Uttar Prasesh Politics: 'ଯେଉଁଠି ମିଳୁଛି ସମ୍ମାନ ସେଠାକୁ ଚାଲିଯାଅ'
Advertisement
Article Detail0/zeeodisha/odisha1275190

Uttar Prasesh Politics: 'ଯେଉଁଠି ମିଳୁଛି ସମ୍ମାନ ସେଠାକୁ ଚାଲିଯାଅ'

Uttar Prasesh Politics: ଶିବପାଲ ଯାଦବ ଏବଂ ଓମ ପ୍ରକାଶ ରାଜଭାର ଦୀର୍ଘ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ଆସୁଥିଲେ। ଯାହାର ସଦ୍ୟତମ ଉଦାହରଣ ହେଉଛି ୨୦୨୨ ରାଷ୍ଟ୍ରପତି ନିର୍ବାଚନ। 

Uttar Prasesh Politics: 'ଯେଉଁଠି ମିଳୁଛି ସମ୍ମାନ ସେଠାକୁ ଚାଲିଯାଅ'

Presidential Election 2022: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ​ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ସମାଜବାଦୀ ପାର୍ଟି ଶିବପାଲ ଯାଦବ ଏବଂ ଓମ ପ୍ରକାଶ ରାଜଭାରଙ୍କ ଠାରୁ ଦୂରେଇ ଯାଇଛି। ଉଭୟ ନେତା ସମାଜବାଦୀ ମେଣ୍ଟରେ ଥାଇ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ଏହା ପରେ ସମାଜବାଦୀ ପାର୍ଟି ପକ୍ଷରୁ ଉଭୟଙ୍କୁ କୁହାଯାଇଥିଲା ଯେ ସେମାନେ ମେଣ୍ଟରୁ ବାହାରିଯିବା ପାଇଁ ସ୍ୱତନ୍ତ୍ର। ଶିବପାଲ ଯାଦବ ଏବଂ ଓମ ପ୍ରକାଶ ରାଜଭାର ଦୀର୍ଘ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି ଆସୁଥିଲେ। ଯାହାର ସଦ୍ୟତମ ଉଦାହରଣ ହେଉଛି ୨୦୨୨ ରାଷ୍ଟ୍ରପତି ନିର୍ବାଚନ। 

ସମାଜବାଦୀ ପାର୍ଟି (Samajwadi Party) ଏହାର ଔପଚାରିକ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ସେୟାର କରିଥିବା ଏକ  ପତ୍ରରେ ଦଳ ପକ୍ଷରୁ କୁହାଯାଇଛି ଯେ ସମ୍ମାନୀୟ ଶିବପାଲ ଯାଦବ, ଯଦି  ଆପଣ ଅନୁଭବ କରୁଛନ୍ତି ଆପଣଙ୍କୁ ଅନ୍ୟତ୍ର ସମ୍ମାନ ମିଳିବ ତାହେଲେ ଆପଣ ସେଠାକୁ ଚାଲିଯିବାକୁ ମୁକ୍ତ। ଅନ୍ୟ ଏକ ଟ୍ୱିଟ୍‌ କରି କୁହାଯାଇଛି ସମ୍ମାନନୀୟ ଓମ ପ୍ରକାଶ ରାଜଭର, ସମାଜବାଦୀ ପାର୍ଟି ବିଜେପି ବିରୋଧରେ ଲଗାତାର ଲଢେଇ କରୁଛି। ଆପଣ ବିଜେପି ସହିତ ଅଛନ୍ତି ଏବଂ ଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଯଦି ଆପଣ ଭାବୁଛନ୍ତି ଆପଣ ଅନ୍ୟତ୍ର ସମ୍ମାନ ପାଇବେ ତାହେଲ ଆପଣ ସେଠାକୁ ଯିବାକୁ ମୁକ୍ତ।

ସମାଜବାଦୀ ପାର୍ଟି ପକ୍ଷରୁ ଲେଖାଯାଇଥିବା ପତ୍ର ଉପରେ ଓମ ପ୍ରକାଶ ରାଜଭାର ଏବଂ ଶିବପାଲ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ଏନେଇ ଓମପ୍ରକାଶ ରାଜଭାର କହିଛନ୍ତି ଯେ ସେ ସମାଜବାଦୀ ପାର୍ଟି ନେତୃତ୍ୱାଧିନ ମେଣ୍ଟରୁ ବାହାରି ଯାଇଛନ୍ତି। ସେମାନେ ଆମକୁ ଛାଡି ଦେଇଛନ୍ତି। ଆମେ ଏହାକୁ ଗ୍ରହଣ କରିଛୁ। ପରବର୍ତ୍ତୀ ପଦକ୍ଷେପ ହେଉଛି ବିଏସପି ସହ ମେଣ୍ଟ। ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ  ଯୋଗୀଙ୍କୁ ଭେଟିଥାଏ ସେତେବେଳେ ଏହା ଅଖିଲେଶ ଯାଦବଙ୍କ ପାଇଁ ଖରାପ କିନ୍ତୁ ଯେତେବେଳେ ସେ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଭେଟନ୍ତି ତାହା ସେତେବେଳେ ତାଙ୍କ ପାଇଁ ଭଲ। ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ସବୁକିଛି ସ୍ପଷ୍ଟ ହୋଇଯିବ। ଆମେ ଦଳିତ ଏବଂ ପଛୁଆବର୍ଗଙ୍କ ପାଇଁ ଲଢେଇ ଜାରି ରଖିବୁ।

ଅନ୍ୟପଟେ ଶିବପାଲ ଯାଦବ (Shivpal Yadav) କହିଛନ୍ତି ଯେ ଯଦିଓ ମୁଁ ସର୍ବଦା ମୁକ୍ତ ଥିଲି ହେଲେ ସମାଜବାଦୀ ପାର୍ଟି ମୋତେ ଏକ ପତ୍ର ଦେଇ ମୋତେ ଆନୁଷ୍ଠାନିକ ସ୍ୱାଧିନତା ଦେଇଥିବାରୁ ମୋର ହୃଦୟରୁ ସେମାନଙ୍କୁ ଧନ୍ୟବାଦ। ଶିବପାଲ ଯାଦବ କହିଛନ୍ତି ଯେ ମୋର ଚିଠିର ପ୍ରଭାବ କାରଣରୁ ରାଷ୍ଟ୍ରପତି ନିର୍ବାଚନରେ ସମାଦବାଦୀ ପାର୍ଟି ବିଧାୟକ ଦଳରେ କ୍ରସ ଭୋଟିଂ ହୋଇଥିଲା।  ମୋର ଚିଠି  ପାଇଁ ପ୍ରକୃତ ସମାଜବାଦୀ ଦ୍ରୌପଦୀ ମୁର୍ମୁଙ୍କୁ (NDA Candidate Draupadi Murmu) ଭୋଟ୍ ଦେଇଥିଲେ। ମୁଲାୟମ ସିଂହ ଯାଦବଙ୍କ (Mulayam Singh Yadav) ଉପରେ ଯଶବନ୍ତ ସିହ୍ନାଙ୍କ (Yashwant Sinha) ପୁରୁଣା ବିବୃତ୍ତି ସମ୍ପର୍କରେ ଶିବପାଲ ଯାଦବ ସମାଜବାଦୀ ପାର୍ଟି ବିଧାୟକଙ୍କୁ ଚିଠି ଲେଖି ସେମାନଙ୍କୁ ଭୋଟ୍ ନ ଦେବାକୁ ନିବେଦନ କରିଥିଲେ। ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ ଶିବପାଲ ଯାଦବ କହିଛନ୍ତି ଯେ ସମୟ ନେଇ ତାଙ୍କୁ ଭେଟିବାକୁ ଯିବେ। ଦେଶର ମାନ୍ୟବର ରାଷ୍ଟ୍ରପତି ପଦ ପାଇଁ ଆଦିବାସୀ ସମାଜର ପ୍ରଥମ ମହିଳା ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆପଣଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ତଥା ସର୍ବଭାରତୀୟ ଭାରତର ସ୍ୱପ୍ନ ପୂରଣ ହେବ। ଶୁଭେଚ୍ଛା।

ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ରାଜ୍ୟ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବଙ୍କ ବାବଦରେ ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ପୁରୁଣା ବିବୃତ୍ତି ସମ୍ପର୍କରେ ଶିବପାଲ ଯାଦବ ସମାଜବାଦୀ ପାର୍ଟି ବିଧାୟକଙ୍କୁ ନିବେଦନ କରିଥିଲେ। ଯେଉଁଥିରେ ଯଶବନ୍ତ ସିହ୍ନା ମୁଲାୟମ ସିଂହ ଯାଦବଙ୍କୁ ଆଇଏସଆଇ ଏଜେଣ୍ଟ ଦର୍ଶାଇଥିଲେ। ପୁତୁରା ଅଖିଲେଶ ଯାଦବଙ୍କୁ (Akhilesh Yadav) ପରାମର୍ଶ ଦେଇ ଚାଚା ଶିବପାଲ କହିଛନ୍ତି ଯେ ଯଦି ସେ ଆମର ପରାମର୍ଶ ମାନିଥାନ୍ତେ ତାହଲେ ଫଳାଫଳ ବର୍ତ୍ତମାନ ଭିନ୍ନ ହୋଇଥାନ୍ତା।

ସମାଜବାଦୀ ମେଣ୍ଟରୁ ଶିବପାଲ ଯାଦବ ଏବଂ ଓମ ପ୍ରକାଶ ରାଜଭାର ଦୂରେଇ ଯିବା ପରେ ଉତ୍ତର ପ୍ରଦେଶ ରାଜନୀତିରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଲାଗି ସମସ୍ୟା ବଢିପାରେ। ଜୁଲାଇ ୨୬ ତାରିଖ ମଙ୍ଗଳବାର କନ୍ନୌଜ ଗସ୍ତରେ ଆସିବା ଅବସରେ  ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଲେଶ ଯାଦବ କହିଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଅଧ୍ୟକ୍ଷ ଓମପ୍ରକାଶ ରାଜଭର (Om Prakash Rajbhar) ଏବଂ ତାଙ୍କ ଦଳର ନେତାଙ୍କ ଦ୍ୱାରା ବ୍ୟବହୃତ ଶବ୍ଦକୁ ନେଇ ବିଜେପି (BJP) ଚିନ୍ତା କରିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ତଥା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ଖରାପ କଥା କହୁଥିବା ଲୋକଙ୍କୁ ମୁଁ ସାମ୍ନା କରିପାରିବି ନାହିଁ। ଓମ ପ୍ରକାଶ ରାଜଭାର ବ୍ୟବହାର କରୁଥିବା ଭାଷା ମୁଁ କହିପାରିବି ନାହିଁ। ଅଖିଳେଶ ଯାଦବ କହିଛନ୍ତି ବର୍ତ୍ତମାନ ସମାଜବାଦୀ ପାର୍ଟି କେବଳ ସେହି ଦଳ ସହ ମେଣ୍ଟ କରି ନିର୍ବାଚନ ଲଢିବ ଯିଏ ଆଗାମୀ ଦିନରେ ଆମ ସହ ରହିବ।  

ନିକଟ ଅତୀତରେ ଆଜମଗଡ ଏବଂ ରାମପୁର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସମାଜବାଦୀ ମେଣ୍ଟ ପରାଜୟ ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଟାର୍ଗେଟ କରି ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭର କହିଥିଲେ ଯେଉଁ ଦଳର ନେତା ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରନ୍ତି ନାହିଁ ତାହେଲେ ସେହି ଦଳ ରାଜନୀତିରେ କିପରି ସଂଘର୍ଷ କରିପାରିବ? ଏସି ରୁମ ମଧ୍ୟରେ ବସି ରାଜନୀତି ନ କରିବାକୁ ରାଜଭର ଅଖିଲେଶଙ୍କୁ ପରାମର୍ଶ ଦେଇଥିଲେ। ଅଖିଲେଶ ଯାଦବ କେବଳ ତାଙ୍କ ପିତା ମୁଲାୟମ ସିଂହ ଯାଦବଙ୍କ ଅନୁଗ୍ରହରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି ୨୦୧୪ ବର୍ଷ ପର ଠାରୁ କୌଣସି ନିର୍ବାଚନ ​​ଜିତି ନାହିଁ। 

ନିକଟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଓମ ପ୍ରକାଶ ରାଜଭର କହିଥିଲେ ଯେ ସେ ସମାଜବାଦୀ ମେଣ୍ଟରେ ସାମିଲ ହୋଇ ରହିବେ ଏବଂ ଅଖିଳେଶ ଯାଦବଙ୍କ ପକ୍ଷରୁ ଦିଆଯିବାକୁ ଥିବା "ଛାଡପତ୍ର" ଗ୍ରହଣ କରିବେ। ମାତ୍ର ସେ ନିଜ ଆଡୁ ସମାଜବାଦୀ ମେଣ୍ଟରୁ ଦୂରେଇ ଯିବେ ନାହିଁ। ଏକ ବିକଳ୍ପ ପ୍ରଦାନ କରି ସେ ନିଶ୍ଚିତ ହୋଇ କହିଥିଲେ ଯଦି ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିଯାଏ ତାହେଲେ ତାଙ୍କ ଦଳ ବହୁଜନ ସମାଜ ପାର୍ଟି ସହ ମେଣ୍ଟ କରିବ।

ଏହି ସପ୍ତାହ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ଚାଚା ଶିବପାଲ ଯାଦବ ବିଜେପି ନିର୍ଦ୍ଦେଶ ଅନୁଯାୟୀ ବିରୋଧି ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଟାର୍ଗେଟ କରିବାର କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି। ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଓମ ପ୍ରକାଶ ରାଜଭାରଙ୍କୁ Y Category Security ପ୍ରଦାନ କରିଛନ୍ତି। ଯେତେବେଳେ ତାଙ୍କ ଦଳ ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା ପରାସ୍ତ ହୋଇଛନ୍ତି।

Also Read: Akhilesh Yadav: ବିଜେପି କରୁ ଓମ ପ୍ରକାଶ ରାଜଭରଙ୍କ ଚିନ୍ତା, ମୁଁ କହିପାରିବି ନାହିଁ ତାଙ୍କ ଭାଷା

Also Read: Uttar Pradesh Politics: ଓମପ୍ରକାଶ ରାଜଭରଙ୍କୁ ଜୋରଦାର ଝଟକା ଦେଲା ବିଏସପି

Also Read: Shivpal Yadav: ମୋ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ସମାଜବାଦୀ ପାର୍ଟି ନେତା