ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ,ବର୍ଷାକୁ ରୋକିଦେଲା ପାହାଡ଼
Advertisement
Article Detail0/zeeodisha/odisha1195614

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ,ବର୍ଷାକୁ ରୋକିଦେଲା ପାହାଡ଼

(ରିପୋର୍ଟ -ମଳୟ ରଞ୍ଜନ ମହାନ୍ତି )

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ତୋନୋଟି ରାଜ୍ୟସଭା ସଭ୍ୟ ପଦ ପାଇଁ ହେବ ନିର୍ବାଚନ। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ୧୧ ଟା ରୁ ୩ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ଜୁନ ୧ ତାରିଖ ୧୧ ଟା ୩0 ରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଜୁନ ୩ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ। ଆବଶ୍ୟକ ହେଲେ ଜୁନ ୧୦ତାରିଖରେ ନିର୍ବାଚନ ହେବ। ସେପଟେ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ବିଜେଡିର ମହିଳା କାର୍ଡରେ ଯେଉଁ ସେଲିବ୍ରିଟି ଜଣକ ଅଧିକ ଲବିରେ ଥିଲେ,ତାଙ୍କର ପାରିବାରିକ କହଳ କାରଣରୁ ତାଙ୍କୁ ଵ୍ୟାକଫୁଟ ନେଇଯାଇଥିବା ସୂଚନା ମିଳୁଛି। 

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ,ବର୍ଷାକୁ ରୋକିଦେଲା ପାହାଡ଼

ବିଧାନସଭାର ସଂଖ୍ୟା ଗଣିତ ଦୃଷ୍ଟିରୁ ସମସ୍ତ ରାଜ୍ୟସଭା ଆସନ ଶାସକ ବିଜେଡି ଖାତାକୁ ଯିବା ଏକରକମ ସ୍ପଷ୍ଟ। ତେଣୁ ପ୍ରାର୍ଥିତ୍ୱକୁ ନେଇ ଦଳ ଭିତରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେପଟେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ମହିଳା କାର୍ଡ ଖେଳିବା ନେଇ ଚର୍ଚ୍ଚା ହେଉଛି। ସଂସଦରେ ବିଜେଡି ନିଜର ମହିଳା ପ୍ରତିନିଧିତ୍ୱକୁ ବଢାଇବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଇଛି। ସେପଟେ ବିଜେଡି ସଠିକ ସମୟରେ ସଠିକ ନିଷ୍ପତ୍ତି ନେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ପଂଚାୟତ ନିର୍ବାଚନରେ ବିଜେଡି ୫୦ ପ୍ରତିଶତରୁ ଅଧିକ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ଏପରିକି ୩୦ଟି ଜିଲ୍ଲା ପରିଷଦ ସଭାପତି ପଦ ମଧ୍ୟରୁ ୨୦ଟି ଜିଲ୍ଲାରେ ମହିଳାଙ୍କୁ ସଭାପତି ପଦରେ ବସାଇଛି ବିଜେଡି। ଭୁବନେଶ୍ୱର ମହାନଗର ନିଗମରେ ଉଭୟ ମେୟର ଓ ଡେପୁଟି ମେୟର ପଦବୀରେ ମହିଳାଙ୍କୁ ବସାଇ ବିଜେଡି ଉଦାହରଣ ସୃଷ୍ଟି କରିଥିବାବେଳେ କଟକ ମହାନଗର ନିଗମରେ ଡେପୁଟି ମେୟର ଭାବେ ମହିଳାଙ୍କୁ ଅବସ୍ଥାପିତ କରିଛି ଦଳ।

 ଏପରିକି ମିଶନ ଶକ୍ତି କାର୍ଯ୍ୟକ୍ରମ ଆଧାରରେ ଏସଏଚଜିର ୭୦ଲକ୍ଷ ସଦସ୍ୟଙ୍କୁ ଫୋକସ କରାଯାଉଛି। ନିର୍ବାଚନରେ ଅଧିକାଂଶ ଏସଏଚଜି ମହିଳା ଦଳର ଶକ୍ତି ଭାବେ ଉଭା ହୋଇଛନ୍ତି । ପୂର୍ବରୁ ଲୋକସଭା କ୍ଷେତ୍ରରେ 33 ପ୍ରତିଶତ ମହିଳାଙ୍କୁ ଲଢ଼ିବାର ସୁଯୋଗ ଦେଇଥିବା ବିଜେଡି ଏବେ ରାଜ୍ୟସଭାରେ ମଧ୍ୟ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି। ସବୁବେଳେ କିଛି ଭିନ୍ନ ନିଷ୍ପତ୍ତି ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ରେ ରହୁଥିବା ନବୀନ ଏବେ ରାଜ୍ୟସଭା ନିର୍ବାଚନ କିଛି ଗୋଟିଏ ଚକମା ଦେଇପାରନ୍ତି ବୋଲି ରାଜନୀତି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ସେପଟେ ରାଜ୍ୟସଭା ପାଇଁ କଂଗ୍ରେସରୁ ବିଜେଡିକୁ ଯାଇଥିବା ପ୍ରଦୀପ ମାଝୀଙ୍କ ସମେତ ଅନ୍ୟ ବହୁ ନେତା ଦାବିଦାର ରହିଛନ୍ତି। ସେପଟେ ରାଜ୍ୟସଭା ପାଇଁ ଦଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ମହିଳାଙ୍କୁ ପ୍ରାର୍ଥୀ କରାଇଲେ ଦଳକୁ ଉଭୟ ପଟୁ ଲାଭ ହେବ ବୋଲି ଚର୍ଚ୍ଚା ହେଉଛି।