Bihar Politics: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଶୁପତି ପାରସ
Advertisement
Article Detail0/zeeodisha/odisha2164489

Bihar Politics: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଶୁପତି ପାରସ

Lok Sabha Election 2024: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ  କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ନେତା ପଶୁପତି ପାରସ।

Bihar Politics: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଶୁପତି ପାରସ

Union Minister Pashupati Paras Resigned: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧିନ ଏନଡି଼ଏ ସରକାରରେ ହୋଇଯାଇଛି ଏକ ବଡ଼ ପରିବର୍ତ୍ତନ। ମାର୍ଚ୍ଚ ୧୯ ତାରିଖ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଛନ୍ତି ପଶୁପତି ପାରସ। ଏହା ସହିତ ତାଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଏନଡିଏ ମେଣ୍ଟରୁ ବାହାରି ଯାଇଥିବାର ସ୍ପଷ୍ଟ କରିଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ଏନଡିଏ ମେଣ୍ଟର ଅଂଶୀଦାର ଦଳଙ୍କ ମଧ୍ୟରେ ଆସନ ବୁଝାମଣା ହେବାର ଦିନକ ପରେ ପଶୁପତି ପାରସ ଏପରି ନିଷ୍ପତ୍ତି ନେଇଛନ୍ତି। 

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିହାରରେ କ୍ଷମତାସୀନ ଶାସକ ଏନଡ଼ିଏ ମେଣ୍ଟର ଅଂଶୀଦାର ଦଳଙ୍କ ମଧ୍ୟରେ ହୋଇଛି ଆସନ ବୁଝାମଣା। ରାଜ୍ୟର ମୋଟ ୪୦ ଲୋକସଭା ଆସନ ମଧ୍ୟରୁ ବିଜେପି ସର୍ବାଧିକ ୧୭ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ସେହିପରି ଜେଡିୟୁ ୧୬ ଆସନରେ ନିର୍ବାଚନ ଲଢିବ। ଅନ୍ୟପକ୍ଷରେ ଚିରାଗ ପାଶ୍ୱାନଙ୍କ ଏଲଜେପି ୫ ଆସନ ଏବଂ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଭାଗରେ ୧ ଏବଂ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମୀ ମୋର୍ଚ୍ଚା ଭାଗରେ ୧ ଆସନରେ ଆସିଛି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଭାଗରେ ଗୋଟିଏ ଆସନ ପଡ଼ିନାହିଁ। 

ଏଥର ହାଜିପୁର ଆସନ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ) ଭାଗରେ ପଡ଼ିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ପଶୁପତି ପାରସ ହାଜିପୁର ଆସନରୁ ନିର୍ବାଚିତ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ସମ୍ପର୍କରେ ପ୍ରତିକ୍ରିୟା ରଖି ପଶୁପତି ପାରସ କହିଛନ୍ତି ତାଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଏନଡିଏ ମେଣ୍ଟରୁ ବାହାରି ଯାଇଛି। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞ। ମୋର ଦଳ ଏବଂ ମୁଁ ଅନ୍ୟାୟର ସାମ୍ନା କରିଛି। 

ଏନଡିଏ ମେଣ୍ଟରୁ ବାହାରି ଯିବା ପରେ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ବିରୋଧି ଇଣ୍ଡିଆ ନାଁ ଆରଜେଡ଼ି-କଂଗ୍ରେସ ନେତୃତ୍ୱାଧିନ ମେଣ୍ଟରେ ସାମିଲ ହେବ ସେ ନେଇ କୌଣସି ଖବର ମିଳିନାହିଁ। ଅନ୍ୟପକ୍ଷରେ ପଶୁପତି ପାରସ କହି ସାରିଛନ୍ତି ତାଙ୍କ ଦଳ ଆରଏଲଜେପି ହାଜିପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।

ଗତ ସପ୍ତାହରେ ଯେତେବେଳେ ବିଜେପି ନେତୃତ୍ୱାଧିନ ବିହାରରେ ଏନଡିଏ ମେଣ୍ଟର ଅଂଶୀଦାର ଦଳଙ୍କ ଆସନ ବୁଝାମଣା କରି ସାରିଥିଲା ସେତେବେଳେ ପଶୁପତି ପାରସ କହିଥିଲେ ଯେ ତାଙ୍କ ଆରଏଲଜେପି ପାଖରେ ୫ ସାଂସଦ ଅଛନ୍ତି। ତାଙ୍କ ଦଳର ୫ ଲୋକସଭା ସାଂସଦ ଗତ ୨୦୧୯ ଲୋକସଭା ନିର୍ବାଚନରେ ଯେଉଁ ଆସନରୁ ନିର୍ବାଚିତ ହୋଇଥିଲେ ସେମାନେ ଏଥର ସେହି ସମାନ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। 

ଗତ ୨୦୧୯ ଲୋକସଭା ନିର୍ବାଚନରେ ତତ୍କାଳୀନ ଅବିଭାଜିତ ଲୋକ ଜନଶକ୍ତି ପାର୍ଟି ସଦସ୍ୟ ଭାବେ ପଶୁପତି ପାରସ ହାଜିପୁର ଆସନରୁ ନିର୍ବାଚିତ ହୋଇଥିଲେ। ସେତେବେଳେ ଲୋକ ଜନଶକ୍ତି ପାର୍ଟି ନେତୃତ୍ୱ ଦଳର ପ୍ରତିଷ୍ଠାତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ହାତରେ ରହିଥିଲା। ରାମବିଳାସ ପାଶ୍ୱାନଙ୍କ ପୁଅ ହେଉଛନ୍ତି ଚିରାଗ ପାଶ୍ୱାନ। ଗତ ୨୦୨୦ ଅକ୍ଟୋବର ୮ ତାରିଖରେ ରାମବିଳାସ ପାଶ୍ୱାନଙ୍କ ମୃତ୍ୟୁ ହୋଇଥିଲା। ହାଜିପୁର ଆସନରୁ ସେ ୮ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। 

ବିଜେପି ନେତୃତ୍ୱାଧିନ ଏନଡି଼ଏ ଚିରାଗ ପାଶ୍ୱାନଙ୍କୁ ସହ ନିଜ ସହ ରଖିଛି। ପାଶ୍ୱାନ ସମ୍ପ୍ରଦାୟର ଭୋଟ ଚିରାଗ ପାଶ୍ୱାନଙ୍କ ହାତରେ ରହିଥିବା ବିଜେପି ବିଶ୍ୱାସ କରୁଛି। ବିହାରର ମୋଟ ଜନସଂଖ୍ୟାର ୬ ପ୍ରତିଶତ ହେଉଛନ୍ତି  ପାଶ୍ୱାନ। ବିଜେପି ପାଇଁ ଏକମାତ୍ର ସମସ୍ୟା ହୋଇପାରେ ଉଭୟ ଚିରାଗ ପାଶ୍ୱାନ ଏବଂ ଜେଡ଼ିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ ଏକାଠି ରଖିବା। କାରଣ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଉଭୟ ଜେଡିୟୁ ଏବଂ ଅବିଭାଜିତ ଲୋକ ଜନଶକ୍ତି ପାର୍ଟି ଏନଡି଼ଏ ମେଣ୍ଟରେ ଥାଇ ମଧ୍ୟ ଅଲଗା ଅଲଗା ନିର୍ବାଚନ ଲଢିଥିଲେ। 

ଯାହାର ଫଳସ୍ୱରୂପ ଜେଡିୟୁ ବିପର୍ଯ୍ୟୟର ସାମ୍ନା କରିଥିଲା। କାରଣ ଲୋକ ଜନଶକ୍ତି ପାର୍ଟି ଏକାକୀ ନିର୍ବାଚନ ଲଢିବା ଦ୍ୱାରା ଏନଡି଼ଏ ମେଣ୍ଟର ଭୋଟ ବିଭାଜିତ ହୋଇଥିଲା। ଅନ୍ୟପକ୍ଷରେ ଏନଡ଼ିଏ ମେଣ୍ଟରେ ବିଜେପି ଏକକ ବୃହତ୍ତ ଦଳ ଭାବେ ଉଭା ହୋଇଥିଲା। ୨୦୨୦ ବିହାର ବିଧାନସଭା ନିର୍ବାଚନ ପରେ ଲୋକ ଜନଶକ୍ତି ପାର୍ଟି  ୨ ଗୋଷ୍ଠୀରେ ବିଭାଜିତ ହୋଇଥିଲା। ଗୋଟିଏ ଗୋଷ୍ଠୀର ନେତୃତ୍ୱ ଚିରାଗ ପାଶ୍ୱାନଙ୍କ ହାତରେ ରହିଥିଲା। ଯାହାର ନାଁ ହେଉଛି ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)। ସେହିପରି ପଶୁପତି ପାରସ ଯେଉଁ ଗୋଷ୍ଠୀର ନେତୃତ୍ୱ ନେଉଥିଲେ ତାହାର ନାଁ ହେଉଛି ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି।