ୍ସବରେ ମଜ୍ଜିଥିବାବେଳେ  ତାଙ୍କୁ ତାଙ୍କର ସୁରକ୍ଷା ପାଇଁ ନିୟୋଜିତ ଥିବା ପୁଲିସ ଏଏସ୍‍ଆଇ ଗୋପାଳ ଦାସ ଗୁଳି ଫୁଟାଇ ହତ୍ୟା କରିଥିଲେ। ଏହାର କାରଣକୁ ବ୍ୟକ୍ତିଗତ ରୋଷ ବୋଲି କେହି କେହି ବ୍ୟକ୍ତ କରିଥିଲେ। କିନ୍ତୁ ଏ ଘଟଣା ଯେ ଅନ୍ୟ ବିଧାୟକ, ମନ୍ତ୍ରୀଙ୍କ ସୁରକ୍ଷା ବିଷୟକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରି ନଥିଲା ତା’ ନୁହେଁ। ବେଶ କିଛିଦିନ ଧରି ଏହା ରାଜନୀତିକ ଚର୍ଚ୍ଚାରେ ଥିଲା। ଏପରିକି କ୍ରାଇମ୍‍ ବ୍ରାଞ୍ଚର ତଦନ୍ତକୁ ନେଇ ପ୍ରଶ୍ନ ଉଠିଥିଲା।  ପ୍ରାୟ ୫ ମାସ ଧରି ଏ ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ମଣ୍ଡିତ କରିଥିଲା। ହେଲେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନରେ ନବ ଦାସଙ୍କ ଝିଅ ଦିପାଳୀଙ୍କ ବିଜୟ ପରେ ଏ ବିଷୟରେ ଆଲୋଚନା ପ୍ରଶମିତ ହୋଇଥିଲା।  

ରାଜ୍ୟରେ ବିଜେଡି ଓ ବିଜେପି ଭିତରେ  ତୁତୁମେମେ’ ଚାଲିଥିବା ବେଳେ କେନ୍ଦ୍ରରେ କିନ୍ତୁ ଓଡ଼ିଶାର ବିଜେଡଇ ସାଂସଦମାନେ ବିଜେପି ସରକାରଙ୍କ ବିଭିନ୍ନ ବିଲ୍‍କୁ ସମର୍ଥନ ଦେବା ଭାରତୀୟ ରାଜନୀତିରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ବିଶେଷକରି ଦିଲ୍ଲୀ ସେବା ବିଲ୍‍, ଧାରା ୩୭୦ର ଉଚ୍ଛେଦ, ତିନି ତଲାକ୍‍, ନାଗରିକ ସଂହିତା ସଂଶୋଧନ ବିଲ୍‍ ପ୍ରଭୃତି ଆଲୋଚନା ସମୟରେ ବିଜେଡି ସାଂସଦଙ୍କ ସମର୍ଥନ ବିଜେଡି-ବିଜେପି ଭିତରେ ସୁ ସମ୍ପର୍କକୁ ପଦାରେ ପକାଇଥିଲା। କେହି କେହି ସମୀକ୍ଷକ ତାଙ୍କୁ ଗୋଟିଏ ଘାଟରେ ପାଣି ପିଉଥିବା ରାଜନୀତିକ ଦଳ ବୋଲି ସମ୍ବୋଧନ ଆଉ ସେଥିଲାଗି ରାଜ୍ୟରେ ବିଜେପିର ବିକାଶ ହେଉ ନଥିବା ତଥା ବିଜେଡି ନିର୍ଦ୍ୱନ୍ଦ୍ୱ କ୍ଷମତା ଉପଭୋଗ କରୁଥିବା ବି ଦର୍ଶାଇଥିଲା। କରିଥିଲେ। ଶାସକ ଦଳ କିନ୍ତୁ ଏଥିରେ ଓଡ଼ିଶା ସ୍ୱାର୍ଥ ଓ ସମଦୂରତା ରାଜନୀତିର ଅଖ୍ୟା ଦେଇଥିଲା। 

ଏମିତି ଅନେକ ଘଟଣା ଓଡ଼ିଶା ରାଜନୀତିକୁ ୨୦୨୩ରେ ଆଚ୍ଛାଦିତ କରିଥିଲା। ସେହି ଛାଇରେ ୨୦୨୪ରେ ଓଡ଼ିଶାବାସୀ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ଲାଗି ଭୋଟ ଦେବେ। ବର୍ଷ ଆରମ୍ଭରୁ ଏଥିଲାଗି ପ୍ରୟାସ ଆରମ୍ଭ ହେବ। ସେତିକିବେଳେ କିପରି ରାଜନୀତିକ ଦଳମାନେ ରାଜ୍ୟରେ ଲୋକଙ୍କୁ ପ୍ରଭାବିତ କରୁଛନ୍ତି ତାହାକୁ ଅପେକ୍ଷା।